ଥେମ୍ସ ନଦୀର କୂଳେ କୂଳେ
ଲଣ୍ଡନ। ପିଲାମାନଙ୍କ ସହ ଖରାଛୁଟିରେ କିଛିଦିନ ଲଣ୍ଡନ ସହରରେ କଟାଇବାର ଯୋଜନା ଥିଲା ଏଥର। କେଉଁ କେଉଁ ଦର୍ଶନୀୟ ସ୍ଥାନ, ମ୍ୟୁଜିୟମ (ସଂଗ୍ରହାଳୟ) ଇତ୍ୟାଦି ଯିବାକୁ ହେବ ତା’ର ଏକ ଲମ୍ବା ତାଲିକା ପ୍ରସ୍ତୁତ କରିଥାନ୍ତି ପିଲାମାନେ ଇଣ୍ଟରନେଟ୍ ଦେଖି।
ଇଣ୍ଟରନେଟ୍ର ଅନେକ ପୂର୍ବରୁ, ପୁରୁଣା ଆଲମିରା ଭିତରେ ଥିବା ଖବରକାଗଜ, ମାଗାଜିନ୍ସ ଏବଂ ଇତିହାସ ବହିର କଳାଧଳା ଚିତ୍ରରେ ଲଣ୍ଡନ ସହରର ଅନେକ ରାସ୍ତା, ଗଳି, ଯାନବାହନ, ଘୋଡ଼ାଗାଡ଼ି ଏପରିକି ଜୀବନଯାତ୍ରାର ଚିତ୍ରସହ ପରିଚିତ ଥିଲି ମୁଁ।
ଭାରତ ଇତିହାସର ଲମ୍ବା ପୃଷ୍ଠାରେ ଦୀର୍ଘ ଦୁଇଶହ ବର୍ଷ ବ୍ରିଟିଶ ଶାସନର ସ୍ବାକ୍ଷର। ସ୍ବାଧୀନତା ସଂଗ୍ରାମୀ ଅଜାଙ୍କର ଗୋଡ଼ରେ ବ୍ରିଟିଶ ଲାଠିମାଡ଼ର ଗହୀରା ଦାଗର କାହାଣୀ ଭିତରେ ଲଣ୍ଡନ ସହରକୁ ଭେଟିଥିଲି ମୁଁ ପିଲାଦିନେ। ଆଉ ଆଜି- ଲଣ୍ଡନ ସହରର ମାଟିରେ ସେଦିନର କଳାଧଳା ଚିତ୍ରର ରଙ୍ଗିନ ଜୀବନ୍ତ ରୂପକୁ ଦେଖୁଥିଲି ସାମ୍ନାରେ।
ଥେମସ୍ ନଦୀର କୂଳେ କୂଳେ ଚାଲିଥିଲୁ ଆମେ। ବେଶ୍ ଭିଡ଼ ଟୁରିଷ୍ଟମାନଙ୍କର। ମହାମାରୀ କୋଭିଡର ଭୟ ମନ ଭିତରୁ ଲିଭି ଆସିଲାଣି ସଭିଙ୍କର। ମାସ୍କ ପିନ୍ଧିଥିବା ମୁହଁ ବିରଳ ପ୍ରାୟ। ଆଗରେ ‘ଟାୱାର ଅଫ ଲଣ୍ଡନ’ ପାଇଁ ଲମ୍ବାଧାଡ଼ି। ଲଣ୍ଡନର କୋହଲା ପାଗ ଓ ଲଣ୍ଡନର ବର୍ଷା ବିଷୟରେ ଶୁଣିଥିଲି ହେଲେ ଆଜି ବିପରୀତ। ଅସ୍ବାଭାବିକ ଗରମ ଲଣ୍ଡନରେ ଏବର୍ଷ (୨୦୨୨)। ତାପମାତ୍ରା ୪୦ ଡିଗ୍ରୀ ଛୁଇଁବାର ଆଶଙ୍କାରେ ସହରବାସୀ ଆତଙ୍କିତ। ଏତେ ଉଚ୍ଚ ତାପମାତ୍ରା ଲଣ୍ଡନରେ ଆଗରୁ କେବେ ବି ଅନୁଭୂତ ହୋଇନାହିଁ। ସମୟ ସହ ବଦଳୁଛି