www.samajalive.in
Friday, December 5, 2025
26.1 C
Bhubaneswar

ଅନ୍ଧାରେ ନ ହୁଡ଼ ପଥ

ଆଲୋକ ସବୁଠି ପୂରି ରହିଛି; ତାହାର ସନ୍ଧାନ ଓ ପ୍ରାପ୍ତି ହିଁ ସାଧନା ଓ ସିଦ୍ଧି। ଆଲୋକ ଅଛି ନିଜ ଭିତରେ। ପ୍ରତ୍ୟେକ ସେହି ଦିବ୍ୟଜ୍ୟୋତିର ଧାରକ ଓ ବାହକ।

ଆମ ଆଗରେ ଦୁଇଟି ସ୍ଥିତି, ଦୁଇଟି ସମ୍ଭାବନା। ଅନ୍ଧାର ଓ ଆଲୋକ। ଆମେ କାହାକୁ ପସନ୍ଦ କରିବା, ତାହା ଆମ ଉପରେ ନିର୍ଭର କରେ। ସରଳରେ କହିବାକୁ ଗଲେ ଆଲୋକ ହିଁ ଅଭିପ୍ରାୟ ହେବା ବିଧେୟ; କିନ୍ତୁ ସର୍ବଦା ସର୍ବତ୍ର ଏହା ହୁଏ ନାହିଁ ବୋଲି ଜଗତରେ ସକଳ ପ୍ରକାର ବିଭ୍ରାଟ ଓ ବିସଂଗତି। ଏହାର କାରଣ ହେଉଛି ଅନ୍ଧାର ଅନେକ ସମୟରେ ଲୋଭନୀୟ ମନେ ହୁଏ। ଅନ୍ଧାରର ଆମନ୍ତ୍ରଣକୁ ଏଡ଼ାଇବା ଏତେଟା ସହଜ ନୁହେଁ। ଅନ୍ଧାର ଅବସ୍ତୁ ଅର୍ଜନର ଆଧାର ହେଇଯାଏ ଯାହା ବେଳେବେଳେ ପରିପୂର୍ଣ୍ଣ ପରିଦୃଷ୍ଟ ହେଲେ ମଧ୍ୟ ବାସ୍ତବରେ ଥାଏ ଅର୍ଥହୀନ, ଅବାନ୍ତର ଶୂନ୍ୟତା। ଅନ୍ଧାର ପୁଣି ଅନ୍ଧାର ଉତ୍ପନ୍ନ କରେ। କ୍ରମଶଃ ଗାଢ଼ ହୁଏ ଅନ୍ଧାର ଏବଂ ସେ ଭଉଁରିରୁ ମୁକୁଳିବା କଷ୍ଟକର। ଏଣୁ ଆମର ଚିରନ୍ତନ ପ୍ରାର୍ଥନା ହେଉଛି, ତମସୋ ମା ଜ୍ୟୋତିର୍ଗମୟ। ଅନ୍ଧାରରୁ ଆଲୋକକୁ ଯିବା ହିଁ ଆମର ଈପ୍‍ସିତ ଲକ୍ଷ୍ୟ, ପଥ ଓ ଠିକଣା। ଏହି କଥାକୁ ଆମର ଶାସ୍ତ୍ର ପୁରାଣ କେତେ ବାଗରେ ବୁଝାଇ ଚାଲିଛନ୍ତି। ତେବେ ବି ଅନ୍ଧାରର ଆକର୍ଷଣ ଓ ଆକ୍ରମଣରୁ ମଣିଷ ବର୍ତ୍ତି ପାରିନାହିଁ। ଏତେ ବର୍ଷର ଯାତ୍ରା ପରେ ମଧ୍ୟ ମଣିଷର ଦିଗ୍‍ବଳୟ ଆଲୋକରେ ଉଦ୍‍ଭାସିତ ନହେବା ସତରେ ବିଡ଼ମ୍ବନାର ବିଷୟ।
ଅନ୍ଧାର କ’ଣ ? ଆଲୋକ କ’ଣ ? ଅନ୍ଧାର ଅସତ୍ୟ ହେଲା ବେଳେ ଆଲୋକ ହେଉଛି ସତ୍ୟ। ଅନ୍ଧାର ଅଳୀକ ଏବଂ ଆଲୋକ ଶାଶ୍ୱତ। ଯିଏ ଥରେ ଶାଶ୍ୱତକୁ ସ୍ୱୀକାର କରି ଜୀବନର ସ୍ରୋତ କରିଦେଇଛି, ସେ ଅଳୀକର ଆବର୍ତ୍ତରେ କଦାପି ପଡ଼ିବ ନାହିଁ। ଯେ ଆଲୋକକୁ ଆପ୍ରାଣ ଆପଣେଇଛି, ତା ପାଖରେ ଅନ୍ଧାର ଅନୁପସ୍ଥିତ। ଦୃଶ୍ୟମାନ ଆଲୋକର ଅସରନ୍ତି ଉତ୍ସ ସୂର୍ଯ୍ୟଙ୍କ ପାଖରେ ଅଭିଯୋଗ ପହଞ୍ଚିଲା ଯେ ସେ ଅନ୍ଧାରକୁ ବିନାଶ କରି ଦେଉଛନ୍ତି। ଏଣୁ ଅନ୍ଧାରର ଅଶେଷ ଦୁଃଖ। ସୂର୍ଯ୍ୟ କହିଲେ; ଅନ୍ଧାର କ’ଣ ? କିଭଳି ତା’ର ରୂପ। ମୁଁ ଜାଣିନାହିଁ। ମୁଁ ଥରେ ଦେଖିବାକୁ ଚାହେଁ; କିନ୍ତୁ ସୂର୍ଯ୍ୟଙ୍କ ସାମ୍ନାରେ କ’ଣ ଅନ୍ଧାର ଅସ୍ତିତ୍ୱ ବଜାୟ ରଖିପାରିବ। ଏଣୁ ଆଲୋକରେ ପ୍ରକାଶିତ ଜୀବନକୁ ଅନ୍ଧାର କେବେ ବି ସ୍ପର୍ଶ କରିପାରବ ନାହିଁ। ଏହି ମର୍ମକୁ ଜୀବନର ଧର୍ମ କରିପାରିଲେ ଜୀବନ ପରିଣତ ହେବ ପରମରେ ଯାହାର ଭୂରି ଭୂରି ପ୍ରମାଣ ରହିଛି ଆମ ସ୍ମୃତି ଓ ଐତିହ୍ୟ ସନ୍ଦର୍ଭରେ।
ଆଲୁଅ କେଉଁଠୁ ଆସେ ? ଏ ସମ୍ପର୍କରେ ଛୋଟ କଥାଟିଏ ଯାହାର ଭାବାର୍ଥ ସକଳ ଉପଲବ୍ଧିର ଉତ୍ସ। ଦୀପଟିଏ ଜଳୁଥିଲା। ପ୍ରଶ୍ନ କରାଗଲା, ଦୀପର ଆଲୋକ କେଉଁଠୁ ଆସିଲା। ତାକୁ ନେଇ ଅନେକ ତର୍କ ବିତର୍କ ଶାସ୍ତ୍ରାଲୋଚନା ଓ ମାନସ ମନ୍ଥନ। ଅନେକ ପଥ, ଅନେକ ମତ, ଅନେକ ତତ୍ତ୍ୱ। ଛୋଟ ପିଲାଟିଏ ଆସି ଦୀପଟିକୁ ଫୁଙ୍କି ଲିଭେଇ ଦେଲା ଏବଂ କହିଲା; ଆଲୋକ ଯେଉଁଠୁ ଆସିଥିଲା, ସେଇଠିକୁ ଚାଲିଗଲା। ସତ୍ୟ ସତରେ ଖୁବ୍‍ ସରଳ ଏବଂ ଆମେ ତାକୁ ସବୁବେଳେ ଜଟିଳ କରିଥାଉ। ଅନ୍ଧାରରେ ବାଡ଼ି ବୁଲାଉ। ଅରମାରେ ଘାଣ୍ଟି ହେଉ। ଆଲୋକ ହିଁ ସତ୍ୟ ଏବଂ ଏହି ସତ୍ୟ ସହ ସନ୍ନିହିତ ହେଲେ ଜୀବନ ସାର୍ଥକ ହୁଏ।
ଆଲୋକ ହିଁ ଈଶ୍ୱର ଯିଏ ବିଭିନ୍ନ ପ୍ରକାରେ ପ୍ରକାଶିତ ଓ ଉପସ୍ଥିତ ସାରା ସର୍ଜନାରେ। ଭଗବାନ ଶ୍ରୀକୃଷ୍ଣ ଗୀତାରେ କହୁଛନ୍ତି:
ଯଦାଦିତ୍ୟଗତଂ ତେଜୋ ଜଗଦ୍‍ଭାସୟତେଖିଳମ୍‍।
ଯଚ୍ଚନ୍ଦ୍ରମସି ଯଚ୍ଚାଗ୍ନୌ ତତ୍ତେଜୋ ବିଦ୍ଧି ମାମକମ୍‍।। (୧୫/୧୨)
ସୂର୍ଯ୍ୟଙ୍କଠାରେ ଥିବା ଯେଉଁ ତେଜ ସମସ୍ତ ଜଗତକୁ ପ୍ରକାଶିତ କରୁଛି ତଥା ଯେଉଁ ତେଜ ଚନ୍ଦ୍ରମାରେ ଅଛି ଓ ଯାହା ଅଗ୍ନିରେ ରହିଛି, ତାହାକୁ ତୁମେ ମୋର ତେଜ ବୋଲି ଜାଣ। ମନୋଗତ କାମନାଗୁଡ଼ିକ ଯେପରି ମନର ଧର୍ମ ବା ସ୍ୱରୂପ ନୁହେଁ, ବରଂ ଆଗନ୍ତୁକ, ସେହିପରି ସୂର୍ଯ୍ୟଙ୍କଠାରେ ସ୍ଥିତ ତେଜ ସୂର୍ଯ୍ୟଙ୍କର ସ୍ୱରୂପ ବା ଧର୍ମ ନୁହେଁ, ତାହା ଆଗନ୍ତୁକ ଅର୍ଥାତ୍‌ ସେହି ତେଜ ସୂର୍ଯ୍ୟଙ୍କର ‘ସ୍ୱ’ ତେଜ ନୁହେଁ, ବରଂ ତାହା ଭଗବାନଙ୍କଠାରୁ ଆସିଛି। ଆଲୋକ ହିଁ ଭଗବାନ। ବିଶ୍ୱରୂପ ଦର୍ଶନ ପରେ ଅର୍ଜୁନଙ୍କର ଅନୁଭବ ହେଇଛି: ଦିବି ସୂର୍ଯ୍ୟସହସ୍ରସ୍ୟ ଭବେଦ୍‍ଯୁଗପଦୁତ୍‍ଥିତା। ଯଦି ଭାଃ ସଦୃଶୀ ସା ସ୍ୟାଦ୍‍ଭାସସ୍ତସ୍ୟ ମହାତ୍ମନଃ। (୧୧/୧୨) ଏହି ଯେ ଭଗବାନଙ୍କର ବିଶ୍ୱରୂପ, ତାହା ଦେଖିବା ତ ଦୂରର କଥା। ତାହା ମନ ଓ କଳ୍ପନାର ବାହାରେ କେବଳ ଜ୍ଞାନ ବଳରେ ହିଁ ଜଣାଯାଏ। ଆକାଶରେ ଏକ ସଙ୍ଗେ ସହସ୍ର ସୂର୍ଯ୍ୟ ଉଦିତ ହେଲେ ଯେଉଁ ଜ୍ୟୋତି ଉତ୍ପନ୍ନ ହେବ ତାହା ସେହି ବିଶ୍ୱରୂପ ପରମାତ୍ମାଙ୍କର ଜ୍ୟୋତି ସଦୃଶ କଦାଚିତ୍‌ ହୋଇପାରିବ ନାହିଁ। ସହସ୍ର ସୂର୍ଯ୍ୟଙ୍କର ଜ୍ୟୋତି ମିଶିଲେ ବି ତାହା ଭୌତିକ; କିନ୍ତୁ ଭଗବାନଙ୍କର ଜ୍ୟୋତି ଭୌତିକ ନୁହେଁ, ଦିବ୍ୟ।
ଆହୁରି ସ୍ପଷ୍ଟ କରିବାକୁ ଯାଇ ଭଗବାନ କହୁଛନ୍ତି : ତେଷାମେବାନୁକଂପାର୍ଥ ମହମଜ୍ଞାନଜଂ ତମଃ। ନାଶୟାମ୍ୟୋତ୍ମଭାବସ୍ଥୋ ଜ୍ଞାନଦୀପେନ ଭାସ୍ୱତା। (୧୦/୧୧) ହେ ଅର୍ଜୁନ ! ସେମାନଙ୍କ ଉପରେ ଅନୁଗ୍ରହ କରିବାକୁ ସେମାନଙ୍କ ଅନ୍ତଃକରଣରେ ଅବସ୍ଥିତ ହେଲେ ମୁଁ ନିଜେ ହିଁ ଆଲୋକମୟ ତତ୍ତ୍ୱଜ୍ଞାନରୂପୀ ଦୀପ ଦ୍ୱାରା ସେମାନଙ୍କର ଅଜ୍ଞାନ ଜନିତ ଅନ୍ଧକାରକୁ ନାଶ କରିଥାଏ।
ଆଲୋକ ସବୁଠି ପୂରି ରହିଛି। ତାହାର ସନ୍ଧାନ ଓ ପ୍ରାପ୍ତି ହିଁ ସାଧନା ଓ ସିଦ୍ଧି। ଆଲୋକ ଅଛି ନିଜ ଭିତରେ। ପ୍ରତ୍ୟେକ ସେହି ଦିବ୍ୟ ଜ୍ୟୋତିର ଧାରକ ଓ ବାହକ। ବେଦର ଉଦ୍‍ଘୋଷଣା: ଚରୈବେତି ଚରୈବେତି। ଅଗ୍ନିମୀଡ଼େ ପୁରୋହିତେ – ତୁମ ଅଭୀପ୍‍ସାର ଅଗ୍ନିକୁ ଜାଳି ତା’ର ଆଲୋକରେ ଆଗେଇ ଚାଲ। ଭଗବାନ ବୁଦ୍ଧଙ୍କ ମହାପ୍ରସ୍ଥାନ ସମୟରେ ଆନନ୍ଦ ପଚାରିଲେ; ଆପଣଙ୍କ ଅବର୍ତ୍ତମାନରେ ଆମେ କେଉଁଠୁ ଆଲୋକ ପାଇବୁ। ଆମକୁ ଦିଶା ଦେଖାଇବ କିଏ ? ଭଗବାନ ବୁଦ୍ଧ କହିଲେ, ଅପ୍ପଦୀପୋ ଭବ। ନିଜେ ହିଁ ନିଜର ଆଲୋକ। ସେହିପରି ଜନକ ଓ ଯାଜ୍ଞବଳ୍‌କ୍ୟ ସମ୍ବାଦରେ ଶେଷରେ ନିର୍ଣ୍ଣିତ ନିଷ୍କର୍ଷ ହେଉଛି ଯେ ସ୍ୱୟଂ ଆଲୋକର ଉତ୍ସ। ପ୍ରତ୍ୟେକ ଅଧ୍ୟାତ୍ମ ଦର୍ଶନର ସାରାଂଶ ହେଉଛି ଆତ୍ମଦର୍ଶନ ଓ ଆତ୍ମାନୁଭବ। ଭ୍ରମଣର ଠିକଣା ଅଛି ନିଜ ଭିତରେ। ନିଜ ଭିତରର ଆଲୋକକୁ ସଂଚାରିତ କଲେ ପଥ ହେବ ଆଲୋକିତ। ଅନ୍ଧାରରେ ପଥ ହୁଡ଼ିବାର କାରଣ ନାହିଁ। ମହର୍ଷି ଅରବିନ୍ଦ ତାଙ୍କ ଭାଷାରେ ପ୍ରକାଶ କରିଛନ୍ତି : ‘The Life you lead conceals the light you are’। କସ୍ତୁରୀ ମୃଗ ଯେମିତି କସ୍ତୁରୀ ବାସ୍ନାରେ ପାଗଳ ପ୍ରାୟ ଏଣେତେଣେ ବୁଲି ହତାଶ ହୁଏ, ସେହିପରି ମଣିଷ ଅନେକ ସମୟରେ ଆଲୋକ ପାଇଁ ଆକ୍ତାମାକ୍ତା ହୁଏ। ନିଜ ଭିତରକୁ ଦେଖିବାକୁ ଭୁଲିଯାଏ। ରୁମି କହୁଛନ୍ତି: ଯଦି ତୁମ ଭିତରେ ଆଲୋକ ଅଛି, ଯେତେ ଅନ୍ଧାର ଥାଉ ପଛକେ, ଘରକୁ ଫେରିବାକୁ ଅସୁବିଧା କେଉଁଠି ?
