www.samajalive.in
Friday, December 12, 2025
16.1 C
Bhubaneswar

ଘରୋଇମାଟିରେ ଭାରତର ସବୁଠାରୁ ବଡ଼ ମ୍ୟାଚ୍‌ ବିଜେତା ଅଶ୍ବିନ୍‌

ଚେନ୍ନଇ: ଇଂଲଣ୍ଡ ଓ ଭାରତ ମଧ୍ୟରେ ୪ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ୫ରୁ ଆରମ୍ଭ ହେବ। ଭାରତୀୟ ପିଚ୍‌ ସ୍ପିନରଙ୍କୁ ସର୍ବଦା ସହାୟକ ହେଉଥିବାରୁ ଏହି ସିରିଜ୍‌ରେ ଭାରତୀୟ ଅଫ୍‌ସ୍ପିନର ରବିଚନ୍ଦ୍ରନ୍‌ ଅଶ୍ବିନ୍ କିପରି ପ୍ରଦର୍ଶନ କରୁଛନ୍ତି; ତାହା ଉପରେ ସମସ୍ତଙ୍କ ନଜର ରହିଛି। ଆଘାତଜନିତ କାରଣରୁ ବାମହାତି ସ୍ପିନର ରବୀନ୍ଦ୍ର ଜାଡେଜା ସିରିଜ୍‌ରୁ ବାଦ୍ ପଡ଼ିଥିବାରୁ ଭାରତୀୟ ଦଳକୁ ବିଜୟୀ କରାଇବା ପାଇଁ ଅଶ୍ବିନ୍‌ଙ୍କ ଉପରେ ଅଧିକ ଚାପ ରହିବା ନିଶ୍ଚିତ। ତେବେ ପ୍ରଦର୍ଶନକୁ ଦୃଷ୍ଟି ଦେଲେ ଗତ ୧୦ ବର୍ଷ ହେଲା ଘରୋଇ ମାଟିରେ ଭାରତ ନିମନ୍ତେ ସବୁଠାରୁ ବଡ଼ ମ୍ୟାଚ୍‌ ବିଜେତା ହେଉଛନ୍ତି ରବିଚନ୍ଦ୍ରନ୍‌ ଅଶ୍ବିନ୍‌। ୨୦୧୧ରେ ଅଶ୍ବିନ୍‌ ଟେଷ୍ଟରେ ପଦାର୍ପଣ କରିବା ପରଠାରୁ ବର୍ତ୍ତମାନ ଯାଏ ନିଜ ସ୍ପିନ ଯାଦୁରେ ଅନେକ ତାରକା ବ୍ୟାଟସମ୍ୟାନ୍‌ଙ୍କୁ ଅଡୁଆରେ ପକାଇଛନ୍ତି। ସେ ୭୪ଟି ଟେ​‌ଷ୍ଟ ଖେଳି ୩୭୭ ୱିକେଟ୍ ହାସଲ କରିଥିବା ବେଳେ ତାଙ୍କର ଷ୍ଟ୍ରାଇକ ରେଟ୍‌ ୫୪। ଯାହାକି ତାଙ୍କୁ ସ୍ବତନ୍ତ୍ର ବୋଲର ଭାବେ ପରିଚୟ ଦେଇଛି।

 

