ଆମେରିକାରେ ସ୍ଥାୟୀ ବାସିନ୍ଦା ଭାବେ ଦୀର୍ଘ ପଚାଶ ବର୍ଷ ଧରି ବସବାସ କରି ରହିଥିବା ସ୍ୱନାମଧନ୍ୟ ଡାକ୍ତର ବୀରେନ୍ ବାବୁ (ଛଦ୍ମନାମ) ବିଗତ ଚାରି ବର୍ଷ ଧରି କରୋନା ସମୟ ଓ ତା’ ପୂର୍ବରୁ ୨ ବର୍ଷକୁ ମିଶାଇ ଗତ ୬ ବର୍ଷ ଓଡ଼ିଶା ଆସି ନଥିଲେ। ଦୀର୍ଘ ୬ ବର୍ଷର ବ୍ୟବଧାନ ପରେ କଟକ ଆସି ସେଠାରେ ସେ ତାଙ୍କ ମାମୁ ଶ୍ୱଶୁରଙ୍କ ଘରକୁ ଖୋଜି ଖୋଜି ନୟାନ୍ତ ହୋଇଗଲେ। ତାଙ୍କ ଅଜା ଶ୍ୱଶୁର ନାମ କହି ଖୋଜିଲାବେଳକୁ କେହି ମଧ୍ୟ ଅଜାଙ୍କ ନାମକୁ ଆଉ ଠଉରେଇ ପାରିଲେ ନାହିଁ। ବହୁତ କଷ୍ଟରେ ସେ ଘରଟି ପାଇଲେ; କିନ୍ତୁ ଆଶ୍ଚର୍ଯ୍ୟ ହୋଇଗଲେ। ଯେଉଁ ଘର ଦିନେ କଟକ ସହରର ଏକ ‘ଐତିହାସିକ’ ଘର ଥିଲା ଓ ଯେଉଁ ଘରର ମାଲିକ କଟକ ସହରର ଜଣେ ପ୍ରସିଦ୍ଧ ବ୍ୟକ୍ତି ଥିଲେ, ଆଜି ତାଙ୍କୁ ଆଉ କେହି ଚିହ୍ନୁ ନାହାନ୍ତି। କଟକର ଆତ୍ମପରିଚୟ ଆଜି ବଦଳିଯାଇଛି। ଆଜିର କଟକ ଏ ରୂପାନ୍ତରିତ କଟକ। ସେଇ ମୂଳ ଘର ସାମନାରେ ତିନିଟି ବ୍ୟାବସାୟିକ ସଂସ୍ଥା କାର୍ଯ୍ୟରତ। ସାମନା ଜାଗାରେ ଖୁନ୍ଦାଖୁନ୍ଦା ହୋଇ ସ୍କୁଟର ପାର୍କ ହୋଇଛି। ଏହା ଦେଖି ବୀରେନ୍ ବାବୁ ମନେମନେ ଗୋଟିଏ ପୁରୁଣା ଢ଼ଗକୁ ମନେ ପକେଇଲେ – “କେତେ ହଳିଆ ଗଲେଣି ରହିଛି ବିଲ, କେତେ ଘରୁଆ ଗଲେଣି ରହିଛି ଘର।” ଅକାଟ୍ୟ ସତ କିନ୍ତୁ ହେଉଛି – ‘ଘର ନାହିଁ କି ଘରୁଆ ନାହାନ୍ତି’।
ବର୍ତ୍ତମାନ ନିଜକୁ ପଚାରିବା ଆମେ ଆଗ କାଳେ କେଉଁମାନଙ୍କୁ ‘ଘରୁଆ’ ବୋଲି କହୁଥିଲୁ? ‘ଘରୁଆ’ କହିଲେ ବୁଝୁଥିଲେ ବାପମାଆ, ସ୍ୱାମୀସ୍ତ୍ରୀ, ଭାଇଭାଉଜ, ପିଲାପିଲି, ପଡ଼ାପଡ଼ିଶା, ବନ୍ଧୁବାନ୍ଧବ, ସାଙ୍ଗସାଥୀଙ୍କୁ ନେଇ ମର୍ଯ୍ୟାଦାବନ୍ତ ଭାବେ ବଞ୍ଚୁଥିବା ଲୋକ। ପ୍ରସଙ୍ଗ ପଡ଼ିଲେ ସମସ୍ତେ କହୁଥିଲେ ‘ଘରୁଆ ମଣିଷ ଭଲରେ ଘର କରିଛି’। ଝାଟିମାଟି ହେଉ କି ଶାଳପିଆଶାଳ ଖୁଣ୍ଟ ପଡ଼ିଥାଉ, ଯାଏ ଆସେ ନାହିଁ; ଆତ୍ମୀୟତା, ମର୍ଯ୍ୟାଦା ଏସବୁ ଥିଲା ‘ଘରୁଆ’ ଶବ୍ଦର ଭାବାର୍ଥ।
