www.samajalive.in
Saturday, December 6, 2025
19.1 C
Bhubaneswar

ସୀମାନ୍ତ ସେତୁକୁ ନେଇ ଚିିହିଙ୍କିଲା ଚୀନ

ବେଜିଂ/ନୂଆଦିଲ୍ଲୀ : ଚୀନ ଓ ପାକିସ୍ତାନ ସୀମା ନିକଟରେ ଭାରତ ପକ୍ଷରୁ ସାମରିକ ଦୃଷ୍ଟିରୁ ଗୁରୁତ୍ବପୂର୍ଣ୍ଣ ୪୪ଟି ସେତୁ ନିର୍ମାଣକୁ ଚୀନ ବିରୋଧ କରିଛି। ଭାରତ ସରକାର ଲଦାଖକୁ ବେଆଇନ ଭାବେ କେନ୍ଦ୍ରଶାସିତ ଅଞ୍ଚଳ ଭାବେ ଘୋଷଣା କରିଛନ୍ତି। ଚୀନ ସରକାର ତଥାକଥିତ ଲଦାଖ କେନ୍ଦ୍ରଶାସିତ ଅଞ୍ଚଳ ଓ ଅରୁଣାଚଳ ପ୍ରଦେଶକୁ ସ୍ବୀକୃତି ଦେଇନାହାନ୍ତି। ଏ ଦୁଇଟିକୁ ଭାରତ ସରକାର ଅବୈଧ ଭାବେ ପ୍ରତିଷ୍ଠା କରିଥିବାରୁ ସମ୍ପୃକ୍ତ ଅଞ୍ଚଳରେ କୌଣସି ଭିତ୍ତିଭୂମି ନିର୍ମାଣ କାର୍ଯ୍ୟକୁ ଚୀନ ବିରୋଧ କରିବ। ସେ ଦୃଷ୍ଟିରୁ ସାମ୍ପ୍ରତିକ ପରିସ୍ଥିତିରେ କୌଣସି ପକ୍ଷ ବିବାଦକୁ ବଢ଼ାଇଲା ଭଳି କିଛି ପଦକ୍ଷେପ ଗ୍ରହଣ କରିବା ଅନୁଚିତ; ବିଶେଷକରି ବିବାଦୀୟ ଅଞ୍ଚଳରେ ସାମରିକ ଅଭିପ୍ରାୟ ରଖି ଭାରତ ସରକାରଙ୍କ କୌଣସି ନିର୍ମାଣ କାର୍ଯ୍ୟକୁ ଚୀନ ବିରୋଧ କରିବ ବୋଲି ଏହାର ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଝାଓ ଲିଜିଆନ୍‌ କହିଛନ୍ତି। ସୀମାନ୍ତରେ ପରିସ୍ଥିତିକୁ ଅଧିକ ଗୋଳମାଳିଆ ନ କରିବା ପାଇଁ ଭାରତ ଓ ଚୀନ ନିକଟରେ ସମ୍ମତି ପ୍ରକାଶ କରିଥିବାରୁ ଏହାର ଅବମାନନା ହେବା ଅନୁଚିତ ବୋଲି ସେ କହିଛନ୍ତି। କେବଳ ସେତିକି ନୁହେଁ; ସୀମାରେ ସାମ୍ପ୍ରତିକ ଉତ୍ତେଜନାମୂଳକ ପରିସ୍ଥିତି ପାଇଁ ଭାରତ ସମ୍ପୂର୍ଣ୍ଣ ଦାୟୀ ବୋଲି ସେ କହିଛନ୍ତି। ଏଲଏସି ନିକଟରେ ଭାରତ ଭିତ୍ତିଭୂମି ନିର୍ମାଣ କାର୍ଯ୍ୟ ସହ ସେନା​ ମୁତୟନ ମାଧ୍ୟମରେ ବିବାଦକୁ ବଢ଼ାଇଚାଲିଛି ବୋଲି ଲିଜିଆନ୍‌ ଅଭିଯୋଗ କରିଛନ୍ତି। ଏହି ପରିପ୍ରେକ୍ଷୀରେ ସେ ଭାରତକୁ ଶାନ୍ତି ପ୍ରତିଷ୍ଠା ପାଇଁ ବାସ୍ତବବାଦୀ କାର୍ଯ୍ୟପନ୍ଥା ଗ୍ରହଣ କରିବାକୁ ପରାମର୍ଶ ଦେଇଛନ୍ତି। ଉଲ୍ଲେଖଯୋଗ୍ୟ ସେ ସୀମା ସଡ଼କ ସଂଗଠନ (ବିଆରଓ) ଦ୍ବାରା ଯୁଦ୍ଧକାଳୀନ ଭିତ୍ତିରେ ଲଦାଖ, ଅରୁଣାଚଳ ପ୍ରଦେଶ, ସିକିମ, ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ପଞ୍ଜାବ ଓ ଜମ୍ମୁ-କାଶ୍ମୀର ସୀମାନ୍ତରେ ୪୪ଟି ସେତୁ ନିର୍ମାଣ କରାଯାଇଛି। ଏହାକୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ସୋମବାର ଉଦ୍‌ଘାଟନ କରିଛନ୍ତି।
ଅପରପକ୍ଷରେ ସୋମବାର, ୧୨ତାରିଖରେ ଲଦାଖ ବିବାଦର ସମାଧାନ ସହ ସୈନ୍ୟ ପ୍ରତ୍ୟାହାର ପାଇଁ ସପ୍ତମ ଭାରତ ଓ ଚୀନ ସେନା କମାଣ୍ଡରସ୍ତରୀୟ ବୈଠକ ଭାରତୀୟ ପକ୍ଷରୁ ଚସୁଲଠାରେ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଉଭୟ ପକ୍ଷରୁ ସେନାଧିକାରୀ ଓ ବୈଦେଶିକ ବିଭାଗ ଅଧିକାରୀ ଅଂଶଗ୍ରହଣ କରିଥିଲେ। ଏହା ସକାରାତ୍ମକ ଓ ଗଠନମୂଳକ ଥିଲା ବୋଲି ବେଜିଂ ପକ୍ଷରୁ ପ୍ରକାଶିତ ଯୁଗ୍ମ ପ୍ରେସ୍‌ ଇସ୍ତାହାରରେ କୁହାଯାଇଛି। ଉଭୟ ପକ୍ଷ ଏଲଏସିର ପଶ୍ଚିମ ସେକ୍ଟରରୁ ସେନା ପ୍ରତ୍ୟାହାର ସମ୍ପର୍କରେ ଖୋଲା ମନରେ ମତ ବିନିମୟ କରିଥିଲେ। ମତପାର୍ଥକ୍ୟ ଯେମିତି ବିବାଦରେ ରୂପାନ୍ତରିତ ନ ହୁଏ ଏବଂ ସୀମାରେ ଯେମିତି ଶାନ୍ତି ଓ ସୌହାର୍ଦ୍ୟ ବଜାୟ ରହେ ସେଥିପ୍ରତି ଉଭୟ ଦାୟିତ୍ବବାନ୍‌ ରହିବେ ବୋଲି ନିଷ୍ପତ୍ତି ହୋଇଥିଲା। ସେଥିପାଇଁ ସେନା ଓ କୂଟନୈତିକ ମାଧ୍ୟମରେ ମତ ବିନିମୟ ଜାରି ରଖିବା ସହ ଯଥାଶୀଘ୍ର ସମ୍ଭବ ବିବାଦର ଗ୍ରହଣଯୋଗ୍ୟ ସମାଧାନରେ ଉପନୀତ ହେବାକୁ ନିଷ୍ପତ୍ତି ହୋଇଥିବା ଚୀନ ପକ୍ଷରୁ କୁହାଯାଇଛି।
ସୂଚନାନୁଯାୟୀ, ଭାରତୀୟ ପ୍ରତିନିଧିମଣ୍ଡଳୀ ପୂର୍ବ ଲଦାଖରୁ ଯଥା ଶୀଘ୍ର ଚୀନ ଏହାର ସୈନ୍ୟ ପ୍ରତ୍ୟାହାର କରିବା ଦାବିରେ ଅଟଳ ରହିଥିଲେ ମଧ୍ୟ ଚୀନ ପଛକୁ ହଟିବା ପାଇଁ ରାଜି ହୋଇ ନାହିଁ। ଭାରତୀୟ ପ୍ରତିନିଧି ଦଳର ନେତୃତ୍ବ ନେଇଥିଲେ ଲେଫ୍ଟନାଣ୍ଟ ଜେନେରାଲ ହରିନ୍ଦର ସିଂହ। ଦଳରେ ଲେଫ୍ଟନାଣ୍ଟ ଜେନେରାଲ ପିକେଜି ମେନନ ଓ ବୈଦେଶିକ ମନ୍ତ୍ରଣାଳୟର ଯୁଗ୍ମ ସଚିବ ନବୀନ ଶ୍ରୀବାସ୍ତବ ପ୍ରମୁଖ ସାମିଲ ଥିଲେ। ଏହା ପୂର୍ବରୁ ଚୀନ ପକ୍ଷରୁ ପାନଗଙ୍ଗ ହ୍ରଦ ସନ୍ନିକଟ ଗୁରୁତ୍ବପୂର୍ଣ୍ଣ ଅଞ୍ଚଳ ମୁଖପାରି, ରେଜାଙ୍ଗ ଲା, ମାଙ୍ଗର ହିଲ୍‌ରୁ ଭାରତୀୟ ସେନା ହଟିବା ପାଇଁ ଦାବି କରାଯାଇଥିଲା। ଅଗଷ୍ଟ ୨୯ ଓ ୩୦ ରାତିରେ ଭାରତୀୟ ସେନା ଏହି ସବୁ ଅଞ୍ଚଳକୁ ଦଖଲ କରିନେଇଥିଲା। ସେପ୍ଟେମ୍ବର ୨୧ରେ ଅନୁଷ୍ଠିତ ଷଷ୍ଠ ପର୍ଯ୍ୟାୟ ଆଲୋଚନାରେ ଉଭୟ ପକ୍ଷ ସମ୍ମୁଖ ଭାଗକୁ ଅଧିକ ସେନା ନ ପଠାଇବାକୁ ନିଷ୍ପତ୍ତି ନେଇଥିଲେ।

Hot this week

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

Related Articles

Popular Categories