ଶିକ୍ଷା ବିଭାଗ ଏବଂ ମାନେ ବହି ମଧୁଚନ୍ଦ୍ରିକା

ସ୍କୁଲ ଖୋଲିବାର ଦେଢ଼ମାସରୁ ଊର୍ଦ୍ଧ୍ବ ହେଲାଣି। ପାଠ୍ୟ ପୁସ୍ତକ କୁଆ​‌େ​‌ଡ଼ ମିଳୁନାହିଁ। ଶିକ୍ଷା ବିଭାଗ କହୁଛି ସେ ସବୁ ତାଙ୍କ ଅନୁମୋଦିତ ସଂସ୍ଥା ଏବଂ ଦୋକାନମାନଙ୍କରେ ଗଲା ମାର୍ଚ୍ଚ ମାସରୁ ଉପଲବ୍ଧ। ସେହିପରି ଏ ବର୍ଷରୁ କିଛି ପାଠ୍ୟପୁସ୍ତକର ଆଂଶିକ ପରିବର୍ତ୍ତନ କରାଯାଇଛି। ସେ ପରିବର୍ତ୍ତିତ ପାଠ୍ୟପୁସ୍ତକ ଗୁଡ଼ିକ ସରକାର ଏ ପର୍ଯ୍ୟନ୍ତ ଯୋଗାଇ ନଥିବାବେଳେ ସେସବୁ କୁଆଡ଼େ ମାନେ ବହି ଏବଂ ଟେଷ୍ଟ ପେପର ଗୁଡ଼ିକରେ ସ୍ଥାନ ପାଇ ସାରିଛି। ପ୍ରଶ୍ନ ଉଠୁଛି ବୋର୍ଡ଼ ବହି ପ୍ରକାଶ ପାଇବା ପୂର୍ବରୁ ସେ ସବୁ ସେମାନଙ୍କ ହାତକୁ କିମିତି ଗଲା। ଏସବୁ ଆମ ପାଇଁ ନୂଆ କଥା ନୁହଁ। ଆମ ଶିକ୍ଷା ବିଭାଗ ଏବଂ ମାନେ ବହି ବା ଟେଷ୍ଟପେପର ପ୍ରକାଶକମାନଙ୍କ ମଧ୍ୟରେ ଥିବା ମଧୁଚନ୍ଦ୍ରିକା ବେଶ ପୁରୁଣା। ଆମେ ସମସ୍ତେ ଶିକ୍ଷା ବିଭାଗରୁ ଆରମ୍ଭ କରି ଛାତ୍ରଛାତ୍ରୀମାନଙ୍କ ପିତାମାତା ପର୍ଯ୍ୟନ୍ତ, ସେମାନଙ୍କ ପକେଟରେ। ସେମାନେ ଆମ ଶିକ୍ଷା ବିଭାଗକୁ ସମ୍ପୂର୍ଣ୍ଣ ଭାବେ ଗିଳି ସାରିଛନ୍ତି। ଅନେକ ସ୍କୁଲରେ ପାଠ୍ୟପୁସ୍ତକର ସ୍ଥାନ ନେଇଛି ମାନେ ବହି।

