ମୃତ୍ୟୁ-ରହିତ ଜୀବନ

ଡ.ପ୍ରଦୀପ ମହାପାତ୍ର

ମନୁଷ୍ୟ ଜନ୍ମ ମାତ୍ରେ ମୃତ୍ୟୁ ଧ୍ରୁବ ସତ୍ୟ। ଦୀର୍ଘ ଜୀବନ ହାସଲ ନିମନ୍ତେ କେତେକ ବ୍ୟକ୍ତି ଓ ଅାନୁଷ୍ଠାନିକ ଉଦ୍ୟମ ସମୟାନ୍ତେ ଗଣମାଧ୍ୟମରେ ଚର୍ଚ୍ଚିତ ହୋଇଥାଏ; କିନ୍ତୁ ଜଣେ ବ୍ୟକ୍ତିଙ୍କ ମୃତ୍ୟୁକୁ ଟାଳି ଦେବା ନିମନ୍ତେ ଯୋଜନାବଦ୍ଧ ଉଦ୍ୟମ କୌତୂହଳ ସୃଷ୍ଟି କରିବା ସ୍ୱାଭାବିକ। ଯୁକ୍ତରାଷ୍ଟ୍ର ଆମେରିକାର ବ୍ରେୟାନ ଜନ୍‌ସନ ନାମକ ଜଣେ ମଧ୍ୟବୟସ୍କ ପ୍ରଯୁକ୍ତି ଶିଳ୍ପ-ଉଦ୍ୟୋଗୀ ୪୬ ବର୍ଷ ବୟସରେ ୧୮ ବର୍ଷ ବୟସ୍କଙ୍କ ଶାରୀରିକ ସ୍ଥିତି ଲାଭ ନିମନ୍ତେ ତତ୍ପର ଥିବା ୨୦୨୩ରେ ଏକ ଦୃଷ୍ଟି ଆକର୍ଷଣକାରୀ ପ୍ରସଙ୍ଗ ପାଲଟିଥିଲା।

ଜନ୍‌ସନଙ୍କ ଜୀବନାଦର୍ଶର ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଦିଗ ହେଲା ଦୈନନ୍ଦିନ ଜୀବନଯାତ୍ରା ନିମନ୍ତେ କୃତ୍ରିମ ବୁଦ୍ଧିମତ୍ତାଭିତ୍ତିକ ଦିଗ୍‌ଦର୍ଶନ ଅନୁପାଳନ। ପ୍ରତ୍ୟହ ତାଙ୍କରି ଶାରୀରିକ ସ୍ଥିତାବସ୍ଥା ତଥ୍ୟାବଳୀ ସଂଗ୍ରହ ପରେ ଦଳେ ଡ଼ାକ୍ତର କମ୍ପ୍ୟୁଟର ଅନୁକୂଳ ଗାଣିତିକ ସୂତ୍ର ‘ଆଲଗୋରିଥିମ’ ଦ୍ୱାରା ବିଶ୍ଳେଷଣ କରି ଜବନଶୈଳୀ ପରାମର୍ଶ ଦେଇଥାନ୍ତ। ଜନ୍‌ସନ ତଦଅନୁଯାୟୀ ନିଜ ଜୀବନଚର୍ଯ୍ୟା ନିର୍ଦ୍ଧାରଣ କରିଥାନ୍ତି ।

