ଶିକ୍ଷାନୀତି ଓ ଭାଷାନୀତି
ଡ. ଦେବୀପ୍ରସନ୍ନ ପଟ୍ଟନାୟକ
ଆଧୁନିକ ଶିକ୍ଷା ବ୍ୟବସ୍ଥା ପରିବର୍ତ୍ତିତ ହେଉଥିବା ସାମାଜିକ, ଅର୍ଥନୈତିକ ଓ ସାଂସ୍କୃତିକ ସୀମାରେଖାଗୁଡିକୁ ଗଭୀର କରି ପରିବର୍ତ୍ତନର ଗତିରୋଧ କରି ବହୁବିଧତା ଓ ବିବିଧତାକୁ ଏକ ମୁଖ୍ୟ ସ୍ରୋତରେ ପରିଣତ କରିବାକୁ ଚେଷ୍ଟା କରୁଛି। ଏହି ଶିକ୍ଷା ବ୍ୟବସ୍ଥା ଆମକୁ ପ୍ରତିଯୋଗିତା ବଦଳରେ ପ୍ରତିଦ୍ବନ୍ଦ୍ବିତା, ଭାଇଚାରା ବଦଳରେ ଭାଗବଣ୍ଟା, ସତ୍ୟ ଅହିଂସା ବଦଳରେ ମିଛ ଓ ହିଂସା ଦ୍ୱେଷ ଶିଖେଇ ଆମ ସମାନତାର ସ୍ୱପ୍ନକୁ ଛିନ୍ଭିନ କରିଦେଉଛି।
ଆଜିକି ପଚାଶ ବର୍ଷ ତଳର କଥା। ମୁଁ କେତେକ ସାନ୍ତାଳ ଗାଁ ଦେଖିବାକୁ ଯାଇଥିଲି। ଶୁଣିଲି ପାଖ ଗାଁରେ ଗୋଟିଏ ନବେବର୍ଷର ବୁଢ଼ୀ ଗାଁ ପିଲାଙ୍କୁ ସ୍କୁଲ ଯିବାକୁ ବାରଣ କରୁଛି। ମୁଁ ବୁଢୀକୁ ଭେଟିବାକୁ ସେ ଗାଁକୁ ଗଲି। ତାଙ୍କୁ ପଚାରିଲି, ବୁଢ଼ୀ ମା ତମେ ତମ ନାତି ନାତୁଣୀମାନଙ୍କୁ ସ୍କୁଲ ଯିବାକୁ କାହିଁକି ମନା କରୁଛ? ସିଏ ଫଁ କରି ଗର୍ଜି ଉଠି ମତେ ପଚାରିଲେ, ସ୍କୁଲ? କେଉଁ ସ୍କୁଲ? ଯେଉଁ ସ୍କୁଲ ଆମ ପରିବାର ଭାଙ୍ଗିଲା, ଆମ ଜାତି, ସମାଜ ଭାଙ୍ଗିଲା ସେଇ ସ୍କୁଲକୁ, ଯେଉଁ ସ୍କୁଲରୁ ମାଟ୍ରିକ ପାସ କଲେ ମୋ ପିଲା ବାରିପଦାରେ ଘର କରିବ, ବି ଏ ପାସ୍ କଲେ ଭୁବନେଶ୍ୱରରେ ଘର ଖୋଜିବ, ସେଇ ସ୍କୁଲକୁ ମୋ ପିଲାଙ୍କୁ ପଠେଇବାକୁ କହୁଚ? ଏଇ ପ୍ରଶ୍ନର ଉତ୍ତର ମୋ ପାଖେ ନଥିଲା। ଗତ ପଚାଶ ବର୍ଷ ଧରି ଏ ପ୍ରଶ୍ନ ମୁଁ ବହୁତ ଶିକ୍ଷାବିତ୍ଙ୍କୁ ପଚାରିଛି, କାହାରିଠୁ ମନକୁ ପାଇଲା ପରି ଉତ୍ତର ମିଳି ନାହିଁ।
ମୁଁ ଗାନ୍ଧୀ ପରମ୍ପରାର ପିଲା। ମୋ ବାବା ଗାନ୍ଧୀଙ୍କ ସାଙ୍ଗରେ କାମ କରୁଥିଲେ। ତାଙ୍କରି ଡ଼ାକରାରେ ସିଏ ରେଭେନ୍ସା ଛାଡିଥିଲେ। ଗାନ୍ଧୀଙ୍କର ଶେଷକାଳରେ କଂଗ୍ରେସକୁ ଭାଙ୍ଗି ଗୋଟିଏ ଲୋକ ସେବକ ସଂଘ ଗଢିବାକୁ ସେ ଯେଉଁ ଡାକରା ଦେଇଥିଲେ ତାକୁ ମାନି ଯେଉଁ ଅଳ୍ପ କେତେକ କର୍ମୀ କଂଗ୍ରେସରୁ ଇସ୍ତଫା ଦେଇଥିଲେ ସେମାନଙ୍କ ମଧ୍ୟରେ ସେ ଜଣେ ଥିଲେ। ସିଏ ଗୋପବନ୍ଧୁଙ୍କ ବନବିଦ୍ୟାଳୟର ଛାତ୍ର ଥିଲେ। ଏହି ବନବିଦ୍ୟାଳୟ ରବୀନ୍ଦ୍ରନାଥଙ୍କର ଶାନ୍ତିନିକେତନର ସମସାମୟିକ ଥିଲା। ଉଭୟ ଗାନ୍ଧୀଙ୍କ ଶିକ୍ଷାନୀତି ଦ୍ୱାରା ଅନୁପ୍ରାଣିତ ହୋଇଥିଲେ ।
ଗାନ୍ଧୀଙ୍କ ଶିକ୍ଷାନୀତି ଭିତ୍ତିରେ ଭାରତର ବିଭିନ୍ନ ସ୍ଥାନରେ ବହୁ ପରୀକ୍ଷା ନିରୀକ୍ଷା ହୋଇଛି। ଓଡ଼ିଶା ତାହାର ବ୍ୟତିକ୍ରମ ନୁହେ। ପ୍ରକୃତରେ ଓଡ଼ିଶା ଗାନ୍ଧୀଙ୍କ ଜୀବନଦର୍ଶନର କେନ୍ଦ୍ର ବିନ୍ଦୁ ଥିଲା। ଐତିହ୍ୟପୂର୍ଣ୍ଣ ଓଡ଼ିଶାର ଦାରିଦ୍ର୍ୟ ତାଙ୍କୁ ଅଭିଭୂତ କରିଥିଲା। ଏଇଠି ସେ ଆଣ୍ଠୁଲୁଚା ଲୁଗା ଓ କୁରୁତା ଛାଡି ଚାଦର ବ୍ୟବହାରର ପ୍ରେରଣା ପାଇଥିଲେ। ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ସେ ଆପଣାର ଗୁରୁ ମାନୁଥିଲେ। ମଧୁବାବୁଙ୍କ ମାତୃଭୂମି ମାତୃଭାଷା ପ୍ରୀତି, ଛୁଆଁ ଅଛୁଆଁ ଭେଦଭାବ ଦୂରକରିବାରେ ଟାନେରୀ କାର୍ଯ୍ୟକ୍ରମ, ଅରଟରେ ସୂତାକଟା, ତାରକସି କାମ ଓ ଗ୍ରାମଶିଳ୍ପକୁ ପ୍ରୋତ୍ସାହନ ଗାନ୍ଧୀ ବିଚାର ବିକାଶରେ ସହାୟକ ଥିଲା। ଗାନ୍ଧୀ ୮ଥର ଓଡ଼ିଶା ଆସିଥିଲେ ଏବଂ ଥରେମାତ୍ର ଏକମାତ୍ର ମଧୁବାବୁଙ୍କ ବ୍ୟକ୍ତିଗତ ଆତିଥ୍ୟ ସ୍ୱୀକାର କରିଥିଲେ।
ଗାନ୍ଧୀଙ୍କ ଶିକ୍ଷାନୀତିର ବିରୋଧ କ୍ଷମତା ବଳୟରେ ଥିବା ରାଜନେତା, ଅର୍ଥଶାସ୍ତ୍ରୀ, ପ୍ରଶାସକ ଓ ବୁଦ୍ଧିଜୀବୀ ମହଲରେ ବେଶ୍ କିଛି ଲୋକ ଥିଲେ। ୧୯୨୧ରେ ଗାନ୍ଧୀଙ୍କ ଓଡିଶା ଆଗମନ ସମୟରେ ଜଣେ ସମାଲୋଚକ ପ୍ରଶ୍ନ କରିଥିଲେ, ଆପଣ ଇଂରାଜୀରେ ଉଚ୍ଚଶିକ୍ଷିତ ହୋଇ ସୁଦ୍ଧା ଇଂରାଜୀର ବିରୋଧ କରୁଛନ୍ତି କାହିଁକି? ଗାନ୍ଧୀ ଉତ୍ତରରେ କହିଥିଲେ, ଭାରତୀୟ ସଂସ୍କୃତିର ପ୍ରତୀକ ଆଚାର୍ଯ୍ୟ ଶଙ୍କର, ସନ୍ଥ ତୁଳସୀ ଦାସ, ଗୁରୁ ନାନକ ଓ ରାମକୃଷ୍ଣଙ୍କ ପରି ମହାମନୀଷୀମାନେ ଇଂରାଜୀ ପଢିନଥିଲେ। ଭାରତୀୟ ସଂକୃତି ପ୍ରତି ସେମାନଙ୍କ ଅବଦାନ ଅତୁଳନୀୟ। ମୁଁ ଇଂରାଜୀ ପଢିନଥିଲେ ହୁଏତ ଦେଶମାତୃକାର ସେବା ଅଧିକ ନିଷ୍ଠାର ସହ କରିପାରିଥାନ୍ତି।
ଗାନ୍ଧୀ ମାତୃଭାଷାରେ ପ୍ରାଥମିକ ଶିକ୍ଷା ଦେବା ସପକ୍ଷରେ ଥିଲେ। ବହୁଭାଷିକ ଶିକ୍ଷା ଜ୍ଞାନାର୍ଜନର କବାଟ ଝରକା ବୋଲି ସିଏ କହୁଥିଲେ। ଅବୟବ, ହୃଦୟ ଓ ମସ୍ତିଷ୍କର ବିକାଶର ସମନ୍ୱୟ ଶିକ୍ଷାର ଉଦ୍ଦେଶ୍ୟ ହେବା ଆବଶ୍ୟକ ବୋଲି ସେମାନେ କରୁଥିଲେ। ସେଇଥିପାଇଁ ନୟୀତାଲିମରେ ପରିବେଶର ସ୍ୱଚ୍ଛତା, ପାରମ୍ପରିକ ସଂସ୍କାର, ଶରୀର ଚର୍ଚ୍ଚା ଏବଂ ମୂଲ୍ୟବୋଧର ପରିଚ୍ଛନ୍ନତା ଉପରେ ଜୋର ଦେଉଥିଲେ। ଗ୍ରାମ ଉନ୍ନୟନ, କୁଟୀର ଶିଳ୍ପ ଏବଂ ସମବାୟ ଗାନ୍ଧୀ ବିଚାରର ଅଙ୍ଗ ଥିଲା। ଆମେ ମ୍ୟାକଲେ ଶିକ୍ଷା ବ୍ୟବସ୍ଥାରୁ ଉତୁରିଥିବା ମଧ୍ୟମ ବର୍ଗ ବୁଦ୍ଧିଜୀବୀମାନଙ୍କ ପାଖରେ ଏ ସବୁ ଅଖାଦ୍ୟ ଥିଲା। ସାମ୍ରାଜ୍ୟବାଦୀ ଶିକ୍ଷା ବ୍ୟବସ୍ଥାର ପ୍ରବର୍ତ୍ତକ ମ୍ୟାକଲେଙ୍କ କହିବା ଅନୁସାରେ ଏହି ବ୍ୟବସ୍ଥାରୁ ଉତୁରୁଥିବା ପିଲାମାନେ ଜନ୍ମରେ ଭାରତୀୟ, କିନ୍ତୁ ରୀତିନୀତି, ଚାଲିଚଳଣ ମୂଲ୍ୟବୋଧରେ ଇଂରେଜ। ଏମାନଙ୍କଠାରୁ ଗାନ୍ଧୀ ବିଚାରର ସ୍ୱାଭିମାନ, ସ୍ୱାବଲମ୍ବନ ଓ ସ୍ୱରାଜ ପରି ବିଚାର ଆଶା କରିବା ବୃଥା ।
ଗାନ୍ଧୀ ଇଂରେଜ ବିରୋଧୀ ଥିଲେ, ଇଂରାଜୀ ବିରୋଧୀ ନଥିଲେ। ଇଂରାଜୀକୁ ଏକମାତ୍ର ଜ୍ଞାନ ଓ ବିକାଶର ଭାଷା ରୂପେ ଗ୍ରହଣ କରିବାର ସେ ବିରୋଧୀ ଥିଲେ। ଇଂରାଜୀକୁ ପ୍ରାଥମିକ ଶିକ୍ଷାର ମାଧ୍ୟମ କରିବାର ସେ ବିରୋଧୀ ଥିଲେ। ମାତୃଭାଷା, ରାଜ୍ୟଭାଷା, ଆଞ୍ଚଳିକ ଭାଷା ସହ ତୁଳନା କରି ଇଂରାଜୀକୁ ଉଚ୍ଚବର୍ଗର ମାନ୍ୟତା ଦେବାର ସେ ବିରୋଧୀ ଥିଲେ। ଲଣ୍ଡନରେ ୧୯୩୮ରେ ଗୋଟିଏ ବକ୍ତୃତାରେ ସେ କହିଥିଲେ, ଭାରତର ଗ୍ରାମଶିକ୍ଷା ବ୍ରିଟିଶ ଶିକ୍ଷାଠାରୁ ଉନ୍ନତତର। ଲଣ୍ଡନରେ ପ୍ରତିବାଦର ଢେଉ ଉଠିଲା- ଗାନ୍ଧୀ ତାଙ୍କ କଥାର ପ୍ରମାଣ ଦିଅନ୍ତୁ କିମ୍ବା କ୍ଷମା ମାଗନ୍ତୁ। ଗାନ୍ଧୀ କୌଣସିଟି କଲେ ନାହିଁ। ବ୍ରିଟିଶ ସରକାର ଜଣେ ପଦସ୍ଥ ଅଫିସର ଆମସ ସାହେବଙ୍କୁ ଭାରତୀୟ ଶିକ୍ଷା ବ୍ୟବସ୍ଥା ବିଷୟରେ ରିପୋର୍ଟ ତିଆରି କରିବାକୁ ନିଯୁକ୍ତି କଲେ; କିନ୍ତୁ ତାଙ୍କର ପ୍ରାଥମିକ ରିପୋର୍ଟଗୁଡିକ ଭାରତୀୟ ଶିକ୍ଷା ବ୍ୟବସ୍ଥା ବିଷୟରେ ସକାରାତ୍ମକ ଥିଲା। ଗ୍ରାମ୍ୟ ସ୍କୁଲମାନଙ୍କରେ ଗଣିତ, ସାହିତ୍ୟ, ଦର୍ଶନ, ଆଇନ ଶିକ୍ଷା ଦିଆଯାଉଥିଲା। ଏହିପରି ରିପୋର୍ଟ ହେତୁ ବର୍ଷେ ପୂରୁ ନ ପୂରୁଣୁ ସେ ଭାରତୀୟ ଶିକ୍ଷା ବିଷୟରେ ରିପୋର୍ଟ ଲେଖିବାକୁ ଅଯୋଗ୍ୟ କହି ତାଙ୍କୁ ବ୍ରିଟିଶ ସରକାର ଫେରେଇନେଲେ; କିନ୍ତୁ ତାଙ୍କର ସମ୍ପୂର୍ଣ୍ଣ ରିପୋର୍ଟ ଭାରତରେ ପ୍ରକାଶିତ ହୋଇଥିଲା।
ଭାରତର ସମ୍ବିଧାନ ସଭାରେ ଭାରତୀୟ ଭାଷା ବିଷୟରେ ଆଲୋଚନା ହୋଇନାହିଁ କହିଲେ ଚଳେ। କଂଗ୍ରେସରେ ପାରିତ ହୋଇନଥିଲେ ସୁଦ୍ଧା କିମ୍ବା ସମ୍ବିଧାନ ସଭାରେ ବହୁମତରେ ଗୃହୀତ ହୋଇ ନ ଥିଲେ ସୁଦ୍ଧା ହିନ୍ଦୀ ଇଂରାଜୀ ବିବାଦରେ ଶିକ୍ଷା ବ୍ୟବସ୍ଥା ହୋଇଗଲା। ଗାନ୍ଧୀ ହତ୍ୟା ଗାନ୍ଧୀବାଦର ହତ୍ୟା ହୋଇଗଲା। ରାଜନୈତିକ, ଆର୍ଥିକ, ସାମାଜିକ ଓ ସାଂସ୍କୃତିକ କ୍ଷେତ୍ରରେ ଗାନ୍ଧୀ ଯେଉଁ ପରିବର୍ତ୍ତନ ଚାହୁଁଥିଲେ ସେସବୁ ପଛେଇଗଲା।
ଆମୋସ ରିପୋର୍ଟରୁ ଆରମ୍ଭ କରି ୨୦୧୦ର ନୂଆ ଶିକ୍ଷାନୀତି ପର୍ଯ୍ୟନ୍ତ ବହୁ ରିପୋର୍ଟ ଲେଖା ଯାଇଛି; କିନ୍ତୁ କୌଣସି ରିପୋର୍ଟ ପୂର୍ବବର୍ତ୍ତୀ ରିପୋର୍ଟର କାର୍ଯ୍ୟକାରିତା ବିଷୟରେ ଆଲୋଚନା କରିନାହାନ୍ତି । କରିଥିଲେ ସେମାନେ ଜାଣିପାରିଥାନ୍ତେ କେଉଁ ସୁପାରିସଗୁଡିକ କାର୍ଯ୍ୟକାରୀ ହୋଇନାହିଁ ଏବଂ କଅଣ ପାଇଁ ହୋଇନାହିଁ। କୋଠାରି କମିସନ ସମସ୍ତ ଦେଶ ପାଇଁ ଗୋଟିଏ ସାଧାରଣ ସ୍କୁଲ ବ୍ୟବସ୍ଥା ସୁପାରିସ କରିଥିଲେ। ତାହା କାର୍ଯ୍ୟକାରୀ ହେଲା ନାହିଁ। ସେ ବିଷୟରେ ଦେଶବ୍ୟାପୀ ଆଲୋଚନା ମଧ୍ୟ ହେଲାନାହିଁ।
