www.samajalive.in
Saturday, December 6, 2025
19.1 C
Bhubaneswar

ନିଶ ମାହାତ୍ମ୍ୟ

କୋଇଲିକୁ ମଧୁର ସ୍ବର, କାଉକୁ କର୍କଶ, ସିଂହକୁ କେଶର, ମହାବଳକୁ ଠାଣି, ମୟୂରକୁ ପୁଚ୍ଛ ଓ ମଣିଷକୁ ମୁଛ ବା ନିଶ, ଈଶ୍ବର କାଳେ ବିପରୀତ ଲିଙ୍ଗକୁ ଆକର୍ଷିତ କରିବା ପାଇଁ ଦେଇଛନ୍ତି । ତେଣୁ କିଶୋରାବସ୍ଥା ଦେହକୁ ଛୁଇଁଲେ ନାକ ତଳେ, ଛୋଟ କଳା ପିମ୍ପୁଡ଼ି ପରି ଧାଡିଏ ରୁମ ଗଜୁରିବା ସହ ମନ ଭିତରେ ପ୍ରଜାପତିମାନେ ଉଡ଼ି ବୁଲନ୍ତି। ଖୁବ୍ ଚଞ୍ଚଳଚଞ୍ଚଳ ତାହା ଗହଳ ହୋଇ ପୁରୁଷ ପିଲା ଭିତରେ ପୌରୁଷର ଅଭିମାନ ସୃଷ୍ଟି କରନ୍ତି। ସେଇ ନିଶ ହଳକ ହୋଇଯାଏ ପୁରୁଷ ପିଲାର ଇଜ୍ଜତ୍। କଥା କଥାକେ ସେ ନିଜ ନିଶର ବାଜି ଲଗାଏ। କହେ, ଏପରି ନକରି ପାରିଲେ ମୋ ନିଶ କାଟି ଦେବି। ଆଉ ଯୋଉ ଲୋକକୁ ଅପମାନ ଦେବାର ଥାଏ, ଲୋକେ ତାର ହଳେ ନିଶ କାଟି ଗାଁ ଦାଣ୍ଡରେ ବୁଲାନ୍ତି। ହେଲେ ଯେଉଁ ଲୋକର ନିଶ ଉଠିବାକୁ ଡେରି ହୁଏ ବା ସେତେ ଘଞ୍ଚ ହୁଏନା, ତାର ଦୁଃଖ କହିଲେ ନସରେ। ନଡ଼ିଆତେଲଠାରୁ ନେଇ ଘିଅ ପର୍ଯ୍ୟନ୍ତ, ଡାକ୍ତରଙ୍କଠାରୁ ନେଇ ବଇଦ ଯାକେ ଅନେକ ଉପଚାର କରିବାକୁ ସେ ହୋଇଯାଏ ତୟାର। ସାଙ୍ଗ ସାଥୀଙ୍କ ଟାହିଟାପରା ବି ତାକୁ ସହିବାକୁ ପଡ଼େ। ଟିକେ ଟିକେ କଥାରେ ସେମାନେ ତାକୁ, ଅଣପୁରୁଷା କହି ଚିଡ଼ାନ୍ତି।