- Advertisement -

ବିଦେଶ ମାଟିରେ ଅଶ୍ବିନ୍‌ ବେଶ୍‌ ସଫଳତା ପାଇଥିବା ବେଳେ ଭାରତ ମାଟିରେ ସେ ୪୩ଟି ଟେଷ୍ଟ ମ୍ୟାଚ୍‌ ଖେଳି ୨୫୪ଟି ୱିକେଟ୍‌ ହାସଲ କରିଛନ୍ତି। ଘରୋଇ ମାଟିରେ ତାଙ୍କର ଷ୍ଟ୍ରାଇକ୍‌ ରେଟ୍‌ ୪୯.୪। ଏହା ପ୍ରମାଣିତ କରୁଛି ଘରୋଇ ମାଟିରେ ଖେଳିବା ବେଳେ ଶ୍ରୀଲଙ୍କାର ମୁରଲୀଧରନ୍‌, ଇଂଲଣ୍ଡର ଜିମ୍‌ ଲେକର୍‌ ଓ ଭାରତର ଅନୀଲ କୁମ୍ବଲେଙ୍କଠାରୁ ଅଶ୍ବିନ୍‌ ବେଶି ଘାତକ ବୋଲର। ଭାରତୀୟ ଦଳ ଶେଷଥର ପାଇଁ ୨୦୧୨ରେ ଇଂଲଣ୍ଡ ଠାରୁ ଘରୋଇ ମାଟିରେ ସିରିଜ୍‌ ହାରିଥିଲା। ଏହାପର ଠାରୁ ଭାରତ ଘରୋଇ ମାଟିରେ ୩୪ଟି ସିରିଜ୍‌ ଖେଳିଥିବା ବେଳେ ୨୮ଟିରେ ବିଜୟୀ ହୋଇଛି। ଭାରତୀୟ ଦଳର ଏହି ଚମତ୍କାର ପ୍ରଦର୍ଶନ ପଛରେ ସ୍ପିନର ଭାବେ ଅଶ୍ବିନ୍‌ଙ୍କ ବହୁତ ଅବଦାନ ରହିଛି। ୨୦୧୩ରୁ ଆଜି ପର୍ଯ୍ୟନ୍ତ ଅଶ୍ବିନ୍‌ ଘରୋଇ ମାଟିରେ ୩୪ଟି ଟେଷ୍ଟ ମ୍ୟାଚ୍‌ ଖେଳି ୨୦୦ ୱିକେଟ୍‌ ହାସଲ କରିଛନ୍ତି; ଯେଉଁଥିରେ ତାଙ୍କର ଷ୍ଟ୍ରାଇକ ରେଟ୍‌ ୪୭.୮। ଅଶ୍ବିନ୍‌ ଘରୋଇ ମାଟିରେ ୨୦୧୫-୧୬ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩୧ଟି, ୨୦୧୩ରେ ଅଷ୍ଟ୍ରେଲିଆ ବିପକ୍ଷରେ ୨୯ଟି, ୨୦୧୬-୧୭ରେ ଇଂଲଣ୍ଡ ବିପକ୍ଷରେ ୨୮ଟି ଓ ୨୦୧୬ରେ ନ୍ୟୁଜିଲାଣ୍ଡ ବିପକ୍ଷରେ ୨୭ଟି ୱିକେଟ୍‌ ହାସଲ କରିଛନ୍ତି। ୨୦୧୩ରୁ ଆଜି ପର୍ଯ୍ୟନ୍ତ ଅଶ୍ବିନ୍‌ ୧୧୫ଟି ଇନିଂସରୁ ମାତ୍ର ୧୪ଟି ଇନିଂସରେ କୌଣସି ୱିକେଟ୍‌ ହାସଲ କରିପାରିନଥିବା ବେଳେ ୫୭ଥର ୩ଟି କିମ୍ବା ତତୁର୍ଦ୍ଧ୍ବ ୱିକେଟ୍‌ ହାସଲ କରିଛନ୍ତି। ପୂର୍ବତନ ଭାରତୀୟ ଲେଗ୍‌ସ୍ପିନର ଅନୀଲ କୁମ୍ବଲେ ନିଜ କ୍ୟାରିୟରରେ ୨୯ଟି ଘରୋଇ ଟେଷ୍ଟ ମ୍ୟାଚ୍‌ ଖେଳି ୧୬୩ଟି ୱିକେଟ୍ ହାସଲ କରିଥିବା ବେଳେ ଅଶ୍ବିନ୍‌ ତାଙ୍କଠାରୁ ବହୁତ ଅାଗରେ ରହିଛନ୍ତି। ଟେଷ୍ଟ କ୍ରିକେଟ୍‌ରେ ୪୦୦ ୱିକେଟ୍‌ ହାସଲ କରିବାର ନିକଟବର୍ତ୍ତୀ ହୋଇଥିବା ଅଶ୍ବିନ୍‌ ଇଂଲଣ୍ଡ ବିପକ୍ଷ ୪ ମ୍ୟାଚ୍‌ ବିଶିଷ୍ଟ ଘରୋଇ ସିରିଜ୍‌ରେ ନିଜ ଅଫ୍‌ସ୍ପିନ୍‌ ବୋଲିଂ ବଳରେ ନିଶ୍ଚିତ ଭାବେ ସଫଳତା ପାଇବେ ବୋଲି ଆଶା କରାଯାଉଛି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories