BJD Bijuli 480×75 Mob

ଦଶଟି କୃଷି ବଜେଟରୁ ଚାଷୀ ପାଇଲା କ’ଣ?

ନଟବର ଖୁଣ୍ଟିଆ

BJD Bijuli 480×75 Mob

କୃଷି ପ୍ରଧାନ ରାଜ୍ୟ ଓଡ଼ିଶାର ୬୨ ପ୍ରତିଶତ ଲୋକ କୃଷି ଉପରେ ନିର୍ଭରଶୀଳ ଏବଂ କୃଷକ ପରିବାରର ମାସିକ ଆୟ ଦେଶର ଗୋଟିଏ ରାଜ୍ୟକୁ ଛାଡି ଦେଲେ ସର୍ବନିମ୍ନ। ଧାନ ସମେତ ବିଭିନ୍ନ ଫସଲର ହେକ୍ଟର ପିଛା ଉତ୍ପାଦନରେ ଆମେ ବହୁ ପଛରେ। ଅତି ଆବଶ୍ୟକ ଆଳୁ, ପିଆଜ, ବିଲାତି ବାଇଗଣ, ଖାଇବା ତେଲ, ଡାଲି, ଅଣ୍ଡା ଏପରି କି ମାଛ ଏବଂ ଠାକୁର ପୂଜା,ବିବାହ ବ୍ରତ ସଭା ସମିତି ପାଇଁ ଫୁଲ ମଧ୍ୟ ଆମଦାନୀ କରୁଛୁ । ସେହି ସ୍ଥିତିରେ ଯଦି କୃଷିକୁ ଗୁରୁତ୍ବ ଦେଇ କୃଷିର ସମନ୍ବିତ ବିକାଶ ପାଇଁ ସରକାର ସ୍ବତନ୍ତ୍ର କୃଷି ବଜେଟ କରନ୍ତି, ତାହା ନିଶ୍ଚିତ ଭାବେ ସ୍ବାଗତଯୋଗ୍ୟ। ୨୦୧୩-୧୪ ଆର୍ଥିକ ବର୍ଷରୁ ଓଡ଼ିଶା ସରକାର ସ୍ବତନ୍ତ୍ର କୃଷି ବଜେଟ ପ୍ରସ୍ତୁତ କରୁଥିବାବେଳେ ଗତ ଜୁଲାଇ ୨ରେ ୨୦୨୨-୨୩ ବର୍ଷ ପାଇଁ ବିଧାନସଭାରେ ଦଶମ କୃଷି ବଜେଟ୍ ଉପସ୍ଥାପନ କରିଛନ୍ତି। ଓଡ଼ିଶା ଥିଲା ଦେଶର ତୃତୀୟ ରାଜ୍ୟ ଯେ କି ସ୍ବତନ୍ତ୍ର କୃଷି ବଜେଟ୍ କରିଥିଲା। ପ୍ରଥମ ଥିଲା କର୍ଣ୍ଣାଟକ ଆଉ ଛତିଶଗଡ଼ ଦ୍ବିତୀୟ। ଏହି ଦଶଟା କୃଷି ବଜେଟରେ ବ୍ୟୟବରାଦ ହୋଇଛି ୧ ଲକ୍ଷ ୫୧ ହଜାର ୨୩୭ ଟଙ୍କା। ଏତେ ପରିମାଣରେ ରାଜକୋଷରୁ ଅର୍ଥ ବ୍ୟୟ ହେଲେ ବି କୃଷକ ସେହି ପରିମାଣରେ ଲାଭବାନ ହୋଇଛି କି?

କୃଷକ ଲାଭବାନ ହେବାର ସବୁଠାରୁ ନିର୍ଭରଯୋଗ୍ୟ ସୂଚକ ହେଲା ତା ପରିବାରର ମାସିକ ଆୟ। ସେହି ଆୟର ଆକଳନ କରାଯାଏ ସରକାରଙ୍କ ସ୍ବୀକୃତିପ୍ରାପ୍ତ ଅନୁଷ୍ଠାନ ଦ୍ବାରା ଯାହାକି ପରିସଂଖ୍ୟାନ ନୀତି ନିୟମ ଦ୍ବାରା ପରିଚାଳିତ ହୋଇଥାଏ। ସେହି ସବୁ ସ୍ବୀକୃତିପ୍ରାପ୍ତ ସରକାରୀ ଅନୁଷ୍ଠାନ ଦ୍ବାରା ଓଡ଼ିଶା ଚାଷୀ ପରିବାରର ମାସିକ ଆୟ ବିଭିନ୍ନ ସର୍ବେକ୍ଷଣ ବର୍ଷରେ ଆକଳିତ ହୋଇଛି – ୨୦୦୨-୦୩ରେ ୧୦୬୨ ଟଙ୍କା, ୨୦୧୨-୧୩ରେ ୪୯୬୭ ଟଙ୍କା, ୨୦୧୫-୧୬ରେ ୭୭୩୧ ଟଙ୍କା ୨୦୧୮-୧୯ରେ ୫୧୧୨ ଟଙ୍କା। ସରକାର ସ୍ବତନ୍ତ୍ର କୃଷି ବଜେଟ ୨୦୧୩-୧୪ ଆର୍ଥିକ ବର୍ଷରୁ କରି ଆସୁଥିଲେ ବି କୃଷକ ପରିବାରର ଆୟ ହ୍ରାସ ପାଇଲା କାହିଁକି? ହୁଏ ତ କିଏ କିଏ କୋଭିଡ-୧୯କୁ ଦୋଷ ଦେଇ ପାରନ୍ତି; କିନ୍ତୁ କୋଭିଡ ଆସିଲା ୨୦୨୦ରେ। ସୁତରାଂ କୃଷି କ୍ଷେତ୍ରରେ ଠିକ୍ ପରିଚାଳନା ନହେବାରୁ ଏହି ଅଭାବନୀୟ ସ୍ଥିତି ସୃଷ୍ଟି ହୋଇଛି।

୨୦୧୩-୧୪ ପାଇଁ ପ୍ରଥମ କୃଷି ବଜେଟ ୨୦୧୩, ଫେବୃୟାରୀ ୧୯ରେ ବିଧାନସଭାରେ ତତ୍କାଳୀନ ଅର୍ଥମନ୍ତ୍ରୀ ପ୍ରସନ୍ନ ଆଚାର୍ଯ୍ୟ ଉପସ୍ଥାପନ କରିବା ଅବସରରେ କହିଥିଲେ, “ଆମ ଗ୍ରାମ୍ୟ ଅର୍ଥନୀତି ଜୀବନ ଧାରଣର ମେରୁଦଣ୍ଡ। ରାଜ୍ୟର ସମଗ୍ର ମାନବ ସମ୍ବଳର ୬୦ ପ୍ରତିଶତ ପ୍ରତ୍ୟକ୍ଷ ବା ପରୋକ୍ଷ ଭାବରେ କୃଷି ଉପରେ ନିର୍ଭରଶୀଳ। ଏ ଦୃଷ୍ଟିରୁ ବିଚାର କଲେ କୃଷି କ୍ଷେତ୍ର ଅଦ୍ୟାବଧି ଆମ ଅର୍ଥନୀତିର ମୂଳପିଣ୍ଡ ହୋଇ ରହିଛି।” ସେ ପୁଣି ତାଙ୍କ ବଜେଟ ଭାଷଣରେ କହିଥିଲେ ଯେ, କୃଷି ଉତ୍ପାଦନ ବଢ଼ାଇବା ପାଇଁ ବିଭିନ୍ନ ଭିତ୍ତିଭୂମି ସ୍ଥାପନ କରାଯିବ ଯାହା ଫଳରେ କୃଷି ଉପରେ ନିର୍ଭର କରୁଥିବା ଲୋକଙ୍କ ମଧ୍ୟରୁ ଦାରିଦ୍ର୍ୟ ହ୍ରାସ ପାଇବ। ଏହା ଫଳରେ ଓଡିଶା ଭଳି ଏକ କୃଷି ପ୍ରଧାନ ଅର୍ଥନୀତିରେ ଦାରିଦ୍ର୍ୟର ପ୍ରଭାବକୁ ହ୍ରାସ କରାଯାଇ ପାରିବ।

ଜୁଲାଇ ୨ରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ୧୦ମ କୃଷି ବଜେଟ ଉପସ୍ଥାପନ କରି ପୁନଶ୍ଚ କୃଷକଙ୍କ ପାଇଁ ଆଶାର ବୈତରଣୀ ଦେଖାଇଛନ୍ତି; କିନ୍ତୁ ଦଶବର୍ଷ ତଳେ ଦେଇଥିଵା ପ୍ରତିଶ୍ରୁତି କାହିଁକି ପାଳନ ହୋଇ ପାରିଲା ନାହିଁ, ସେ ବିଷୟରେ ପଦୁଟିଏ କହିଲେ ନାହିଁ । ଆମର ମତ ହେଲା ଯାହା ବଜେଟ ଭାଷଣରେ କୁହାଯାଉଛି ସେହି ଅନୁସାରେ ଯୋଜନା ପ୍ରସ୍ତୁତ ହେଉ ନାହିଁ। ଯାହାଵା ଯୋଜନା ହେଉଛି ତା଼ହା ଚାଷୀମାନଙ୍କ ପାଖରେ କର୍ମଚାରୀଙ୍କ ଦ୍ବାରା ଠିକ ଭାଵରେ ପ଼ହଞ୍ଚାଇ ଦିଆ ଯାଉନାହିଁ। ଚାଷୀଙ୍କ ନିକଟରେ ପହଞ୍ଚାଇଵା ପାଇଁ ଉପଯୁକ୍ତସଂଖ୍ୟକ ସମ୍ପ୍ରସାରଣ କର୍ମଚାରୀ ନାହାନ୍ତି; ଯେଉଁମାନେ ଅଛନ୍ତି ସେମାନେ ଏତେ ଚାପରେ ଅଛନ୍ତି ଯେ ସେମାନେ ମଧ୍ୟ କି କି ଯୋଜନା କାର୍ଯ୍ୟକାରୀ ହେଉଛି ତାହା ବେଳେବେଳେ ଜାଣୁ ନାହାନ୍ତି। ଏହା ବ୍ୟତୀତ କୃଷି ଓ କୃଷି ଆନୁଷଙ୍ଗିକ ବିଭାଗର ମୁଖ୍ୟମାନେ ଓ ସମ୍ପୃକ୍ତ ମନ୍ତ୍ରୀ ଯେପରି ତଦାରଖ କରି ଯୋଜନା ଅନୁଯାୟୀ ପ୍ରକୃତ କ୍ଷେତ୍ରରେ କାମ ହେଉଛି କି ନାହିଁ ଜାଣିଲା ପରେ ତ୍ରୁଟି ବିଚ୍ୟୁତିକୁ ସୁଧାରିବା କଥା ତାହା କରୁନାହାନ୍ତି। କୃଷି ବିକାଶକୁ ତ୍ବରାନ୍ବିତ କରିବା ପାଇଁ ଏକ ସ୍ବତନ୍ତ୍ର କୃଷି କ୍ୟାବିନେଟ ଗଠନ କରାଯାଇଛି। ସେହି କ୍ୟାବିନେଟ କେତେଥର ବସି କୃଷି ବିକାଶ କଥା ବିଚାର ଆଲୋଚନା କରିଛି? ଆଳୁ ମିସନ କାର୍ଯ୍ୟକାରୀ ହେବାବେଳେ କୁହାଗଲା ଯେ ୧୧୨ଟି ଶୀତଳ ଭଣ୍ଡାର ହେବ; ୧୨ଟି ବି କାର୍ଯ୍ୟକାରୀ ହୋଇପାରିଲା ନାହିଁ। ସରକାରୀ ଶୀତଳ ଭଣ୍ଡାର ମଧ୍ୟରୁ ଅଧିକାଂଶ ଅଚଳ। ମନେ ପଡୁଛି ଥରେ ତତ୍କାଳୀନ କୃଷିମନ୍ତ୍ରୀ ଘୋଷଣା କରିଥିଲେ ଯେ ରାଜ୍ୟର ୩୧୪ଟି ବ୍ଳକରେ ଗୋଟିଏ ଲେଖା ଶୀତଳ ଭଣ୍ଡାର ହେବ। କାହିଁ ଶୀତଳ ଭଣ୍ଡାର?

ଯେ କୌଣସି ଲୋକ କହିବ, ଯେହେତୁ ଦଶ ବର୍ଷ ଧରି ସ୍ବତନ୍ତ୍ର କୃଷି ବଜେଟ ହେଲାଣି, ତେଣୁ ରାଜ୍ୟରେ ଫସଲ ଉତ୍ପାଦନର ସାନ୍ଦ୍ରତା ବୃଦ୍ଧି ପାଇଥିବ। ସାନ୍ଦ୍ରତା ଅର୍ଥ ଖଣ୍ଡିଏ ଜମିରୁ ବର୍ଷକରେ ଏକାଧିକ ଫସଲ ଅମଳ କରିବା। ଏହା ସମ୍ଭବ ହେବ ଯେତେବେଳେ ଜଳସେଚନର ସମ୍ପ୍ରସାରଣ ହେବ ଓ ଉତ୍ପାଦିତ ଫସଲର ଲାଭଜନକ ମୂଲ୍ୟ ପାଇବା ପାଇଁ ସରକାର ଆବଶ୍ୟକ ଭିତ୍ତିଭୂମି ସ୍ଥାପନ କରିଥିବେ। ଓଡ଼ିଶା ସରକାରଙ୍କ ଦ୍ବାରା ନିକଟରେ ପ୍ରକାଶିତ ଓଡ଼ିଶା ଅର୍ଥନୈତିକ ସର୍ଭେ-୨୦୨୧-୨୨ରେ କୁହାଯାଇଛି ଯେ ଫସଲର ସାନ୍ଦ୍ରତା ୨୦୧୩-୧୪ରେ ୧୬୭ ପ୍ରତିଶତ ଥିବା ବେଳେ କ୍ରମାଗତ ହ୍ରାସ ପାଇ ଆସି ୨୦୨୦-୨୧ରେ ୧୫୮ ପ୍ରତିଶତ ହୋଇଛି। ଏହାର ମୁଖ୍ୟତଃ ଦୁଇଟି କାରଣ, ଯେତିକି ଜମିରେ ଜଳସେଚନ ହେବା କଥା ତାହା ପ୍ରକୃତ କ୍ଷେତ୍ରରେ ହୋଇନାହିଁ; ଆଉ ଅନ୍ୟ କାରଣଟି ହେଲା କୃଷକ ତା ଉତ୍ପାଦିତ ଦ୍ରବ୍ୟର ଲାଭଜନକ ମୂଲ୍ୟ ପାଉ ନଥିବାରୁ ଚାଷ ନକରି ଅନେକ ଜମି ପଡିଆ ପକାଉଛନ୍ତି।

ଓଡ଼ିଶାର କୃଷି କହିଲେ ଧାନ ହିଁ ଆଖି ଆଗରେ ନାଚିଯାଏ। ଧନଧାନ୍ୟର ଦେବୀ ହେଲେ ମା ଲକ୍ଷ୍ମୀ। ଧାନ ହେଲା ମହାଲକ୍ଷ୍ମୀଙ୍କ ପ୍ରତୀକ। ଆମ ରାଜ୍ୟର ତିନି-ଚତୁର୍ଥାଂଶରୁ ଅଧିକ ଚାଷ ଜମିରେ ଧାନ ଚାଷ ହୁଏ। ଦେଶ ସ୍ବାଧୀନ ହେବା ବେଳେ ଆମର ଯେତେ ଧାନ ଉତ୍ପାଦନ ହେଉଥିଲା ତାହା ଦେଶର ମୋଟ ଉତ୍ପାଦନର ୧୧ ପ୍ରତିଶତ ଥିବାବେଳେ ଆଜି କ୍ରମଶଃ ହ୍ରାସ ପାଇ ଆସି ପହଞ୍ଚିଲାଣି ୭ ପ୍ରତିଶତରେ। ଏହାର ଅର୍ଥ ଅନ୍ୟ ରାଜ୍ୟମାନଙ୍କର ହେକ୍ଟର ପିଛା ଉତ୍ପାଦନ ଯେଉଁ ହାରରେ ବଢ଼ିଛି ଓଡ଼ିଶାରେ ତାହା ହୋଇନାହିଁ। ୨୦୧୯-୨୦ରେ ଓଡ଼ିଶାରେ ହେକ୍ଟର ପିଛା ଚାଉଳ ଉତ୍ପାଦନ ୨୦୬୮ କେଜି ଥିବାବେଳେ ସର୍ବ ଭାରତୀୟ ସ୍ତରରେ ୨୭୦୫ କେଜି ଯାହାକି ସର୍ବଭାରତୀୟ ସ୍ତରଠାରୁ ୩୧ ପ୍ରତିଶତ କମ୍। ଏହି ଦଶ ବର୍ଷ ମଧ୍ୟରେ ଧାନର ଉତ୍ପାଦିକା ଶକ୍ତି ଓଡ଼ିଶାରେ‌ ବୃଦ୍ଧି ପାଇଁ ଅନ୍ୟ ରାଜ୍ୟ ସହ ସମାନ କରିବାକୁ ଯେପରି ଉଦ୍ୟମ ହେବା କଥା ସେପରି ହୋଇନାହିଁ ବୋଲି ଏହା ସୂଚାଇ ଦେଉଛି। ୨୦୧୪-୧୫ରେ ଓଡ଼ିଶାରେ ଡାଲି, ତୈଳବୀଜ ଓ ଆଖୁ ଉତ୍ପାଦନ ଯଥାକ୍ରମେ ୧୦.୫୭ ଲକ୍ଷ ଟନ୍, ୬.୭୯ ଲକ୍ଷ ଟନ୍ ଓ ୨୪.୬୯ ଲକ୍ଷ ଟନ୍ ହୋଇଥିବାବେଳେ ୨୦୨୦-୨୧ରେ ହୋଇଛି ଯଥାକ୍ରମେ ୧୦.୪୪ ଲକ୍ଷ ଟନ୍, ୪.୭୯ ଲକ୍ଷ ଟନ ଓ ୧୫.୦୨ ଲକ୍ଷ ଟନ୍। ଦଶବର୍ଷର କୃଷି ବଜେଟର ଫଳ କ’ଣ ଉତ୍ପାଦନ ହ୍ରାସ?

ଆଳୁ ଓ ପିଆଜ ଆମ ହାଣ୍ଡିଶାଳର ଅତି ଅପରିହାର୍ଯ୍ୟ ଦୁଇଟି ପରିବା। ଆଳୁ ଓ ପିଆଜ ରାଜ୍ୟର ଖାଉଟିମାନଙ୍କୁ ଆବଶ୍ୟକ ମତେ ଯୋଗାଇ ଦେବା ଯେ କୌଣସି ରାଜ୍ୟ ପ୍ରଶାସନର ପ୍ରଥମ କର୍ତ୍ତବ୍ୟ। ସେଥିପାଇଁ ଆଳୁ ମିସନ ହେଲା ଓ ପିଆଜ ଉତ୍ପାଦନ ପାଇଁ ଯୋଜନା ପ୍ରସ୍ତୁତ ହେଲା; କିନ୍ତୁ ସ୍ଥିତି କ’ଣ ? ୨୦୧୫-୧୬ରେ ଆଳୁ ଉତ୍ପାଦନ ୨.୭୪ ଲକ୍ଷ ଟନ୍ ଓ ପିଆଜ ଉତ୍ପାଦନ ୩.୬୯ ଲକ୍ଷ ଟନ୍ ହୋଇଥିବାବେଳେ ୨୦୨୦-୨୧ରେ ହୋଇଛି ଯଥାକ୍ରମେ ୨.୯୭ ଲକ୍ଷ ଟନ୍ ଓ ୩.୫୦ ଲକ୍ଷ ଟନ୍। ଆମେ ପଶ୍ଚିମବଙ୍ଗ ଓ ନାସିକ ପାଖରେ ଆଳୁ ଓ ପିଆଜ ପାଇଁ ହାତ ପତାଉଛୁ। ଏହା ହେଉଛି ଆମର ସ୍ବତନ୍ତ୍ର କୃଷି ବଜେଟର ଫଳ। କୃଷି ବଜେଟ୍ ହେଉଛି କୃଷି, ସମବାୟ, ମତ୍ସ୍ୟ ଓ ପଶୁପାଳନ ଏବଂ ଜଳସମ୍ପଦ ବିଭାଗର ସମାରୋହ। କୃଷି ବଜେଟର ମୁଖ୍ୟ ଭାଗ ଜଳସମ୍ପଦ ବିଭାଗ ପାଇଁ ଖର୍ଚ୍ଚ ହୁଏ। ଗତ ଦଶ ବର୍ଷର ମୋଟ କୃଷି ବଜେଟର ୫୧ ଭାଗରୁ ଊର୍ଦ୍ଧ୍ବଭାଗ କେବଳ ଜଳସମ୍ପଦ ବିଭାଗ ପାଇଁ ବ୍ୟୟ ହୋଇଛି; କିନ୍ତୁ ଫଳ କାହିଁ? ଜଳ ସମ୍ପଦ ବିଭାଗ ରିପୋର୍ଟ କହେ ପ୍ରତିବର୍ଷ କେତେ ଜଳସେଚନର ଉତ୍ସ ସୃଷ୍ଟି ହେଉଛି। କେବଳ ଉତ୍ସ ସୃଷ୍ଟି କଲେ କ’ଣ ଚାଷର ଲାଭ ହେବ?

ଜଳଭଣ୍ଡାରରୁ କେନାଲ ଖୋଳା ହୋଇ ଜମିରେ ପାଣି ନମାଡିଲେ ଟଙ୍କା ମାଟିରେ ପୋତି ଦେବା ସହ ସମାନ। ୨୦୧୩-୧୪ରେ ଯେତେ ଜଳ ଉତ୍ସ ସୃଷ୍ଟି କରାଯାଇଥିଲା ତାହାର ୭୨ ଭାଗ ଜଳସେଚନ ପାଇଁ ବ୍ୟବହାର ହେଉଥିବାବେଳେ ୨୦୨୧-୨୨ରେ ହ୍ରାସ ପାଇ ପହଞ୍ଚିଛି ୬୬.୦୪ ପ୍ରତିଶତରେ।

ଗତ ଦଶ ବର୍ଷର ବଜେଟରେ ଜଳସମ୍ପଦ ବିଭାଗ ପାଇଁ ମୋଟ ବ୍ୟୟ ବରାଦ ହୋଇଛି ୭୭ ହଜାର ୪୩୬ କୋଟି ଟଙ୍କା। ୨୦୧୩-୧୪ ଆର୍ଥିକ ବର୍ଷରେ ଖରିଫ ଓ ରବି ଋତୁ ମିଶାଇ ୩୫.୨୧ ଲକ୍ଷ ହେକ୍ଟରକୁ ଜଳ ଯୋଗାଇ ଦିଆ ଯାଇଥିବା ବେଳେ ୨୦୨୧-୨୨ରେ ତାହା ପହଞ୍ଚିଛି ୪୨.୫୩ ଲକ୍ଷ ହେକ୍ଟରରେ। ଆଠ ବର୍ଷରେ ଜଳସମ୍ପଦ ବିଭାଗ ଅନୁଯାୟୀ ଜଳସେଚିତ ଜମିର ପରିମାଣ ବଢିଲା ମାତ୍ର ୭.୩୨ ଲକ୍ଷ ହେକ୍ଟରରେ। ଅର୍ଥାତ୍‌ ବର୍ଷକୁ ଏକ ଲକ୍ଷ ହେକ୍ଟର ଜମିରେ ଵି ଜଳସେଚନ ହୋଇପାରିଲା ନାହିଁ। ଜଳସମ୍ପଦ ବିଭାଗ ଯେତିକି ଜମିରେ ପାଣି ମାଡ଼ୁଛି ବୋଲି କହନ୍ତି ସେତିକି ଜମିରେ ପାଣି ମାଡେ ନାହଁ ବୋଲି ଚାଷୀମାନେ ଅଭିଯୋଗ କରିଥାନ୍ତି। ପରିସଂଖ୍ୟାନ ଓ ଅର୍ଥନୀତି ନି‌େ‌ର୍ଦଶାଳୟ ଦ୍ବାରା କୃଷି ଗଣନା ଭିନ୍ନ ପରିସଂଖ୍ୟାନ ଦିଏ। ରାଜ୍ୟରେ କେବଳ ୨୭ ପ୍ରତିଶତ ଫସଲ ଚାଷ ହେଉଥିବା ଜମିରେ ଜଳସେଚନ ହେଉଛି ବୋଲି ୨୦୧୫-୧୬ କୃଷି ଗଣନା ରିପୋର୍ଟ କହେ। ଆଶା କରାଯାଉଥିଲା ବଜେଟ ଭାଷଣରେ କେବିକେ ଅଞ୍ଚଳରେ ଏକ କୃଷି ବିଶ୍ବବିଦ୍ୟାଳୟ ସ୍ଥାପନ ହେବ ବୋଲି ଘୋଷଣା କରିବେ; କିନ୍ତୁ କେବିକେ ଅଞ୍ଚଳ ଚାଷୀଙ୍କୁ ନିରାଶ କଲେ ଅର୍ଥମନ୍ତ୍ରୀ।

ସ୍ବତନ୍ତ୍ର କୃଷି ବଜେଟକୁ ଅନୁଧ୍ୟାନ କଲେ ଜଣାଯାଏ, ସେଥିରେ ପୂର୍ବ ବଜେଟ ତୁଳନାରେ କିଛି ନୂତନତ୍ବ ନଥାଏ, ଚିରାଚରିତ ପ୍ରଥାରେ ଖାଲି ପୂର୍ବ ବର୍ଷ ତୁଳନାରେ କିଛି ଅଧିକ ବ୍ୟୟ ବରାଦ ହୋଇଥାଏ। ଏପରି ଦଶ କଣ ପଚାଶ ବଜେଟ କଲେ ବି ଜନସାଧାରଣଙ୍କ ଝାଳବୁ଼ହା ଧନ ବ୍ୟୟ ହେଉଥିବ ସିନା, ଚାଷୀ ମହର୍ଗରୁ ଯାଇ କାନ୍ତାରରେ ପଡୁଥିବ।

Comments are closed.