ଦେଶ ସ୍ୱାଧୀନ ହେବାର ୭୫ବର୍ଷ ହେଲେ ସୁଦ୍ଧା ଦେଶରେ ଗୋଟିଏ ଶିକ୍ଷା ନୀତି ନାହିଁ କି ଭାଷା ନୀତି ନାହିଁ। ୨୦୧୦ର ଶିକ୍ଷାନୀତି ନୂତନ ଶିକ୍ଷାନୀତି, ରାଷ୍ଟ୍ରୀୟ ଶିକ୍ଷାନୀତି ନୁହେ, ଏହା ପାର୍ଲାମେଣ୍ଟ ସ୍ୱୀକୃତ ନୁହେ କିମ୍ବା ସାମ୍ବିଧାନିକ ବ୍ୟବସ୍ଥା ଅନୁସାରେ ରାଜ୍ୟମାନଙ୍କ ଦ୍ୱାରା ସ୍ୱୀକୃତ ନୁହେ। ଏହାର କେନ୍ଦ୍ରୀକରଣ ନୀତି ଫଳରେ ଶିକ୍ଷା ସଂକୁଚିତ ହେଉଛି। ଘରୋଇକରଣ ନୀତି ଫଳରେ ଶିକ୍ଷା ବ୍ୟବସ୍ଥା କର୍ପୋରେଟ କର୍ତ୍ତୃତ୍ବକୁ ଚାଲି ଯାଉଛି। ଇଂରାଜୀ ମାଧ୍ୟମ ସ୍କୁଲ ବଢିବା ଫଳରେ ମାତୃଭାଷା ମରଣମୁହାଁ ହେଉଛନ୍ତି ଏବଂ ଶିକ୍ଷା ସଂକୋଚନର ଗତି ତୀବ୍ର ହେଉଛି। ଆଦର୍ଶ ବିଦ୍ୟାଳୟ, ସ୍ମାର୍ଟ ସ୍କୁଲ, ୫-ଟି ସ୍କୁଲ ଆଦି ସ୍କୁଲର ଶ୍ରେଣୀ ବିଭାଗକୁ ବଢ଼ାଉଛି। ସ୍କୁଲରେ ଯୋଗ୍ୟ ଶିକ୍ଷକ ନାହାନ୍ତି। ଓଡ଼ିଆ ମାଧ୍ୟମରେ ପଢିଥିବା ପିଲାଙ୍କୁ ଇଂରାଜୀ ମାଧ୍ୟମରେ ପଢାଇବା କିମ୍ବା ଇଂରାଜୀ ମାଧ୍ୟମରେ ପଢିଥିବା ପିଲାଙ୍କୁ ଓଡ଼ିଆ ମାଧ୍ୟମରେ ପଢାଇବା ପାଇଁ କହିବାଠାରୁ ଅବାସ୍ତବତା କିଛି ନାହିଁ। ଅଧିକାଂଶ ସ୍କୁଲ କଲେଜ ଏକ ତୃତୀୟାଂଶ ଶିକ୍ଷକରେ ଚାଲିଛି। ଶିକ୍ଷକ ପ୍ରଶିକ୍ଷଣ ପାଇଁ ଯଥେଷ୍ଟ ସ୍କୁଲ ନାହିଁ। ଯାହା ବି ଅଛି ତାହା ବନ୍ଦ କରିଦିଆଯାଉଛି। ମନେ ହେଉଛି ଯେଉଁ ସାର୍ବଜନୀନ ଶିକ୍ଷା ପାଇଁ ଆମେ ସ୍ୱାଧୀନତା ସଂଗ୍ରାମ ଲଢୁଥିଲୁ, ଯାହା ପାଇଁ ଆମେ ଗଣତାନ୍ତ୍ରିକ ବ୍ୟବସ୍ଥାକୁ ଆପଣେଇଥିଲୁ, ତାହା ଆମଠାରୁ ଦୂରେଇଯାଉଛି। ଶିକ୍ଷାର ସଂକୋଚନ, ଭାଷାର ସଂକୋଚନ ଫଳରେ ଗଣତନ୍ତ୍ର ମଧ୍ୟ ସଙ୍କୁଚିତ ହୋଇଯାଉଛି।
