ସାହାଯ୍ୟ ଯୋଗାଇ ଦେବେ, ନେପାଳୀ ଛାତ୍ରଛାତ୍ରୀଙ୍କ ଗସ୍ତ ଖର୍ଚ୍ଚ ବହନ କରିବେ ସରକାର – ଉଚ୍ଚଶିକ୍ଷା ମନ୍ତ୍ରୀ

ବିଧାନସଭାର ମୁଲତବି ପ୍ରସ୍ତାବ ଉପରେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ବକ୍ତବ୍ୟ

ଭୁବନେଶ୍ଵର:ବିଧାୟକ ରାମଚନ୍ଦ୍ର କାଡ଼ମ, ସି.ଏସ. ରାଜେନ ଏକ୍କା ଏବଂ ଅଶୋକ କୁମାର ଦାସଙ୍କ ଦ୍ବାରା “କିଟ୍ ଘଟଣାରେ ନେପାଳୀ ଛାତ୍ରୀଙ୍କ ଆତ୍ମହତ୍ୟା ଯୋଗୁଁ କଲେଜରେ ଅଶାନ୍ତି ଓ ରାଜରାସ୍ତାରେ ଛାତ୍ରଛାତ୍ରୀ, ତଦନ୍ତ ପାଇଁ ସରକାରଙ୍କ ଆନ୍ତରିକତା ନାହିଁ” ଶୀର୍ଷକ ବିଧାନସଭାରେ ଆଗତ ମୁଲତବୀ ପ୍ରସ୍ତାବ ଉପରେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ବକ୍ତବ୍ୟ ରଖିଛନ୍ତି।

ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଛାତ୍ରଛାତ୍ରୀମାନଙ୍କ ସହ ସାକ୍ଷାତ କରି ସେମାନଙ୍କର ସମସ୍ତ ଅଭିଯୋଗ, ଦୁଃଖ ଓ ଆଶଙ୍କା ବିଷୟରେ ଅବଗତ ହୋଇଛନ୍ତି ଏବଂ ସେମାନଙ୍କୁ ରାଜ୍ୟ ସରକାରଙ୍କ ତରଫରୁ ସମସ୍ତ ପ୍ରକାର ସାହାଯ୍ୟ ଯୋଗାଇ ଦେବା ପାଇଁ ଦୃଢ଼ ପ୍ରତିଶ୍ରୁତି ଦେଇଛନ୍ତି।

ଫେବୃଆରୀ ୧୯ରୁ ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ଦ୍ବାରା ଚାରି ଗୋଟି ୨୪ ଘଣ୍ଟିଆ ହେଲ୍ପ ଲାଇନ ନମ୍ବର ଓ ଗୋଟିଏ ହ୍ଵାଟ୍ସଆପ୍ ନମ୍ବର ଜାରି କରାଯାଇଛି ଏବଂ ନେପାଳର ଯେଉଁ ଛାତ୍ରଛାତ୍ରୀମାନେ କିଟ୍ କ୍ୟାମ୍ପସ ଛାଡି ଚାଲିଯାଇଛନ୍ତି, ସେମାନଙ୍କୁ ଯୋଗାଯୋଗ କରାଯାଉଛି। ଏହା ଦ୍ବାରା ସେମାନଙ୍କୁ ପୁନଃ କିଟ୍ କ୍ୟାମ୍ପସକୁ ଫେରି ଆସିବାକୁ ଅନୁରୋଧ କରାଯାଉଛି ଏବଂ ତାଙ୍କ ମନରେ ଥିବା କ୍ଷୋଭ, ଭୟ ଏବଂ ଆଶଙ୍କାକୁ ପ୍ରସମିତ କରିବା ପାଇଁ ଚେଷ୍ଟା କରାଯାଉଛି ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ କହିଛନ୍ତି।

