ନୂଆଦିଲ୍ଲୀ: ଜାତୀୟ ନିରାପତ୍ତା ପରାମର୍ଶଦାତା ଅଜିତ୍ ଡୋଭାଲ୍ କହିଛନ୍ତି, ଜମ୍ମୁକାଶ୍ମୀରରେ ସ୍ୱାଭାବିକତା ଫେରାଇ ଆଣିବା ପାଇଁ ଯାହାସବୁ ଉଦ୍ୟମ ଚାଲିଛି, ତାହାକୁ ପାକିସ୍ତାନ ପ୍ରାୟୋଜିତ ଆତଙ୍କବାଦୀମାନେ ଭଣ୍ଡୁର କରିବାକୁ ସବୁମନ୍ତେ ଉଦ୍ୟମ କରୁଛନ୍ତି। ପାକିସ୍ତାନ ପ୍ରାୟୋଜିତ ଆତଙ୍କବାଦକୁ ସମାଲୋଚନା କରି ଡୋଭାଲ୍ କହିଛନ୍ତି, ଜମ୍ମୁ-କାଶ୍ମୀରରେ ଅଶାନ୍ତି ଓ ଗୋଳମାଳ ସୃଷ୍ଟି କରିବାକୁ ପାକିସ୍ତାନ ଆତଙ୍କବାଦୀମାନଙ୍କୁ ଯେପରି ପ୍ରୋତ୍ସାହିତ କରୁଛି, ସେଥିରୁ ସେ ଦେଶର ହତାଶା ଭାବ ସ୍ପଷ୍ଟ ହୋଇଛି। ସେ କହିଛନ୍ତି, ଯେଉଁ ଲୋକମାନଙ୍କୁ ପାକିସ୍ତାନ ମିଥ୍ୟା ସ୍ୱପ୍ନ ବାଣ୍ଟୁଥିଲା, ଆଜି ସେ ଉଦ୍ୟମ ବିଫଳ ହୋଇଛି ଏବଂ ଇସ୍ଲାମାବାଦ କର୍ତ୍ତୃପକ୍ଷଙ୍କ ଅସଲ ଚେହେରା ପଦାରେ ପଡ଼ିଯାଇଛି। ତେବେ କାଶ୍ମୀରରେ ନିଜର ଚାଲ୍ ଧରାପଡ଼ିଯିବା ପରେ ପାକିସ୍ତାନ ଏବେ ହତାଶ ହୋଇପଡ଼ିଛି। ସେ କହିଛନ୍ତି, ୩୭୦ ଧାରା ଉଚ୍ଛେଦ ଭାରତର ଏକ ଆଭ୍ୟନ୍ତରୀଣ ମାମଲା ଏବଂ ଅଧିକାଂଶ କାଶ୍ମୀରବାସୀ ଏହି ନିଷ୍ପତ୍ତିକୁ ସମର୍ଥନ କରନ୍ତି। ଏହି ଧାରା କାଶ୍ମୀରବାସୀଙ୍କୁ ସ୍ୱତନ୍ତ୍ର ମର୍ଯ୍ୟାଦା ଦେଇ ନ ଥିଲା; ବରଂ ନିର୍ଦ୍ଦିଷ୍ଟ ଭାବେ ଅବହେଳିତ କରି ରଖିଥିଲା।
ଲୋକଙ୍କ ସୁରକ୍ଷା ଉପରେ ସରକାର ଅଗ୍ରାଧିକାର ଦେଉଛନ୍ତି। ତାହାକୁ ଦୃଷ୍ଟିରେ ରଖି ଜମ୍ମୁ-କାଶ୍ମୀରରେ ଆବଶ୍ୟକତା ଅନୁସାରେ କଟକଣା ଓ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଲୋକଙ୍କ ଜୀବନ ରକ୍ଷା, ମାନବାଧିକାରର ସବୁଠୁ ବଡ଼ ବିଷୟ ବୋଲି ସେ ମତଦେଇ କହିଛନ୍ତି। ଜମ୍ମୁ-କାଶ୍ମୀରରେ ଅଟକ ଥିବା ରାଜନୈତିକ ନେତାଙ୍କ ସମ୍ପର୍କରେ ଡୋଭାଲ୍ କହିଛନ୍ତି, ଏ ବିଷୟରେ ଯେଉଁସବୁ ପଦକ୍ଷେପ ନିଆଯାଇଛି, ତାହା ଆଇନ ଅନୁସାରେ କରାଯାଇଛି। ଅଟକ ଥିବା ନେତାମାନେ ଚାହିଁଲେ ଅଦାଲତରେ ସେମାନଙ୍କ ପକ୍ଷ ରଖିପାରିବେ। ପରିସ୍ଥିତିକୁ ଦୃଷ୍ଟିରେ ରଖି ସେମାନଙ୍କୁ କେବଳ ଅଟକ ରଖାଯାଇଛି। ସେମାନଙ୍କୁ ଅଟକ ରଖା ନଯାଇଥିଲେ ସେମାନେ ଏକାଠି ହୋଇ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି କରିଥା’ନ୍ତେ ଏବଂ ଏଥିରୁ ଆତଙ୍କବାଦୀମାନେ ଫାଇଦା ଉଠାଇଥା’ନ୍ତେ ବୋଲି ଡୋଭାଲ୍ କହିଛନ୍ତି।



