କୋହଲିଙ୍କ ଉପରେ ସବୁରି ନଜର

ଦୁବାଇ: ଭାରତୀୟ ବ୍ୟାଟିଂ ତାରକା ବିରାଟ କୋହଲିଙ୍କ ବ୍ୟାଟିଂ ଫର୍ମ କ୍ରିକେଟ୍‌ ଦୁନିଆରେ ଏବେ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି । ୨୦୧୯ରେ କଲକାତାରେ ବାଂଲାଦେଶ ବିପକ୍ଷ ଟେଷ୍ଟମ୍ୟାଚ୍‌ ପରେ କୋହଲି ଆନ୍ତର୍ଜାତିକ ଶତକ ମାରିନାହାନ୍ତି । ଶତକ କଥା ଛାଡ଼ନ୍ତୁ; ଗତ ୨ ବର୍ଷରେ କୋହଲିଙ୍କ ବ୍ୟାଟ୍‌ରୁ ବହୁତ କମ୍ ଅର୍ଦ୍ଧଶତକ ଦେଖିବାକୁ ମିଳିଛି । ରବିବାର ଏସିଆ କପ୍‌ରେ ପାକିସ୍ତାନ ବିପକ୍ଷରେ ଭାରତ ଖେଳିବାକୁ ଯାଉଥିବା ବେଳେ କୋହଲିଙ୍କ ବ୍ୟାଟିଂ ଫର୍ମ ଉପରେ ସମସ୍ତଙ୍କ ନଜର ରହିବ ।

ଦେଖିବାର କଥା ଯେ ଏହି ହାଇ ଭୋଲ୍‌ଟେଜ୍‌ ମୁକାବିଲାରେ କୋହଲି ବଡ଼ ସ୍କୋର୍ କରି ପାରୁଛନ୍ତି କି ନାହିଁ । ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ପାକିସ୍ତାନ ବିପକ୍ଷରେ ସର୍ବାଧିକ ରନ୍‌ କରିଛନ୍ତି କୋହଲି । ୩୩ ବର୍ଷ ବୟସ୍କ କୋହଲି ପାକିସ୍ତାନ ବିପକ୍ଷରେ ୭ଟି ମ୍ୟାଚ୍‌ରୁ ୭୭.୭୫ ଆଭ୍‌ରେଜ୍‌ ଓ ୧୧୮.୨୫ ଷ୍ଟ୍ରାଇକ୍‌ରେଟ୍‌ରେ ୩ଟି ଅର୍ଦ୍ଧଶତକ ସହ ୩୧୧ ରନ୍‌ ସ୍କୋର୍‌ କରିଛନ୍ତି । ପାକିସ୍ତାନ ବିପକ୍ଷରେ ସାରାବିଶ୍ବରେ କୋହଲିଙ୍କ ଟ୍ବେଣ୍ଟି୨୦ ଆଭ୍‌ରେଜ ସର୍ବାଧିକ । ଟ୍ବେଣ୍ଟି୨୦କୁ ଛାଡ଼ି ଏସିଆ କପ୍‌ରେ ଦିନିକିଆ ମ୍ୟାଚ୍‌ରେ ପାକିସ୍ତାନ ବିପକ୍ଷରେ କୋହଲି ଜୀବନର ସର୍ବାଧିକ ସ୍କୋର୍ ୧୮୩ ରନ୍‌ କରିଛନ୍ତି । ଗତ କିଛିବର୍ଷ ହେଲା ପାକିସ୍ତାନର ମହମ୍ମଦ ଆମିର, ଜୁନୈଦ ଖାଁ, ସାହିନ୍‌ ଶାହା ଆଫ୍ରିଦିଙ୍କ ପରି ବାମହାତି ଫାଷ୍ଟବୋଲର କୋହଲିଙ୍କୁ ନିୟମିତ ଭାବେ ଆଉଟ୍‌ କରିଛନ୍ତି ।

ହେଲେ ଏଥର ଏହି ୩ ବୋଲର ପାକିସ୍ତାନ ଦଳରେ ନାହାନ୍ତି। କୋହଲି ଯଦି ସେଟ୍‌ ହୋଇଯାଆନ୍ତି; ​‌େ​‌ତବେ ମହମ୍ମଦ ହସ୍‌ନୈନ, ହାରିସ୍ ରୌଫ୍‌, ହାସନ୍ ଅଲୀ, ଶାହନୱାଜ୍‌ ଦାହାନିଙ୍କ ପରି ଡାହାଣହାତି ପେସ୍ ବୋଲରଙ୍କ ବିପକ୍ଷରେ ସହଜରେ ରନ୍ କରିପାରିବେ। ଫର୍ମକୁ ଫେରିବା ପାଇଁ ପାକିସ୍ତାନ ବିପକ୍ଷ ଏହି ମ୍ୟାଚ୍‌ କୋହଲିଙ୍କ ଲାଗି ପ୍ରକୃତ ମଞ୍ଚ। ଉକ୍ତ ମ୍ୟାଚରେ ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ବିରାଟ କୋହଲି ୧୦୦ତମ ଟ୍ବେଣ୍ଟି୨୦ ମ୍ୟାଚ ଖେଳିବେ। କ୍ରିକେଟର ୩ଟି ଯାକ ଫର୍ମାଟରେ ୧୦୦ରୁ ଉର୍ଦ୍ଧ୍ବ ମ୍ୟାଚ ଖେଳିବାରେ ବିରାଟ ପ୍ରଥମ ଭାରତୀୟ କ୍ରିକେଟର ହେବେ। ବିରାଟ ୯୯ଟି ଟ୍ବେଣ୍ଟି୨୦ ମ୍ୟାଚ ଖେଳି ୫୦.୧୨ ପ୍ରତିଶତ ହାରରେ ୩୦ଟି ଅର୍ଦ୍ଧଶତକ ସହ ୩୩୦୮ରନ କରିଛନ୍ତି।

Comments are closed.