ଜନ୍‌ସନ ‘ବ୍ଳ୍ୟୁ ପ୍ରିଣ୍ଟ’ ନାମକ ଆୟୁବର୍ଦ୍ଧକ ଉପକ୍ରମର ଉଦ୍ୟୋକ୍ତା। ତାଙ୍କ ବିଚାରରେ ପ୍ରଥମତଃ, ମନୁଷ୍ୟର କାର୍ଯ୍ୟଧାରା ଶାରିରୀକ-ରସାୟନଜନିତ ସ୍ଥିତି ‘ବାୟୋକେମିକାଲ ଷ୍ଟେଟ ଅଫ ଦି ବଡ଼ି’ ଉପରେ ନିର୍ଭରଶୀଳ। ଭୋକ, ଶୋଷଠାରୁ ଆରମ୍ଭ କରି ପ୍ରେମ, ହିଂସ୍ରକ ଆଚ଼ରଣ ବା ମନୋରଞ୍ଜନ, ବ୍ୟକ୍ତିଗତ ଜୀବନରେ ସବୁତକ ଇଚ୍ଛା ଓ ଆଗ୍ରହ ଶରୀରରେ ରସାୟନିକ ପ୍ରକ୍ରିୟାର ଫଳ । ଏହି ରାସାୟନିକ ପ୍ରତିକ୍ରିୟାଗୁଡ଼ିକୁ ନିୟନ୍ତ୍ରଣ କରିବା ସଂଭବ।

ଦ୍ୱିତୀୟତଃ, ସମସାମୟିକ ସମାଜରେ ସାଧାରଣ କିଣାବିକାଠାରୁ ଆରମ୍ଭ କରି ଜଟିଳ ବୈଜ୍ଞାନିକ ଗବେଷଣା ଯାଏ ସବୁ ବିଷୟରେ ଯଦି ‘ଆଲଗୋରିଥିମ’ ବୈଷୟିକ କୌଶଳ ନିୟନ୍ତ୍ରଣାଧୀନ, ତେବେ ସ୍ୱାସ୍ଥ୍ୟରକ୍ଷା କାହିଁକି ଅନ୍ତର୍ଭୁକ୍ତ ହୋଇପାରିବ ନାହିଁ। ଜନ୍‌ସନ ‘ବ୍ଳ୍ୟୁ ପ୍ରିଣ୍ଟ’ ପ୍ରକଳ୍ପ ପରିଚାଳନାରେ ବାର୍ଷିକ ୧୨ କୋଟି ୬୦ ଲକ୍ଷ ଟଙ୍କା ଖର୍ଚ୍ଚ କରୁଛନ୍ତି। ପ୍ରଥମ ତିନିବର୍ଷ ‘ବ୍ଳ୍ୟୁ ପ୍ରିଣ୍ଟ’ ପଦ୍ଧତି ଅନୁସରଣରେ ନିଜ ୪୬ ବର୍ଷ ଶରୀରର ଅସ୍ଥି ୩୦ ବର୍ଷ ବୟସ୍କଙ୍କ ଅସ୍ଥି ଓ ହୃଦ୍‌ଯନ୍ତ୍ର ୩୭ ବର୍ଷ ବୟସ୍କଙ୍କ ହୃଦ୍‌ଯନ୍ତ୍ର ସମକକ୍ଷ କାର୍ଯ୍ୟଦକ୍ଷତା ହାସଲ କରିଥିବା ସେ ଉଲ୍ଲେଖ କରିଥାନ୍ତି ।