ଉତ୍ତାପ। ବଦଳିଯାଉଛି ଋତୁ। ଲଣ୍ଡନର ବିଶ୍ବପ୍ରସିଦ୍ଧ ଐତିହାସିକ ସୁରକ୍ଷିତ ଦୁର୍ଗ। ରାଜପ୍ରାସାଦ ଏବଂ କୁଖ୍ୟାତ ବନ୍ଦୀଶାଳା ଭାବେ ପରିଚିତ ‘ଟାୱାର ଅଫ୍ ଲଣ୍ଡନ’ ବ୍ରିଟିଶ ଇତିହାସର ସୁଦୀର୍ଘ ହଜାର ବର୍ଷର ମୌନ ସାକ୍ଷୀ। ଭୟ ଓ ବିସ୍ମୟର ପ୍ରତୀକ ଭାବେ ଦଣ୍ଡାୟମାନ ଏହି ଦୁର୍ଗର ବିଶିଷ୍ଟ ଭୂମିକା ରହିଛି ବ୍ରିଟିଶ ଇତିହାସରେ। ରାଜା ଏବଂ ରାଜପରିବାରକୁ ସୁରକ୍ଷା ଦେବାଲାଗି ନିର୍ମିତ ଏହି ଦୁର୍ଗ ପରବର୍ତ୍ତୀ ସମୟରେ ବିଳାସପୂର୍ଣ୍ଣ ରାଜପ୍ରାସାଦରେ ପରିଣତ ହୋଇଥିଲା।
ଇତିହାସର ଅନେକ ଆବେଗ, ଯନ୍ତ୍ରଣା, ବିଶ୍ବାସଘାତକତା ଏବଂ ନିର୍ଯାତନାର କାହାଣୀ ଜୀବନ୍ତ ହୋଇରହିଛି ଏହି ଦୁର୍ଗର ମଜବୁତ୍ ପ୍ରାଚୀର ଭିତରେ। ରାଜ୍ୟ ଜୟ କରିବାର ଆକାଙ୍କ୍ଷା, କ୍ଷମତା ହାସଲ କରିବାର ଆଦିମ ପିପାସା ମଣିଷକୁ କିଭଳି ଅମାନୁଷିକ କାର୍ଯ୍ୟ କରିବାର ରାସ୍ତାକୁ ଠେଲିନିଏ ତା’ର ଭୟାନକ, କରୁଣ, ମର୍ମସ୍ପର୍ଶୀ କାହାଣୀ ପ୍ରତିଧ୍ବନିତ୍ବ ହୁଏ ଦୁର୍ଗର ସୁଡଙ୍ଗଗୁଡ଼ିକ ଭିତରୁ।
‘ଟାୱାର ଅଫ୍ ଲଣ୍ଡନ’ର ମୁଖ୍ୟ ଜନପ୍ରିୟ ଆକର୍ଷଣ ହେଉଛି ‘କ୍ରାଉନ ଜୁଏଲ ହାଉସ’ ବ୍ରିଟିଶ ରାଜପରିବାରର ବହୁମୂଲ୍ୟ ମୁକୁଟ ଓ ଆଭୂଷଣ ସବୁକୁ ସୁରକ୍ଷିତ ଭାବରେ ସାଇତି ରଖାଯାଇଛି ଏହିଠାରେ। ରାଜ୍ୟାଭିଷେକ ସମୟରେ ରାଜାରାଣୀ ପିନ୍ଧିଥିବା ରତ୍ନଖଚିତ ମୁକୁଟ, ଖଣ୍ଡା, ଆଭୂଷଣ ଇତ୍ୟାଦିକୁ ଜନସାଧାରଣଙ୍କ ଅବଲୋକନ ପାଇଁ ପ୍ରଦର୍ଶନ କରାଯାଇଛି।
ଆଖିଝଲସି ଉଠିଲାଭଳି ରତ୍ନ ଅଳଙ୍କାର ଖଚିତ ମୁକୁଟର ଲମ୍ବା ଧାଡ଼ିର ଶେଷରେ ଅଟକି ଗଲା ପାଦ। ରାଣୀ ଏଜିଲାବେଥଙ୍କ ମୁକୁଟରେ ଝଟକୁଥିଲା କୋହୀନୁର। ବ୍ରିଟିଶ ଅଧୀନ ଭାରତ ଇତିହାସର ଅନ୍ୟ ଏକ ପୃଷ୍ଠା-
