www.samajalive.in
Friday, December 5, 2025
27.1 C
Bhubaneswar

ସହଯୋଗିତାର ସମୟ

ସଂଶୋଧିତ ନୀତି ଅନୁଯାୟୀ ଟିକା ଅଭିଯାନର ପ୍ରଥମ ଦିନର ସଫଳତାକୁ ଆଗକୁ ମଧ୍ୟ ବଜାୟ ରଖିବାକୁ ପଡ଼ିବ

ଦେଶରେ ସଂଶୋଧିତ ନୂଆ ଟିକା ନୀତି କାର୍ଯ୍ୟକାରୀ ହେବାର ପ୍ରଥମ ଦିନରେ ହିଁ ସୁଫଳ ଦେଖିବାକୁ ମିଳିଛି, ଯାହା ଆଶ୍ବାସନାର କଥା। ମଙ୍ଗଳବାର କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପ୍ରଦାନ କରିଥିବା ତଥ୍ୟ ଅନୁଯାୟୀ ସୋମବାର ସମଗ୍ର ଦେଶରେ ମୋଟ ୮୬.୧୬ ଲକ୍ଷ ପାନ ଟିକା ଦିଆଯାଇଥିଲା। ଏ ପର୍ଯ୍ୟନ୍ତ ମୋଟ ୨୮.୮୭ କୋଟି ପାନ ଟିକା ଦିଆଯାଇଛି। ଦେଶ ଏପରି ଦୈନିକ ଟିକାକରଣ ଲକ୍ଷ୍ୟକୁ ଅନେକ ଦିନ ପୂର୍ବରୁ ହିଁ ହାସଲ କରିପାରିଥାନ୍ତା; କିନ୍ତୁ ବିଡ଼ମ୍ବନା ଯେ କେନ୍ଦ୍ର ସରକାରଙ୍କ ତ୍ରୁଟିପୂର୍ଣ୍ଣ ଟିକାକରଣ ନୀତି ସେଥିରେ ପ୍ରତିବନ୍ଧକ ସାଜିଲା। ଆମେ ଗୁରୁତ୍ବପୂର୍ଣ୍ଣ ସମୟକୁ ଅଯଥାରେ ବରବାଦ କଲୁ କହିଲେ ଅତ୍ୟୁକ୍ତି ହେବନାହିଁ। ଅନ୍ୟ ରାଷ୍ଟ୍ର ପରି ଯଥେଷ୍ଟ ପୂର୍ବରୁ ସମସ୍ତ ଦେଶବାସୀଙ୍କ ନିମନ୍ତେ ଟିକା ତିଆରି ନିମନ୍ତେ ବରାଦ ଦେବାରେ ବିଫଳତା ଏହାର ଅନ୍ୟତମ ପ୍ରମୁଖ କାରଣ। ଭଲ କଥା ଯେ କେନ୍ଦ୍ର ସରକାର ତ୍ରୁଟି ସୁଧାରି ତାଙ୍କ ଟିକା ନୀତିରେ ସଂଶୋଧନ ଆଣିଛନ୍ତି ଏବଂ ଟିକା ଉତ୍ପାଦନ ଓ ଯୋଗାଣ ଉପରେ ଏବେ ଦୃଷ୍ଟି ନିବଦ୍ଧ କରିଛନ୍ତି। ତେବେ ଟିକା ଉତ୍ପାଦକ ସଂସ୍ଥାଗୁଡ଼ିକ ପୂର୍ବରୁ ଚାହିଦା ଅନୁସାରେ ଟିକା ଯୋଗାଣ ନେଇ ସଂଶୟ ପ୍ରକାଶ କରିଥିବାରୁ ସରକାର ଯେଉଁ ବିକଳ୍ପମାନ ଚିନ୍ତା କରିଛନ୍ତି, ତାକୁ ସୁନିଶ୍ଚିତ କରିବା ଦରକାର; ନଚେତ୍‌ ଗୋଟିଏ ଦିନରେ ସର୍ବାଧିକ ଟିକା ଦେଇ ଖୁସି ହେବା ବା ଅଭିନନ୍ଦନ ଜଣାଇବା ନିରର୍ଥକ ହୋଇଯିବ। ଆଗକୁ ପ୍ରତ୍ୟେକ ଦିନ ଏହି ସଂଖ୍ୟକ ବା ଏହାଠୁ ଅଧିକ ଟିକାକରଣ କରିବାକୁ ହେବ। ବୈଜ୍ଞାନିକଙ୍କ କୋଭିଡ଼ ମହାମାରୀର ତୃତୀୟ ତରଙ୍ଗ ଚେତାବନୀ ପରିପ୍ରେକ୍ଷୀରେ ଏହା ଅଧିକ ମହତ୍ତ୍ବପୂର୍ଣ୍ଣ। ପ୍ରତ୍ୟେକ ରାଜ୍ୟକୁ ସେମାନଙ୍କ ଚାହିଦା ଅନୁସାରେ ଟିକା ଯୋଗାଇ ଦେବାକୁ ହେବ। ସେଥିରେ ବିଫଳ ହେଲେ ସମଗ୍ର ଟିକାକରଣ ଅଭିଯାନ ବିଫଳ ହୋଇଯିବ। ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, ମଙ୍ଗଳବାର ସୁଦ୍ଧା ୨.୧୪ କୋଟି ପାନ ଟିକା ରାଜ୍ୟଗୁଡ଼ିକ ପାଖରେ ରହିଛି ଓ ଆଗାମୀ ତିନି ଦିନ ଭିତରେ ୩୩ ଲକ୍ଷ ୮୦ ହଜାର ପାନ ଟିକା ଉତ୍ପାଦକଙ୍କଠାରୁ ମିଳିବ। ଅତଏବ ମୋଟ ଚାହିଦାକୁ ଦୃଷ୍ଟିରେ ରଖି ଉତ୍ପାଦନ ଓ ବଣ୍ଟନ ଉପରେ ଗୁରୁତ୍ବ ଦେବାକୁ ହେବ। ଅନ୍ୟପକ୍ଷରେ, କେତେକ ବୃହତ୍‌ ରାଜ୍ୟ ଟିକାକରଣରେ ଏବେ ବି ପଛରେ ପଡ଼ିଛନ୍ତି। ସ୍ବତନ୍ତ୍ର ଦୃଷ୍ଟି ସତ୍ତ୍ବେ ଉତ୍ତର ପ୍ରଦେଶ ପରି ୨୩ କୋଟି ଜନସଂଖ୍ୟା ବିଶିଷ୍ଟ ବୃହତ୍ତମ ରାଜ୍ୟରେ ନୂଆ ଟିକାକରଣ ଅଭିଯାନର ପ୍ରଥମ ଦିନରେ ପ୍ରାୟ ୭ ଲକ୍ଷ ପାନ ଟିକାଦାନ ଆଦୌ ଉତ୍ସାହଜନକ ନୁହେଁ। ମଧ୍ୟପ୍ରଦେଶ ଓ କର୍ଣ୍ଣାଟକ ଏ କ୍ଷେତ୍ରରେ ଆଖିଦୃଶିଆ ସଫଳତା ହାସଲ କରିଛନ୍ତି।