ରାଜ୍ୟ ସରକାର ନେପାଳର ଛାତ୍ରଛାତ୍ରୀମାନଙ୍କର ଭବିଷ୍ୟତକୁ ଆଖ୍ ଆଗରେ ରଖ୍ ରିମେଡ଼ିଆଲ୍ କ୍ଲାସ କରାଯିବା ଓ ଆବଶ୍ୟକ ସ୍ଥଳେ ମିଡ୍ ସେମିଷ୍ଟାର ପରୀକ୍ଷାକୁ ଘୁଞ୍ଚାଇବାର ବ୍ୟବସ୍ଥା କରିବା ସହିତ ଛାତ୍ରଛାତ୍ରୀମାନଙ୍କର ସମସ୍ତ ଗସ୍ତଖର୍ଚ୍ଚ ବହନ କରିବାର ପ୍ରତିଶ୍ରୁତି ଦିଆଯାଇଛି। ଏହାସହ ଛାତ୍ରଛାତ୍ରୀମାନେ ଭବିଷ୍ୟତରେ ଯେପରି କିଟ୍ କର୍ତ୍ତୃପକ୍ଷଙ୍କ ଆକ୍ରୋଶର ଶିକାର ନ ହେବେ ସେଥ‌ିପ୍ରତି ସ୍ବତନ୍ତ୍ରଭାବେ ଧ୍ୟାନ ଦିଆଯିବ  ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ପ୍ରକାଶ କରିଛନ୍ତି।

ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି ଯେ ଗତ ଫେବୃଆରୀ ୧୬ ଅପରାହ୍ନରେ କିଟ୍ ବିଶ୍ବବିଦ୍ୟାଳୟରେ ଜଣେ ନେପାଳୀ ଛାତ୍ରୀଙ୍କର ଆତ୍ମହତ୍ୟାର ଖବର ମିଳିଲା। ଏହାକୁ ନେଇ କିଟ୍ ବିଶ୍ବବିଦ୍ୟାଳୟର କ୍ୟାମ୍ପସରେ ଉତ୍ତେଜନା ଆରମ୍ଭ ହେବାର ଖବର ଆସିଥିଲା। ଇତି ମଧ୍ୟରେ ଫେବୃଆରୀ ୧୭ରେ କିଟ୍ ବିଶ୍ବବିଦ୍ୟାଳୟ ତରଫରୁ କେବଳ ନେପାଳର ଛାତ୍ରଛାତ୍ରୀମାନଙ୍କ ପାଇଁ ସାଇନ୍-ଏ-ଡ଼ାଏ ଘୋଷଣା କରାଯାଇଗଲା। ସେହି ବିଜ୍ଞପ୍ତିରେ ନେପାଳ ଦେଶର ଛାତ୍ରଛାତ୍ରୀମାନଙ୍କୁ ତୁରନ୍ତ କ୍ୟାମ୍ପସ ଛାଡିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା ଏବଂ ଛାତ୍ରଛାତ୍ରୀମାନଙ୍କୁ ନେଇ ଭୁବନେଶ୍ବର ଓ କଟକ ରେଳ ଷ୍ଟେସନରେ ନେଇ ଛାଡି ଦିଆଗଲା।

ଉକ୍ତ ଘଟଣାର ଖବର ପ୍ରସାରିତ ହେବା ପରେ ରାଜ୍ୟ ସରକାର ଏହାକୁ ବିଚାରକୁ ନେଇ ସଙ୍ଗେସଙ୍ଗେ ଉକ୍ତ ସାଇନ୍-ଏ-ଡ଼ାଏ ବିଜ୍ଞପ୍ତିକୁ ପ୍ରତ୍ୟାହର କରିବା ପାଇଁ କିଟ୍ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଥିଲେ।  ଏଥିସହ ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ମହିଳା ଓ ଶିଶୁ ବିକାଶ ବିଭାଗର ପ୍ରମୁଖ ଶାସନ ସଚିବ ଓ ଉଚ୍ଚଶିକ୍ଷା ବିଭାଗର କମିଶନର ତଥା ଶାସନ ସଚିବଙ୍କୁ ସଦସ୍ୟ ଭାବେନେଇ ଏକ ଉଚ୍ଚ ସ୍ତରୀୟ କମିଟି ଗଠନ କରାଯାଇଥିଲା।  ଏହି ସମସ୍ତ ଘଟଣାବଳୀ ଅତ୍ୟନ୍ତ ନିନ୍ଦନୀୟ, ଦୁଃଖଦାୟକ, ବର୍ବୋରଚିତ ଓ ଦୁର୍ଭାଗ୍ୟପୂର୍ଣ୍ଣ। ଏହି ଅମାନବୀୟ କାର୍ଯ୍ୟକୁ ରାଜ୍ୟ ସରକାର ଦୃଢ଼ ଭାବେ ନିନ୍ଦା କରୁଛନ୍ତି। ଖୋଦ୍ ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ର ସରକାର ମଧ୍ୟ ଏହାକୁ ଅତ୍ୟନ୍ତ ଗମ୍ଭୀରତାର ସହିତ ନେଇଛନ୍ତି ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ପ୍ରକାଶ କରିଛନ୍ତି।