ପଞ୍ଜାବ କେଶରୀ ରଣଜିତ ସିଂଙ୍କ ପଗଡ଼ିରେ ଝଟକୁଥିବା ବିଶ୍ବପ୍ରସିଦ୍ଧ କୋହୀନୁର ସାରା ପୃଥିବୀର ସବୁଠାରୁ ମୂଲ୍ୟବାନ ହୀରା (୧୦୫.୬ କ୍ୟାରେଟ) । ଆନ୍ଧ୍ରପ୍ରଦେଶର କୋଲୁର ଖଣିରୁ କୋହୀନୁରର ଉତ୍ପତ୍ତି ବୋଲି କୁହାଯାଏ।
୧୮୪୯ ମସିହାରେ ବ୍ରିଟିଶ ଇଷ୍ଟଇଣ୍ଡିଆ କମ୍ପାନୀ ପଞ୍ଜାବ ଅକ୍ତିଆର କରିବା ସମୟରେ ହସ୍ତଗତ କରିଥିଲେ କୋହୀନୁର।
ଲେଖାଅଛି- ଇଷ୍ଟଇଣ୍ଡିଆ କମ୍ପାନୀ ପଞ୍ଜାବ ଜୟ କରିବାବେଳେ ପଞ୍ଜାବର ତତ୍କାଳୀନ ରାଜା, ବ୍ରିଟେନର ରାଣୀ ଭିକ୍ଟୋରିଆଙ୍କୁ ‘କୋହୀନୁର’ ଉପହାର ସ୍ବରୂପ ପ୍ରଦାନ କରିଥିଲେ।
ରାଜ୍ୟ ଜୟ କରିବାପାଇଁ କରାଯାଉଥିବା ଯୁଦ୍ଧର ଲକ୍ଷ୍ୟ ରାଜ୍ୟକୁ ଲୁଣ୍ଠନ କରିବା ଅଥବା ରାଜ୍ୟକୁ ଅକ୍ତିଆରକୁ ଆଣିବା। ରାଜାଟିଏ ରାଜ୍ୟ ହରାଇବା ପରେ ବହୁମୂଲ୍ୟ ଉପହାର ଦେବାର ଉକ୍ତି କେତେଦୂର ଗ୍ରହଣଯୋଗ୍ୟ ତାହା ଆଜି ବି ପ୍ରଶ୍ନବାଚୀ ହୋଇ ରହିଛି।
ସୁସୁରକ୍ଷିତ କାଚ ବାକ୍ସ ଭିତରେ ବାକ୍ରୁଦ୍ଧ ଇତିହାସ। ଝଟକୁଥିଲା ‘କୋହୀନୁର’ ରାଣୀ ଏଜିଲାବେଥଙ୍କ ମୁକୁଟରେ।
ଆଖି ତଳକୁ କରି ଆଗକୁ ପାଦ ବଢ଼ାଇଲି। ସୌନ୍ଦର୍ଯ୍ୟମୟ ଲଣ୍ଡନ। ଥେମସ୍ ନଦୀର କୂଳେକୂଳେ ଟାୱାର ଅଫ ଲଣ୍ଡନ, ଲଣ୍ଡନ ଆଏ, ବିଗବେନ୍ ବ୍ରିଜ୍ସ, ୱେଷ୍ଟମିନିଷ୍ଟର ଆବେର ମନଲୋଭା ଦୃଶ୍ୟ। ସନ୍ଧ୍ୟା ନଇଁ ଆସୁଥାଏ। ଥେମସ୍ ନଦୀରୁ ଥଣ୍ଡା ପବନର ହାଲୁକା ସ୍ପର୍ଶର ଅନୁଭବ। ଆଃ, ମାଟି, ପାଣି ଓ ପବନର ସସ୍ନେହ ପରଶ। ବୁଜି ହୋଇଆସିଲା ଆଖି। ମନେପଡ଼ୁଥିଲା ପିଲାଦିନର କଥା- ତାରା ଭରା ଆକାଶ। ଖୋଲା ଦୁଆର ମଝିରେ ପଡ଼ିଥିବା ସଉପ ଉପରେ ବସି ସାନମାଉସୀ ସ୍ବାଧୀନତା ସଂଗ୍ରାମୀମାନଙ୍କର କାହାଣୀ କୁହନ୍ତି। ମାଉସୀଙ୍କ କୋଳରେ ମୁଣ୍ଡରଖି ଆକାଶକୁ ଚାହିଁ କାହାଣୀ ଶୁଣେ ମୁଁ। ଦେଶଭକ୍ତ ସଂଗ୍ରାମୀ ଉଦ୍ଦାମ ସିଂଙ୍କ ଉପରେ ଲିଖିତ ଅଗ୍ନିବର୍ଷୀ କବିତାର ପଙ୍କ୍ତି ଥରିଉଠେ ମାଉସୀଙ୍କ ଗମ୍ଭୀର ସ୍ବର ଭିତରେ। ଶବ୍ଦର ତାଳେତାଳେ ଟାଙ୍କୁରି ଉଠେ ଲୋମ ମୂଳ।
‘ଜନ୍ମଦା ମୋର ଭାରତ ଭୂଇଁର
ବହୁଦୂରେ ସାଥୀ ବହୁଦୂରେ
ବନ୍ଦୀ ମୁଁ ଆଜି ଉଦ୍ଦାମ ସିଂ
ଏଇ ଲଣ୍ଡନ କାରାପୁରେ
ସମ୍ମୁଖେ ମୋର ଫାଶୀ ଖୁଣ୍ଟ
ଶିଖ ସନ୍ତାନ ଜଣାଉଛି ଆଜି
ଭାରତ ମାତାର ଜୟପାଠ।’
୧୯୧୯ ମସିହା ଏପ୍ରିଲ ୧୩ ତାରିଖ। ପଞ୍ଜାବର ଜାଲିୱାନାୱାଲାବାଗଠାରେ ରୁଣ୍ଡ ହୋଇଥିଲେ ଶହଶହ ସାଧାରଣ ଜନତା। ବୈଶାଖୀ ଅବସର। ତତ୍ସହିତ କିଛି ନାମୀ ସଂଗ୍ରାମୀମାନଙ୍କ ଗିରଫ ପ୍ରତିବାଦରେ ଏକ ଶାନ୍ତିପୂର୍ଣ୍ଣ ସମାବେଶର ଆୟୋଜନ ମଧ୍ୟ କରାଯାଇଥିଲା। ହଠାତ୍ ବ୍ରିଗେଡିୟର ଜେନେରାଲ ଡାଏରଙ୍କ ସେନା ଘେରାଉ କରିଥିଲା ଜନସମାବେଶକୁ। ବ୍ରିଟିଶ ଶାସନ ସମୟର ବର୍ବରତା ସମସ୍ତ ସୀମା ଲଙ୍ଘନ କରିଥଲା।
ଡାଏରଙ୍କ ନିର୍ଦେଶରେ ନିରୀହ, ନିରସ୍ତ୍ର ଜନତାଙ୍କ ଉପରକୁ ଛୁଟିଥିଲା ଗୁଳି। ଗୋଟିଏ ମାତ୍ର ପ୍ରସ୍ଥାନ ଦ୍ବାର ପାଖରେ ମଧ୍ୟ ହାତରେ ବନ୍ଧୁକ ଧରି ଜଗି ରହିଥିଲେ ସିପାହି। ଜୀବନ ବଞ୍ଚାଇବା ପାଇଁ ଧାଇଁବାକୁ ଆରମ୍ଭ କରିଥିଲେ ଭୟଭୀତ ଜନତା। ଚାରିଆଡ଼ୁ ଘେରି ରହିଥିଲା ମୃତ୍ୟୁ। ଶହଶହ ନିରୀହ ଜୀବନ ଟଳି ପଡ଼ୁଥିଲା ମାଟିଉପରେ। ବୃଦ୍ଧ, ମହିଳା, ଶିଶୁ- କାହାରିକୁ ବି ବାଦ୍ ଦିଆଯାଇ ନଥିଲା। ଗୁଳି ସରିବା ପର୍ଯ୍ୟନ୍ତ ବନ୍ଧୁକ ଚାଳନା ଜାରି ରଖିବାର ଉଗ୍ର ଓ ଶକ୍ତ ଆଦେଶ ଥିଲା ଡାଏରଙ୍କର।