ସଂଶୋଧିତ ନୂଆ ଟିକା ନୀତି କାର୍ଯ୍ୟକାରୀ ହେବାର ପ୍ରଥମ ଦିନରେ ଆମ ରାଜ୍ୟରେ ମଧ୍ୟ ସର୍ବାଧିକ ୩ ଲକ୍ଷ ୩୨ ହଜାର ପାନ ଟିକା ଦିଆଯାଇପାରିଛି, ଯାହା ଧାର୍ଯ୍ୟ ଲକ୍ଷ୍ୟଠାରୁ ମଧ୍ୟ କିଛି ଅଧିକ। ଉଲ୍ଲେଖନୀୟ କଥା ହେଲା ଏହି ଦିନ ହିଁ ୧ କୋଟି ପାନ ଟିକାଦାନର ମାଇଲ୍‌ଖୁଣ୍ଟକୁ ବି ରାଜ୍ୟ ଅତିକ୍ରମ କରିଛି। ସବୁଠୁ ଗୁରୁତ୍ବପୂର୍ଣ୍ଣ ହେଲା, ଟିକା ବଞ୍ଚାଇବାରେ ଓ ବଳକା ଟିକାକୁ ବ୍ୟବହାର କରି ଅଧିକ ଲୋକଙ୍କୁ ଟିକାଦାନ କରିବାରେ ଓଡ଼ିଶା ସୁନାମ ଅର୍ଜନ କରିଛି। ଇତିମଧ୍ୟରେ ରାଜ୍ୟ ବିଯୁକ୍ତ ୩ ଶତାଂଶ ଅର୍ଥାତ୍‌ ୨ ଲକ୍ଷ ୯୦ ହଜାର ଟିକା ବଞ୍ଚାଇ ହିତାଧିକାରୀଙ୍କୁ ଦେଇଛି। ଏଥିପାଇଁ ଟିକାକରଣରେ ନିୟୋଜିତ ରାଜ୍ୟର ସ୍ବାସ୍ଥ୍ୟକର୍ମୀମାନେ ଧନ୍ୟବାଦାର୍ହ। ଏହା ସତ୍ତ୍ବେ ରାଜ୍ୟରେ ଟିକାକରଣକୁ ଆହୁରି ତ୍ବରାନ୍ବିତ କରିବାର ଆବଶ୍ୟକତା ରହିଛି। କେତେକ କ୍ଷେତ୍ରରେ କେନ୍ଦ୍ରର କୋ-ୱିନ୍‌ ଆପ୍‌ର ତଥ୍ୟ ସହ ରାଜ୍ୟ ସରକାରଙ୍କ ପ୍ରଦତ୍ତ ତଥ୍ୟର ତାଳମେଳ ରହୁନଥିବା ଦେଖାଯାଇଛି, ଯାହାକୁ ସୁଧାରିବା ଜରୁରୀ। ଟିକାକରଣ ଅଭିଯାନକୁ ସଫଳ କରିବାକୁ ହେଲେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ସୁସମନ୍ବୟ ଆବଶ୍ୟକ। କେନ୍ଦ୍ର ଯେହେତୁ ଟିକା ଯୋଗାଣର ଦାୟିତ୍ବ ନେଇଛି, ତା’ ଉପରେ ରାଜ୍ୟର ନିର୍ଭରଶୀଳତା ରହିବା ନିଶ୍ଚିତ। ଓଡ଼ିଶା ସରକାର ରାଜ୍ୟ ପାଇଁ ଘରୋଇ ଭାବେ ଦିଆଯିବାକୁ ଥିବା ୨୫ ଶତାଂଶ ଟିକାକୁ ହ୍ରାସ କରି ସରକାରଙ୍କ ଭାଗ ଅଧିକ କରିବାକୁ ଅନୁରୋଧ କରିଥିଲେ। ଏ ପ୍ରସ୍ତାବ ଅନେକ ଦୃଷ୍ଟିରୁ ଯୌକ୍ତିକ ହୋଇଥିବାରୁ ବିଚାରଣୀୟ।
କୋଭିଡ଼ ପରି ମହାମାରୀ ସମୟରେ କେନ୍ଦ୍ର ସରକାର ଓ କେତେକ ରାଜ୍ୟ ସରକାରଙ୍କ ମଧ୍ୟରେ ଯେମିତି ପାରସ୍ପରିକ ଦୋଷାରୋପ ଚାଲିଛି, ତାହା କୌଣସି ଦୃଷ୍ଟିରୁ ଦେଶପାଇଁ ଶୁଭଙ୍କର ନୁହେଁ। ନିଜନିଜର ନେତାଙ୍କୁ ସର୍ବଶ୍ରେଷ୍ଠ କହି କିମ୍ବା କୌଣସି କାର୍ଯ୍ୟ ପାଇଁ ନିଜେ ଶ୍ରେୟ ନେଇଯିବାକୁ ହାଇଁପାଇଁ ହେବା ଭଳି ଅସୁସ୍ଥ ପରମ୍ପରା ଦେଖିବାକୁ ମିଳୁଛି। ଏହା କେବଳ ସଂପୃକ୍ତ ରାଜନୈତିକ ଦଳଗୁଡ଼ିକର ମର୍ଯ୍ୟାଦାହାନି କରୁନାହିଁ, ଗଣତାନ୍ତ୍ରିକ ମୂଲ୍ୟବୋଧକୁ ମଧ୍ୟ କ୍ଷୁଣ୍ଣ କରୁଛି। ରାଜ୍ୟର କେତେକ ଜିଲାର ଟିକାକରଣ କେନ୍ଦ୍ରରେ ପ୍ରଧାନମନ୍ତ୍ରୀଙ୍କ ଛବି ବଦଳରେ ମୁଖ୍ୟମନ୍ତ୍ରୀଙ୍କ ଛବି ଲଗାଯିବା ଘଟନାକୁ କେନ୍ଦ୍ର କରି ଭାରତୀୟ ଜନତା ପାର୍ଟି ଓ ବିଜୁ ଜନତା ଦଳ ମଧ୍ୟରେ ସଂଘଟିତ ବାଦବିବାଦ ଏପରି ଏକ ନିକୃଷ୍ଟ ରାଜନୀତିର ଉଳ ଦୃଷ୍ଟାନ୍ତ। ଜନସାଧାରଣଙ୍କ ଜୀବନମରଣ ସମୟରେ ରାଜନୈତିକ ଦଳଗୁଡ଼ିକ କଙ୍କଡ଼ା ନ ସାଜି ପାରସ୍ପରିକ ବୁଝାମଣା ସହ ଲୋକଙ୍କୁ ସାହାଯ୍ୟ ସହାୟତା ଯୋଗାଇବା ଆବଶ୍ୟକ। ବର୍ତ୍ତମାନ ପ୍ରତିଦ୍ବନ୍ଦ୍ବିତାର ସମୟ ନୁହେଁ, ସହଯୋଗିତାର ସମୟ।

Hot this week

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

ଏଏନଏମ୍‌ ପ୍ରଶ୍ନ ପତ୍ର ଲିକ୍‌ ପରେ ପରୀକ୍ଷା ବାତିଲ

ମାଲକାନଗିରି: ମାଲକାନଗିରି ଜିଲାରେ ଏଏନଏମ୍‌ ପରୀକ୍ଷା ପ୍ରଶ୍ନ ପତ୍ର ଲିକ୍ ହେବା...

ଡ଼ଲାର ତୁଳନାରେ ଟଙ୍କାକୁ ମିଳିଲା ସାମାନ୍ୟ ଆଶ୍ଵସ୍ତି

ସମାଜ ଲାଇଭ ଡ଼େସ୍କ : ଡ଼ଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ...

ଜବତ ଗଞ୍ଜେଇ ହେରଫେର: ଥାନା ଅଧିକାରୀ ନିଲମ୍ବିତ

ସମାଜ ଡିଜିଟାଲ ଡେସ୍କ: ଜବତ ଗଞ୍ଜେଇ ହେରଫେର କରିଥିବା ଅଭିଯୋଗରେ କାର୍ଯ୍ୟରୁ...

Related Articles

Popular Categories