ଏବେ ‘ଘର’ ଆଉ ନିଜର ହୋଇନାହିଁ। ଘରସବୁ ଫ୍ଲାଟ୍ ହୋଇଯାଇଛି, ବଙ୍ଗଳା ହୋଇଯାଇଛି। ଆଉ ଲକ୍ଷଲକ୍ଷ ଘର ଆଗ କାନ୍ଥରେ ଜଣେ ସ୍ୱର୍ଗତ ଅଥବା ଜୀବନ୍ତ ନେତାଙ୍କ ଛବି ତଳେ ତାଙ୍କ ନାଅାଁ ସାଙ୍ଗକୁ ଅମୁକ ଆବାସ, ସମୁକ ନିବାସ, ଅବା ତାଙ୍କ ପକ୍କାଘର ଲେଖାହୋଇଛି। ସତରେ ଯେଉଁଠି ଘର ନାହିଁ, ଘରୁଆ ଆସିବେ କେଉଁଠୁ? ଥିଲାବାଲା, ନଥିଲାବାଲା ସଭିଏଁ ଧାଡ଼ିରେ ଠିଆ ହୋଇଛନ୍ତି। ଧନ ଥାଉ ବା ନଥାଉ ଘରୁଆ ମଣିଷର ମନ ଥିଲା, ମାନ ଥିଲା। ଆଜି ଛାତ ଅଛି ହେଲେ ଛାତି ନାହିଁ। ‘ବୈକୁଣ୍ଠ ସମାନ ଘର’, ‘ପରସ୍ପର ପ୍ରେମ’ରେ ନୁହେଁ; ଖାଲି ‘କୁଣ୍ଠା’ରେ ଜିଇଛି। ନିଜ ଘରୁ ଆତ୍ମିକ ଭାବେ ବେଘର ହେଲାପରେ ମର୍ଯ୍ୟାଦାବନ୍ତ ‘ଘରୁଆ’ ଶବ୍ଦ ଅଚିହ୍ନା ହୋଇ ଅଭିଧାନର ମଇଳା ପୃଷ୍ଠାରେ ଅଲୋଡ଼ା ହୋଇପଡ଼ିଲାଣି। ଏହି ସତ୍ୟତାର ଉଦାହରଣମାନ ଆଜିର କଟକ ସହରରେ ଅନେକ। ଏ ବିଷୟରେ ଆଲୋଚନା କରିବା ରୁଚିକର ହେବନାହିଁ।
ଟିକିଏ ତଳିଆ କରି ଦେଖିଲେ ‘ଭାଇଭାଗ’ ଅର୍ଥାତ୍ ପୈତୃକ ସଂପତ୍ତିର ଭାଗବଣ୍ଟା ଆଜିର ସମାଜରେ ‘ସଂପର୍କ ବିଭାଜନ’ର ମୁଖ୍ୟ କାରଣ ସାଜିଛି। ଭାଇମାନଙ୍କ ମନରେ ମେଳ ନଥିଲେ ଏହା ସଂପର୍କର ବିଭାଜନର କାରଣ ହୁଏ। ଅନେକ ସମୟରେ ଏପରି ଭାଗବଣ୍ଟୁରା ସମସ୍ୟା ଯାଇ କୋର୍ଟ କଚେରିରେ ପହଞ୍ଚେ। ପରିସଂଖ୍ୟାନ କହେ, ବର୍ତ୍ତମାନ ଭାରତ ବର୍ଷରେ ନ୍ୟାୟାଳୟମାନଙ୍କରେ ଏପରି ଭାଇଭାଗ ସଂପର୍କିତ ମାମଲା ସର୍ବାଧିକ। କୋର୍ଟର ଆଶ୍ରୟ ନେଇ ପକ୍ଷଭୁକ୍ତ ବ୍ୟକ୍ତିମାନେ ନିଜ ନିଜର ସ୍ୱାର୍ଥ ହାସଲ କରିପାରନ୍ତି; କିନ୍ତୁ ପରବର୍ତ୍ତୀ ସମୟରେ ନିଜ ନିଜ ଭିତରେ ସୁସମ୍ପର୍କ ଆଉ ରହେ ନାହିଁ। ବରଂ ଦୁଇ ପକ୍ଷ ପରସ୍ପରର ଦୋଷ ତ୍ରୁଟି ଅନ୍ୟମାନଙ୍କ ଆଗରେ ବଖାଣିବାକୁ ପଛଘୁଞ୍ଚା ଦିଅନ୍ତି ନାହିଁ। ଏହାଦ୍ୱାରା ତୃତୀୟ ପକ୍ଷର ବ୍ୟକ୍ତିମାନେ ଫାଇଦା ଉଠାନ୍ତି। ଏହା ସେମାନଙ୍କୁ ପରନିନ୍ଦା ଓ ପରଚର୍ଚ୍ଚା କରିବାକୁ ଖୋରାକ ଯୋଗାଏ। ଏହାଦ୍ୱାରା ଅଯଥା ଲୋକଚର୍ଚ୍ଚା ଓ ନିନ୍ଦା ଅପବାଦ ଶୁଣିବାକୁ ପଡ଼େ।
