ବାପାଟଲାରେ ସ୍ଥଳଭାଗ ଛୁଇଁବ ମିଗ୍‌ଜୋମ, ଓଡ଼ିଶାର ୫ ଜିଲ୍ଲାରେ ଅତି ପ୍ରବଳ ବର୍ଷା

ଭୁବନେଶ୍ବର: ପଶ୍ଚିମ-କେନ୍ଦ୍ରୀୟ ଏବଂ ଏହାର ପାର୍ଶ୍ବବର୍ତ୍ତୀ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଭୀଷଣ ବାତ୍ୟା ‘ମିଗଜୋମ’ ଉତ୍ତର-ପଶ୍ଚିମ ଦିଗରେ ଉପକୂଳ ଆଡକୁ ମାଡି ଆସୁଛି। ଘଣ୍ଟାପ୍ରତି ୧୦କି.ମି. ବେଗରେ ଆଗକୁ ମାଡୁଛି। ଏହା ଉତ୍ତର ଦିଗରେ ଗତି କରିବା ସହ ପରବର୍ତ୍ତୀ ସମୟରେ ଘନୀଭୂତ ହୋଇ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳର ଅତି ନିକଟତର ହେବ। ପରେ ସମାନ୍ତରାଳ ଭାବେ ଗତି କରିବା ସହ ଦକ୍ଷିଣ-ଆନ୍ଧ୍ରପ୍ରଦେଶ ଉପକୂଳରେ ନେଲୋର ଏବଂ ମଛଲିପଟନମ ମଧ୍ୟରେ ଥିବା ବାପାଟଲା ନିକଟରେ ଏକ ଭୀଷଣ ବାତ୍ୟା ଭାବେ ଆଜି (ମଙ୍ଗଳବାର) ପୂର୍ବାହ୍ଣରେ ସ୍ଥଳଭାଗ ଅତିକ୍ରମ କରିବା ସମ୍ଭାବନା ରହିଛି। ସ୍ଥଳଭାଗ ଛୁଇଁବା ସମୟରେ ଘଣ୍ଟା ପ୍ରତି ପବନର ବେଗ ୯୦ରୁ ୧୦୦କି.ମି ରହିବ। ପବନର ବେଗ ଘଣ୍ଟା ପ୍ରତି ୧୧୦କି.ମି ସହିତ ଏହା ସ୍ଥଳଭାଗ ଅତିକ୍ରମ କରିବା ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ ସ୍ପଷ୍ଟ କରିଛି।

ବାତ୍ୟା ସ୍ଥଳଭାଗ ଛୁଇଁବା ପରେ ଗତିପଥ ବଦଳାଇ ଦୁର୍ବଳ ଅବସ୍ଥାରେ ଦକ୍ଷିଣ ଓଡ଼ିଶା ମୁହାଇଁ ପାରେ; କିନ୍ତୁ ଏହାର ପ୍ରଭାବରେ ବେଶି ପବନ ବହିବାର ସମ୍ଭାବନା ନାହିଁ। କିଛି ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ ବୋଲି ଆଇଏମଡି ଡିଜି ଡ. ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି। ବାତ୍ୟା ‘ମିଗ୍‌ଜୋମ’ ପ୍ରଭାବରେ ମାଲକାନଗିରି, କୋରାପୁଟ, ରାୟଗଡା, ଗଜପତି ଏବଂ ଗଞ୍ଜାମର ଅନେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। ଉପରୋକ୍ତ ଜିଲାଗୁଡିକ ମଧ୍ୟରୁ କିଛି ଅଞ୍ଚଳରେ ୭ରୁ ୨୦ ସେଣ୍ଟିମିଟର ପର୍ଯ୍ୟନ୍ତ ବର୍ଷା ସମ୍ଭାବନା ରହିଛି। ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ ଏବଂ ପୁରୀର କିଛି ଅଞ୍ଚଳରେ ୭ରୁ ୧୧ସେଣ୍ଟିମିଟର ପର୍ଯ୍ୟନ୍ତ ବର୍ଷା ହୋଇପାରେ। ବର୍ଷାକୁ ଦୃଷ୍ଟିରେ ରଖି ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଆଭ୍ୟନ୍ତରୀଣ ଓଡ଼ିଶା ସହିତ ଜଗତସିଂହପୁର ଏବଂ କଟକ ଜିଲାର କିଛି ଅଞ୍ଚଳରେ ହାଲୁକା ବର୍ଷାର ସମ୍ଭାବନା ରହିଛି। ବୁଧବାର ଗଞ୍ଜାମ, ଗଜପତି, ପୁରୀ, ନୟାଗଡ, ଖୋର୍ଦ୍ଧା, କଟକ, ଜଗତସିଂହପୁର, କନ୍ଧମାଳ, କୋରାପୁଟ, ମାଲକାନଗିରି, ନବରଙ୍ଗପୁର ଓ ରାୟଗଡ଼ାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହି ସବୁ ଜିଲାରେ ୭ରୁ ୧୧ ସେଣ୍ଟିମିଟର ପର୍ଯ୍ୟନ୍ତ ବର୍ଷା ହୋଇପାରେ ବୋଲି ପାଣିପାଗ କେନ୍ଦ୍ର ସତର୍କ କରିଛି।