ଏଇ କିଛିମାସ ତଳେ ଯେତେବେଳେ ଉଇଙ୍ଗ କମାଣ୍ଡର ଅଭିନନ୍ଦନ ପାକିସ୍ତାନ ସେନାର ପିଛା କରି ପାକିସ୍ତାନ ଯାଇ ପୁଣି ଜୀବନ ଧରି ଫେରି ଆସିଲେ, ଗାଁ ଠାରୁ ନେଇ ସହର ଯାଏ ତାଙ୍କରି ଚର୍ଚ୍ଚା ଚାଲିଲା। ନାକ ତଳେ ତାଙ୍କର ଥିଲା ହଳେ ଦେଖିଲା ଭଳି ନିଶ। ତେବେ ଆପଣ ଆଜ୍ଞା ଶୁଣିଲେ ଆଶ୍ଚର୍ଯ୍ୟ ହେବେ ଯେ, ନିଶର ପୁଣି ପ୍ରକାରଭେଦ ଅଛି। ହିଟଲର ଆଉ ଚାର୍ଲି ଚାପଲିନ ରଖିଥିଲେ ପ୍ରଜାପତିଆ ନିଶ। କାହାର ଦାନ୍ତ ଘସା ବ୍ରସ ତ କାହାର ସାଇକେଲ୍‌ର ହ୍ୟାଣ୍ଡେଲ ପରି, ଆଉ କାହାର ପୁଣି ବାଘୁଆ ନିଶ । ନିଶ ଯେମିତିକା ହୋଇଥିଲେ ବି ତାକୁ ରଖିଥିବା ବ୍ୟକ୍ତି ପାଇଁ ତାହା ଗର୍ବର ବିଷୟ ହୋଇଥିଲାବେଳେ, ଦେଖୁଥିବା ଲୋକ ସେଇ ନିଶକୁ ନେଇ ବ୍ୟକ୍ତିତ୍ୱର ଆକଳନ କରନ୍ତି। ଆଉ ଯଦି ଆପଣ ପୁଲିସ ବା ମିଲିଟାରୀ ଚାକିରିରେ ଅଛନ୍ତି, ତେବେ ଆପଣଙ୍କ ନିଶ ତ ଆପଣଙ୍କ ପୋଷାକର ଗୁରୁତ୍ବକୁ ଆହୁରି ବଢ଼ାଇ ଦିଏ। ଶୁଣିଲେ ଆଶ୍ଚର୍ଯ୍ୟ ହେବେ ଯେ ଉତ୍ତର ପ୍ରଦେଶରେ ପୁଲିସମାନଙ୍କୁ ତାଙ୍କ ନିଶର ରକ୍ଷଣାବେକ୍ଷଣ ପାଇଁ ଦରମା ସହିତ ଅଧିକ କିଛି ଟଙ୍କା ସରକାର ଯୋଗାଇ ଦିଅନ୍ତି; କିନ୍ତୁ ନିଶକୁ ଯେ ସମସ୍ତେ ପସନ୍ଦ କରିବେ ଏପରି କିଛି ମାନେ ନାହିଁ। ନିଜକୁ ଯୁବ ସୁଲଭ ଦେଖାଇବା ପାଇଁ ଅନେକେ ନିଜ ନିଶ ଚାଞ୍ଛି ପକାନ୍ତି। ବିଶେଷ କରି ସିନେମାରେ ପ୍ରେମିକର ଅଭିନୟ କରୁଥିବା ଅଭିନେତାମାନେ ନିଶ କାଟି ଚକଲେଟ୍ ହିରୋ ହୋଇଯାଆନ୍ତି।

- Advertisement -

ତେବେ ରାଜସ୍ଥାନ ଯାଇଥିଲାବେଳେ ସେଠି ସବୁ ଲୋକଙ୍କୁ, ପାଟି ପାଖରୁ ମୋଡ଼ି ହୋଇ ନିଶଟି ଉପରକୁ ଉଠିଥିବାର ଦେଖି ଏପରି ନିଶର କାରଣ ପଚାରିବାରୁ ଉତ୍ତର ମିଳିଥିଲା, “ଆମେ ରାଜପୁତ, ଆମ ନିଶ ହେଲା ଆମର ସ୍ୱାଭିମାନ, ତାହା ସବୁବେଳେ ଉପରକୁ ହୋଇ ରହିବ”। ଆଉ ଆପଣ ଜାଣନ୍ତି, ପୃଥିବୀର ସବୁଠାରୁ ଲମ୍ବା ନିଶ ବି ରାଜସ୍ଥାନ ଜୟପୁରର ବାସିନ୍ଦା ରାମ ସିଂ ଚୌହାନଙ୍କର। ପୂରା ଚଉଦ ଫୁଟ ଲମ୍ବା ସେ ନିଶ ଗିନିଜ୍ ବୁକ୍ ଅଫ ୱାର୍ଲ୍ଡ ରେକର୍ଡରେ ସ୍ଥାନ ପାଇଚି। ମାତ୍ର ଆଚମ୍ବିତ ହେଲି ସେତେବେଳେ, ଯେତେବେଳେ ସେଇ ରାଜସ୍ଥାନର ପାଲି ଜିଲାର କଥା ଶୁଣିଲି। ସେଠାକାର କୁମାୱତ ନାମକ ସମ୍ପ୍ରଦାୟରେ ଗୋଟିଏ ଅଦ୍ଭୁତ ନିୟମ ଅନୁଯାୟୀ ବିବାହ କରିବାକୁ ଇଚ୍ଛୁକ ବରପାତ୍ରଟି ମୁହଁଟିକୁ ସମ୍ପୂର୍ଣ୍ଣ ଚିକ୍କଣ କରିବା ଆବଶ୍ୟକ ଏବଂ ଏହି କଥାକୁ ସେହି ଜିଲାର ଉଣେଇଶଟି ଗ୍ରାମରେ କଡ଼ାକଡ଼ି ଭାବେ ପାଳନ କରାଯାଏ। ହେଲେ ଗୁଜରାଟରେ ଚବିଶ ବର୍ଷୀୟ ଦଳିତ ଯୁବକକୁ ରାଜପୁତମାନେ ଲହୁଲୁହାଣ କରି ପକାଇଥିଲେ କେବଳ ଧାଡ଼ିଏ ସୁଦୃଶ୍ୟ ନିଶ ରଖିବା ଯୋଗୁଁ। ଆଉ ତେଲଙ୍ଗାନାର ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓ ଷାଠିଏ ହଜାର ଟଙ୍କାର ଗୋଟିଏ ଖାଣ୍ଟି ସୁବର୍ଣ୍ଣର ନିଶ ଦାନ କରିଥିଲେ କୁରଭି ବୀରଭଦ୍ର ସ୍ବାମୀ ମନ୍ଦିରକୁ। ଆମର ପୂଜ୍ୟ ନୀଳକଣ୍ଠ ଦାସଙ୍କ ନିଶ ଆନ୍ଦୋଳନ ବିଷୟରେ କିଏ ବା ନଜାଣେ! ନିଶ ରଖି ତାଙ୍କୁ ତତ୍କାଳୀନ ବ୍ରାହ୍ମଣ ସମାଜର ରୋଷର ଶିକାର ହେବାକୁ ପଡ଼ିଥିଲା ପରା।

ତେବେ ମାନସିକ କରି ଲୋକେ ନିଶ ଦାଢ଼ି ଛାଡ଼ି ଦିଅନ୍ତି ଶୁଣିଥିଲି, କିନ୍ତୁ ମାନସିକ କରି ଅଧା ନିଶ ଅଧା ଦାଢି କାଟି ପକାଇବା ଶୁଣିଲି ଏଇ ପ୍ରଥମ। ଦକ୍ଷିଣ ଅାଫ୍ରିକାର କ୍ରିକେଟ ତାରକା ଜାକ୍ କାଲିସ୍ ଗଣ୍ଡାମାନଙ୍କ ସୁରକ୍ଷା ଓ ଗଲ୍ଫର ବିକାଶ ପାଇଁ ଏପରି କରିଛନ୍ତି ବୋଲି କହନ୍ତି। ଚଉରାଳିଶ ବର୍ଷୀୟ ଜାକ୍ କାଲିସ୍ ‘ସେଭ ଦି ରାଇନୋ’ ନାମକ ଚାଲେଞ୍ଜକୁ ଗ୍ରହଣ କରି ଏପରି କରିଛନ୍ତି ଓ ଗଣ୍ଡାମାନଙ୍କ ପାଇଁ ପାଣ୍ଠି ଯୋଗାଡରେ ମଧ୍ୟ ଲାଗିଛନ୍ତି। ତାଙ୍କର ଏହି ଅଭିଯାନ ସଫଳ ହେଉ ଓ ସେ ପୁଣି ପୂରା ନିଶଦାଢି ରଖିବାର ସୌଭାଗ୍ୟ ଅର୍ଜନ କରନ୍ତୁ ବୋଲି ଆମେ ଆଶା କରିବା।

ଏମିତି ତ ନିଶ କଥା କହୁଥିଲେ ସରିବନି। ତେବେ ମଜା କଥା ହେଉଛି ଗହଳ ନିଶ ହଳେ ଥିବା ପୁରୁଷଙ୍କୁ ଅଧିକ ପରିପକ୍ୱ ଓ ଶକ୍ତିଶାଳୀ ବ୍ୟକ୍ତିତ୍ୱ ଭାବେ ମହିଳାମାନେ ଗ୍ରହଣ କରନ୍ତି ବୋଲି ବିଶେଷଜ୍ଞମାନଙ୍କ ମତ। ହେଲେ ନିଶ ରଖିଥିବା, ନିଶକୁ ଭଲ ପାଉଥିବା, ନିଶର ପ୍ରେମରେ ପାଗଳ ହୋଇଥିବା, ନିଶକୁ ନିଜ ଜୀବନର ଅମୂଲ୍ୟ ରତ୍ନ ମନେ କରୁଥିବା ଲୋକଙ୍କ ପାଇଁ ମୁଣ୍ଡ ପଛେ ଚନ୍ଦା ହୋଇଯାଉ, କିନ୍ତୁ ‘ମୁଛ୍ ନେହିଁ ତୋ କୁଛ୍ ନେହିଁ’।

Hot this week

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

Related Articles

Popular Categories