ଆମ ଓଡ଼ିଶାରେ, ବିଶେଷକରି ଉଚ୍ଚ ଓ ମଧ୍ୟବିତ୍ତ ପରିବାରରେ ଭାଇଭାଗ ଯୋଗୁଁ ଭାଇ-ଭାଇ ଭିତରେ ସଂପର୍କ ବିଭାଜନର ଉଦାହରଣ ଅନେକ। ଗ୍ରାମୀଣ ଜୀବନରେ ଏହାର ଉଦାହରଣ ଲେଖିବସିଲେ ପୋଥିଟିଏ ହେବ। ସମ୍ପତ୍ତି ଭାଗବଣ୍ଟା ବିଷୟକୁ ଆଧାର କରି କେତେ କେତେ କରୁଣ କାହାଣୀ ପ୍ରାୟ ପ୍ରତ୍ୟେକ ଦିନ ଗଣମାଧ୍ୟମରେ ପ୍ରକାଶ ପାଉଛି। ତାହା ସୂଚାଇ ଦେଉଛି, ଆଜି ସମୟ ବଦଳିଯାଇଛି। ଚରିତ୍ରମାନେ ମଧ୍ୟ ବଦଳି ଯାଉଛନ୍ତି, ବଦଳି ଯାଉଛି ମଣିଷ ପ୍ରକୃତି।
ଏବର ସଂସାରରେ ପ୍ରତ୍ୟେକ ମଣିଷ ଜାଣନ୍ତି, ତାଙ୍କୁ ଦିନେ ନା ଦିନେ ସଂସାର ଛାଡ଼ିବାକୁ ହେବ। ମୋର କହି ଜାବୁଡ଼ି ଧରିଥିବା ପଦାର୍ଥ କି ଧନ ସଂପଦ ତାଙ୍କ ସାଥିରେ ଯିବ ନାହିଁ କି ତାଙ୍କୁ ବଞ୍ଚାଇ ରଖିବାରେ ସହାୟକ ହେବ ନାହିଁ। ନଦୀ ଭିତରେ ନୌକାଟିଏ ନିଜ ଦୁଃଖ ଗାଇ ଗାଇ ବୁଡ଼ିଯିବା ଭଳି, ପ୍ରତ୍ୟେକ ମଣିଷ ଏଇ ଜୀବନ ନଦୀଟି ପହଁରିବାରେ ନୌକାଟିଏ ଭଳି ଦୁର୍ଦଶା ଲଭନ୍ତି କାହିଁକି? ପାଠକେ ନିଜକୁ ନିଜେ ପଚାରନ୍ତୁ, ଏ ପ୍ରଶ୍ନର ଉତ୍ତର ମିଳିଯିବ। ଭାବି ଦେଖିଲେ ମଣିଷକୁ ସାମାଜିକ କରି ରଖିବା ପାଇଁ ‘ତୋର, ‘ମୋର’, ‘ଆମର’ ଭଳି କଥାଗୁଡ଼ିକ ବିଶେଷ ଉପଯୋଗୀ। ‘ତୋର’, ‘ମୋର’ ବିଚାର ଅହଙ୍କାର ନୁହେଁ ଅସ୍ତିତ୍ୱ ପରିପ୍ରକାଶ। ଏହି ଅସ୍ତିତ୍ୱକୁ ଆସ୍ଥାବାନ କରି ସମ୍ପତ୍ତିର ସୃଷ୍ଟି। ପ୍ରତିଟି ମଣିଷ ଭିତରେ ହାସଲ କରିବାର ଯେଉଁ ପ୍ରାକୃତିକ ପ୍ରବୃତ୍ତି ଅଛି ତାହା ଲାଭ କରିବା ମଣିଷକୁ ଆସ୍ଥାବାନ କରିଥାଏ। ସମ୍ପତ୍ତି ହାସଲ, ମଣିଷର ସ୍ୱାଭାବିକ ଗୁଣ। ସେଥିରେ ସାମାଜିକ କାରଣରୁ ସମ୍ପତ୍ତି ବଂଶଗତ ହୁଏ। ତେଣୁ ପୈତୃକ ସମ୍ପତ୍ତି ବୋଲି ଯେ ଭାବନା ତାହା ବଂଶଗତ; କୌଣସି ବ୍ୟକ୍ତିର ଆପଣା ରୋଜଗାର ନୁହେଁ।
ମୁଁ ରୋଜଗାର କରିଥିବା ସମ୍ପତ୍ତି ଉପରେ ମୋର ଅଧିକାର। ମାତ୍ର ଯାହା ପୈତୃକ ବା ବଂଶଗତ? ସେ ସବୁ ମୋର ନୁହେଁ, ‘ଆମର’ ବା ‘ବଂଶର’। ଅତଏବ ଜଣେ ବଂଶଗତ ଦାୟାଦ ଭାବରେ ସେ ସମ୍ପତ୍ତିର ମନଇଚ୍ଛା ବ୍ୟବହାର ବା ଦାନ ଖଇରାତ କୌଣସି ଗୋଟିଏ ବ୍ୟକ୍ତିର ଅଧିକାର ହେବ ନାହିଁ। ସାରା ବଂଶର ଏକମାତ୍ର ଦାୟାଦ ହୋଇଥିଲେ ସୁଦ୍ଧା କେହି ସେ ସମ୍ପତ୍ତିକୁ ଆପଣା ରୋଜଗାର ଭଳି ଖର୍ଚ୍ଚ କରିବା ବା ତା’ର ଅପବ୍ୟୟ କରିବା ଏକ ସାମାଜିକ ଅପରାଧ। ଅନ୍ୟାୟ। ସେଥିପାଇଁ ପରା କୁହାଯାଏ – ‘ପୈତୃକ ସମ୍ପତ୍ତି କାହାର ରୋଜଗାର ନୁହେଁ, ବଂଶଗତ ଦାୟିତ୍ୱ। ଏହାର ରକ୍ଷଣାବେକ୍ଷଣ ପ୍ରତିଟି ବ୍ୟକ୍ତିର ଉଭୟ ସାମାଜିକ ଓ ନୈତିକ ଦାୟିତ୍ୱ।’
ବେଳେବେଳେ ମନେହୁଏ, ସତେ ଯେପରି ଏଇ ସଂସାରରେ ପ୍ରତ୍ୟେକ ମଣିଷ ଜଣେ ଜଣେ ପାଗଳ। ଜୀବନର ଅନ୍ତିମ ପରିଣାମ କଥା ଜାଣି ମଧ୍ୟ ସମସ୍ତେ ଭାବପ୍ରବଣତାର ଚାପରେ କେବଳ ନିଜ ସ୍ୱାର୍ଥରେ ମାତନ୍ତି। ରାମକୃଷ୍ଣ ପରମହଂସଙ୍କର ଗୋଟିଏ ସୁନ୍ଦର ଗପ ଅଛି– ‘ଈଶ୍ୱର କୁଆଡ଼େ ଦୁଇଥର ହସନ୍ତି। ଥରେ- ଯେତେବେଳେ ବଇଦ ରୋଗୀକୁ କହେ, ମୁଁ ତତେ ବଞ୍ଚେଇ ଦେବି, ଡରନା ଏବଂ ଆଉ ଥରେ- ଯେତେବେଳେ ଦୁଇ ଭାଇ ‘ମୋର ଏ ପାଖ ଓ ତୋର ସେ ପାଖ’ କହି ଘରଡିହ ବାଣ୍ଟିବାପାଇଁ ଲଢ଼େଇ କରୁଥାନ୍ତି।’ କିନ୍ତୁ ସଂସାରର ନିଷ୍ଠୁର ସତ୍ୟ ହେଉଛି- ତୋର ମୋର କହୁଥିବା ଡିହ ଖଣ୍ଡକ ଥିବ। ଏମାନେ କିନ୍ତୁ ଦିନେ ଚାଲିଯିବେ।
ଆପ୍ତବାକ୍ୟ : ଏଇ ପରି ଦିନ ଥିଲା, ଯେତେବେଳେ ଥିଲା ପରିବାର। ଏକାନ୍ନବର୍ତ୍ତିତାର ସଙ୍କେତ ଥିଲା। ବାପାଙ୍କ ଭାଇ ବା ଭାଇମାନେ ଅଲଗା ହାଣ୍ଡି କରିବା, ଆଉ ବାପା ବସିଥିବା ସ୍ଥାନକୁ ଯାଉ ନଥିଲେ। ଆଜି କନ୍ତୁ କେତେ କେତେ ମତାନ୍ତର, ମନାନ୍ତର ଓ ଧୈର୍ଯ୍ୟର ପରୀକ୍ଷା। (ଜଣେ ପରମ ହିତୈଷୀଙ୍କୁ ମନେ ପକାଇ ତାଙ୍କ ଜନ୍ମଦିନରେ ପ୍ରବନ୍ଧଟି ଲିଖିତ।)