ଜନ୍‌ସନଙ୍କ ମୃତ୍ୟୁ-ରହିତ ଜୀବନ ଉଦ୍ୟମ ସଂପର୍କରେ ପ୍ରବନ୍ଧ ରଚନା ନିମନ୍ତେ ଖ୍ୟାତନାମା ‘ଟାଇମ’ ପତ୍ରିକାର ଜଣେ ସାମ୍ୱାଦିକ ଲସ୍‌ ଏଞ୍ଜେଲେସ୍‌ସ୍ଥିତ ତାଙ୍କରି ବାସଗୃହରେ ପହଞ୍ଚି ତିନିଦିନ ଅନୁଧ୍ୟାନ କରିଥିଲେ। ସେହି ବିବରଣୀ ୨୦ ସେପ୍ଟେମ୍ୱର ୨୦୨୩ ସଂସ୍କରଣରେ ପ୍ରକାଶିତ ହୋଇଥିଲା। ଜନ୍‌ସନ ବଡ଼ି ସକାଳୁ ୪.୫୩ ମିନଟରେ ଶଯ୍ୟାତ୍ୟାଗ କରନ୍ତି। ବିଭିନ୍ନ ସ୍ୱାସ୍ଥ୍ୟଗତ ପରିମାପ ସାରିବା ପରେ ବ୍ୟକ୍ତିଗତ ବ୍ୟାୟାମଶାଳାରେ ୬ଟାରୁ ୭ଟା ଯାଏ ଘଣ୍ଟାଏ ବ୍ୟାୟାମ କରନ୍ତି। ତାଙ୍କରି ଜଳଖିଆ ସିଝା ପନିପରିବା, କୋଳି ଓ ଚଣାଜାତୀୟ ଖାଦ୍ୟ। ସେ ଜଳଖିଆ, ମଧ୍ୟାହ୍ନ ଭୋଜନ ବା ରାତ୍ରିଭୋଜନ ବଦଳରେ ଭୋଜନ-୧, ଭୋଜନ-୨, ଭୋଜନ-୩ ଇତ୍ୟାଦି ନାମିତ କରିଥାନ୍ତି। ଉଲ୍ଲେଖନୀୟ ବିଷୟ ଏହି ଯେ ଦିନ ୧୧ଟା ସୁଦ୍ଧା ସବୁତକ ଭୋଜନ ସରେ। ଜନ୍‌ସନ ‘ବ୍ଳ୍ୟୁ ପ୍ରିଣ୍ଟ’ ଆଲଗୋରିଥିମ ନି‌େ‌ର୍ଦଶ ଅନୁଯାୟୀ ଶରୀର ତତ୍ତ୍ୱ ସନ୍ତୁଳନ ସକାଶେ ଦୈନିକ ୧୧୧ ଗୋଟି ବଟିକା ଖାଆନ୍ତି। ବିଭିନ୍ନ ଆଲୋକ ବିକିରଣ ଉପଚାରରେ ଅଂଶଗ୍ରହଣ କରନ୍ତି। ପ୍ରତ୍ୟହ ରାତି ସାଢ଼େ ଆଠରେ ନିଦ୍ରା ଯାଆନ୍ତି। ସେ ମଦ୍ୟ ପାନ କରନ୍ତି ନାହିଁ କିମ୍ୱା ସନ୍ଧ୍ୟାରେ ବାହାରକୁ ଯାଆନ୍ତି ନାହିଁ। ସନ୍ତୁଳିତ ଆହାର, ଦୈନିକ ଏକ ଘଣ୍ଟା ବ୍ୟାୟାମ ଓ ଆଠ ଘଣ୍ଟା ନିଦ୍ରା ସହ ବିଭିନ୍ନ କୃତ୍ରିମ ସ୍ୱାସ୍ଥ୍ୟରକ୍ଷା ଉପାଦାନ ଗ୍ରହଣ ‘ବ୍ଲ୍ୟୁ ପ୍ରିଣ୍ଟ’ର ଉଲ୍ଲେଖନୀୟ ଦିଗ ।

prayash

ଜନ୍‌ସନଙ୍କ ଜୀବନଚର୍ଯ୍ୟା ଚ଼ିକିତ୍ସକ ଓ ଆୟୁର୍ବିଜ୍ଞାନୀମାନଙ୍କ ଦ୍ୱାରା ସମାଲୋଚ଼ିତ। କୁହାଯାଏ ଯେ ବିଂଶ ଶତାବ୍ଦୀ ଆରମ୍ଭରେ ଯୁକ୍ତରାଷ୍ଟ୍ର ଆମେରିକା ଭଳି ବିକଶିତ ରାଷ୍ଟ୍ରରେ ଜୀବଦ୍ଦଶା ୫୦ ବର୍ଷ ଥିବା ସ୍ଥଳେ ଶେଷ ବେଳକୁ ୮୦ ବର୍ଷ, ଅର୍ଥାତ୍‌ ୩୦ ବର୍ଷ ବୃଦ୍ଧି ପାଇଛି। ଉନ୍ନତ ଚ଼ିକିତ୍ସା ପ୍ରଣାଳୀ ଓ ସ୍ୱାସ୍ଥ୍ୟରକ୍ଷା ନୀତି ଅବଲମ୍ୱନ ଆୟୁବୃଦ୍ଧିର ଶ୍ରେୟ ନିଏ, ସେହି କ୍ରମରେ ଭବିଷ୍ୟତରେ ମଧ୍ୟ ଆୟୁ ବୃଦ୍ଧି ସଂଭବ, କିନ୍ତୁ ମୃତ୍ୟୁ-ରହିତ ଜୀବନ ଯୁକ୍ତି ଜଟିଳ।

