ଭୁବନେଶ୍ବର : ସ୍ପୋର୍ଟ୍ସ ବାଇକପ୍ରେମୀଙ୍କୁ ଖୁବ୍ ଶୀଘ୍ର ବଡ ଝଟକା ଲାଗିବାକୁ ଯାଉଛି । ପ୍ରସ୍ତାବିତ ଜିଏସଟିରେ ପରିବର୍ତ୍ତନ ହୋଇପାରେ ଯାହା ପରେ ୩୫୦ ସିସି ପର୍ଯ୍ୟନ୍ତ ବାଇକ ଓ ସ୍କୁଟରରେ ବର୍ତ୍ତମାନ ଲାଗୁଥିବା ୨୮ ପ୍ରତିଶତ ହାରକୁ ହ୍ରାସ କରି ୧୮ ପ୍ରତିଶତ କରିଦିଆଯିବ । କିନ୍ତୁ ୩୫୦ ସିସି ଓ ତଦୁର୍ଦ୍ଧ କ୍ଷମତା ବିଶିଷ୍ଟ ବାଇକରେ ୪୦ ପ୍ରତିଶତ ଜିଏସଟି ଭରିବାକୁ ପଡିବ ।
ଭାରତ ସରକାର ୨୦୧୭ ମସିହାରେ ବସ୍ତୁ ଏବଂ ସେବା କର ପାଇଁ ୪ ସ୍ତର ବିଶିଷ୍ଟ ଜିଏସଟି ଲଗାଇବା ଆରମ୍ଭ କରିଥିଲେ ଯଥା ୫,୧୨,୧୮ ଏବଂ ୨୮ ପ୍ରତିଶତ ଜିଏସଟି ଲଗାଯାଉଥିଲା । କିନ୍ତୁ ନୂଆ ପ୍ରସ୍ତାବ ଅନୁସାରେ ୧୨ ପ୍ରତିଶତ ଓ ୨୮ ପ୍ରତିଶତ ହାରକୁ ସମାପ୍ତ କରି କେବଳ ୨ ଷ୍ଟାଣ୍ଡାର୍ଡ ହାର ହିଁ ରହିବ । ଅତି ଦରକାରୀ ବସ୍ତୁ ଉପରେ ୫ ପ୍ରତିଶତ ଏବଂ ଷ୍ଟାଣ୍ଡାର୍ଡ ବସ୍ତୁ ଉପରେ ୧୮ ପ୍ରତିଶତ ଜିଏସଟି କିନ୍ତୁ ଅଧିକ ପ୍ରିମିୟମ୍ କାର୍ ଓ ବାଇକ ଭଳି ଅଣଦରକାରୀ ସାମଗ୍ରୀ ତଥା ବିଳାସପୂର୍ଣ୍ଣ ବସ୍ତୁ ଉପରେ ୪୦ ପ୍ରତିଶତ ଜିଏସଟି ଭରିବାକୁ ପଡିବ ।
ଏହି ନିୟମ ପରେ ଯେଉଁମାନେ ୩୫୦ ସିସିରୁ କମ୍ କ୍ଷମତା ବିଶିଷ୍ଟ ବାଇକ୍ କ୍ରୟ କରିବେ ସେମାନଙ୍କୁ ଆଶ୍ବସ୍ତି ମିଳିବ କିନ୍ତୁ ଯେଉଁ ମାନେ ଅଧିକ ଦାମୀ ବାଇକ୍ କ୍ରୟ କରିବାକୁ ଯୋଜନା କରିବେ ସେମାନଙ୍କୁ ଏଣିକି ଅଧିକ ପଇସା ଦେବାକୁ ପଡିବ । ଅର୍ଥାତ୍ ଏଣିକି ଅଧିକ ଦାମୀ ବାଇକ୍ ଓ ସ୍କୁଟର ପ୍ରତି ସଉକ ରଖୁଥିବା ଗ୍ରାହକଙ୍କ ପକେଟ୍ ଉପରେ ବୋଝ ବଢିଯିବ ।



