www.samajalive.in
Thursday, December 11, 2025
16.1 C
Bhubaneswar

ଆର୍‌ଏମ୍‌ସି ଅଂଚଳରେ ଶିଶୁଙ୍କ ପୋଷଣ ପାଇଁ ସ୍ପିରୁଲିନାଯୁକ୍ତ ଚିକି ଓ ଚିନି ବଣ୍ଟନର ଶୁଭାରମ୍ଭ

ରାଉରକେଲା : ଶିଶୁମାନଙ୍କର ପୋଷଣ ଆବଶ୍ୟକତାକୁ ସୁନିଶ୍ଚିତ କରିବା ପାଇଁ ରାଉରକେଲା ମହାନଗର ନିଗମ (ଆର୍‌ଏମ୍‌ସି) ଅଂଚଳରେ ଥିବା ଅଙ୍ଗନବାଡ଼ି କେନ୍ଦ୍ର ମାଧ୍ୟମରେ ସ୍ପିରୁଲିନା ଚିକି ଓ ଚିନି ବଂଟନ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି । ସ୍ଥାନୀୟ ଖଡ଼ିଆପଡ଼ା ଅଙ୍ଗନବାଡ଼ି କେନ୍ଦ୍ରରୁ ଏହାର ଶୁଭାରମ୍ଭ କରିଛନ୍ତି ମହାନଗର ନିଗମର କମିଶନର ଦିବ୍ୟଜ୍ୟୋତି ପରିଡ଼ା ।

ଜିଲ୍ଲାରେ ଚାଲିଥିବା ପୋଷଣ କାର୍ଯ୍ୟକ୍ରମ ଅଧୀନରେ ଅଙ୍ଗନବାଡ଼ି କେନ୍ଦ୍ର ମାଧ୍ୟମରେ ୭ ମାସରୁ ୨ ବର୍ଷ ବୟସର ଶିଶୁଙ୍କୁ ସ୍ପିରୁଲିନାଯୁକ୍ତ ଚିନି ଓ ୨ରୁ ୬ ବର୍ଷ ବୟସର ଶିଶୁଙ୍କୁ ସ୍ପିରୁଲିନାଯୁକ୍ତ ଚିକି ଖାଇବାକୁ ଦିଆଯାଉଛି । ରାଉରକେଲାରେ ସୋମବାର ଠାରୁ ଏହି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । କୋଭିଡ୍ ସମୟ ହୋଇଥିବାରୁ ଅଙ୍ଗନବାଡ଼ି କର୍ମୀମାନେ ଘରକୁ ଘର ଯାଇ ପିଲାଙ୍କୁ ଏହା ଖାଇବାକୁ ଦେବେ । ଏହାଦ୍ୱାରା ରାଉରକେଲାରେ ଥିବା ୩୯୦ଟି ଅଙ୍ଗନବାଡ଼ି କେନ୍ଦ୍ର ମାଧ୍ୟମରେ ୯ ହଜାରରୁ ଅଧିକ ଶିଶୁ ଉପକୃତ ହେବେ।

- Advertisement -

“ସ୍ପିରୁଲିନାରେ ଭିଟାମିନ୍‌, ପ୍ରୋଟିନ୍ ଓ ମିନେରାଲ ଆଦି ଭରପୂର ରହିଛି । ଏହାକୁ ଖାଇବା ଦ୍ୱାରା ସାନ ସାନ ପିଲାମାନଙ୍କର ରକ୍ତହୀନତା ଓ ଅନ୍ୟ ପୁଷ୍ଟିଜନିତ ସମସ୍ୟା ଦୂର ହୋଇପାରିବ । ସ୍ପିରୁଲିନା ଖାଇବା ଦ୍ୱାରା ପିଲାମାନଙ୍କର ଶାରୀରିକ ଓ ମାନସିକ ସ୍ତରରେ ବିକାଶ ତ୍ୱରାନ୍ୱିତ ହେବ”, କହିଛନ୍ତି କମିଶନର ଦିବ୍ୟଜ୍ୟୋତି ପରିଡ଼ା।