ବନ୍ଧୁକରୁ ଛୁଟି ଚାଲିଥିଲା ଗୁଳି ଅବିଶ୍ରାନ୍ତ ଭାବେ । ରକ୍ତର ସୁଅରେ ଓଦା ହୋଇଯାଇଥିଲା ଜାଲିୱାନାୱାଲାବାଗର ମାଟି। ଲିଭି ଯାଇଥିଲା ଶହଶହ ଜୀବନ ଦୀପ ମାତ୍ର କିଛି କ୍ଷଣ ଭିତରେ। ସେ ଦିନର ସେଇ ନିର୍ମମ, ବର୍ବର ନରସଂହାରର ଦୃଶ୍ୟକୁ ନିଜ ଆଖି ସାମ୍ନାରେ ଘଟିବାର ଦେଖିଥିଲେ ଉଣେଇଶ ବର୍ଷର ଯୁବକ ଉଦ୍ଦାମ ସିଂ। ସଂଗ୍ରାମୀ ଯୁବକର ରକ୍ତ ତାତି ଉଠିଥିଲା ସେଦିନ। ଶହ ଶହ ନିରୀହ ଜନତାଙ୍କୁ ହତ୍ୟା କରିଥିବା ହତ୍ୟାକାରୀଙ୍କୁ ଜୀବନରୁ ମାରିଦେବାର ସଂକଳ୍ପ ନେଇଥିଲେ ଉଦ୍ଦାମ ସିଂ। ଦେଶପ୍ରେମୀ ସଂଗ୍ରାମୀର ପଣ ପାଲଟି ଯାଇଥିଲା ଜୀବନର ଲକ୍ଷ୍ୟ ରୂପେ।
ଜାଲିୱାନାୱାଲାବାଗର ନରହତ୍ୟା ଘଟଣାକୁ ଦେଶ ଓ ବିଦେଶରେ ଖୁବ୍ ନିନ୍ଦା କରାଯାଇଥିଲା। ତେବେ ପଞ୍ଜାବର ତତ୍କାଳୀନ ଗଭର୍ଣ୍ଣର ମାଇକେଲ ଓ’ଡୋୟର ଜେନେରାଲ ଡାଏରଙ୍କର ଏହି ନିର୍ମମ ନିର୍ଦେଶକୁ ପୂର୍ଣ୍ଣ ସମର୍ଥନ ଜଣାଇଥିଲେ।
ଦୀର୍ଘ କୋଡ଼ିଏ ବର୍ଷ ଧରି ପ୍ରତିଶୋଧର ଅଗ୍ନିକୁ ଜଳାଇ ରଖିଥିଲେ ଉଦ୍ଦାମ ସିଂ ନିଜ ଭିତରେ। ବହୁ ଚେଷ୍ଟା ପରେ ପହଞ୍ଚିଥିଲେ ଲଣ୍ଡନରେ। ଲଣ୍ଡନ ମାଟିରେ ଭେଟିଥିବା ସାଧାରଣ ଜନତାଙ୍କୁ ସେ ବନ୍ଧୁ ଭାବରେ ଗ୍ରହଣ କରିଥିଲେ। ନିଷ୍ଠୁର ନିର୍ମମ କ୍ଷମତା ଲୋଭୀ ଶାସକ ଓ ସାଧାରଣ ଜନତାଙ୍କୁ ଏକା ତରାଜୁରେ ତଉଲି ନଥିଲେ ଉଦ୍ଦାମ ସିଂ। ତାଙ୍କର ଲକ୍ଷ୍ୟ ଥିଲା ଜାଲିୱାନାୱାଲାବାଗର ନୃଶଂସ ନରସଂହାରର ସଂଶ୍ଳିଷ୍ଟ ହତ୍ୟାକାରୀ। ଜେନେରାଲ ଡାଏରଙ୍କର ମୃତ୍ୟୁ ଘଟିସାରିଥିଲା ଉଦ୍ଦାମ ସିଂଙ୍କର ଲକ୍ଷ୍ୟ ଓ’ଡୋୟରଙ୍କ ଉପରେ ନିବଦ୍ଧ ଥିଲା।
୧୯୪୦ ମସିହା ମାର୍ଚ୍ଚ ୧୩ ତାରିଖ ଦିନ ଓ’ଡୋୟରଙ୍କ ଉପରକୁ ଗୁଳି ଚଳାଇଥିଲେ ଉଦ୍ଦାମ ସିଂ ଲଣ୍ଡନର ଏକ ସଭାସ୍ଥଳୀରେ। ସେହିଠାରେ ହିଁ ଟଳି ପଡ଼ିଥିଲେ ଓ’ଡୋୟର।