ଛାତ୍ରଛାତ୍ରୀ ସ୍କୁଲକୁ ପାଠବହି ନନେଇ ନେଉଛନ୍ତି ମାନେ ବହି। ଶିକ୍ଷକ ଶିକ୍ଷୟିତ୍ରୀ ପାଠବହି ନ ପଢ଼ାଇ ପଢ଼ାଉଛନ୍ତି ସେ ସବୁ ବହି। ବାଧ୍ୟ କରୁଛନ୍ତି ଛାତ୍ରଛାତ୍ରୀଙ୍କୁ ସେ ସବୁ ବହି କିଣିବାକୁ। ଶିକ୍ଷକ ସମାବେଶ ଚତୁଃପାର୍ଶ୍ବରେ ଲଗାଯାଇଛି ସେଇମାନଙ୍କ ବିଜ୍ଞାପନ। ପ୍ରଧାନ ଶିକ୍ଷକମାନଙ୍କ କୋଠରିରେ ଟଙ୍ଗା ଯାଇଛି ସେଇମାନଙ୍କ କ୍ୟାଲେଣ୍ଡର। ଆଉ ଆଦିବାସୀ ବିଭାଗ ସ୍କୁଲ ଗୁଡ଼ିକରେ ସରକାରୀ ଅର୍ଥରେ ସେ ସବୁ ବହି ଏବଂ ଟେଷ୍ଟ ପେପର କିଣାଯାଇ ଯୋଗାଇ ଦିଆଯାଉଛି ଛାତ୍ରଛାତ୍ରୀମାନଙ୍କୁ। ସେଇମାନେ ନିର୍ଦ୍ଧାରଣ କରୁଛନ୍ତି ପ୍ରଚଳିତ ପାଠ୍ୟପୁସ୍ତକ କେବେ ପରିବର୍ତ୍ତନ ହେବ। ପରିବର୍ତ୍ତନ ହେବନାହିଁ ସେମାନଙ୍କର ମାନେ ବହିର ଷ୍ଟକ୍‌ ନସରିବା ପର୍ଯ୍ୟନ୍ତ। ଏପରି କି ସେମାନେ ନିର୍ଦ୍ଧାରଣ କରୁଛନ୍ତି ପାଠ୍ୟପୁସ୍ତକ କି ପ୍ରକାରର ହେବ। ପାଠ୍ୟପୁସ୍ତକ ଯେତିକି କ୍ଳିଷ୍ଟ ଏବଂ ଅସଜଡ଼ା ହେବ ସେମାନଙ୍କୁ ସେତିକି ଭଲ। ମୁଖ୍ୟତଃ ସେଇଥିପାଇଁ ଆମ ପାଠ୍ୟପୁସ୍ତକ ସବୁ କ୍ଳିଷ୍ଟ ଏବଂ ଅସଜଡ଼ା। ସେମାନେ ମଧ୍ୟ ନିର୍ଦ୍ଧାରଣ କରନ୍ତି ଆମ ଶ୍ରେଣୀଗୃହ ଶିକ୍ଷା ପଦ୍ଧତି ଏବଂ ପରୀକ୍ଷା କିମିତି ହେବ।

ଏବେ ଆସନ୍ତୁ ପାଠ୍ୟପୁସ୍ତକ କାହିଁକି ସ୍କୁଲମାନଙ୍କରେ ଠିକ୍‌ ସମୟରେ ପହଞ୍ଚୁନାହିଁ ତା’ର କାରଣ ଖୋଜିବା। ଚାଳିଶ କି ପଚାଶ ବର୍ଷ ପୂର୍ବରୁ ଏ ସମସ୍ୟା ନଥିଲା। ଏବେ କିନ୍ତୁ ଏ ସମସ୍ୟା ଅତି ଗୁରୁତର। ଶିକ୍ଷାବର୍ଷ ଶେଷରେ, ବୋର୍ଡପରୀକ୍ଷା କିଛିଦିନ ପୂର୍ବରୁ, ବହି କିଛି ସ୍କୁଲମାନଙ୍କରେ ପହଞ୍ଚିବାର ନମୁନା ଅଛି। ସ୍କୁଲରେ ଠିକ୍‌ ସମୟରେ ପାଠବହି ନ ପହଞ୍ଚିବା ଏବେ ହୋଇଛି ଅତି ସାଧାରଣ କଥା। ଗଲା ପଚାଶ ବର୍ଷରେ ସବୁଠାରୁ ବଡ଼ ପରିବର୍ତ୍ତନ ଘଟିଛି ଦୁଇଟି କ୍ଷେତ୍ରରେ, ବହି ପତ୍ର ପ୍ରକାଶନ ଏବଂ ଗମନାଗମନ।

ଗୋଟିଏ ଦିନରେ ଲକ୍ଷଲକ୍ଷ ବହି ପ୍ରିଣ୍ଟ ହୋଇପାରୁଛି। ରାସ୍ତାମାନଙ୍କର ଅବସ୍ଥା ଅଭୂତପୂର୍ବଭାବେ ବଦଳିଛି। ନୂଆ ଗାଡ଼ିମାନ ଆସିଛି ଏବଂ ସେମାନଙ୍କ ସ୍ପିଡ୍‌ ବଢ଼ିଛି। ଏସବୁ ସତ୍ତ୍ବେ ବହି କାହିଁକି ଠିକ୍‌ ସମୟରେ ପହଞ୍ଚିବ ନାହିଁ। କେଉଁଠି ଅସୁବିଧା ରହିଲା। ବହି ନପହଞ୍ଚିବାର କାରଣ ସେଇ ଶିକ୍ଷା ବିଭାଗ ଏବଂ ମାନେ ବହି ପ୍ରକାଶକମାନଙ୍କର ମଧୁଚନ୍ଦ୍ରିକା। ସେମାନଙ୍କ ବହିସବୁ ତ ଗଳି କନ୍ଦିରେ ଠିକ୍‌ ସମୟରେ ପହଞ୍ଚି ପାରୁଛି। ଆମ ଶିକ୍ଷା ବିଭାଗ ବହି କାହିଁକି ପହଞ୍ଚିବ ନାହିଁ। ସେମାନଙ୍କ ବହି ବିକ୍ରିବଟା ସରିଲାପରେ ଆମ ବହି ପହଞ୍ଚିବାର ସୁବନ୍ଦୋବସ୍ତ କରାଯାଇଛି ସେଇ ମଧୁଚନ୍ଦ୍ରିକା ମାଧ୍ୟମରେ। ଜାଣିଶୁଣି ଆମ ବହି ଲେଟ୍‌ରେ ପ୍ରକାଶିତ ହେବ। ଡେରିରେ ସ୍କୁଲରେ ପହଞ୍ଚିବ। ସ୍କୁଲରେ ପହଞ୍ଚିଲେ ମଧ୍ୟ ଡେରିରେ ଛାତ୍ରଛାତ୍ରୀମାନଙ୍କୁ ଦିଆଯିବ ଯେ ପର୍ଯ୍ୟନ୍ତ ସେମାନଙ୍କ ଠାରେ ମାନେ ବହି ଉପଲବ୍ଧ ନ ହେଇଛି। କି ମହୁ ସେମାନେ ଆମକୁ ଚଖାଇଛନ୍ତି ଆମେ ସମସ୍ତେ ଲଗାପଡ଼ିଛୁ ସେଇମାନଙ୍କ ସେବାରେ।

ଏବେ ଆସନ୍ତୁ ଦେଖିବା ସରକାର ଅନୁମୋଦିତ ବହି ଦୋକାନମାନଙ୍କରେ ପାଠବହିକୁ ନେଇ କି କାରବାର ଚାଲିଛି। ସରକାର କହୁଛନ୍ତି ଗଲା ମାର୍ଚ୍ଚ ମାସରୁ ବହିସବୁ ସେ ସବୁ ଦୋକାନମାନଙ୍କରେ ଉପଲବ୍ଧ। ମାତ୍ର ବହି ସେଠାରେ ମିଳୁନାହିଁ। ସେ ସବୁ ଦୋକାନମାନଙ୍କର ମୁଖ୍ୟ କାମ ହେଲା ମାନେବହି ଏବଂ ଟେଷ୍ଟ ପେପର ବିକିବା ଯେଉଁଥିରୁ ସେମାନେ ପାଆନ୍ତି ପାଖାପାଖଇ ଚାଳିଶ ପ୍ରତିଶତ କମିସନ। ସରକାରୀ ବହିରୁ ମିଳୁଥିବା କମିସନ୍‌ ଅତି ନଗଣ୍ୟ। ସେମାନେ ସରକାରୀ ବହିକୁ ମାନେବହି ବିକିବାର ଏକ ମାଧ୍ୟମ ହିସାବରେ ବ୍ୟବହାର କରନ୍ତି। ସରକାରୀ ବହିଟି ଉପରେ ମାନେ ବହିଟି କିଣିଲେ ଯାଇ ବହିଟି ମିଳେ। ସରକାରୀ ବହିର ପାଞ୍ଚଗୁଣରୁ ଅଧିକ ଥାଏ ମାନେ ବହିର ଦାମ୍‌। ମାନେବହି କିଣିବାକୁ ଚାହୁଁନଥିବା ଗ୍ରାହକମାନେ ବାଧ୍ୟ ହୁଅନ୍ତି ମାନେବହି କିଣିବାକୁ। ନ କିଣିଲେ ମିଳେ ନାହିଁ ସରକାରୀ ବହି। ସେଇ ସମ୍ବନ୍ଧରେ ମୋର ଗୋଟିଏ ଅନୁଭୂତି। ୧୯୯୬ମସିହା। ନୂଆ କରି ପ୍ରସ୍ତୁତ ହୋଇଥାଏ ବୋର୍ଡର ଇଂରାଜୀ ବହି। ଆମେ କେତେଜଣ ଥାଉ ତା’ର ପ୍ରସ୍ତୁତକାରୀ।

prayash

ନୂଆ ବହିଟି ବଜାରରେ ଉପଲବ୍ଧ ହେଉଛି ଜାଣି ପ୍ରବଳ ଇଚ୍ଛାହେଲା ପକାଶିତ ଅବସ୍ଥାରେ ବହିଟି ଦେଖିବା ପାଇଁ। ଭୁବନେଶ୍ବର ଏକ ନମ୍ବର ବଜାରକୁ ଗଲି କିଣିବା ପାଇଁ। ଦୋକାନୀ ବାଧ୍ୟ କଲା ବହିଟି ସହ ମାନେ ବହି କିଣିବାକୁ। ରୋକ୍‌ଠୋକ୍‌ କହିଲା ମାନେ ବହି ନ କିଣିଲେ ବହି ମିଳିବ ନାହିଁ। ଭଲ ଭାବେ ବୁଝାଇଦେଲା କାରଣ। ସରକାରୀ ବହି ବିକିବାରେ ଲାଭ ନାହିଁ। ରଖିଛନ୍ତି ମାନେ ବହି ବିକିବା ପାଇଁ। ସେ ଅବସ୍ଥାରେ ଲାଜ ଲାଗିଲା ପରିଚୟ ଦେବାପାଇଁ ସେ ସରକାରୀ ବହିଟିର ମୁଁ ଜଣେ ପ୍ରସ୍ତୁତକାରୀ ବୋଲି। କାନ ନାକ ଆଉଁଶି ବହିଟି ସହ ତା ମାନେ ବହି କିଣିଲି। ବାଟରେ ରାଗ ଗରଗର ହୋଇ, ମୋର ଅସହାୟତା ପାଇଁ, ମାନେ ବହିଟିକୁ ଡଷ୍ଟପିନ୍‌ରେ ଫିଙ୍ଗି ଦେଇକରି ଆସିଲି। ସେ ଘଟଣାର ଅଳ୍ପ କିଛି ଦିନ ପରେ ଇଉନିଟି ଚାରି ବଜାରରେ ପରିବା କିଣିଲାବେଳେ କିଏ ଜଣେ ମୋ ପାଦ ଛୁଇଁବାରୁ ହଡ଼ବଡ଼େଇ ଯାଇ ଦେଖିବାରୁ ଜାଣିଲି ଛାତ୍ରଟିଏ ମୋ ପାଦ ଛୁଇଁଛି।

