କୃଷକ ବନାମ୍‌ ଆମେ, ସେମାନେ ଓ ଅନ୍ୟମାନେ

ସୁଜିତ କୁମାର ନାଥ

ସ୍ବାଧୀନତାର ଗତ ପଞ୍ଚସ୍ତରି ବର୍ଷ ମଧ୍ୟରେ ଭାରତର ସାମାଜିକ, ଅର୍ଥନୈତିକ ଓ ସାଂସ୍କୃତିକ କ୍ଷେତ୍ରରେ ଆଶ୍ଚର୍ଯ୍ୟଜନକ ଭାବେ ପରିବର୍ତ୍ତନ ହୋଇଛି। ଦେଶର ପ୍ରଥମ ଜନସୁମାରି (୧୯୫୧ ମସିହା) ସମୟରେ ସାଧାରଣ ଭାରତୀୟଙ୍କ ଆୟୁ ୩୨ ବର୍ଷ ଓ ସାକ୍ଷରତା ୧୮ ପ୍ରତିଶତ ଥିଲା; ବର୍ତ୍ତମାନ ତାହା ଯଥାକ୍ରମେ ୬୯ ବର୍ଷ ଓ ୭୮ ପ୍ରତିଶତରେ ପହଞ୍ଚିଛି। ସେହିପରି ଅର୍ଥନୈତିକ ଦୃଷ୍ଟିରୁ ଆକଳନ କଲେ ସେତେବେଳେ କୃଷି, ପଶୁପାଳନ ପରି ପ୍ରାଥମିକ କ୍ଷେତ୍ର ରାଷ୍ଟ୍ରର ସମଗ୍ର ଘରୋଇ ଉତ୍ପାଦକୁ ୫୯ ପ୍ରତିଶତ ଓ ଶିଳ୍ପ, ସେବା ପରି କ୍ଷେତ୍ରରେ ୧୫ ପ୍ରତିଶତ ପ୍ରତିଦାନ ଥିଲାବେଳେ ବର୍ତ୍ତମାନ ତାହା ବସ୍ତୁତଃ ଓଲଟିଯାଇଛି। ଇତିମଧ୍ୟରେ ଏକ ଅନୁନ୍ନତ, ନିର୍ଭରଶୀଳ ରାଷ୍ଟ୍ର ବର୍ତ୍ତମାନ କୃଷିଠାରୁ ଅନ୍ତରୀକ୍ଷ ଗବେଷଣା ପର୍ଯ୍ୟନ୍ତ ସମସ୍ତ ସ୍ଥାନରେ ସ୍ବାବଲମ୍ବନତା ହାସଲ କରିଛି। ସେତେବେଳେ ଜାମ୍‌ସେଦଜୀ ଟାଟା, ଘନଶ୍ୟାମଦାସ ବିରଳାଙ୍କ ପରି ହାତଗଣତି କୋଟିପତି ଥିଲାବେଳେ ଏବେ ଭାରତରେ ଯୁକ୍ତରାଷ୍ଟ୍ର ଆମେରିକା ଚୀନ, ପଛକୁ ସର୍ବାଧିକ ଅରବପତି ବାସ କରୁଛନ୍ତି। ଅପରପକ୍ଷରେ ଗତ ଶତାବ୍ଦୀର ଶେଷ ଦଶନ୍ଧିରେ ଆରମ୍ଭ ହୋଇଥିବା ବଜାରୀକରଣ ଅର୍ଥନୀତି ଭାରତୀୟମାନଙ୍କୁ ଅର୍ଥନୈତିକ ଦୃଷ୍ଟିକୋଣରୁ ବହୁଧା ବିଭକ୍ତ କରିଛି।

