www.samajalive.in
Sunday, December 7, 2025
26.1 C
Bhubaneswar

ଶ୍ରମରେ ବିକାଶ, ଆଳସ୍ୟରେ ବିନାଶ

ଶ୍ରମ ହେଉଛି କୃତିତ୍ବ ହାସଲ କରିବାର ଉତ୍କୃଷ୍ଟ ପ୍ରଣାଳୀ। ପ୍ରତ୍ୟେକ ଜୀବନ୍ତ ସୃଷ୍ଟି ବା ପ୍ରାଣୀ ଏ ଜଗତରେ କାମ କରିଥାନ୍ତି। ପଶୁ, ପକ୍ଷୀ, କୀଟ ପତଙ୍ଗ ଓ ପ୍ରତ୍ୟେକ ଜୀବନ୍ତ ପ୍ରାଣୀ କାମ କରି ପେଟ ପୋଷିଥାନ୍ତି। ଏହା ହେଉଛି ଜୀବନର ଉଦ୍ଦେଶ୍ୟ୍। କାମ ବିନା ବଞ୍ଚିବା ନିରର୍ଥକ। କାର୍ଲମାକ୍ସ କହୁଥିଲେ ‘କାମ ହେଉଛି ମାନବିକ ଶକ୍ତିର ପରିପ୍ରକାଶ’ । କାମ କରିବାକୁ ଯେଉଁ ସ୍ପୃହା ଆସେ ତାହା ଦ୍ବାରା ପ୍ରାଣୀର ଉତ୍କୃଷ୍ଠ ପ୍ରତିପାଦିତ ହୋଇଥାଏ। ଯେତେବେଳେ ନିଷ୍ଠାର ସହିତ କାମ କରାଯାଏ ତାହା ପୂଜାରେ ପରିଣତ ହୁଏ। କାମ କରିବା ଦ୍ବାରା ଅବସାଦ, ମନ୍ଦ ଭାବନା ଓ ଦାରିଦ୍ର୍ୟ ଦୂରେଇଯାଏ। କାମ ହେଲା ଶାରୀରିକ ସୁସ୍ଥତା, ମାନସିକ ଶାନ୍ତି ଓ ସମନ୍ବୟର ଅଫୁରନ୍ତ ଉତ୍ସ। ମାନସିକ ଅସୁସ୍ଥତାର ପ୍ରତିକାର ହେଉଛି କୌଣସି କାର୍ଯ୍ୟରେ ନିବିଷ୍ଟ ହୋଇଯିବା ଓ ଏହି କାର୍ଯ୍ୟ ମୂଲ୍ୟବୋଧ ଭିତ୍ତିକ ହେବା ଉଚିତ୍‌। ସଫଳତା ହାସଲ କରିବା ପାଇଁ ବିଭିନ୍ନ ପ୍ରକାର ସୂଚନା ଥାଇପାରେ ହେଲେ ନିରନ୍ତର କାର୍ଯ୍ୟରତ ହେବା ସବୁଠାରୁ ପ୍ରଥମ ଓ ଉତ୍କୃଷ୍ଠ। କୌଣସି ଗୋଟିଏ ବଡ଼ କାମ କରିବାକୁ ଆବଶ୍ୟକ ପ୍ରେରଣା, ପ୍ରଜ୍ବଳିତ ଇଚ୍ଛା ଓ ମାନସିକ କଳ୍ପନା। କଠିନ ପରିଶ୍ରମ ଓ ଅଧ୍ୟବସାୟ ବିନା ଉଦ୍ଦେଶ୍ୟ ସଫଳ ହୋଇ ପାରେନା।