ସମକାଳରେ ବିଭିନ୍ନ ପ୍ରାନ୍ତରେ ସର୍ବାଧିକ ଜୀବଦ୍ଦଶା ୧୨୦ରୁ ୧୩୦ ବର୍ଷ ମଧ୍ୟରେ ସୀମିତ। ହାର୍ଭାର୍ଡ଼ ମେଡ଼ିକାଲ ସ୍କୁଲରେ ଗବେଷକମାନେ ବୟସ୍କ ମୂଷାଙ୍କ କ୍ଷେତ୍ରରେ ବୟସ ବୃଦ୍ଧିଜନିତ ସମସ୍ୟାବଳୀରେ ଅଙ୍କୁଶ ଲଗାଇବାରେ ସାମାନ୍ୟ ସଫଳତା ପାଇଛନ୍ତି। ମନୁଷ୍ୟର ଚର୍ମ ଓ ଚକ୍ଷୁଡ଼ୋଳା କ୍ଷେତ୍ରରେ ସେହି ଜ୍ଞାନକୌଶଳ ଉପଯୋଗ ପରୀକ୍ଷାନିରୀକ୍ଷା ଚାଲିଛି। ଏହି ଭଳି ଗବେଷଣା ପାରମ୍ପରିକ ବିଜ୍ଞାନସମ୍ମତ୍ତ ପ୍ରଣାଳୀରେ ପ୍ରଯୋଜିତ।

ଅପରପକ୍ଷେ ଜନ୍‌ସନଙ୍କ ‘ବ୍ଳ୍ୟୁ-ପ୍ରିଣ୍ଟ’ର ଗବେଷଣା ତଥ୍ୟାବଳୀ ପାରମ୍ପରିକ ବୈଜ୍ଞାନିକ ରୀତିରେ ୨୦୨୩ ସୁଦ୍ଧା ଉପଲବ୍ଧ ହୋଇପାରିନାହିଁ। ଜନ୍‌ସନ ନିଜେ ମୃତ୍ୟୁ-ରହିତ ଜୀବନ ପରୀକ୍ଷାରେ ସାମିଲ ହୋଇଥିବା ସ୍ଥଳେ ୨୦୨୩ ପ୍ରଥମାର୍ଦ୍ଧରେ ଜନ୍‌ସନଙ୍କ ‘ବ୍ଳ୍ୟୁ-ପ୍ରିଣ୍ଟ’ର ମୁଖ୍ୟ ବ୍ୟାବସାୟିକ ଅଧିକାରୀ କେଟ ଟୋଲୋ ନାମକ ୨୭ ବର୍ଷୀୟ କୋରିଆ ଜନ୍ମିତ ମହିଳା ଦ୍ୱିତୀୟ ବ୍ୟକ୍ତି ଭାବେ ସାମିଲ ହୋଇଛନ୍ତି। ବୈଜ୍ଞାନିକମାନେ ପ୍ରଶ୍ନ କରୁଛନ୍ତି, ଜଣେ ବ୍ୟକ୍ତି ଦୈନିକ ଶହେରୁ ଅଧିକ ଔଷଧ ସେବନ କଲେ କେଉଁ ଉପାଦାନ କିପରି କାମ କରୁଛି, ତାହା କିପରି ପ୍ରମାଣିତ ହେବ। ପ୍ରକାରାନ୍ତେ ବିଭିନ୍ନ ଉପାଦାନର ସମ୍ମିଶ୍ରଣରେ ବିପଦପୂର୍ଣ୍ଣ ସ୍ୱାସ୍ଥ୍ୟାବସ୍ଥା ସମ୍ମୁଖୀନ ହେବା ସଂଭାବନାକୁ ଏଡ଼ାଇ ଦେଇ ହେବ ନାହିଁ ।