ସ୍ପିରୁଲିନା ହେଉଛି ମଧୁର ଜଳରେ ସୃଷ୍ଟି ହେଉଥିବା ଏକ ଅଣ-ବିଷାକ୍ତ ନୀଳ ସବୁଜ ଶୈବାଳ। ଏଥିରେ ପ୍ରଚୁର ମାତ୍ରାରେ ପୋଷଣ ଶକ୍ତି ରହିଛି । ତେଣୁ ଏହାକୁ ପୋଷଣର ‘ପାୱାର ହାଉସ୍‌’ ବୋଲି କୁହାଯାଏ। ଏହାକୁ ଖାଇବା ଫଳରେ ପିଲାଙ୍କ ପୁଷ୍ଟି ସାଧନ କ୍ଷେତ୍ରରେ ବିଶେଷ ଉନ୍ନତି ହୋଇଥାଏ ।

ଏହି ଶୁଭାରମ୍ଭ କାର୍ଯ୍ୟକ୍ରମରେ ଜିଲ୍ଲା ଖଣିଜ ପ୍ରତିଷ୍ଠାନର ବରିଷ୍ଠ ଅଧିକାରୀ ଦିପୁ ଶଙ୍କର ସାମଲ, ପୋଷଣ ବିଶେଷଜ୍ଞ କୁସୁମ ସି.ଏମ୍‌. ଏବଂ ରାଉରକେଲା ସିଟି ସିଡିପିଓ ଗୀତାଞ୍ଜଳି ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

୨୦୨୦ ଅଗଷ୍ଟ ୧୫ରେ ଜିଲ୍ଲାର ଲେଫ୍ରିପଡ଼ା ବ୍ଲକ୍‌ରୁ ପାଇଲଟ୍ କାର୍ଯ୍ୟକ୍ରମ ଭାବେ ସ୍ପିରୁଲିନାଯୁକ୍ତ ଚିକି ଓ ଚିନି ବଂଟନ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା। ପରେ ପରେ ଏହି କାର୍ଯ୍ୟକ୍ରମକୁ ଆଉ ୪ଟି ବ୍ଲକ୍ ଓ ଗୋଟିଏ ପୌରପାଳିକାରେ ଲାଗୁ କରାଯାଇଥିଲା। ପିଲାଙ୍କ ସ୍ୱାସ୍ଥ୍ୟର ଉନ୍ନତି ଦେଖି ଏହି ପୋଷଣ କାର୍ଯ୍ୟକ୍ରମକୁ ଏବେ ସମଗ୍ର ସୁନ୍ଦରଗଡ଼ ଜିଲ୍ଲାକୁ ସଂପ୍ରସାରଣ କରାଯାଉଛି। ସେହିପରି ପିଲାଙ୍କ ପୋଷଣରେ ଉନ୍ନତି ଲାଗି ଜିଲ୍ଲାର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ମାଧ୍ୟମରେ ମାଣ୍ଡିଆ ଲଡୁ ମିକ୍ସ ବଂଟନ କରାଯାଉଛି। ପିଲାମାନଙ୍କ ସକାଳ ଜଳଖିଆରେ ଏହାକୁ ସାମିଲ କରାଯାଇଛି। ସ୍ପିରୁଲିନା ଏବଂ ମାଣ୍ଡିଆ ଲଡୁ ବଂଟନକୁ ନେଇ ପ୍ରସ୍ତୁତ ଏହି ବିଶେଷ ପୋଷଣ କାର୍ଯ୍ୟକ୍ରମ ଲାଗି ଜିଲ୍ଲା ଖଣିଜ ପ୍ରତିଷ୍ଠାନ ଆର୍ଥିକ ସହାୟତା ଦେଉଛି।

‘ନର୍ଚରିଂ ନେବରହୁଡ୍‌ସ ଚ୍ୟାଲେଞ୍ଜ’ କାର୍ଯ୍ୟକ୍ରମ ଅଧୀନରେ ରାଉରକେଲାକୁ ସାନ ସାନ ପିଲାଙ୍କ ପାଇଁ ଆନନ୍ଦମୟ ବା ଚାଇଲ୍ଡ ଫ୍ରେଣ୍ଡଲି ସହରରେ ପରିଣତ କରିବା ପାଇଁ ରାଉରକେଲା ସ୍ମାର୍ଟ ସିଟି ପକ୍ଷରୁ ଯେଉଁ ପ୍ରୟାସ ଚାଲିଛି, ସେଥିରେ ସ୍ପିରୁଲିନା ଭଳି ପୋଷଣ କାର୍ଯ୍ୟକ୍ରମ ବିଶେଷ ସହାୟକ ହୋଇପାରିବ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories