ଭୁବନେଶ୍ବର: ଶୁକ୍ରବାର ରାଜ୍ୟର ସମସ୍ତ ବିଦ୍ୟାଳୟ ଖୋଲିଛି। ଦୀର୍ଘ ଦିନର ଛୁଟି ପରେ ପିଲାମାନେ ସ୍କୁଲ ଯାଇଛନ୍ତି। ସକାଳ ୧୦ଟାରୁ ସ୍କୁଲଗୁଡ଼ିକ ଚଳଚଞ୍ଚଳ ହୋଇପଡ଼ିଛି। ତେବେ ସ୍କୁଲ ଖୋଲିବାର ପ୍ରଥମ ଦିନ ଏବଂ କୋହଲା ପାଗ ଯୋଗୁ ଅନେକ ସ୍କୁଲରେ ଉପସ୍ଥାନ କମ୍ ରହିଥିବା ଦେଖିବାକୁ ମିଳିଛି। ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବି ଉତ୍ସାହ ପରିଲକ୍ଷିତ ହୋଇଛି।
ଅନ୍ୟପଟେ ବାତ୍ୟା ଫନି ଯୋଗୁ ପୁରୀ, ଖୋର୍ଦ୍ଧା ଜିଲାର ଅଧିକାଂଶ ସ୍କୁଲ କ୍ଷତିଗ୍ରସ୍ତ ହୋଇଥିଲା। ସେଗୁଡ଼ିକ ମଧ୍ୟରୁ ଅନେକ ସ୍କୁଲ ମରାମତି ହୋଇ ନାହିଁ। ଫଳରେ ଶୁକ୍ରବାରଠାରୁ ସ୍କୁଲ ଖୋଲିଥିଲେ ହେଁ ପିଲାମାନଙ୍କ ପାଠପଢ଼ା ବାଧାପ୍ରାପ୍ତ ହେବା ଆଶଙ୍କା ଉପୁଜିଛି। ପ୍ରଥମ ଦିନରେ ପିଲାମାନେ ସ୍କୁଲ ଯାଇଥିଲେ ହେଁ ଶ୍ରେଣୀଗୃହ ଅଭାବରୁ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି। ସରକାର ତୁରନ୍ତ ବିଦ୍ୟାଳୟ ମରାମତି କରି ପାଠପଢ଼ା ପାଇଁ ଉପଯୁକ୍ତ କରିବା ଲାଗି ଛାତ୍ରଛାତ୍ରୀମାନେ ନିବେଦନ କରିଛନ୍ତି।
ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ କହିଛନ୍ତି, ପାଗରେ ପରିବର୍ତ୍ତନ ଆସିଥିବାରୁ ଜୁନ୍ ୨୬ ପରିବର୍ତ୍ତେ ଶୁକ୍ରବାରଠାରୁ ରାଜ୍ୟର ସମସ୍ତ ବିଦ୍ୟାଳୟ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି । ଫନି ପ୍ରଭାବରେ କ୍ଷତିଗ୍ରସ୍ତ ବିଦ୍ୟାଳୟ ମରାମତି କାମ ଚାଲି ଥିବାବେଳେ ଅଧିକାଂଶ ବିଦ୍ୟାଳୟରେ ମରାମତି ସରିଛି। ଯେଉଁ ବିଦ୍ୟାଳୟରେ ମରାମତି କାମ ସରି ନ ଥିବ, ସେହି ବିଦ୍ୟାଳୟର ଛାତ୍ରଛାତ୍ରୀ ପାଖରେ ଥିବା ବିଦ୍ୟାଳୟକୁ ଆସି ପାଠ ପଢ଼ିବେ।



