ଉପଭୋକ୍ତାଙ୍କ ଘରେ ଏଣିକି ପ୍ରି ପେଡ ସ୍ମାର୍ଟ ମିଟର

ଭୁବନେଶ୍ୱର : ଏଣିକି ପ୍ରତି ଉପଭୋକ୍ତାଙ୍କ ଘରେ ଲାଗିବ ପ୍ରି ପେଡ ସ୍ମାର୍ଟ ମିଟର। ବିଜୁଳି ଚୋରି ରୋକିବା ଏବଂ ଠିକ ସମୟରେ ବିଦ୍ୟୁତ ଦେୟ ଆଦାୟ ପାଇଁ ଶକ୍ତି ବିଭାଗ ଏଭଳି ନୂତନ ମିଟର ବସାଇବା ପାଇଁ ନିଷ୍ପତ୍ତି ନେଇଛି। ବିଦ୍ୟୁତ ସମ୍ପର୍କିତ ଗୃହ କମିଟି ବୈଠକ ପରେ ଏହି ସୂଚନା ଦେଇଛନ୍ତି ରାଜ୍ୟ ଶକ୍ତିମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର। ପ୍ରଥମ ପର୍ଯ୍ୟାୟରେ ପ୍ରିପେଡ ସ୍ମାର୍ଟ ମିଟର ସମ୍ବଲପୁର ଓ ରାଉରକେଲାରେ ଉପଭୋକ୍ତାଙ୍କୁ ଯୋଗାଇ ଦିଆଯିବ। ପରବର୍ତ୍ତୀ ସମୟରେ ରାଜ୍ୟର ସମସ୍ତ ଅଞ୍ଚଳରେ ଏହା ଲଗାଯିବ।
ମନ୍ତ୍ରୀ ଶ୍ରୀ ମିଶ୍ର କହିଛନ୍ତି, ଉପଭୋକ୍ତାମାନେ ଡିଜିଟାଲ କାର୍ଡ ମାଧ୍ୟମରେ ବିଦ୍ୟୁତ ଦେୟ ପ୍ରଦାନ କରିପାରିବେ। ଯେତିକି ଅର୍ଥ ଦେଇ ଚାର୍ଜ କରିବେ ସେତିକି ମୂଲ୍ୟର ବିଜୁଳି ପାଇବେ। ଏହା ସରିଗଲେ ଉପଭୋକ୍ତା ଅଧିକ ବିଦ୍ୟୁତ ଶକ୍ତି ବ୍ୟବହାର ପାଇଁ ପୁନର୍ବାର ଚାର୍ଜ କରିପାରିବେ। ପ୍ରି ପେଡ କାର୍ଡରେ କେତେ ଅର୍ଥ ରହିଲା ତାହା ଜଣାପଡ଼ିବ। ମାସ ଶେଷରେ ବଳକା ଅର୍ଥ ଅନ୍ୟ ମାସର ଦେୟ ବାବଦରେ ଭରଣା ହୋଇପାରିବ। ଏହି ନୂଆ ମିଟର ପାଇଁ ଉପଭୋକ୍ତାଙ୍କୁ କୌଣସି ଦେୟ ଦେବାକୁ ପଡ଼ିବ ନାହିଁ। ସୂଚନାଯୋଗ୍ୟ ଯେ ସମ୍ବଲପୁରର ବିଭିନ୍ନ ସରକାରୀ କାର୍ଯ୍ୟାଳୟରେ ଏହି ମିଟର ବ୍ୟବହାର କରାଯାଉଛି। ଏହାର ସଫଳତାକୁ ଲକ୍ଷ୍ୟରେ ରଖି ସାରା ରାଜ୍ୟରେ ସବୁ ଉପଭୋକ୍ତାଙ୍କ ପାଇଁ ଏହି ମିଟର ବ୍ୟବସ୍ଥା କାର୍ଯ୍ୟକାରୀ କରାଯିବ। ଏହାଦ୍ବାରା ମିଟର ରିଡରଙ୍କ ମାଧ୍ୟମରେ କରାଯାଉଥିବା ଜାଲିଆତି ରୋକାଯାଇପାରିବ। ଲୋକେ ପଇସା ଦେଇ ବିଦ୍ୟୁତ ଶକ୍ତି ବ୍ୟବହାର କରିବେ। ବିଦ୍ୟୁତ ଦେୟ ବକେୟା ରହିବ ନାହିଁ। ଯେଉଁମାନେ ଦେୟ ନଦେବେ ସେମାନଙ୍କର ସଂଯୋଗ କଟିଯିବ।

Comments are closed.