୫ ତାରିଖ ସନ୍ଧ୍ୟାରୁ ପରବର୍ତ୍ତୀ ୧୨ ଘଣ୍ଟା ପର୍ଯ୍ୟନ୍ତ ଘଣ୍ଟା ପ୍ରତି ୪୦ରୁ ୫୦କି.ମି ବେଗରେ ପବନ ବହିବ। ସ୍ଥଳ ବିଶେଷରେ ଝଟକା ପବନର ବେଗ ଘଣ୍ଟା ପ୍ରତି ୫୫କି.ମି ପର୍ଯ୍ୟନ୍ତ ବହିପାରେ। ପରବର୍ତ୍ତୀ ସମୟରେ ଧୀରେ ଧୀରେ ପବନ କମିବା ସମ୍ଭାବନା ରହିଛି। ମାଲକାନଗିରି, କୋରାପୁଟ ଏବଂ ରାୟଗଡାରେ ଘଣ୍ଟା ପ୍ରତି ପବନର ବେଗ ୩୦ରୁ ୪୦କି.ମି ପର୍ଯ୍ୟନ୍ତ ପ୍ରବାହିତ ହେବାର ସମ୍ଭାବନା ରହିଛି। ମତ୍ସ୍ୟଜୀବୀଙ୍କୁ ୬ତାରିଖ ପର୍ଯ୍ୟନ୍ତ ଓଡ଼ିଶା ଉପକୂଳ ସମୁଦ୍ରର ଆଖାପାଖ ଅଞ୍ଚଳ, ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରକୁ ସମ୍ପୂର୍ଣ୍ଣ ଭାବେ ବାରଣ କରାଯାଇଛି। ରାଜ୍ୟର ସମସ୍ତ ସାମୁଦ୍ରିକ ବନ୍ଦର ପାଇଁ ବିପଦ ସଙ୍କେତ ୨ଜାରି କରାଯାଇଛି।

ମାଲକାନଗିରି, କୋରାପୁଟ, ରାୟଗଡା, ଗଜପତି ଏବଂ ଗଞ୍ଜାମ ଜିଲାରେ ଓଡ୍ରାଫ୍‌ ଏବଂ ଅଗ୍ନିଶମ ବାହିନୀକୁ ସଜାଗ ରଖାଯାଇଛି। ବାତ୍ୟା ପ୍ରତି ସତର୍କ ରହିବାକୁ ଏସଆରସି ସତ୍ୟବ୍ରତ ସାହୁ ଜିଲାପାଳମାନଙ୍କୁ ପରାମର୍ଶ ଦେଇଛନ୍ତି।

Comments are closed.