BJD Bijuli 480×75 Mob

ସମସ୍ତ ପ୍ରକାର କ୍ରିକେଟ୍‌ରୁ ଉଥପ୍ପାଙ୍କ ଅବସର

BJD Bijuli 480×75 Mob

ବାଙ୍ଗାଲୋର: ଭାରତୀୟ ଦଳର ପୂର୍ବତନ ସଦସ୍ୟ ରବିନ୍‌ ଉଥପ୍ପା ସମସ୍ତ ପ୍ରକାର କ୍ରିକେଟ୍‌ରୁ ବୁଧବାର ଅବସର ଘୋଷଣା କରିଛନ୍ତି। ଆନ୍ତର୍ଜାତିକ କ୍ରିକେଟ୍‌ରୁ ଅବସର ଘୋଷଣା ପରେ ଉଥପ୍ପା କେରଳ କ୍ରିକେଟ୍‌ ଆସୋସିଏସନ୍‌ରୁ ମଧ୍ୟ ଅନୁମତି ପତ୍ର ପାଇଛନ୍ତି। କାରଣ ଉଥପ୍ପା ଶେଷଥର କେରଳ ପାଇଁ ରଣଜୀ ଟ୍ରଫି ଖେଳିଥିଲେ। ଏହାଫଳରେ ବିସ୍ଫୋରକ ଓପନ୍‌ର ତଥା ମଧ୍ୟକ୍ରମ ବ୍ୟାଟ୍‌ସମ୍ୟାନ ଉଥପ୍ପା ବିଦେଶ​‌ରେ ବିଭିନ୍ନ ପେସାଦାର ଟ୍ବେଣ୍ଟି୨୦ ଲିଗ୍‌ରେ ଖେଳିପାରିବେ। ଟ୍ବିଟର ଜରିଆରେ ୩୬ ବର୍ଷ ବୟସ୍କ ରବିନ୍ ଉଥପ୍ପା ଏହି ଘୋଷଣା କରିଛନ୍ତି।

୨୦୦୪ରେ ଭାରତ ୧୯ ବର୍ଷରୁ କମ୍‌ ବିଶ୍ବକପ୍‌ ଜିତିଥିବା ବେଳେ କର୍ଣ୍ଣାଟକର ରବିନ୍ ଉଥପ୍ପା ଏହାର ସଦସ୍ୟ ଥିଲେ। ୨୦୦୬ରେ ଉଥପ୍ପା ବରିଷ୍ଠ ଭାରତୀୟ କ୍ରିକେଟ୍‌ ଦଳ ପାଇଁ ପଦାର୍ପଣ କରିଥିଲେ। ୨୦୦୭ରେ ଭାରତ ଟ୍ବେଣ୍ଟି୨୦ ବିଶ୍ବକପ୍‌ର ପ୍ରଥମ ସଂସ୍କରଣ​‌େ​‌ର ଚମ୍ପିଆନ୍ ହୋଇଥିବା ବେଳେ ରବିନ୍ ଉଥପ୍ପା ଏହାର ସଦସ୍ୟ ଥିଲେ। ୨୦୦୬ରୁ ୨୦୧୫ ମଧ୍ୟରେ ଉଥପ୍ପା ଭାରତ ପାଇଁ ୪୨ଟି ଦିନିକିଆ ମ୍ୟାଚ୍‌ ଖେଳି ୬ଟି ଅର୍ଦ୍ଧଶତକ ସହ ୯୩୪ ରନ୍‌ କରିଛନ୍ତି। ପୁଣି ୨୦୦୭ରୁ ୨୦୧୫ ମଧ୍ୟରେ ଉଥପ୍ପା ୧୩ଟି ଟ୍ବେଣ୍ଟି୨୦ ମ୍ୟାଚ୍‌ ଖେଳି ଗୋଟିଏ ଅର୍ଦ୍ଧଶତକ ସହ ୨୪୯ ରନ୍‌ କରିଛନ୍ତି। ପ୍ରଥମଶ୍ରେଣୀ କ୍ରିକେଟ୍‌ରେ ରବିନ୍ ଉଥପ୍ପା ଜଣେ ମହାରଥୀ।

ସେ କର୍ଣ୍ଣାଟକ, ସୌରାଷ୍ଟ୍ର, କେରଳ ଓ ଦକ୍ଷିଣାଞ୍ଚଳ ପାଇଁ ମୋଟ ୧୪୨ଟି ପ୍ରଥମଶ୍ରେଣୀ ମ୍ୟାଚ୍‌ରୁ ୨୨ଟି ଶତକ ଓ ୫୨ଟି ଅର୍ଦ୍ଧଶତକ ସହ ୯୪୪୬ ରନ୍‌ କରିଛନ୍ତି। ଉଥପ୍ପା ୨୦୩ ଲିଷ୍ଟ-ଏ ମ୍ୟାଚ୍‌ରୁ ୬୫୩୪ ଏବଂ ୨୯୧ଟି ଟ୍ବେଣ୍ଟି୨୦ ମ୍ୟାଚ୍‌ରୁ ୭୨୭୨ ରନ୍‌ କରିଛନ୍ତି। ଉଥପ୍ପା ମଧ୍ୟ ଜଣେ ଉପଯୋଗୀ ୱିକେଟ ରକ୍ଷକ। ସେ ଆଇପିଏଲ୍‌ର ୧୫ଟିଯାକ ସଂସ୍କରଣ ୬ଟି ଦଳ ପାଇଁ ଖେଳିଛନ୍ତି। ୨୦୧୪ରେ କଲକାତା ନାଇଟ୍‌ ରାଇଡର୍ସ ଓ ୨୦୨୧ରେ ଚେନ୍ନଇ ସୁପର କିଙ୍ଗ୍‌ସ ଆଇପିଏଲ୍‌ ଚମ୍ପିଆନ୍‌ ହୋଇଥିବା ବେଳେ ଉଥପ୍ପା ଏହାର ସଦସ୍ୟ ଥିଲେ। ମୋଟ ୨୦୫ଟି ଆଇପିଏଲ୍‌ ମ୍ୟାଚ୍‌ରୁ ଉଥପ୍ପା ୧୩୦.୩୫ ଷ୍ଟ୍ରାଇକ୍‌ରେଟ୍‌ ଓ ୨୭.୫୧ ଆଭ୍‌ରେଜରେ ୪୯୫୨ ରନ୍‌ କରିଛନ୍ତି। ୨୦୧୩-୧୪ ଋତୁରେ ଉଥପ୍ପା କର୍ଣ୍ଣାଟକ ପାଇଁ ରଣଜୀ, ଇରାନୀ କପ୍ ଓ ବିଜୟ ହଜାର ଟ୍ରଫି ଜିତିବାର କୃତିତ୍ବ ହାସଲ କରିଥିଲେ। ୨୦୧୪ ଆଇପିଏଲ୍‌ରେ କେକେଆର୍ ପାଇଁ ଖେଳି ଉଥପ୍ପା ସର୍ବାଧିକ ୬୬୦ ରନ୍‌ କରିଥିଲେ। ଏହାପରେ ସେ ଭାରତୀୟ ଦଳକୁ ଫେରିଥିଲେ।

Comments are closed.