ପରିଚୟ ଦେଲା ଇଉନିଟି ଚାରି ବିବେକାନନ୍ଦ କେନ୍ଦ୍ର ସ୍କୁଲର ଛାତ୍ରବୋଲି ଯେଉଁ ସ୍କୁଲରେ ଆମର ସେହି ଇଂରାଜୀ ବହିଟିକୁ ମୁଁ ଟ୍ରାୟଆଉଟ୍‌ କରିଥଲି। ପିଲାଟି କହିଲା, ‘ସାର୍‌, ଆପଣ କହିଥିଲେ ଆମ ନୂଆ ଇଂରାଜୀ ବହିଟି ପାଇଁ ମାନେ ବହି ଦରକାର ପଡ଼ିବନି। ଆମେ ନିଜେ ନିଜେ ପଢ଼ି ବୁଝିପାରିବା। ବହିଟି ବେଶ୍‌ ଭଲ ହୋଇଛି। ଆମେ ନିଜେ ପଢ଼ି ବୁଝ୍‌ିପାରୁଛୁ। ମାତ୍ର ଦୋକାନୀ ବାଧ୍ୟକଲା ବହି ସହ ମାନେବହି କିଣିବାକୁ। ଆପଣ ଏ ବିଷୟରେ କିଛି କରନ୍ତୁ। ଛାତ୍ରଟି ବହି ଲେଖକଙ୍କୁ କେତେ ବଡ଼ ଏବଂ ପ୍ରଭାବଶାଳୀ ବ୍ୟକ୍ତି ବୋଲି ଭାବିଛି; କିନ୍ତୁୁ ଆମେ ସେ ସମନ୍ଧରେ କେତେ ଅସହାୟ। ପ୍ରଥମଥର ପାଇଁ ବୋର୍ଡ ଇଂରାଜୀ ବହି ଲେଖା ଇତିହାସରେ ଅମେ ସେ ବହିଟିକୁ ଛାତ୍ରଛାତ୍ରୀ କୈନ୍ଦ୍ରିକ କରିଥିଲୁ ଯାହା ଉପରେ ମାନେ ବହି ଲେଖା କଷ୍ଟ ଥିଲା। ତେଣୁ ସେ ବର୍ଷ ସେ ବହି ଉପରେ ମାନେବହି ଲେଖିବା ବେଶ୍‌ ଡେରି ହେଲା। ବୋର୍ଡ ମଧ୍ୟ ଜାଣି ଶୁଣି ସେ ବର୍ଷ ପାଠବହିଟିକୁ ପ୍ରକାଶ କରିବାରେ ଡେରି କଲା। ପ୍ରକାଶ ହେଲା ମାନେ ବହି ପ୍ରକାଶ ହେବାପରେ। କି ଅପୂର୍ବ ମଧୁଚନ୍ଦ୍ରିକା !

ଏ ସବୁ ଥିଲା ୧୯୯୬ କଥା। ଏବେର ମଧୁଚନ୍ଦ୍ରିକା ଅତି ଗୁରୁତର ସ୍ଥିତିରେ। ଆସନ୍ତୁ ଜାଣିବା ୨୦୧୬-୧୭ର କିଛି ଅନୁଭୂତି ସମ୍ପର୍କରେ। ସେତେବେଳେ ରଞ୍ଜନା ଚୋପ୍ରା ମହୋଦୟା, ଲମ୍ବା ଛୁଟିରୁ ଫେରି, ହୋଇଥାନ୍ତି ସ୍କୁଲ ଶିକ୍ଷା ବିଭାଗର ସେକ୍ରେଟେରୀ। ଅନେକ ବର୍ଷ ଧରି ମସୁରୀରେ ଆଇଏଏସ ଅଧିକାରୀମାନଙ୍କୁ ପାଠପଢ଼ାଉଥିବା ହେତୁ ବେଶ୍‌ ଆଗ୍ରହ ଥାଏ ଶିକ୍ଷାପ୍ରତି। ପାଠ୍ୟପୁସ୍ତକରେ ପରିବର୍ତ୍ତନ ଆଣିବାକୁ ଚାହିଁଲେ। ମୋତେ ଡକାଗଲା ତୃତୀୟରୁ ଅଷ୍ଟମଶ୍ରେଣୀ ପର୍ଯ୍ୟନ୍ତ ଇଂରାଜୀ ବହିସବୁ ନୂଆକରି ପ୍ରସ୍ତୁତ କରିବାକୁ। ମୁଁ ସେତେବେଳେ ଥାଏ ରାଜ୍ୟ ଇଂରାଜୀ ଭାଷାଶିକ୍ଷା ଅନୁଷ୍ଠାନର ଉପଦେଷ୍ଟା। ଗୋଟିଏ ବର୍ଷ ମଧ୍ୟରେ ବହିସବୁ ପ୍ରସ୍ତୁତ ହେବ। ପ୍ରଚଳନ ହେବ ୨୦୧୭ ଶିକ୍ଷାବର୍ଷରୁ। ବହିସବୁ ପ୍ରକାଶିତ ହେବା ପୂର୍ବରୁ ବଜାରକୁ ଆସିଗଲା ସେ ସବୁ ବହିମାନଙ୍କର ମାନେବହି। ରାଗିକରି ସେ ଗୋଟାଏ କମିସନ ବସାଇଲେ ଜାଣିବା ପାଇଁ କେମିତି ତାହା ସମ୍ଭବ ହେଲା। ଫଳାଫଳ ଶୂନ।