କାମ ହେଉଛି ଅତ୍ୟାବଶ୍ୟକ ସାମାଜିକ କାର୍ଯ୍ୟ। ଏହା ହେଉଛି ମାଧ୍ୟମ ଯାହା ଦ୍ବାରା ମଣିଷ ସମାଜ ଓ ସଂପ୍ରଦାୟ ଯୋଡ଼ି ହୋଇଥାଏ। ଯେଉଁଥିରେ ସିଏ ବଞ୍ଚିରହେ। କାମ ଦ୍ବାରା ମଣିଷ ଉତ୍ତମ ସ୍ବାସ୍ଥ୍ୟ ଓ ମାନସିକ ସୁଖ ଅନୁଭବ କରିଥାଏ। ଏହା ମଣିଷର ଖାଦ୍ୟ, ପାଣି ଓ ପବନ ଭଳି ଅତ୍ୟାବଶ୍ୟକ।
କାମ ବିନା ବିଶ୍ରାମର ପ୍ରଶ୍ନ ଉଠେ ନାହିଁ। ବିଶ୍ରାମର ଅର୍ଥ ହେଉଛି କାମ ଭିତରେ ଅବସର ଓ କୌଣସି ନିର୍ଦିଷ୍ଟ କାର୍ଯ୍ୟ ଶେଷରେ ଯେଉଁ ମୁହୂର୍ତ୍ତ ମିଳିଥାଏ, ତାହା ସବୁଠାରୁ ଉପଯୁକ୍ତ। କୌଣସି ପ୍ରକାର କଠିନ ପରିଶ୍ରମ ପରେ ଯେଉଁ ମୁହୂର୍ତ୍ତ ମିଳେ ତାହା ହିଁ ଶ୍ରେଷ୍ଠ ବିଶ୍ରାମ ବୋଲି କୁହାଯାଏ। କାମ ବିନା କୌଣସି ଜିନିଷ ଫଳପ୍ରଦ ହୁଏନାହିଁ। ଆମଦାନୀ ବିନା ଶ୍ରମର କିଛି ମୂଲ୍ୟ ନାହିଁ। ତେଣୁ ସାମାଜିକ କ୍ଷେତ୍ରରେ କାମ ବିନା ବିଶ୍ରାମର କିଛି ମୂଲ୍ୟ ନାହିଁ କହିଲେ ଚଳେ।

- Advertisement -

ଚିନ୍ତା କରନ୍ତୁ! ଗୋଟିଏ ଦିନ ଯଦି ସମସ୍ତେ କାମ ଠାରୁ ଦୂରେଇ ରହିବେ ତେବେ କ’ଣ ହେବ! ବିଭ୍ରାଟ ଓ ବିଶୃଙ୍ଖଳା। ଗଉଡ଼ କ୍ଷୀର ଦେବନି, ଦୋକାନୀ ଷ୍ଟୋର ବନ୍ଦ କରିଦେବ, ଧୋବା ସଫା କରିବ ନାହିଁ, ପୋଷ୍ଟମ୍ୟାନ ଓ ପୁଲିସବାଲା କିଛି କରିବେ ନାହିଁ। ଖାଲି ବସି ରହିବେ। ତୁମେ ଭାବି ପାରିବ ନାହିଁ ଅବସ୍ଥା କ’ଣ ହେବ! ସମସ୍ତ ପ୍ରକାର ବିଶୃଙ୍ଖଳା ମୁଣ୍ଡ ଟେକିବ ଓ ମଣିଷ ଜୀବନ ଦୁର୍ବିସହ ହୋଇ ପଡ଼ିବ। ସମାଜ ଅଚଳ ହୋଇପଡ଼ିବ।
ଥୋମାସ ରବର୍ଟ ରେୱାର ଯଥାର୍ଥରେ କହିଥିଲେ ‘ମଣିଷର ପ୍ରତିଭା ମାତ୍ର ଏକ ଶତାଂଶ ଉତ୍ସାହ ପ୍ରଦାୟକ ଓ ବାକି ୯୯ ଶତାଂଶ ହେଉଛି ଅଧ୍ୟବସାୟ।’ ମଣିଷର ବଂଶଗତ ଗୁଣ, ମାନସିକ ଦୃଢ଼ତା, ଇଚ୍ଛାଶକ୍ତି ଓ ବିଶ୍ବାସ ମାତ୍ର ଏକ ଶତାଂଶ କାମ କରିଥାଏ। ବାକି ସବୁ ନିରନ୍ତର ବିଶ୍ରାମହୀନ କାର୍ଯ୍ୟ ଦ୍ବାରା ସଫଳତା ଆସିଥାଏ।