ଆଲୋକ ଆକର୍ଷଣ କରେ ଆଲୋକକୁ। ଆଲୋକର ସଂକ୍ରମଣ ପ୍ରକ୍ରିୟାରେ ଅନ୍ଧାର ଦୂରୀଭୂତ ହୋଇଯାଏ। ଏହି ପ୍ରକ୍ରିୟା ଯେତେ ତ୍ୱରାନ୍ୱିତ ହୋଇପାରିବ ସେତେ ମଙ୍ଗଳ। ସବୁବେଳେ ଅନ୍ୟ ଭିତରେ ଉପସ୍ଥିତ ଆଲୋକକୁ ଦେଖିବା ଦରକାର ଏବଂ ସେ ଆଲୋକ ସଚେତନ କରାଇବା ହିଁ ଅଧ୍ୟାତ୍ମମାର୍ଗ। ଥରେ ଆଲୋକ ମିଳିଗଲେ; ମଣିଷ ଅନ୍ଧାରକୁ ଆଉ ଡରିବ ନାହିଁ। ଆନନ୍ଦ ଓ ଆଲୋକମୟ ହୋଇଯିବ ଜୀବନ ଏବଂ ଏହି ଉପଲବ୍ଧି ମଣିଷ ମଣିଷ ମଧ୍ୟରେ ଏକାତ୍ମଭାବ ସୃଷ୍ଟି କରିବ ଯାହା ଭାରତୀୟ ଦର୍ଶନର ଭାବଭୂମି ଓ ଭାବସମ୍ପଦ।
ଖଲିଲ ଜିବ୍ରାନ କହୁଛନ୍ତି: ସୌନ୍ଦର୍ଯ୍ୟ ଆଉ କ’ଣ କି! ହୃଦୟରେ ଥିବା ଆଲୋକ ଟିକକ ଏବଂ ଏହି ସୌନ୍ଦର୍ଯ୍ୟର ଯେ ସନ୍ଧାନୀ, ତା’ ପାଇଁ ଜଗତ ସୁନ୍ଦର ଓ ବିଶ୍ୱ ମଧୁମୟ। ଶ୍ରୀମା କହୁଛନ୍ତି ଆଲୋକ, ସତ୍ୟ, ଶାନ୍ତି, ସୌନ୍ଦର୍ଯ୍ୟ ଆଦି ସକଳ ସକାରାତ୍ମକ ସମ୍ପଦ ଓ ବିଭବ ଆମ ପାଖରେ ଅଛନ୍ତି। ଅବ୍ୟକ୍ତ ବ୍ୟକ୍ତ ହେବାକୁ ଚାହେଁ। ସେମାନେ ଅବତରଣ ଚାହାନ୍ତି। ସେମାନଙ୍କ ଅବତରଣ ପାଇଁ ଅନୁକୂଳ ପରିବେଶ ନିର୍ମାଣ ହେବା ଦରକାର। ଜୀବନ ଆଲୋକାଧୀନ ହୋଇପାରିଲେ, ଆଲୋକ ଦ୍ୱାରା ପରିଚାଳିତ ହୋଇପାରିଲେ, ପୃଥିବୀ ହେଇପାରିବ ସତ୍ୟ, ଶିବ ଓ ସୁନ୍ଦରର ଚଳନ୍ତି ମନ୍ଦିର। ପୃଥିବୀର ଅକ୍ଷପଥ ଓ କକ୍ଷପଥରୁ ଝରିବ ଅମୃତର ଧାରା।
ଆମ ଭାରତୀୟ ଚଳଣି ଓ ପରମ୍ପରାରେ ଆମେ ଆଲୋକର ଆବାହନ କରିଆସିଛେ। ଏହା ଏକାଧିକ ପର୍ବପର୍ବାଣି ସାମାଜିକ ଆଚାର ବ୍ୟବହାରରେ ପାଳିତ ହେଉଛି। କାଳକ୍ରମେ ତତ୍ତ୍ୱ କେବଳ ଉପଚାରରେ ପରିଣତ ହୋଇଛି। ଯାହାଫଳରେ ଆମେ ଅସଲ ଅର୍ଥ ପାଖରେ ପହଞ୍ଚି ପାରୁନାହାନ୍ତି। ଏହା ଉପରୁ ପରଦା ହଟାଇ ମୂଳ ଉଦ୍ଦେଶ୍ୟ ପାଖରେ ପହଞ୍ଚିବାକୁ ହେବ। ଦୀପଟିଏ ଲଗାଇବା ଯେତିକି ଗୁରୁତ୍ୱପୂର୍ଣ୍ଣ, ତା’ଠୁ ବେଶୀ ଗରୀୟାନ ହେଉଛି ପ୍ରଦୀପ ପଜ୍ଜ୍ୱଳନର ଭାବାର୍ଥକୁ ଆପଣେଇବା। ଆଲୋକ ତ ଆଲୋକ, ତେବେ ଏହା ଯେ ଯୁଗ ଯୁଗର ଅନ୍ଧାରକୁ ଧ୍ୱଂସ କରିପାରେ ଏବଂ ସତ୍ୟର ସାମ୍ନାସାମ୍ନି କରାଇପାରେ, ତାହା ହୃଦୟଙ୍ଗମ କରି ଜୀବନରେ ପ୍ରୟୋଗ କରିବା ଦରକାର।
ସାରା ଭାରତ କ’ଣ ସାରା ପୃଥିବୀରେ ଏବେ ଦୀପାବଳି ପର୍ବ ପାଳିତ ହେଉଛି। ତେବେ ଓଡ଼ିଶାରେ ଥିବା ଏକ ଅର୍ଥପୂର୍ଣ୍ଣ ଅନନ୍ୟ ପରମ୍ପରା ବୋଧେ ବିଶେଷ ଜାଗାରେ ନାହିଁ। ବଡ଼ବଡ଼ୁଆ ଡକା। କାଉଁରିଆ କାଠି ଜାଳି ପୂର୍ବପୁରୁଷଙ୍କୁ ଉଚ୍ଚାରଣ ସହ ଆହ୍ୱାନ କରି ଆଲୁଅର ପଥ ଦେଖେଇବା। ସେଥିପାଇଁ ତ ଓଡ଼ିଶା, ପୃଥିବୀର ଦୀପଶିଖା। ବଡ଼ବଡ଼ୁଆଙ୍କୁ ଆଲୋକ ଦେଖାଇବା ସହ ନିଜେ ଆଲୋକିତ ହୋଇପାରିଲେ ଜୀବନ ସାର୍ଥକ ହେଇଯିବ। ଯେମିତି ହେଇଥିଲା ପ୍ରବେଶ, ସେମିତି ହେଉ ପ୍ରସ୍ଥାନ। ଆଲୋକରୁ ଆସିଥିଲେ, ଆଲୋକକୁ ଫେରିଯିବା ଏବଂ ଏଠି ଛାଡ଼ିଯିବା ଆଲୋକିତ ଆୟୁଷ କାଳର କପାଳରେ ଉଜ୍ଜ୍ୱଳ ଟିକା ପରି। Travel light, Live Light, Spread Light; Be the Light. ଆଉ କିଛି ହେଉ ବା ନ ହେଉ; ଆସ ଆଲୁଅ ହେଇଯିବା। ପ୍ରତ୍ୟେକ ପାର୍ଶ୍ବରୁ ଆଲୋକକୁ ଆହ୍ୱାନ କରିବା, ଆଲିଙ୍ଗନ କରିବା।

- Advertisement -

ଗଣେଶୀ ଲାଲ

ରାଜ୍ୟପାଳ, ଓଡ଼ିଶା

Hot this week

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

ଏଏନଏମ୍‌ ପ୍ରଶ୍ନ ପତ୍ର ଲିକ୍‌ ପରେ ପରୀକ୍ଷା ବାତିଲ

ମାଲକାନଗିରି: ମାଲକାନଗିରି ଜିଲାରେ ଏଏନଏମ୍‌ ପରୀକ୍ଷା ପ୍ରଶ୍ନ ପତ୍ର ଲିକ୍ ହେବା...

Related Articles

Popular Categories