ଅନ୍ୟ କେତେକ ସମାଲୋଚକଙ୍କ ମତରେ ମନୁଷ୍ୟର ଜୀବଦ୍ଦଶା ମୁଖ୍ୟତଃ ଗୁଣସୂତ୍ର ‘ଜିନ’ ଉପରେ ନିର୍ଭରଶୀଳ। ଜନ୍‌ସନଙ୍କ ଉପକ୍ରମରେ ଗୁଣସୂତ୍ର ସଂଶୋଧନ ଦିଗରେ କୌଣସି ସୂଚ଼ନା ନାହିଁ। ବିଶ୍ୱର ବିଭିନ୍ନ ଅଞ୍ଚଳରେ ୧୧୦ରୁ ୧୨୨ ବର୍ଷ ଯାଏ ବଞ୍ଚିଥିବା ବ୍ୟକ୍ତିଙ୍କ ଜୀବନଚର୍ଯ୍ୟା ଅନୁଶୀଳନରେ ସେମାନେ ଜନ୍‌ସନଙ୍କ ଭଳି କୌଣସି ବ୍ୟାପକ ଆୟୋଜନ କରିଥିବା ଉଦାହରଣ ଦେଖିବାକୁ ମିଳେ ନାହିଁ। ଜନ୍‌ସନ ବ୍ରିଟେନରୁ ପ୍ରକାଶିତ ସମ୍ୱାଦପତ୍ର ‘ଦି ଗାର୍ଡିଆନ’କୁ କହିଥିଲେ ଯେ ମୃତ୍ୟୁ-ରହିତ ଜୀବନଚର୍ଯ୍ୟା ନିର୍ଦ୍ଧାରଣ ନିମନ୍ତେ ‘ବ୍ଳ୍ୟୁ-ପ୍ରିଣ୍ଟ’ ପ୍ରଯୋଜନାରେ ସ୍ୱାସ୍ଥ୍ୟରକ୍ଷା ଓ ଜୀବଦ୍ଦଶା ସଂପର୍କିତ ଦୁଇ ହଜାର ବିଜ୍ଞାନାନୁମୋଦିତ ଗବେଷଣା ସନ୍ଦର୍ଭରୁ ତଥ୍ୟ ସଂଗ୍ରହ କରାଯାଇଛି। ଏହି ପଦ୍ଧତି ବିକାଶରେ ୩୦ରୁ ଊର୍ଦ୍ଧ୍ୱ ବିଧିବଦ୍ଧ ତାଲିମପ୍ରାପ୍ତ ଚ଼ିକିତ୍ସକ ସହଯୋଗ କରୁଛନ୍ତି।