କଠିନ ପରିଶ୍ରମ ସତ୍ତ୍ବେ ମଧ୍ୟ ଥରେ ଥରେ ସଫଳତା ଆସି ନଥାଏ, ବ୍ୟର୍ଥତା ଆସିଥାଏ। ହେଲେ ବିଫଳତାକୁ ସଫଳତାର ପାହାଚ ଭାବି କାମ କରିବାକୁ ହେବ। ଆଗକୁ ଚଢ଼ିବାକୁ ହେବ। ତା’ ହେଲେ ସଫଳତା ଆସିବ। ସେଇଥିପାଇଁ ସ୍ବାମୀ ବିବେକାନନ୍ଦ କହିଥାନ୍ତି- ‘ଉଠ, ଜାଗ୍ରତ ହୁଅ, ଆଗେଇ ଚାଲ, ରହିଯାଅ ନାହିଁ, ତୁମର ଉଦ୍ଦେଶ୍ୟ ପୂରଣ ହେବା ପର୍ଯ୍ୟନ୍ତ ଆଗେଇ ଚାଲ। ତୁମର ବିଫଳତାକୁ ପଛକୁ ପକାଇ ଆଗେଇ ଚାଲ। ତୁମେ ନିଶ୍ଚୟ ଶୀର୍ଷରେ ପହଞ୍ଚିବ।‘ ସେଥିପାଇଁ କୁହାଯାଇଛି କାର୍ଯ୍ୟ ବିଫଳତା ଓ ବିପର୍ଯ୍ୟୟକୁ ମୁକାବିଲା କରି ଉପରକୁ ଉଠିଥାଏ। ଦେଶ ପରାଧୀନ ଶୃଙ୍ଖଳରୁ ମୁକ୍ତ ହେବାକୁ ସିଏ ସୁପ୍ତ ଯୁବ ସମାଜକୁ ଏହିପରି ଆହ୍ବାନ ଦେଇଥିଲେ।

କଠିନ ପରିଶ୍ରମ ପରେ ବିଶ୍ରାମ ତୁମର ମନକୁ ଅଧିକ ସମୃଦ୍ଧ କରିଥାଏ। ଏହା କ୍ଲାନ୍ତିକୁ ଦୂର କରିଥାଏ ଓ ତୁମେ ତୁମର ସମସ୍ୟାକୁ ବୁଝିବାରେ ସାହାଯ୍ୟ କରିଥାଏ। ନୂତନ ଦିଗନ୍ତର ସୂତ୍ରପାତ କରିଥାଏ ଓ ତୁମର ଦୃଷ୍ଟିକୁ ପ୍ରସାରିତ କରିଥାଏ। କାର୍ଯ୍ୟଟି ଯେତେ ସୁନ୍ଦର ହେବ ଓ ଠିକ୍‌ ହେବ ଏହା ପରର ବିଶ୍ରାମ ସେତିକି ଉପଭୋଗ୍ୟ ଓ ଆନନ୍ଦଦାୟକ ହେବ। ଯିଏ ଯେକୌଣସି କାମ କଲେ ବି ସେଇ କାମକୁ ନିଖୁଣ ଭାବେ କଲେ କାମର ଉତ୍କୃଷ୍ଠ ପ୍ରତିପାଦିତ ହୋଇଥାଏ। ଚିତ୍ରକର ହେଉ, ରଙ୍ଗଜୀବୀ ହେଉ, ମୃର୍ତ୍ତିଗଠନକାରୀ ହେଉ, କବି ବା ସଂଗୀତଜ୍ଞ ହେଉ କଠିନ ପରିଶ୍ରମ କରି ତା’ର କୃତିତ୍ବକୁ ଉଚ୍ଚସ୍ତରରେ ପହଞ୍ଚାଇ ପାରେ, ତା’ର କଳାକୃତି ଊର୍ଦ୍ଧ୍ବକୁ ଉଠିପାରେ। ପ୍ରଖ୍ୟାତ ଇଞ୍ଜିନିୟର ସାର ବି‌େଶ୍ବଶ୍ବରାୟ ଥିଲେ କଠିନ ପରିଶ୍ରମ ଓ ସ୍ବଚ୍ଛତାର ପ୍ରତୀକ। ସେ କହନ୍ତି ‘ତୁମେ ଯଦି ଝାଡ଼ୁଦାର ଅଛ ତେବେ ସେଇ କାମକୁ ଦକ୍ଷତାର ସହିତ କର, ଯେପରି ତାହା ସବୁଠାରୁ ଶ୍ରେଷ୍ଠ ହୋଇପାରିବ। ତାଙ୍କ ପାଇଁ ପ୍ରତ୍ୟେକ କାର୍ଯ୍ୟ ପବିତ୍ର ଅଟେ।’

