ସମ୍ବଲପୁର: ସ୍ଥାନୀୟ ପାବନ ସରୋବର, ଶାସନ, ସମ୍ବଲପୁର ଠାରେ ପୂର୍ବାହ୍ନରେ ପବିତ୍ର ରକ୍ଷାବନ୍ଧନ କାର୍ଯ୍ୟକ୍ରମ ଆରମ୍ଭ ହେଲା। ନିକଟସ୍ଥ ଗ୍ରାମ ଓ ସହରାଞ୍ଚଳରୁ ଅନ୍ୟୁନ ଚାରି ଶହ ଭାଇଭଉଣୀ ଏଥିରେ ଅଂଶଗ୍ରହଣ କରିଥିଲେ। ବିଶିଷ୍ଠ ଅତିଥି ରୂପେ ସମ୍ବଲପୁର ମହାନଗର ନିଗମ ଆୟୁକ୍ତ ବେଦ ଭୂଷଣ ଓ ବୀର ସୁରେନ୍ଦ୍ର ସାଏ ଏୟାର୍ ପୋର୍ଟ, ଝାରସୁଗୁଡା ର ନିର୍ଦେଶକ ସନ୍ଦୀପ ତିୱାରୀ ପ୍ରମୁଖ ଯୋଗ ଦେଇଥିଲେ। ବ୍ରହ୍ମାକୁମାରୀ ଦୀପା, ଈଶ୍ବରୀୟ ଗୀତ ମାଧ୍ୟମରେ ଅଳ୍ପ ସମୟ ପାଇଁ ଯୋଗାଭ୍ୟାସ କରାଇଲେ। ବ୍ରହ୍ମାକୁମାରୀ ଆରତୀ, ଭଉଣୀ ସଂସ୍ଥାର ସଂକ୍ଷିପ୍ତ ପରିଚୟ ପ୍ରଦାନ କଲେ। ବ୍ରହ୍ମାକୁମାରୀଜ ୧୯୩୭ ମସିହାରେ ଆରମ୍ଭ ହେଲା। ବର୍ତ୍ତମାନ ୧୪୦ଟି ଦେଶରେ ଏହାର କାୟା ବିସ୍ତାର କରିଛି। ଏହାର ମୂଖ୍ୟ କାର୍ଯ୍ୟାଳୟ ରାଜସ୍ଥାନର ମାଉଣ୍ଟଆବୁ ଠାରେ ଅଛି। ଏହାର ୨୦ ଟି ବିଭାଗ ଅଛି।
ବ୍ରହ୍ମା କୁମାରୀଜ୍ ସମ୍ବଲପୁର ଉପକ୍ଷେତ୍ରର ସଂଚାଳୀକା ରାଜଯୋଗିନୀ ପାର୍ବତୀ ଦିଦି ସମସ୍ତଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇ ରକ୍ଷା ବନ୍ଧନର ବାସ୍ତବ ଅର୍ଥ ଆଧ୍ୟାତ୍ମିକ ଦୃଷ୍ଟିକୋଣରୁ ବୁଝାଇ କହିଲେ। ସେ କହିଲେ, ଆମେ ସ୍ୱତନ୍ତ୍ରତା ପାଇଥିଲେ ମଧ୍ୟ ଏବେ ବି ଆମେ କେତେକ ବିକାର ଯଥା କାମ, କ୍ରୋଧ, ଲୋଭ, ମୋହ,ଅହଙ୍କାର ପ୍ରଭୃତିର ଅଧୀନରେ ରହିଛୁ। ବର୍ତ୍ତମାନ ଧର୍ମଗ୍ଲାନି ଘଟିଛି। ଏବେ ପରମାତ୍ମା ପରମ୍ ପିତା ଶିବ ଧରା ଅବତରଣ କରିଛନ୍ତି। ଈଶ୍ବରୀୟ ଜ୍ଞାନ ପ୍ରଦାନ କରୁଛନ୍ତି। ତାଙ୍କର ରାକ୍ଷୀ ବାନ୍ଧିବା ଅର୍ଥାତ୍ ଏହି ବିକାର ରୂପକ ବନ୍ଧନରୁ ମୁକ୍ତ ହେବା। ରାକ୍ଷୀ ବାନ୍ଧିଲା ବେଳେ ଏହି ବିକାର ଗୁଡ଼ିକୁ ତ୍ୟାଗ କରିବା ପାଇଁ ଦୃଢ଼ ସଂକଳ୍ପ ନେବା। ତିଲକ ହେଉଛି ସ୍ମୃତିର ସଂକେତ। ମିଠା ଖାଇବା ଅର୍ଥ ମିଠା କଥା କହିବା। ଅତିଥିମାନେ ସମସ୍ତେ ସୁଖରେ ରହିବାର କାମନା କଲେ। ଜାଗୃତି ବିଦ୍ୟା ମନ୍ଦିରର ଛାତ୍ରୀମାନେ ରକ୍ଷା ବନ୍ଧନ ଉପରେ ଏକ ସୁନ୍ଦର ନୃତ୍ୟ ପରିବେଷଣ କଲେ। ବ୍ରହ୍ମାକୁମାରୀ ଆରତୀ ଭଉଣୀ ମଞ୍ଚ ପରିଚାଳନା କଲେ। ତିନି ଘଣ୍ଟାର କାର୍ଯ୍ୟକ୍ରମ ଏକ ମଧୁମୟ ବାତାବରଣରେ ସମ୍ପାଦିତ ହେଲା।