ଆଜି ସାକ୍ଷରତା ନିରନ୍ତର ବିକାଶର ଅଙ୍ଗ ରୂପେ ଗ୍ରହଣ କରାଯାଉଛି। ସ୍ଥାନୀୟତାର ବିଚାର ଛଡ଼ା ନିରକ୍ଷରତା ଦୂରୀକରଣର ବିଚାର ଅସମ୍ଭବ। ଗାନ୍ଧୀ ଦକ୍ଷିଣ ଆଫ୍ରିକାରୁ ଫେରି ଭାରତରେ ରାଜନୀତି ଆରମ୍ଭ କରିବା ଆଗରୁ ଗୋଖଲେଙ୍କ ଉପଦେଶ ‘ରାଜନୀତି କରିବା ଆଗରୁ ଭାରତକୁ ଚିହ୍ନ’ ମାନି ଦୁଇବର୍ଷ ଭାରତର ଅନ୍ଧିସନ୍ଧି ବୁଲି ଦେଖିଲେ। ସେ ଏହି ନିଷ୍କର୍ଷରେ ପହଞ୍ଚିଲେ ଯେ ଭାରତୀୟ ସଂସ୍କୃତି ତାର ସାତଲକ୍ଷ ଗାଁରେ ବଞ୍ଚିଛି। ତେଣୁ ସେ ଗ୍ରାମ ସ୍ୱରାଜ ଲେଖିଲେ ଏବଂ ବୁନିଆଦି ଶିକ୍ଷା ଆରମ୍ଭ କଲେ। ଗାନ୍ଧୀହତ୍ୟା ପରେ ସ୍ୱାଧୀନତା ପରବର୍ତ୍ତୀ ନେତାମାନେ ଗ୍ରାମଉନ୍ନୟନ ପରିବର୍ତ୍ତେ ନଗର ଉନ୍ନୟନକୁ ମାନ୍ୟତା ଦେଲେ।
ଆଜି ଜାତୀୟ ନୀତିରେ ମୌଳିକ ସାକ୍ଷରତା ଏବଂ ଭାରତୀୟ ଭାଷାମାନଙ୍କୁ ପ୍ରୋତ୍ସାହନ ବିଷୟରେ ଅନେକ କଥା କୁହାଯାଇଛି; କିନ୍ତୁ ବ୍ୟବସ୍ଥାଗତ ପରିବର୍ତ୍ତନ କରି ଯୋଜନାର କାର୍ଯ୍ୟାନ୍ୱୟନ ପାଇଁ ନିର୍ଦ୍ଦିଷ୍ଟ ପଦକ୍ଷେପ ନିଆଯାଉନାହିଁ। ଗୋଟିଏ ସମୟରେ ଭାରତରେ ସାକ୍ଷରତାର ସୁଅ ଛୁଟିଥିଲା। ସେତେବେଳେ ମୁଁ ବଙ୍ଗଳା, ଆସାମୀ, ମହାରାଷ୍ଟ୍ର ଓ କର୍ଣ୍ଣାଟକରେ ବିଭିନ୍ନ ଭାବରେ ସାକ୍ଷରତା କାମ ସହିତ ଯୁକ୍ତ ହୋଇଥିଲି। ମୋ କାମ ପାଇଁ ମତେ ଜବାହାରଲାଲ ନେେହରୁ ସାକ୍ଷରତା ପୁରସ୍କାର ମିଳିଥିଲା। ଆଜି ଉଭୟ ରାଜ୍ୟମାନଙ୍କରେ ଓ ଦେଶରେ ପ୍ରଚାର ସତ୍ତ୍ୱେ କାମ ଧିମେଇ ଯାଇଛି ।
ପୃଥିବୀରେ ବହୁଭାଷିକ ଶିକ୍ଷାର ପ୍ରସାର ପାଇଁ ଯେଉଁ ଅଳ୍ପ କେତେଜଣ କାମ ଆରମ୍ଭ କରିଥିଲେ ତା ଭିତରେ ମୁଁ ଥିଲି। ୨୦୦୮ରେ ପ୍ରକାଶିତ Social Justice through Multilingual Education ବହିଟି ମୁଁ ଓ ଆମେରିକାର ବନ୍ଧୁ ଜୋସୁଆ ଫିସମାନଙ୍କୁ ଉତ୍ସର୍ଗ କରାଯାଇଛି । ଏଥିରେ ଲେଖାଯାଇଛି, ‘ଏହି ବହିଟି ବହୁଭାଷିକତା ଶିକ୍ଷାର ପ୍ରଚାର ପ୍ରସାର ପାଇଁ ନିରବଚ୍ଛିନ୍ନ ଭାବରେ କାମ କରିଥିବା ପ୍ରେରଣା ଦାୟକ ବିଦ୍ୱାନ ଜୋସୁଆ ଫିସମାନ ଓ ଦେବୀପ୍ରସନ୍ନ ପଟ୍ଟନାୟକଙ୍କୁ ଉତ୍ସର୍ଗ କରାଯାଉଛି। ଏହି ଦୁଇ ମାନବବାଦୀ ବନ୍ଧୁ ଯେଉଁ ଜ୍ଞାନରେ ଆମକୁ ଭାଗୀଦାର କରିଛନ୍ତି, ତାହା ଆସନ୍ତା ବହୁକାଳ ଯାଏ ମାନବ ଜାତିର କଲ୍ୟାଣ ପାଇଁ ବହୁଭାଷିକ ଶିକ୍ଷାକୁ ପ୍ରେରିତ କରିବ । ଏହି ବହିଟି ତାଙ୍କର ଅମୂଲ୍ୟ ଅବଦାନ ଉପରେ ଯଥାର୍ଥ ବହୁଭାଷିକ ଶିକ୍ଷା ସୃଷ୍ଟି କରିବାରେ ସହାୟକ ହେବ। ‘ଭାରତରେ ବହୁଭାଷିକ ଶିକ୍ଷାର ପ୍ରଚାର ପ୍ରସାର ପାଇଁ ଓଡ଼ିଶାର ମନୋବୈଜ୍ଞାନିକ ଭାଷା ବିଜ୍ଞାନ ଉପରେ କାମ ଆରମ୍ଭ କରିଥିବା ଉତ୍କଳ ବିଶ୍ୱବିଦ୍ୟାଳୟର ମନୋବିଜ୍ଞାନ ଅଧ୍ୟାପକ ଅଜିତ କୁମାର ମହାନ୍ତି (ପରେ ଜେଏନ୍ୟୁ ରେ ଵିଭାଗାଧ୍ୟକ୍ଷ ହେଲେ) ଏବଂ ମିନତି ପଣ୍ଡା ମୋ ସାଙ୍ଗରେ ମିଶି ବହୁଭାଷିକ ଶିକ୍ଷା କ୍ଷେତ୍ରରେ କାମ କଲେ। ଓଡ଼ିଶା ସରକାରଙ୍କର ଓପେପା ପାଇଁ ମୁଁ ବହୁଭାଷିକ ଶିକ୍ଷା ବୋଲି ଗୋଟିଏ ବହି ଲେଖିଥିଲି ଯାହା ସେମାନେ ଛପେଇଥିଲେ। ଆମେ ବହୁଭାଷିକ ଶିକ୍ଷକ ପ୍ରଶିକ୍ଷଣ ପାଇଁ ବହୁକାମ କରିଥିଲୁ । ତହିଁରୁ ମହେନ୍ଦ୍ର କୁମାର ମିଶ୍ର ଉତୁରିଥିଲେ। ଏହି କାମ ମଧ୍ୟ ଏବେ ଧିମେଇ ଗଲାଣି ।
ଦୁର୍ଭାଗ୍ୟର କଥା ଏବେ ଭାଷା ବିଜ୍ଞାନ ଓଡ଼ିଶାରୁ ଲୋପ ପାଇବାକୁ ବସିଲାଣି। ଓଡ଼ିଶା ସରକାର ଭାଷା ଯୋଡ଼ି ବିଭାଗର ନାଁ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ କଲେ ସୁଦ୍ଧା କୌଣସି ବିଭାଗରେ ଜଣେ ସୁଦ୍ଧା ଭାଷା ବିଜ୍ଞାନ ଛାତ୍ର ନିଯୁକ୍ତି ପାଇଲେ ନାହିଁ। ଓଡ଼ିଶା ବିଶ୍ୱବିଦ୍ୟାଳୟମାନଙ୍କରେ ଅଣଓଡ଼ିଆ ଜଣେ ଦିଜଣଙ୍କୁ ରଖିଲେ। ଓଡ଼ିଶା ସାହିତ୍ୟ ଏକାଡେମୀରେ ସାହିତ୍ୟ ପାଇଁ ପ୍ରାୟ ୪୦ ପୁରସ୍କାର ଥିଲେ ମଧ୍ୟ ଭାଷା ପାଇଁ ଗୋଟିଏ ସୁଦ୍ଧା ନାହିଁ। ଓଡ଼ିଶା ସରକାରଙ୍କର କୌଣସି ଭାଷା ପରାମର୍ଶଦାତା ନାହାନ୍ତି। ଭାଷା ଓ ଭାଷାବିଜ୍ଞାନ ଅଣଦେଖା ହେବାରେ ଆଶ୍ଚର୍ଯ୍ୟ ହେବାର କଅଣ ଅଛି?