ପ୍ରଥମ ଦିନରୁ ହିଁ କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କ ସହିତ ଯୋଗାଯୋଗରେ ଅଛନ୍ତି ଓ ପ୍ରତି ମୁହୂର୍ତ୍ତରେ ଏହି ଘଟଣା ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ତଥ୍ୟ ନେଉଛନ୍ତି। ଫେବୃଆରୀ ୧୮ରେ ଭାରତରେ ଥିବା ନେପାଳ ଦୂତାବାସର ଦୁଇ ଅଧିକାରୀ ଭୁବନେଶ୍ବର ଆସି କିଟ୍ ବିଶ୍ବବିଦ୍ୟାଳୟର ହଷ୍ଟେଲରେ ରହିଯାଇଥିବା ନେପାଳର ଛାତ୍ରଛାତ୍ରୀମାନଙ୍କ ସ‌ହ ସାକ୍ଷାତ ଓ ବାର୍ତ୍ତାଳାପ କରି ତାଙ୍କର ଭଲମନ୍ଦ ବୁଝିଛନ୍ତି। ସ୍ବାସ୍ଥ୍ୟମନ୍ତ୍ରୀ ଓ ମୁଖ୍ୟ ଶାସନ ସଚିବଙ୍କ ଉପସ୍ଥିତିରେ ନେପାଳର ଏହି ଦୁଇ ଅଧିକାରୀଙ୍କ ସହିତ ପୁଙ୍ଖାନୁପୁଙ୍ଖ ସେ ଆଲୋଚନା କରିଛନ୍ତି।

ଏହାସହ ନେପାଳର ବୈଦେଶିକ ମନ୍ତ୍ରୀ ଡକ୍ଟର ଆରଜୁ ରାଣା ଦେଉବାଙ୍କ ସହ ଫୋନରେ ମଧ୍ୟ କ‌ଥା ହୋଇ ସମସ୍ତ ଘଟଣା ଉପରେ ଓଡ଼ିଶା ସରକାର ନେଇଥିବା ପଦକ୍ଷେପ ସମ୍ୱନ୍ଧରେ ଅବଗତ କରାଇଛନ୍ତି ଏବଂ ସେମାନେ ଓଡ଼ିଶା ଓ ଭାରତ ସରକାରଙ୍କ ସମସ୍ତ ପଦକ୍ଷେପ ଉପରେ ସନ୍ତୋଷ ବ୍ୟକ୍ତ କରିଛନ୍ତି।

ସରକାରଙ୍କ ଦ୍ବାରା ଗଠନ କରାଯାଇଥିବା ଉଚ୍ଚସ୍ତରୀୟ କମିଟିର ପ୍ରଥମ ଶୁଣାଣି ଶୁକ୍ରବାର ଅପରାହ୍ନ ୩.୦୦ ଘଟିକା ସମୟରେ ରାଜ୍ୟ ଅତିଥ୍ ଭବନରେ ଅନୁଷ୍ଠିତ ହେବାକୁ ଥିବାବେଳେ ଏହି ଶୁଣାଣିରେ ହାଜର ହେବା ପାଇଁ କିଟ୍ ବିଶ୍ବବିଦ୍ୟାଳୟର ୮ ଜଣ ବରିଷ୍ଠ କର୍ତ୍ତୃପକ୍ଷଙ୍କୁ ନୋଟିସ ଜାରି କରାଯାଇଛି ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ବିଧାନସଭାର ମୁଲତବି ପ୍ରସ୍ତାବ ଉପରେ ରଖିଥିବା ବକ୍ତବ୍ୟରେ ପ୍ରକାଶ କରଛନ୍ତି।

 

Comments are closed.