ସରିଲା ସିଲଭର ଗାନ୍ଧୀଙ୍କ ପଦଯାତ୍ରା

ନୂଆଦିଲ୍ଲୀ : ସ୍ୱଚ୍ଛ ଭାରତ ଅଭିଯାନର ବ୍ରାଣ୍ଡ ଆମ୍ବାସାଡ଼ର ତଥା ସିଲଭର ଗାନ୍ଧୀ ଭାବରେ ପରିଚିତ ମୋହନ ମହାପାତ୍ର ନିକଟରେ ଗାନ୍ଧୀନଗରଠାରୁ ନୂଆଦିଲ୍ଲୀ ପର୍ଯ୍ୟନ୍ତ ତାଙ୍କର ୩୦ ଦିନିଆ ପଦଯାତ୍ରା ସମାପନ କରିଛନ୍ତି। ସ୍ୱଚ୍ଛ ଭାରତ ଗଠନ, ମା’ ପାଇଁ ଗଛଟିଏ ରୋପଣ ଏବଂ ଘରେ ଘରେ ତ୍ରିରଙ୍ଗା ଉଡ୍ଡାୟନ ଆଦି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଆହ୍ୱାନଗୁଡିକୁ ପ୍ରଚାର, ପ୍ରସାର ଏବଂ ଲୋକପ୍ରିୟ କରିବା ଉଦ୍ଦେଶ୍ୟରେ ଏହି ପଦଯାତ୍ରା ଆୟୋଜିତ ହୋଇଥିବା ଜଣାଯାଇଛି। ଗୁଜରାଟର ଗାନ୍ଧୀନଗରଠାରେ ଏହି ପଦଯାତ୍ରାକୁ ରାଜ୍ୟର ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ଭାଇ ପଟେଲ ଉଦଘାଟନ କରିଥିବା ବେଳେ ନୂଆଦିଲ୍ଲୀ ଠାରେ ଉଦଯାପନ ଅଧିବେଶନରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟଅତିଥି ଭାବରେ ଯୋଗ ଦେଇଥିଲେ। ପଦଯାତ୍ରୀ ସିଲଭର ଗାନ୍ଧୀ ଜାତୀୟ ରାଜଧାନୀରେ ପାଦ ଦେବା ପରେ ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ତଥା ଉତ୍ତରପୂର୍ବ ଦିଲ୍ଲୀର ସାଂସଦ ମନୋଜ ତିୱାରୀ ତାଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି।

କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପତ୍ନୀ ମୃଦୁଳା ପ୍ରଧାନଙ୍କ ସହିତ ତାଙ୍କର କୃଷକ ରୋଡ଼ ସ୍ଥିତ ବାସଭବନରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ଉପସ୍ଥିତିରେ ସିଲଭର ଗାନ୍ଧୀଙ୍କୁ ସ୍ବାଗତ କରାଯାଇଥିଲା। ଶ୍ରୀ ପ୍ରଧାନ ପରିବେଶ ସୁରକ୍ଷା ସମ୍ପର୍କରେ ଭାରତବର୍ଷର କୋଣ ଅନୁକୋଣରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ସିଲଭର ଗାନ୍ଧୀଙ୍କ ପଦଯାତ୍ରା ଜରିଆରେ ଏହି ମହତ ପ୍ରୟାସକୁ ପ୍ରଶଂସା କରିଥିଲେ।

ଗାନ୍ଧୀନଗର ଠାରେ ପଦଯାତ୍ରାକୁ ଉଦଘାଟନ କରିବା ଅବସରରେ ଗୁଜରାଟ ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ଭାଇ ପଟେଲ ସିଲଭର ଗାନ୍ଧୀଙ୍କ ପ୍ରଦୂଷଣମୁକ୍ତ ସ୍ୱଚ୍ଛ ଓ ସବୁଜ ଭାରତ ଗଠନ ଉଦ୍ଦେଶ୍ୟର ସଫଳତା ପାଇଁ ଶୁଭ କାମନା ଜଣାଇଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଜୀବନ, ଦର୍ଶନ ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ସେ ତାଙ୍କର ବାର୍ତ୍ତାକୁ ପ୍ରତ୍ୟେକ ଭାରତୀୟଙ୍କ ନିକଟରେ ପହଞ୍ଚାଇବାକୁ ଅନବରତ ଭାବେ ଚେଷ୍ଟାରତ ଥିବା ସିଲଭର ଗାନ୍ଧୀ ଗଣମାଧ୍ୟମ ନିକଟରେ ପ୍ରକାଶ କରିଛନ୍ତି।

Comments are closed.