ସଂପ୍ରତି ଦେଶର ସାମାଜିକ ଓ ଅର୍ଥନୈତିକ ସ୍ଥିତିକୁ ଭିତ୍ତିକରି ଭାରତୀୟମାନଙ୍କୁ ଚାରିଟି ଗୋଷ୍ଠୀରେ ଭାଗ କରାଯାଇପାରେ। ଏମାନଙ୍କୁ ମଧ୍ୟରୁ ସର୍ବୋଚ୍ଚ ସ୍ଥାନରେ ଥିବା ସର୍ବାଧିକ ବିତ୍ତଶାଳୀ ବ୍ୟକ୍ତିମାନେ ହେଉଛନ୍ତି ମୁଖ୍ୟତଃ ବହୁରାଷ୍ଟ୍ରୀୟ କଂପାନୀର ମାଲିକ, ଶିଳ୍ପପତି, ବ୍ୟବସାୟୀ, ଅଭିନେତା, ଖେଳାଳି ଓ କିଛି ପ୍ରତିଷ୍ଠିତ ବ୍ୟକ୍ତି ମଧ୍ୟ ଏହି ଗୋଷ୍ଠୀରେ ସାମିଲ୍‌ ଅଛନ୍ତି। ଦେଶର ସମୁଦାୟ ଅର୍ଥନୀତିକୁ ଏମାନେ ନିୟନ୍ତ୍ରଣ କରନ୍ତି। ଗତ ଜାନୁଆରୀରେ ଅକ୍ସଫାମରୁ ପ୍ରକାଶିତ ତଥ୍ୟ ଅନୁସାରେ ୨୦୨୦-୨୧ ମସିହା କରୋନା କାଳରେ ଦେଶର ଏକ ପ୍ରତିଶତ ଜନତା ଦେଶର ଚାଳିଶ ପ୍ରତିଶତ ସଂପତ୍ତି ରୋଜଗାର କରିଥିଲେ। କହିବା ବାହୁଲ୍ୟ, ଦେଶ ଅର୍ଥନୀତିର ଉପରିଭାଗରେ ଥିବା ଏହି ଧନୀ ସଂପ୍ରଦାୟ ସାଧାରଣ ଭାରତୀୟଙ୍କ ପରି ଜୀବନଯାପନ କରନ୍ତି ନାହିଁ।

ଏମାନଙ୍କ ପଛକୁ ଆସନ୍ତି ଆମ ପରି ମଧ୍ୟବିତ୍ତ ଗୋଷ୍ଠୀ। ଆର୍ଥିକ ପିରାମିଡର ନିମ୍ନ ପାହାଚରେ ଥିବା କିଛି ସାଧାରଣ ଜନତା ଗତ ତିନି ଦଶନ୍ଧି ମଧ୍ୟରେ ଭାରତର ଅର୍ଥନୈତିକ ଉତ୍‌ଥାନରୁ ସୁଫଳ ପାଇ ନିଜର ଆୟ ବଢ଼ାଇ ମଧ୍ୟବିତ୍ତ ଶ୍ରେଣୀରେ ପରିଣତ ହୋଇଛନ୍ତି। ଉନ୍ନତ ଶିକ୍ଷା, ସ୍ବାସ୍ଥ୍ୟ ଓ ଭିତ୍ତିିଭୂମି ପାଇଁ ଏମାନେ ବହୁ ସଂଖ୍ୟାରେ ଗାଁ ଛାଡ଼ି ଅଧୁନା ସହରରେ ବାସବାସ କରୁଛନ୍ତି। ତଥ୍ୟ ଅନୁସାରେ ୨୦୦୪-୦୫ ମସିହାରେ ଭାରତରେ ଏମାନଙ୍କ ସଂଖ୍ୟା ୧୪ ପ୍ରତିଶତ ଥିଲାବେଳେ ୨୦୨୧-୨୨ରେ ୩୧ ପ୍ରତିଶତ ହେଲାଣି। ଏମାନଙ୍କର ବାର୍ଷିକ ଆୟ ପାଞ୍ଚଲକ୍ଷରୁ ତିରିଶ ଲକ୍ଷ ଟଙ୍କା ମଧ୍ୟରେ। ମୁଖ୍ୟତଃ ସରକାରୀ, ବେସରକାରୀ ଚାକିରିଆ, ଶିକ୍ଷିତ ବର୍ଗ ଓ ସାଧାରଣ ବ୍ୟବସାୟୀମାନେ ଏହି ଗୋଷ୍ଠୀକୁ ପ୍ରତିନିଧିତ୍ବ କରନ୍ତି। ସେମାନଙ୍କର କାର୍ଯ୍ୟଧାରା ଓ ଜୀବନଯାପନ ପ୍ରଣାଳୀ ହିଁ ପ୍ରକୃତ ଭାରତୀୟ ସମାଜର ଚିତ୍ର ପ୍ରଦାନ କରିଥାଏ। ସମାଜରେ ସନ୍ତୁଳନତା ରକ୍ଷାକରିବାରେ ଏହି ମଧ୍ୟବିତ୍ତ ଗୋଷ୍ଠୀ ମୁଖ୍ୟ ଭୂମିକା ଗ୍ରହଣ କରିଥାନ୍ତି।