ଅଦାଲତର କାଠଗଡ଼ାରେ ଛିଡ଼ା ହୋଇ ମୁକ୍ତ କଣ୍ଠରେ ନିଜ ଲକ୍ଷ୍ୟ ସାଧନର ଉଦ୍ଦେଶ୍ୟକୁ ସ୍ବୀକାର କରିଥିଲେ ଉଦ୍ଦାମ ସିଂ। ହାଜତରେ ରହିବା ସମୟରେ ସେ ନିଜକୁ ‘ରାମ ମହମଦ୍ ସିଂ ଆଜାଦ’ ବୋଲି ପରିଚୟ ଦେଇଥିଲେ। ସେଇ ବିପ୍ଳବୀ ପରିଚୟ ଭିତରେ ପରିସ୍ଫୁଟ ତ ହେଉଥିଲା ଧର୍ମନିରପେକ୍ଷ ସ୍ବାଧୀନ ଭାରତର ପ୍ରତିଛବି। ମାଇକେଲ ଓ’ଡୋୟାରଙ୍କୁ ହତ୍ୟାକରିବା ଦୋଷରେ ଫାଶୀ ଦଣ୍ଡ ମିଳିଥିଲା ଉଦ୍ଦାମ ସିଂଙ୍କୁ।
୧୯୪୦ ମସିହା ଜୁଲାଇ ୩୧ ତାରିଖ ଦିନ ଝୁଲାଇ ଦିଆଯାଇଥିଲା ଉଦ୍ଦାମ ସିଂଙ୍କୁ ଫାଶୀଖୁଣ୍ଟରେ। ଶେଷ ନିଶ୍ବାସ ତ୍ୟାଗ କରିବା ପର୍ଯ୍ୟନ୍ତ ଭାରତ ମାତାର ଜୟଗାନ କରୁଥିଲେ ଉଦ୍ଦାମ ସିଂ। ବ୍ରିଟିଶ ଶାସନର ଶୃଙ୍ଖଳରୁ ମୁକୁଳିବା ସଂଗ୍ରାମର ଅଗ୍ନିକୁ ନିଜ ଭିତରେ ଜାଳି ରଖିବାପାଇଁ ନିଜ ଦେଶବାସୀଙ୍କୁ ଆହ୍ବାନ ଦେଇଥିଲେ ସେ ଲଣ୍ଡନ ମାଟିରୁ।
ଲିଭି ଯାଇଥିଲା ଜଣେ ଦେଶଭକ୍ତ ସଂଗ୍ରାମୀର ଜୀବନ ଦୀପ। ଅମର ରହିଯାଇଥିଲା ସଂଗ୍ରାମୀ ଜୀବନର ଗାଥା ସବୁଦିନ ପାଇଁ।
ଆଖିରୁ ଗଡ଼ିଆସୁଥିବା ଦୁଇଟୋପା ଗରମ ଲୁହର ସ୍ପର୍ଶରେ ଚମକି ଉଠିଲି ମୁଁ। ହାତରେ ରକ୍ତ ଗୋଲାପର ଫୁଲଧରି କେତେଜଣ ପିଲା ଠିଆ ହୋଇଥାନ୍ତି ସାମନାରେ। ରୁଷ ଓ ୟୁକ୍ରେନ ଯୁଦ୍ଧରେ ପୀଡ଼ିତମାନଙ୍କ ପାଇଁ କିଛି ସହାୟତା ଏକାଠି କରିବାର ପ୍ରଚେଷ୍ଟା କରୁଥାନ୍ତି ସେମାନେ।
କେବେ ଶେଷ ହେବ କ୍ଷମତା ହାସଲ କରିବାର ଲାଳସା? କେବେ ଶେଷ ହେବ ରାଜ୍ୟ ଜୟର ଅହଂକାର? ମଣିଷ ମନଭିତରୁ କେବେ ଲିଭିବ ଯୁଦ୍ଧର ବିଭୀଷିକା?
ଥେମ୍ସ ନଦୀର େଢଉ ଭିତରେ ମିଳାଇ ଯାଇଥିଲା ମୋର ନୀରବ ପ୍ରଶ୍ନଗୁଡ଼ିକ।
Comments are closed.