କାମକୁ ଖେଳ ବୋଲି ଧର। ଏହା ଭିତାର ନିବିଷ୍ଟ ହୋଇଯାଅ ଓ କାମରେ ସନ୍ତୁଷ୍ଟି ଆସିଲେ ଏହା ତୁମକୁ ଭଲ ଲାଗିବ ଓ ତୁମେ କାମକୁ ଭଲ ପାଇ ବସିବ। ଅତ୍ୟଧିକ ବିଶ୍ରାମ ମଧ୍ୟ ଉଭୟ ଶାରୀରିକ ଓ ମାନସିକ ସ୍ତରରେ କ୍ଷତିକାରକ ଅଟେ। ଜାପାନୀ ଲୋକଙ୍କର ଅର୍ଥନୈତିକ ପ୍ରଗତି ତାଙ୍କ କାର୍ଯ୍ୟ କରିବାର ନିଷ୍ଠା ଉପରେ ପର୍ଯ୍ୟବସିତ। ସେମାନେ କାର୍ଯ୍ୟରେ ସମୟ ଓ ମୂଲ୍ୟ ଉପରେ ଦୃଷ୍ଟି ରଖିଥାନ୍ତି। କାମରେ ଅବହେଳା କରିବା ଦ୍ବାରା ବ୍ୟକ୍ତିଗତ ଉନ୍ନତି ସହିତ ଜାତୀୟ ପ୍ରଗତି ବାଧାପ୍ରାପ୍ତ ହୁଏ ବୋଲି ସେମାନେ ଭାବନ୍ତି। ସେମାନେ ଭାବନ୍ତି ଯଦି ବ୍ୟକ୍ତି ବିଶେଷ ଉନ୍ନତିି ନକରେ ତେବେ ଦେଶ ଅବନ୍ନତିର ଶିକାର ହୁଏ। ଜାପାନୀମାନଙ୍କର କର୍ମକୁଶଳତା ପାଇଁ ସେମାନେ ବେଶ୍‌ ଆଗୁଆ ଓ ସମୃଦ୍ଧ।

ଗାନ୍ଧିଜୀ ସବୁବେଳେ ଶ୍ରମ ଉପରେ ଜୋର ଦେଉଥିଲେ। ତାଙ୍କ ଦ୍ବାରା ଗଢ଼ାଯାଇଥିବା ସାବରମତୀ ଆଶ୍ରମ ଓ ୱାର୍ଦ୍ଧା ଆଶ୍ରମର ପ୍ରତ୍ୟେକ ଆଶ୍ରମବାସୀ ଶ୍ରମ କରୁଥିଲେ। କାମ ନକଲେ କେହି ଖାଇ ପାରିବେ ନାହିଁ ବୋଲି ସିଏ ନିର୍ଦେଶ ଦେଇଥିଲେ। କାମ ନ କଲେ ନିଜର ତଥା ଦେଶର ପ୍ରଗତି ବାଧାପ୍ରାପ୍ତ ହୋଇଥାଏ। ଅତୀତରେ ଆମ ସରକାର ‘କାମ ପାଇଁ ଖାଦ୍ୟ’ ଯୋଜନା ଆରମ୍ଭ କରିଥିଲେ। ଏହା ଆଜିକାଲି ପ୍ରାୟ କାର୍ଯ୍ୟକାରୀ ହେଉନି। ସରକାର ମାଗଣା ଖାଇବା ଓ ମାଗଣା ଚାଉଳ ବଣ୍ଟନ କରି ଜାତୀୟ ପ୍ରଗତିରେ ଅନ୍ତରାୟ ସୃଷ୍ଟି କରୁନାହାନ୍ତି କି! ଶ୍ରମର ମୂଲ୍ୟ କ୍ରମେ ତା’ର ଉପଯୋଗିତା ହରାଉଛି। ସେଥିପାଇଁ ଦେଶରେ, ପରିବାରରେ ଓ ସମାଜରେ ବିଶୃଙ୍ଖଳା ଦେଖାଯାଉଛି। ଏହା ସମ​‌େ​‌ସ୍ତ ଅନୁଭବ କରିବାର ବେଳ ଆସିଛି। ମାଟିକୁ ଗୁରୁତ୍ବ ଦେବା, ଶ୍ରମର ମୂଲ୍ୟ ବୁଝିବା ଓ କାମକୁ ନିଷ୍ଠାର ସହିତ ସମ୍ପାଦନ କରିବା ଦେଶ ଓ ଜାତିର ପ୍ରଗତି ପାଇଁ ଏକାନ୍ତ ଆବଶ୍ୟକ। ଅତ୍ୟଧିକ ବିଶ୍ରାମ ଶାରୀରିକ ଓ ମାନସିକ ସ୍ତରରେ କ୍ଷତି ପହଞ୍ଚାଏ। ମଣିଷ ସମାଜ ଅଳସୁଆ ହୋଇଯାଏ ଓ ସ୍ଥାଣୁ ପାଲଟିଯାଏ।