ଅନ୍ୟ ଏକ ଶ୍ରେଣୀ ଯେଉଁମାନେ ଭାରତବର୍ଷର ଅର୍ଥନୈତିକ ଓ ଭିତ୍ତିିଭୂମି ବିକାଶର ମୁଖ୍ୟ ଅଙ୍ଗ ଅଥଚ ଅବହେଳିତ, ସେମାନେ ହେଲେ ଶ୍ରମିକ ଗୋଷ୍ଠୀ। ଏମାନଙ୍କ ମଧ୍ୟରୁ ୯୩ ପ୍ରତିଶତ ଅଣସଂଗଠିତ। ପ୍ରବାସୀ ଶ୍ରମିକମାନେ ଉତ୍ତମ କର୍ମ ସଂସ୍ଥାନ ଓ ଅଧିକ ଆୟ ଆଶାରେ ନିଜ ଭିଟାମାଟି ଛାଡ଼ିଥାନ୍ତି ବିଭିନ୍ନ ସହରୀ ବସ୍ତି ଓ ଶିଳ୍ପାଞ୍ଚଳରେ ଦୁର୍ବିସହ ଜୀମବନଯାପନ କରୁଥିବା ଏପରି ଶ୍ରମିକମାନଙ୍କର ପ୍ରକୃତ ଚିତ୍ର କରୋନା ମହାମାରୀ ବେଳେ ଲୋକଲୋଚନକୁ ଆସିଲା। ଏକ ଅସୁରକ୍ଷିତ ବାତାବରଣ ମଧ୍ୟରେ ରହି ସେମାନେ ନିଜ ଭବିଷ୍ୟତ ପାଇଁ ସର୍ବଦା ଲଢ଼େଇ କରିଥାନ୍ତି। ଏହି ଗୋଷ୍ଠୀର କିଛି ଅଂଶ ନୂତନ କାରିଗରୀ କୌଶଳ ଶିଖି ନିଜର ଆର୍ଥିକ ସ୍ଥିତିକୁ ମଜ୍‌ଭୁତ କରିପାରିଛନ୍ତି।

ଉପରୋକ୍ତ ତିନିଗୋଷ୍ଠୀ ବ୍ୟତୀତ ବଳକା ଭାରତୀୟ କର୍ମଜୀବୀ ନାଗରିକମାନେ ହେଲେ ମୁଖ୍ୟତଃ କୃଷକ। ସରକାରୀ ନଥି ଅନୁସାରେ ଭାରତର ୫୮ ପ୍ରତିଶତ ଜନତା କୃଷିକ୍ଷେତ୍ର ସହ ପରୋକ୍ଷ ବା ପ୍ରତ୍ୟକ୍ଷ ଭାବେ ଜଡ଼ିତ। ଭାରତୀୟ ସାମାଜିକ ବ୍ୟବସ୍ଥାରେ ସଂପ୍ରତି ଏହି ଗୋଷ୍ଠୀ ହିଁ ସର୍ବାଧିକ ନିଷ୍ପୀଡ଼ିତ, ଏଥିରେ ଅନ୍ୟଥା ନାହିଁ। ଫନି, ହୁଡହୁଡ୍‌, ଫାଇଲିନଠାରୁ ବର୍ତ୍ତମାନ ପଶ୍ଚିମାଝଡ଼ ପର୍ଯ୍ୟନ୍ତ ସମସ୍ତେ ଏମାନଙ୍କର ଜୀବନଜୀବିକାକୁ ପ୍ରଭାବିତ କରିପାରନ୍ତି। ପ୍ରାକୃତିକ ବିପର୍ଯ୍ୟୟକୁ ଛାଡ଼ିଦେଲେ ଢାଞ୍ଚାଗତ ସମସ୍ୟା ଓ ମନୁଷ୍ୟକୃତ ଅବ୍ୟବସ୍ଥାର ସର୍ବାଧିକ ଶିକାର ହୁଅନ୍ତି, ଭାରତୀୟ କୃଷକ ସଂପ୍ରଦାୟ। ପରିବର୍ତ୍ତିତ ପରିସ୍ଥିତିରେ ସମାଜର ସାମାଜିକ ଓ ଅର୍ଥନୈତିକ ପିରାମିଡର ପାଦଦେଶରେ କୃଷକମାନଙ୍କ ସ୍ଥାନ। ‘ବସୁଧୈବ କୁଟୁମ୍ବକମ୍‌’ ବୀଜମନ୍ତ୍ରକୁ ଚରିତାର୍ଥ କରୁଥିବା ଭାରତୀୟ କୃଷକ ତା ଉତ୍ପାଦପାଇଁ ଆବଶ୍ୟକୀୟ ଉତ୍ପାଦନ ଖର୍ଚ୍ଚ ବା ବଜାର ବ୍ୟବସ୍ଥା କିମ୍ବା ବୀମା ସୁବିଧା ପାଏନି। କେତେବେଳେ ୫୧୨ କି‌େ​‌ଲା ପିଆଜକୁ ଦୁଇ ଟଙ୍କାରେ ବିକ୍ରି କରେ ତ ଆଉ କେତେବେଳେ ମୁଣ୍ଡ ଉପରେ ଟମାଟୋ ବୋଝକୁ ଧରି ୨୦ କିଲୋମିଟର ଚାଲିଲା ପରେ କିଲୋ ଦୁଇଟଙ୍କା ବଜାର ଦରଥାଏ। ବହୁ ସମୟରେ ସେମାନଙ୍କୁ ତାଙ୍କ ଫସଲର ବୀମା ଅର୍ଥ ପାଇବା ପାଇଁ ରାଜରାସ୍ତା ଅବରୋଧ କରିବାକୁ ପଡ଼ିଥାଏ। ସେଥିପାଇଁ ଭାରତରେ ବିଚାରପତି, ଜନପ୍ରତିନିଧି, ଯନ୍ତ୍ରୀ, ଡାକ୍ତର, ପ୍ରଫେସର, ବ୍ୟବସାୟୀ, ଖେଳାଳି ଆଦି ସବୁ ବୃତ୍ତିର ନାମକରା ଲୋକମାନେ ନିଜ ବୃତ୍ତି ଉତ୍ତର ପିଢ଼ିକୁ ଦେବାରେ ଖୁସି ଅନୁଭବ କରୁଥିଲାବେଳେ ଜଣେ ଆଗଧାଡ଼ି କୃଷକ ମଧ୍ୟ ନିଜ ପିଲାକୁ କୃଷି କ୍ଷେତ୍ରରେ ବାନ୍ଧି ରଖଇବାକୁ ଚାହେଁନାହିଁ। ସରକାରୀ ତଥ୍ୟ ଅନୁସାରେ ଓଡ଼ିଶା କୃଷକର ଆୟ କୃଷି ଶ୍ରମିକଠାରୁ ବି କମ୍‌। ତାହା ଗତ କେତେବର୍ଷ ହେଲା ବାର୍ଷିକ ୦.