ଜନ୍‌ସନଙ୍କ ଶୈଶବ ଓ ଯୁବାବସ୍ଥା ଧାର୍ମିକ ପରିବେଶରେ କଟିଛି। ସେ ୩୪ ବର୍ଷ ବୟସରେ ଚର୍ଚ୍ଚ ପରିତ୍ୟାଗ କରି ପ୍ରଯୁକ୍ତି ଶିଳ୍ପ ନିବେଶକ ଭାବେ ବ୍ୟବସାୟ ଆରମ୍ଭ କରିଥିଲେ। ତାଙ୍କରି ବୈବାହିକ ଜୀବନ ଛାଡ଼ପତ୍ରରେ ପର୍ଯ୍ୟବସିତ। ତିନିଗୋଟି ସନ୍ତାନ ମଧ୍ୟରୁ ୧୮ ବର୍ଷ ବୟସ୍କ ମଝିଆଁ ପୁଅ ଜନ୍‌ସନଙ୍କ ସାଥିରେ ରହେ। ସେ ପରୀକ୍ଷାମୂଳକଭାବେ ବାପାଙ୍କୁ ଦୀର୍ଘଜୀବନ ଚ଼ିକିତ୍ସା ପାଇଁ ରକ୍ତଦାନ କରିଥିଲା; କିନ୍ତୁ ସେଥିରେ ବିଶେଷ ଲାଭ ପ୍ରମାଣିତ ନ ହୋଇପାରିବା ହେତୁ ପୁଣି ଯୁବ ରକ୍ତ ଗ୍ରହଣକୁ ଏଡ଼ାଇ ଦିଆଯାଇଥିଲା। ଜନ୍‌ସନଙ୍କ ୭୦ ବର୍ଷ ବୟସ୍କ ପିତା ମଧ୍ୟ ଜୀବିତ।

ଜନ୍‌ସନ ମୃତ୍ୟୁ-ରହିତ ଜୀବନର ବାର୍ତ୍ତା ସର୍ବସାଧାରଣରେ ପ୍ରଚାର ନିମନ୍ତେ ଆଗ୍ରହ ପ୍ରକାଶ କରିଥାନ୍ତି। ତାଙ୍କରି ଇ-ମେଲ ନିଉଜଲେଟର ପ୍ରାୟ ଦୁଇଲକ୍ଷ ଠିକଣାରେ ପ୍ରେରିତ ହୁଏ ଏବଂ ବ୍ୟାୟାମର ଦୃଶ୍ୟାବଳୀ ୟୁଟ୍ୟୁବ ଭିଡ଼ିଓ ଯୋଗେ ଲକ୍ଷ ଲକ୍ଷ ଦର୍ଶକ ଦେଖିଥାନ୍ତି। ଜନ୍‌ସନଙ୍କ ଜୀବନଚର୍ଯ୍ୟାରେ ଏକ ବିଡ଼ମ୍ୱନା ସମାଲୋଚକମାନେ ସୋସିଆଲ ମିଡ଼ିଆରେ ଚର୍ଚ୍ଚା କରିଥାନ୍ତି। ମୃତ୍ୟୁ-ରହିତ ଜୀବନ ପ୍ରାପ୍ତି ଉଦ୍ଦେଶ୍ୟରେ ବିପୁଳ ଅର୍ଥବ୍ୟୟ, ଶୃଙ୍ଖଳିତ ଖାଦ୍ୟପେୟ, କଠିନ ବ୍ୟାୟାମ, ନିଦ୍ରା ନିୟନ୍ତ୍ରଣ ଓ ବିଭିନ୍ନ ରସାୟନ ସେବନରେ ଅଭ୍ୟସ୍ତ ଜନ୍‌ସନ ସାଧାରଣ ସଡ଼କ ଦୁର୍ଘଟଣାରେ ପ୍ରାଣତ୍ୟାଗ କରିପାରନ୍ତି। ‘ଟାଇମ’ ପତ୍ରିକାର ସାମ୍ୱାଦିକ ଲକ୍ଷ୍ୟ କରିଥିଲେ ଜନ୍‌ସନ ମଟରଗାଡ଼ି ଚଳାଇବା ଆଗରୁ ଡ୍ରାଇଭିଂ ଏକ ବିପଦପୂର୍ଣ୍ଣ କାର୍ଯ୍ୟ ବୋଲି ବାରମ୍ୱାର ସ୍ମରଣ କରିଥାନ୍ତି। ଯତ୍ନ ସହକାରେ ପ୍ରତିପାଳିତ ଜୀବନ ସଡ଼କ ଦୁର୍ଘଟଣାରେ ଆକସ୍ମିକ ମୃତ୍ୟୁର କାରଣ ପାଲଟିପାରେ, ତାହା ହିଁ ବିଡ଼ମ୍ୱନା!

kalyan agarbati

Comments are closed.