ସେମିତି ସେ ମଧ୍ୟ ଗୋଟିଏ ଚିଠି ଲେଖିଲେ ସମସ୍ତ ଜିଲା ଶିକ୍ଷାଧିକାରୀମାନଙ୍କୁ ସ୍କୁଲ ପରିସରରେ ମାନେବହିକୁ ନିଷିଦ୍ଧ କରିବାକୁ। ଆଗପରି ଫଳାଫଳ ଶୂନ। ଚିଠି ଲେଖିଲେ କ’ଣ ହେବ? କାର୍ଯ୍ୟକାରୀ କରିବା ଲୋକମାନଙ୍କ ସହ ରହିଛି ମାନେବହି ପ୍ରକାଶକଙ୍କ ସଲାସୁତୁରା। ସବୁଠାରୁ ବଡ଼ ଅସୁବିଧାର ସମ୍ମୁଖୀନ ହେଲେ ସେ ଗୋଟିଏ ବର୍ଷରେ ସବୁ ପାଠ୍ୟପୁସ୍ତକ ପ୍ରଚଳନ କରାଇବାରେ। ମାନେ ବହି ପ୍ରକାଶକ ମାନେ ଜାଣି ନଥିଲେ ଏକଥା। ସେମାନଙ୍କ ନିର୍ଦେଶ​‌େ​‌ର ପ୍ରଚଳନ ହୁଏ ନୂଆ ବହି। ତାଙ୍କ ଅଜାଣତରେ ହଠାତ୍‌ ଏତେ ଗୁଡ଼ିଏ ବହି ବଦଳ ହେଲେ ନଷ୍ଟ ହୋଇଯିବ ସେମାନଙ୍କର ପୂର୍ବପ୍ରକାଶିତ ମାନେ ବହି। କୋଟିକୋଟି ଟଙ୍କା ପାଣିରେ ପଡ଼ିବ। ଅର୍ଥବଳ ମାଧ୍ୟମରେ ଧରାଧରି କରିଦେଲେ ତଳରୁ ମନ୍ତ୍ରୀ ପର୍ଯ୍ୟନ୍ତ ଲୋକଙ୍କୁ। ବିଚରା ସେକ୍ରେଟେରୀ ମହୋଦୟା ନାଚାର। ଅନେକ ବିଚାର ବିମର୍ଶ ପରେ ବଦଳିଲା କେବଳ ତିନି ଶ୍ରେଣୀର ବହି, ଯାହା ପୁଣି କ୍ରମରେ ନୁହଁ। ବୋଧହୁଏ ସେଇ ଶ୍ରେଣୀମାନଙ୍କର ବହି ଉପରେ କମ୍‌ ମାନେ ବହି ଥିଲା। ପରବର୍ଷଠାରୁ ପ୍ରଚଳନ ହେଲା ଆଉ ତିନିଟି କ୍ଲାସ ପାଇଁ। ସେ ସବୁ ବହିଗୁଡ଼ିକ ଉପରେ ଥିବା ମାନେ ବହି ସରିଯିବା ପରେ।