୪୫ ପ୍ରତିଶତ ହିସାବରେ ବଢ଼ୁଛି ଏବଂ ସର୍ବଶେଷ ତଥ୍ୟ ଅନୁସାରେ ତାହା ମାସିକ ମାତ୍ର ୫୧୧୨ ଟଙ୍କା। ଏପରି ଆର୍ଥିକ ସ୍ଥିତିରେ କୃଷକର ଭବିଷ୍ୟତ କ’ଣ? କେବଳ ଆୟ ନୁହେଁ, ସେହି ଅନୁସାରେ କୃଷି ଜୀବିକାକୁ ମିଳୁଥିବା ସାମାଜିକ ସ୍ବୀକୃତି ମଧ୍ୟ କୃଷିକୁ ଏକ ଅନାକର୍ଷଣୀୟ ବୃତ୍ତି ଭାବେ ଚିତ୍ରିତ କରିଛି। କୃଷି ସଂଖ୍ୟାଧିକ ଭାରତୀୟଙ୍କର ଜୀବିକାର ମାଧ୍ୟମ ଥିଲେ ମଧ୍ୟ ଏପରି ନୈରାଶ୍ୟଜନକ ସ୍ଥିତି ଏ କ୍ଷେତ୍ରକୁ ଯେ ସଂକଟରେ ନ ପକାଇବ, କିଏ କହିବ? ଭାରତୀୟ ସମାଜର ଏହି ଚାରି ଗୋଷ୍ଠୀ ମଧ୍ୟରେ ଥିବା ଅର୍ଥନୈତିକ ବିଭେଦତା ଭବିଷ୍ୟତରେ ଖାଦ୍ୟ ସଂକଟ ସହ ସାମାଜିକ ବିଶୃଙ୍ଖଳାର କାରଣ ହେବା ଅସମ୍ଭବ ନୁହେଁ। ଅତଏବ ସରକାର କୃଷି ​‌େ​କ୍ଷତ୍ର, କୃଷକର ଆୟ ଓ ସମ୍ମାନ ବୃଦ୍ଧିପାଇଁ ଠୋସ୍‌ ପଦକ୍ଷେପ ନେବା ଜରୁରୀ। ଏହି କ୍ରମରେ ସର୍ବପ୍ରଥମେ ପ୍ରକୃତ କୃଷକକୁ ଚିହ୍ନଟ କରାଯିବାର ପ୍ରକ୍ରିୟା ତ୍ବରାନ୍ବିତ କରାଯାଉ। ସହରରେ ଅବସ୍ଥାପିତ ଜମିଦାରଙ୍କ ଜମି କୃଷକଙ୍କୁ ହସ୍ତାନ୍ତରିତ କରାଯାଉ। ଜମି ସହ ସମସ୍ତ କୃଷି ଆନୁଷଙ୍ଗିକ ଉପାଦାନ ଉପରେ ତା ଅଧିକାରକୁ ସୁନିଶ୍ଚିତ କରାଯାଉ। କୃଷିରେ ନୂତନ ଜ୍ଞାନକୌଶଳକୁ ସୁନିଶ୍ଚିତ କରାଇବାପାଇଁ ଓ ଗ୍ରାମୀଣ ଯୁବକମାନଙ୍କ ମଧ୍ୟରେ ଆଗ୍ରହ ସୃଷ୍ଟି କରିବାପାଇଁ କୃଷି, ପଶୁପାଳନ, ମତ୍ସ୍ୟ, ଜଳସେଚନ ଓ ଋଣ ସଂଲଗ୍ନ କ୍ଷେତ୍ରର ଶିକ୍ଷାର ଓ ଚାକିରିରେ କୃଷକ ପରିବାରର ଛାତ୍ରଛାତ୍ରୀଙ୍କ ପାଇଁ ସ୍ଥାନ ସଂରକ୍ଷଣ କରାଯାଉ। କୃଷି କ୍ଷେତ୍ରରେ ଧନ୍ଦାମୂଳକ ଶିକ୍ଷାପାଇଁ ବିହିତ ବ୍ୟବସ୍ଥା ସହ ଆବଶ୍ୟକୀୟ ଋଣ ପ୍ରଦାନକୁ ସରଳୀକରଣ କରାଯାଉ। ତେବେ ଯାଇ କୃଷି ତା’ର ହୃତ୍‌ଗୌରବ ଫେରିପାଇବ ଓ କୃଷକ ଅନ୍ୟ ଶ୍ରେଣୀର ଜନତାଙ୍କ ସମକକ୍ଷ ଭାବେ ପରିଗଣିତ ହୋଇପାରିବ।

Comments are closed.