ପଞ୍ଚସୂନା ବନାମ ପଞ୍ଚଯଜ୍ଞ
ହରିଶଙ୍କର ମିଶ୍ର
ଜୀବଜଗତରେ ରହୁଥିବା ମନୁଷ୍ୟ, ପଶୁ, ପକ୍ଷୀ, ତରୁ ଲତା କୀଟ ପତଙ୍ଗ ଆଦି ସଭିଙ୍କର ଜୀବନୀ ଶକ୍ତି ରହିଛି; କିନ୍ତୁ ଜ୍ଞାନ ବା ବିବେକ ଥିବାରୁ ମନୁଷ୍ୟକୁ ଶ୍ରେଷ୍ଠ ଜୀବର ମାନ୍ୟତା ଦିଆଯାଇଛି। ଜ୍ଞାନ ହୀନ ମନୁଷ୍ୟ ପଶୁ ତୁଲ୍ୟ ବିବେଚିତ ହୁଅନ୍ତି। ଧାର୍ମିକ ଭାବନାରେ ସମଗ୍ର ଜଗତର ହିତ ଉଦ୍ଦେଶ୍ୟରେ ମନୁଷ୍ୟ ସମାଜର ଚଳଣିକୁ ବ୍ୟବସ୍ଥିତ ଓ ସଂହତି ସମ୍ପନ୍ନ କରିବା ପାଇଁ ସ୍ବତନ୍ତ୍ର ବିଧିବ୍ୟବସ୍ଥା ପ୍ରାକ୍ଐତିହାସିକ ସମୟରୁ ନିର୍ଣ୍ଣିତ ହୋଇଛି।
ଧର୍ମଭାଵନାରେ ମାନସିକ ଶାନ୍ତି ମିଳିଥାଏ। ମନ ଶାନ୍ତ ରହିଲେ ଜୀବନ ଦୀର୍ଘ ଓ ନିରାମୟ ରହେ। ମନରେ ସର୍ବଦା ସକାରାତ୍ମକ ଭାବ ଉଦ୍ରେକ ହେଉଥିବାରୁ ଅନ୍ୟାୟ, ଦୁର୍ନୀତି, ଅତ୍ୟାଚାର, ହିଂସା, କ୍ରୋଧ, ଭୟ ଠାରୁ ଦୂରରେ ରହିବାକୁ ମାନସିକ ଶକ୍ତି ମିଳିଥାଏ। ଧର୍ମ ଓ ପାପର ସଂଜ୍ଞା ନିରୂପଣ ପାଇଁ ମହର୍ଷି ବ୍ୟାସଦେବଙ୍କ ଦ୍ବାରା ରଚିତ ଅଠରଟି ପୁରାଣର ନିର୍ଯ୍ୟାସରେ କୁହାଯାଇଛି ଯେ “ପରୋପକାର ସ୍ବର୍ଗାୟ ପାପାୟ ପରପୀଡନମ୍” ଅର୍ଥାତ୍ ଆମର ଆଚରଣ ବା ଉଚ୍ଚାରଣ ଯଦି କାହା ପାଇଁ ପୀଡ଼ାଦାୟକ ହୁଏ ତାହା ହିଁ ପାପ ପର୍ଯ୍ୟାୟର ହୋଇଥାଏ ଏବଂ ପରୋପକାର, ଦୟା, କ୍ଷମା ଆଦିକୁ ପୁଣ୍ୟ ଓ ମାନବୀୟ ଗୁଣ ଭାବେ ଗ୍ରହଣ କରାଯାଏ। ସେହି ଗୁଣର ପରିସ୍ଫୁଟନ ଓ ପରିପାଳନ ପାଇଁ ବିବିଧ ଶାସ୍ତ୍ର, ପୁରାଣ, ସଂହିତା ଆଦିରେ ଆମର ଜୀବନଚର୍ଯ୍ୟା ପାଇଁ ଅନୁକଳ୍ପ ଓ ବିକଳ୍ପ ବିଧିବ୍ୟବସ୍ଥା ମଧ୍ୟ ନିର୍ଦ୍ଧାରିତ ହୋଇଛି। ପ୍ରାକ୍ଐତିହାସିକ କାଳରୁ ନିର୍ଣ୍ଣିତ ଏହି ବିଧି ବ୍ୟବସ୍ଥାର ନିର୍ଣ୍ଣାୟକମାନେ ଜ୍ଞାନୀ ବା ବିଜ୍ଞାନୀଙ୍କଠାରୁ ଯଥେଷ୍ଟ ଊର୍ଦ୍ଧ୍ବରେ ଥିବାରୁ ସେମାନଙ୍କୁ ପ୍ରଜ୍ଞାନୀଭାବେ ବିଚାରକରାଯାଏ। ସେମାନେ କେବଳ ମନୁଷ୍ୟ ନୁହେଁ ବରଂ ସମଗ୍ର ଜୀବଜଗତର କଲ୍ୟାଣ କାମନା କରୁଥିଲେ।
ବିଜ୍ଞାନର ଉନ୍ନତି ପରେ ଆମର ଚତୁଃପାର୍ଶ୍ବରେ ଅସଂଖ୍ୟ ଅଣୁଜୀବ ରହିଥିବା ଜଣାଗଲା। ବିଜ୍ଞାନ ଦ୍ବାରା ଏହା ଅଣୁବୀକ୍ଷଣ ଯନ୍ତ୍ର ଆବିଷ୍କାର ପୂର୍ବରୁ ସେହି ପ୍ରଜ୍ଞାନୀମାନେ ଅଣୁ ଜୀବମାନଙ୍କର ଉପସ୍ଥିତି ଜାଣିବା ସହ ପାଞ୍ଚଟି ସ୍ଥାନରେ ଆମେ ସେମାନଙ୍କୁ ହତ୍ୟା କରିଥାଉ ବୋଲି ନିର୍ଣ୍ଣୟ ମଧ୍ୟ କରିଥିଲେ ଯାହାକୁ ପଞ୍ଚସୂନା ବୋଲିକୁହାଯାଏ। ସେହି ପାଞ୍ଚଟି ସ୍ଥାନ ବା କାରକ ମଧ୍ୟରେ ସମାର୍ଜନୀ ବା ଛାଞ୍ଚୁଣୀ, ଚୁଲି, କଣ୍ଡନୀ (ପିଟୁଣି, ଢ଼ିଙ୍କି ବା ମୁଷଳ), ଶିଳ (ଘୋରଣା ବା ଚକି), ଏବଂ ପାଣି ମାଠିଆର ବ୍ୟବହାରକୁ ନିର୍ଣ୍ଣିତ କରାଯାଇଛି। ଜୀବହତ୍ୟା ମହାପାପ ହୋଇଥିବାରୁ ଏହି ଅଜ୍ଞାନକୃତ ପାପକୁ ପକ୍ବସୁନା ପାପ କୁହାଯାଏ। ଆମ ଧର୍ମଶାସ୍ତ୍ରୀୟ ବ୍ୟବସ୍ଥାରେ କୌଣସି ତ୍ରୁଟି ସ୍ବୀକାର କଲେ ତାହା ମାର୍ଜନୀୟ ହୋଇଥାଏ। ଦୋଷ କରି ଯଦି ସ୍ବୀକାର କରାଯାଏ ତାହା କ୍ଷମଣୀୟ ହୋଇଥାଏ। ମାତ୍ର ପାପର କ୍ଷୟ ପାଇଁ ପ୍ରାୟଶ୍ଚିତ୍ତ ହିଁ ଏକମାତ୍ର ବିକଳ୍ପ ବ୍ୟବସ୍ଥା ବୋଲି ନିର୍ଣ୍ଣୟ ରହିଛି।