ଶିକ୍ଷାର ମୂଳ ଉଦ୍ଦେଶ୍ୟ ହେଲା ଛାତ୍ରଛାତ୍ରୀମାନଙ୍କ ଚିନ୍ତାଶକ୍ତି ବଢ଼େଇବା, ସେମାନଙ୍କୁ ସୃଜନଶୀଳ କରାଇବା। ସେମାନଙ୍କ କଳ୍ପନା ଶକ୍ତି ବୃଦ୍ଧି କରାଇବା। ବିକଳ୍ପ ବାଟ ଖୋଜିବାରେ ସାହାଯ୍ୟ କରିବା ଯାହାସବୁ ଏବେର ଜାତୀୟ ଶିକ୍ଷା ନୀତିର ମୂଳ ଆଧାର; କିନ୍ତୁ ମାନେ ବହିର ଉଦ୍ଦେଶ୍ୟ ହେଲା ଏସବୁର ଠିକ୍‌ ବିପରୀତ। ଛାତ୍ରଛାତ୍ରୀମାନଙ୍କୁ ପଙ୍ଗୁ କରାଇବା। ସେମାନଙ୍କ ମସ୍ତିଷ୍କରେ କଳଙ୍କି ଲଗାଇବା। ମାନେ ବହି ସବୁ ହେଲେ ଆମ ଶିକ୍ଷାର କ୍ୟାନ୍‌ସର ରୋଗପରି। ଆଉ ସେ କ୍ୟାନସରରେ ଆମେ ସମସ୍ତେ ଊଣା ଅଧିକେ ପୀଡ଼ିତ। ଆମ ରାଜ୍ୟରେ ଆମେ ସୃଷ୍ଟି କରିସାରିଛୁ ଏକ ମାନେ ବହି ଶିକ୍ଷାସଂସ୍କୃତି। ମାନେବହି ବିନା ପାଠପଢ଼ା ହୁଏନା। ବାପା ମା ପିଲାମାନଙ୍କ ପାଇଁ ପାଠବହି କିଣିବା ପୂର୍ବରୁ କିଣନ୍ତି ମାନେବହି। ଏ ପରିପ୍ରେକ୍ଷୀରେ ଏ ସମ୍ବନ୍ଧରେ କ’ଣ କରାଯାଇ ପାରିବ? କେମିତି ତୁଟାଯାଇ ପାରିବ ଏ ମଧୁଚନ୍ଦ୍ରିକା। ସେଇ ରଂଜନା ଚୋପ୍ରା ମହୋଦୟା ନେଇଥିବା ପଦକ୍ଷେପକୁ ଅନୁସରଣ କରାଯାଉ। ଆମ ରାଜ୍ୟ ଏବଂ ଦେଶରେ ମାନେବହି କି ଟିଉସନ ସଂସ୍ଥାମାନଙ୍କୁ ନିଷିଦ୍ଧ କରାଯାଇ ପାରିବ ନାହିଁ; କିନ୍ତୁ ସେ ସବୁର ବ୍ୟବହାର ଶିକ୍ଷାନୁଷ୍ଠାନମାନଙ୍କ ପରିସରରେ ନିଷିଦ୍ଧ କରାଯାଇପାରିବ। ତାହା ଅକ୍ଷରେ ଅକ୍ଷରେ କାର୍ଯ୍ୟକାରୀ କରାଯିବା ସହ ଯେଉଁମାନେ ସରକାରୀ ଚାକିରିରେ ଏବଂ ସରକାରୀ ଦାୟିତ୍ବରେ ଥାଇ ମାନେବହି ପ୍ରକାଶକମାନଙ୍କୁ ସାହାଯ୍ୟ କରୁଛନ୍ତି ସେମାନଙ୍କ ପାଇଁ ଦଣ୍ଡବିଧାନର ବ୍ୟବସ୍ଥା ହେଉ ଏବଂ ଆମେ ସମସ୍ତେ ପ୍ରତିଜ୍ଞାବଦ୍ଧ ହେବା ଆମ ପିଲାମାନଙ୍କୁ ମାନେ ବହି ଠାରୁ ଦୂରେଇ ରଖିବାକୁ।

kalyan agarbati

Comments are closed.