ଗାନ୍ଧିଜୀ ସବୁବେଳେ କହନ୍ତି ଆମର ଭଗବଦ୍‌ ଗୀତା କୁହେ ‘ସେଇ ଦାନ ହେଉଛି ପ୍ରକୃତ ଦାନ ଯାହା ଯଥାର୍ଥ ଲୋକକୁ ଦିଆଯାଏ। ଅନ୍ଧ, ବିକଳାଙ୍ଗ, ବୃଦ୍ଧ ଯେଉଁମାନଙ୍କର କାମ କରିବା ଓ ଅର୍ଥ ଉପାର୍ଜନ କରିବାର କ୍ଷମତା ନଥାଏ, ସେଇମାନଙ୍କୁ ଦାନ ଦେବା କଥା। ଯେଉଁ ଲୋକର ହାତ ଗୋଡ଼ ଭଲ ଅଛି ଓ ଯାହା ପାଖରେ କାମ କରିବାର ସାମର୍ଥ୍ୟ ଅଛି ସେଇମାନେ ମାଗଣା ଭୋଜନ ପାଇଁ ଉପଯୁକ୍ତ ନୁହନ୍ତି। ଭାରତର ସବୁଠାରୁ ବଡ଼ ଆବଶ୍ୟକତା ହେଉଛି କ୍ଷୁଧାର୍ତ୍ତ ଗ୍ରାମବାସୀଙ୍କ ପାଇଁ କାମ।’

ବାବା ଆମ୍‌ତେଙ୍କ ବାଣୀ ହେଉଛି- ‘ଉଦ୍ୟମ ଗଢ଼ି ତୋଳେ, ଅନାବଶ୍ୟକ ଦୟା ଧ୍ବଂସ କରେ।’

ସିଏ ‘ଆନନ୍ଦବନ’ ନାମରେ ଏକ କୁଷ୍ଠାଶ୍ରୟ କରିଛନ୍ତି। କୁଷ୍ଠ ରୋଗରୁ ଭଲ ହୋଇଯାଇଥିବା ଲୋକମାନେ ଏକ ଅର୍କେଷ୍ଟ୍ରା ଦଳ ଗଢ଼ି ଲୋକମାନଙ୍କୁ ତାଙ୍କର ପ୍ରୋଗ୍ରାମ ଦେଖାଇଥାନ୍ତି। ସେଇ ଅର୍କେଷ୍ଟ୍ରା ପାର୍ଟି ଉପରେ ଲେଖାଯାଇଛି -‘ଗିଭ୍‌ ଦେମ୍‌ ଏ ଚାନ୍ସ ନଟ୍‌ ଚାରିଟିଜ୍‌’। ‘ସେମାନଙ୍କୁ ତାଙ୍କ ଗୁଣର ପରିପ୍ରକାଶ କରିବାକୁ ସୁଯୋଗ ଦିଅ, ଦୟା ପ୍ରଦର୍ଶନ କରନାହିଁ।’ ତେଣୁ ମାଗଣା ଦେବା ଓ ଖାଇବାରେ ଜାତି ଭୀରୁ ହୋଇଥାଏ, ଅଳସୁଆ ହୁଏ। ଦାନ ଉପଯୁକ୍ତ ପାତ୍ରକୁ ଦିଆଯାଏ। ଥିଲାବାଲା ପାଖରେ ଦାନ ଦେଲେ ତାହା ଅପଚୟ ବୋଲି କୁହାଯିବ।