ଏହି ପଞ୍ଚସୂନା ଜନିତ ପାପରୁ ମୁକ୍ତି ପାଇଁ ପାଞ୍ଚଟି ଯଜ୍ଞର ବ୍ୟବସ୍ଥା ରହିଛି। ତାହା ହେଲା ପ୍ରଥମରେ ବ୍ରହ୍ମଯଜ୍ଞ। ଶାସ୍ତ୍ର ପଠନ ଓ ଆଲୋଚନା ବ୍ରହ୍ମଯଜ୍ଞ ଭାବେ ବିବେଚିତ ହୁଏ। ଶାସ୍ତ୍ର ପଠନ ଦ୍ବାରା ମନ ଶାନ୍ତ ରହିଥାଏ ଓ ଜ୍ଞାନର ପରିସୀମା ବୃଦ୍ଧି ହୋଇଥାଏ। ଦ୍ବିତୀୟରେ ଦେବଯଜ୍ଞ। ପ୍ରତ୍ୟେକ ଗୃହୀମାନଙ୍କ ଦ୍ବାରା ସ୍ବଗୃହରେ ପାକାନ୍ନ ପ୍ରସ୍ତୁତ ପରେ କେହି ଭକ୍ଷଣ ପୂର୍ବରୁ ପ୍ରଥମେ ଅଗ୍ନିଙ୍କୁ ପ୍ରଦାନ କରାଯାଇଥାଏ। ଏହାକୁ ବୈଶ୍ବଦେବ ମଧ୍ୟ କୁହାଯାଏ। ଗୃହୀମାନେ ପିତୃପୁରୁଷଙ୍କ ପାଇଁ କରୁଥିବା ଶ୍ରାଦ୍ଧରେ ବୈଶ୍ବଦେବ ଅପରିହାର୍ଯ୍ୟ। ବୈଶ୍ବଦେବର ଚାରିପ୍ରକାର ବ୍ୟବସ୍ଥା, ରହିଛି; କିନ୍ତୁ ଅଗ୍ନିଙ୍କୁ ଅନ୍ନପ୍ରଦାନ ହିଁ ପ୍ରତ୍ୟେକ ଦେବଯଜ୍ଞ ମୂଳ ଉଦ୍ଦେଶ୍ୟ। ଏହା ପରେ ପିତୃ ଯଜ୍ଞ। ପିତୃପୁରୁଷଙ୍କ ପାଇଁ ଶ୍ରାଦ୍ଧ ଆମ ଧାର୍ମିକ ବ୍ୟବସ୍ଥାର ଅବିଚ୍ଛେଦ୍ୟ ଅଙ୍ଗ। ପିତୃପୁରୁଷଙ୍କ ମୃତ୍ୟୁ ତିଥି ଏବଂ ଆଶ୍ବିନ ଅମାବାସ୍ୟାରେ ପିତୃପୁରୁଷଙ୍କ ଶ୍ରାଦ୍ଧ କରାଯାଏ। ପରାଧୀନ, ଅଭାବ, ପ୍ରବାସ, ଯୋଗୁଁ ଶ୍ରାଦ୍ଧ କରିନପାରିଲେ ଅନୁକଳ୍ପରେ ତିଳତର୍ପଣ କରାଯାଏ।
ଏହି ତିଳତର୍ପଣ ତୀର୍ଥ ନଦୀରେ ବିଶେଷ ଦିନରେ ବା ପିତୃପକ୍ଷର ନିଷିଦ୍ଧ ଦିନରେ ବି କରାଯିବା ପାଇଁ ବାରଣ ନାହିଁ। ପ୍ରତ୍ୟହ ସ୍ନାନ ଶେଷରେ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ଜଳ ଆଞ୍ଜୁଳି ମଧ୍ୟ ପ୍ରତ୍ୟେକ ଗୃହୀ ଦେବାରେ ତାହା ବିକଳ୍ପ ତର୍ପଣ ହୋଇଥାଏ। ଅନ୍ୟ ଏକ ଯଜ୍ଞ ହେଉଛି ଭୂତଯଜ୍ଞ କାକ,ଶ୍ବାନ, ଗୋମହିଷାଦି ପଶୁ ବା ଜଳାଶୟରେ ରହୁଥିବା ମାଛମାନଙ୍କୁ ଖାଦ୍ୟ ଦେବାକୁ ଏହି ଯଜ୍ଞରେ ବିଧି ରହିଛି। ସର୍ବଶେଷର ଯେଉଁ ଯଜ୍ଞର ବିଧି ରହିଛି ତାହା ହେଉଛି ନୃ ଯଜ୍ଞ ବା ଅତିଥି ସେବା। ଘରକୁ ଅତିଥିଙ୍କ ଆଗମନ ମାତ୍ରେ ସହାସ୍ୟ ବଦନରେ ତାଙ୍କୁ ସ୍ବାଗତ କରାଯିବ। ତାଙ୍କର ପଦ ପ୍ରକ୍ଷାଳନ କରାଯାଇ ଆସନ ପାଦାସନ ସହ ପରିତୃପ୍ତ ଭୋଜନ ବ୍ୟବସ୍ଥା କରାଯିବ। ଭୋଜନାନ୍ତେ ତାଙ୍କର ତୃପ୍ତି ଜନିତ ଶ୍ବାସ ପ୍ରତ୍ୟେକ ଗୃହୀଙ୍କ ଅଶେଷ ମଙ୍ଗଳ ଦାୟକ ହୋଇଥାଏ।
ଏହି ପଞ୍ଚଯଜ୍ଞ ପଞ୍ଚସୂନା ଜନିତ ପାପରୁ ମୁକ୍ତି ଦେଇଥାଏ। ଏଠାରେ ପ୍ରକାଶଯୋଗ୍ୟ ଯେ ଆମ ଶାସ୍ତ୍ରରେ କୃଷି କର୍ମଠାରୁ ରୋଷେଇ, ବାଣିଜ୍ୟ ଆଦି ପ୍ରତ୍ୟେକ କାର୍ଯ୍ୟ ସହ ଦିନଚର୍ଯ୍ୟାର ପ୍ରତ୍ୟେକ ବିଧାନରେ ଦୃଶ୍ୟ ବା ଅଦୃଶ୍ୟ ଉଦ୍ଦେଶ୍ୟ ରହିଥିବାରୁ ସମସ୍ତ କାର୍ଯ୍ୟକୁ ଯଜ୍ଞ ପର୍ଯ୍ୟାୟର ବିବେଚନା କରାଯାଏ। ଯେଉଁ ମହାମନୀଷୀମାନେ ବର୍ଷବର୍ଷ ଧରି ପାହାଡ଼ ଓ ଜଙ୍ଗଲରେ ପବନ ବା ଫଳ ଆହାର କରି ଆମର ଧାର୍ମିକ ପରମ୍ପରା ମାଧ୍ୟମରେ ସାମାଜିକ ଜୀବନର ଚଳଣି ନିର୍ଦ୍ଧାରଣ କରିଛନ୍ତି ସେମାନେ ସମଗ୍ର ପ୍ରାଣୀ ଜଗତ ପାଇଁ କିପରି ସମ୍ବେଦନଶୀଳ ଥିଲେ ତାହା ଅନୁମାନ କରାଯାଇପାରେ। ଏବେ ବିଜ୍ଞାନର ଅଗ୍ରଗତି ହୋଇଥିଲେ ବି ସେହି ମହାମନୀଷୀମାନେ ଆଧ୍ୟାତ୍ମିକ ଭାବନାରେ ବିଗତ ବହୁ ହଜାର ବର୍ଷ ପୂର୍ବରୁ ତାହାକୁ ଅନୁଭବରେ ଆଣିଥିଲେ। ଏହା ସତ୍ୟ ଓ ଅନସ୍ବୀକାର୍ଯ୍ୟ ଯେ ଯେଉଁମାନଙ୍କର ଆଧ୍ୟାତ୍ମିକ ସ୍ବାସ୍ଥ୍ୟ ଯେତେ ଉନ୍ନତ ସେମାନେ ସେଇ ଅନୁପାତରେ ନିରୋଗ ସହ ଦୀର୍ଘଜୀବୀ ଏବଂ ଆଚାର, ବିଚାରରେ ସେତିକି ଉନ୍ନତ। ତେଣୁ ଆମେ ସେଇ ମହାମନୀଷୀଙ୍କ ନିଷ୍କର୍ଷ ଓ ସମାଜକୁ ପ୍ରଦତ୍ତ ଅମୂଲ୍ୟ ପରାମର୍ଶ ଆମର ସାବଲୀଳ ଜୀବନ ଶୈଳୀ ପାଇଁ ପ୍ରୟୋଗ କରିବ।
Comments are closed.