ନୂଆଦିଲ୍ଲୀ: ସୋମାଲିଆ ଉପକୂଳରୁ ଏକ ଜାହାଜକୁ ଅପହରଣ କରାଯାଇଛି। ଅପହରଣ ହୋଇଥିବା ଜାହାଜର କ୍ରୁ ସଦସ୍ୟମାନଙ୍କ ମଧ୍ୟରେ ୧୫ ଜଣ ଭାରତୀୟ ନାଗରିକ ଅଛନ୍ତି। ଭାରତୀୟ ନୌସେନା ସ୍ଥିତି ଉପରେ ନଜର ରଖିଛି।
ସୂଚନା ଅନୁସାରେ, ଅପହରଣ କରାଯାଇଥିବା ଜାହାଜର ନାମ ଏମଭି ଲୀଲା ନର୍ଫୋଲ୍କ ଏବଂ ଏଥିରେ ଲାଇବେରିଆ ପତାକା ଲାଗିଛି। ଅପହୃତ ଜାହାଜ ଉପରେ ନଜର ରଖିବା ପାଇଁ ନୌସେନା ତା’ର ବିମାନ ନିୟୋଜିତ କରିଛି। ଜାହାଜର କର୍ମଚାରୀମାନଙ୍କ ସହିତ ଯୋଗାଯୋଗ ମଧ୍ୟ ସ୍ଥାପିତ ହୋଇଛି। ଏଥିସହ ନୌସେନା ନିଜ ଯୁଦ୍ଧ ଜାହାଜ ଆଇଏନଏସ ଚେନ୍ନଇକୁ ଅପହରଣ ହୋଇଥିବା ଜାହାଜ ଆଡ଼କୁ ପଠାଇଛି। ତେବେ ଏହି ଜାହାଜକୁ ଜଳଦସ୍ୟୁ ନା ଅନ୍ୟ କେଉଁ ସଂଗଠନ ଅପହରଣ କରିଛି ବର୍ତ୍ତମାନସୁଦ୍ଧା ତାହା ସ୍ପଷ୍ଟ ହୋଇନାହିଁ।