କାର୍ଯ୍ୟ ହିଁ ପୂଜା। କାର୍ଯ୍ୟ ହିଁ ଈଶ୍ବର। ପରମ ପୂଜ୍ୟ ମହାଜ୍ଞାନୀ ଜଗଦ୍‌ଗୁରୁ ପଦ୍ମବିଭୂଷଣ ସ୍ବାମୀ ରାମଭଦ୍ରାଚାର୍ଯ୍ୟ କହନ୍ତି- ‘ନିଷ୍ଠାପର ଭାବେ କର୍ତ୍ତବ୍ୟ ସଂପାଦନ କର। ଏହା ଭଗବାନଙ୍କର ସର୍ବଶ୍ରେଷ୍ଠ ପୂଜା। ଠିକ୍‌ ଭାବେ କର୍ତ୍ତବ୍ୟ ସଂପାଦନ କଲେ ଭଗବାନ ସଦୟ ହୁଅନ୍ତି ଓ ତାଙ୍କର କୃପା ମିଳେ। ମଣିଷ ଓ ସମାଜ ପ୍ରଗତି କରି ଚାଲେ।’ ସୁପ୍ରିମକୋର୍ଟର ପୂର୍ବତନ ପ୍ରଧାନ ବିଚାରପତି ଆର.ସି.​‌ଲାହୋଟି କହିଥାନ୍ତି- ‘କାମ ହେଉଛି ପୂଜା, ସମୟ ହେଉଛି ଧନ। ଏହାକୁ ଗୋଟିଏ ମିନିଟ୍‌ ବି ନଷ୍ଟ କରିବାର ନୁହେଁ। କାମ ବିନା ବିଶ୍ରାମ ମୂଲ୍ୟହୀନ। ଗୋଟିଏ ଛୁଟି ଦିବସ ଆଳସ୍ୟ ପାଇଁ ନୁହେଁ। ଏହା କେବଳ ଦୈନନ୍ଦିନ କାର୍ଯ୍ୟରୁ ସାମୟିକ ଅବସର ନେଇ ଅନ୍ୟ କିଛି କାମ କରିବା ଯାହା ଆନନ୍ଦଦାୟକ ଓ ଶାନ୍ତି ପ୍ରଦାୟକ। ଏହା ଶରୀର ଓ ମନକୁ ପୁନ ଉଜ୍ଜୀବିତ କରିଥାଏ।’ ନିକଟରେ ଇନ୍‌ଫୋସିସ୍‌ର ପ୍ରତିଷ୍ଠାତା ଶ୍ରୀ ନାରାୟଣ ମୂର୍ତ୍ତି ଯୁବସମାଜକୁ ଉପଦେଶ ଦେଇ କହିଛନ୍ତି ‘ଯୁବ ସମାଜ ସପ୍ତାହରେ ୭୦ ଘଣ୍ଟା କାର୍ଯ୍ୟ କରୁ ତା’ ନହେଲେ ଦେଶର ପ୍ରଗତି ପରାହତ ହେବ। ଦେଶର ବିକାଶ ପାଇଁ ଓ ସମାଜର ଉନ୍ନତି ପାଇଁ ଯୁବ ସମାଜଙ୍କର କଠିନ ପରିଶ୍ରମ ଆବଶ୍ୟକ। ତାହାହେଲେ ଜାତି ଆଗେଇବ ଓ ଦେଶ ଉନ୍ନତି କରିବ। ଏହା ନିର୍ବିବାଦ ସତ୍ୟ। ଶ୍ରମରେ ବିକାଶ। ଆଳସ୍ୟରେ ବିନାଶ।

Hot this week

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

Related Articles

Popular Categories