୧୯୬୯ରେ ମୁଁ ଭାରତ ସରକାରଙ୍କର ଭାଷା ବିଭାଗ ଆରମ୍ଭ କଲି। Language policy and planning ବହି ଲେଖିଲି। ଲେଖକ ହିସାବରେ ମୋ ନାଁ ରହିଲେ ସୁଦ୍ଧା ଶିକ୍ଷା ମନ୍ତ୍ରାଳୟ ଏହାର ପ୍ରକାଶକ ହେଲେ। ସେଇ ଦିନୁ ଭାଷାନୀତି ଓ ଶିକ୍ଷାନୀତିର ଇତିହାସ କୌଣସି ବିଦ୍ୱାନ ଲେଖିଥିବା ମୁଁ ଜାଣିନାହିଁ।
ଶିକ୍ଷାନୀତିର ଅତ୍ୟାବଶ୍ୟକ ଶିକ୍ଷଣ ଓ ଗଭୀର ଚିନ୍ତନ ପାଇଁ ପାଠ୍ୟକ୍ରମର ବିଷୟବସ୍ତୁକୁ ହ୍ରାସ ବିଷୟରେ କୁହାଯାଇଛି। ପ୍ରତ୍ୟେକ ବିଷୟର ବିଷୟ ବସ୍ତୁକୁ କମ୍ କରାଯାଇ କେବଳ ଅତ୍ୟାବଶ୍ୟକ ତଥ୍ୟ ଓ ଧାରଣାଗୁଡିକ ରହିବ। ଏହା ଫଳରେ ଶିଶୁମାନଙ୍କୁ ସମୀକ୍ଷାତ୍ମକ ଚିନ୍ତନ କରିବା ପାଇଁ ସୁଯୋଗ ମିଳିବ ଏବଂ ସେମାନଙ୍କର ଶିକ୍ଷଣ ସାମଗ୍ରିକ, ଅନୁସନ୍ଧାନ-ମୂଳକ, ଆବିଷ୍କାର-ମୂଳକ, ଆଲୋଚନାତ୍ମକ ଓ ବିସ୍ଲେଷଣାତ୍ମକ ହେବ(୪.୫) । ଏ ପର୍ଯ୍ୟନ୍ତ Specialisation ନାଁରେ ପାଠ୍ୟକ୍ରମର ସଂକୋଚନ ଚାଲିଆସିଛି। ଆମେ ପଢିଲାବେଳେ ସଂସ୍କୃତ, ପାଲି, ପ୍ରାକୃତ ଓଡ଼ିଆ ଏମ୍ଏ ର ଅଙ୍ଗ ଥିଲା ପରେ ସେଗୁଡିକୁ ଅଲଗା ଅଲଗା କରାଗଲା। ଫଳରେ ପାଲି, ପ୍ରାକୃତ ପଢା ବନ୍ଦ ହୋଇଗଲା ଏବଂ ଓଡ଼ିଆ ପିଲାଏ ସଂସ୍କୃତ, ପାଲି, ପ୍ରାକୃତ ସହିତ ସମ୍ବନ୍ଧ ବୁଝିବାରେ ଅକ୍ଷମ ହେଲେ।
ଶିକ୍ଷାନୀତିରେ ଶିକ୍ଷାର୍ଥୀଙ୍କ ଦ୍ୱାରା ପାଠ୍ୟକ୍ରମ ଚୟନ ପ୍ରକ୍ରିୟା ନମନୀୟ କରି ସେମାନଙ୍କୁ ସଶକ୍ତ କରିବା ଶୀର୍ଷକରେ ଗୋଟିଏ ଧାରା ଯୋଗ କରାଯାଇଛି (୪.୯)। ସେଥିରେ କୁହାଯାଇଛି, ସେମାନଙ୍କ ଆଗ୍ରହ ଅନୁସାରେ ବିଷୟଗୁଡିକୁ ବାଛିବା ପାଇଁ ଅଧିକ ସୁବିଧା ଦିଆଯିବ। ପାଠ୍ୟକ୍ରମ, ଅତିରିକ୍ତ ପାଠ୍ୟକ୍ରମ ଓ ସହ ପାଠ୍ୟକ୍ରମ ମଧ୍ୟରେ ଦୃଢ ବିଭାଜନ ରହିବ ନାହିଁ। ଆମ ଆଖି ଆଗରେ ନୃ-ବିଜ୍ଞାନ ଓ ସମାଜବିଜ୍ଞାନ ଅଲଗା ଅଲଗା ବିଭାଗ ହୋଇଗଲା। ତା ସତ୍ତ୍ୱେ ମହୀଶୂର ବିଶ୍ୱବିଦ୍ୟାଳୟରେ ଜଣେ ନୃ-ବିଜ୍ଞାନୀ ସମାଜବିଜ୍ଞାନ ବିଭାଗର ଏବଂ ଜଣେ ସମାଜବିଜ୍ଞାନୀ ନୃ-ବିଜ୍ଞାନ ବିଭାଗର ଅଧ୍ୟକ୍ଷ ହୋଇଥିଲେ। କଥା ହେଉଛି ଯେ ସ୍ବାତନ୍ତ୍ରୀକରଣ ନାଁରେ ବିଷୟକୁ ସଂକୁଚିତ କାରିବା ଗର୍ହିତ- ଏକଥା ଆମେ ବୁଝିବା ଉଚିତ। ପାଠ୍ୟକ୍ରମ ପ୍ରସ୍ତୁତି ଉପରେ ଏବଂ ଏହାର କାର୍ଯ୍ୟାନ୍ୱୟନ ବିଷୟରେ ଅଧିକ ଧ୍ୟାନ ଦେବା ଯେ ଉଚିତ ଏ ବିଷୟରେ ଅଭିଭାବକ, ଶିକ୍ଷକ ଓ ଶିକ୍ଷାବିତ୍ମାନେ ଚିନ୍ତା କାରିବା ପ୍ରୟୋଜନ।
Comments are closed.