ମହାକାଳପଡ଼ା: କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ଥାନା ଅଞ୍ଚଳରେ କେତେକ ଯୁବକ ଯୁବତୀଙ୍କୁ କଟକ ବଡ଼ ଡାକ୍ତରଖାନା (ଏସ୍ସିବି) ରେ କିରାଣି ସମେତ ବିଭିନ୍ନ ପଦରେ ଚାକିରି କରାଇ ଦେବାକୁ କହି ୨ ଯୁବକ ୧୮ ଲକ୍ଷ ଟଙ୍କା ଠକି ନେଇଛନ୍ତି। ଅଭିଯୁକ୍ତ ଦ୍ବୟଙ୍କୁ ପୁଲିସ ଗିରଫ କରିଛି। ଗିରଫ ଯୁବକଦ୍ୱୟ କଟକ ଜିଲା ନିଶ୍ଚିନ୍ତକୋଇଲି ପଶ୍ଚିମଖଣ୍ଡ ଅଞ୍ଚଳର ବିଭୂ ପ୍ରସାଦ ଓଝା ଓ ଭୁବନେଶ୍ୱର ବରମୁଣ୍ଡା ହାଉସିଂ କଲୋନୀର ସୌମ୍ୟରଞ୍ଜନ ନାୟକ। ଦୁହିଁଙ୍କ ଠାରୁ ନକଲି ନିଯୁକ୍ତିପତ୍ର ଜବତ କରାଯାଇଛି।
ଏତଲାକାରୀ ଦେବେନ୍ଦ୍ର ମଲ୍ଲିକ ଅଭିଯୋଗ ପତ୍ରରେ ଦର୍ଶାଇଛନ୍ତି, ଭୁବନେଶ୍ୱରର ଏଲ ଆଣ୍ଡ ଟି କମ୍ପାନୀରୁ ସେ ଏକ ଟ୍ରାକ୍ଟର ଋଣ କରିଥିଲେ। ଏହି ଋଣ କିସ୍ତି ନେବା ପାଇଁ ବିଭୂ ପ୍ରସାଦ ତାଙ୍କ ଘରକୁ ଆସି କିସ୍ତି ନେଉଥିଲେ। ଫଳରେ ବିଭୂଙ୍କ ସହ ତାଙ୍କର ପରିଚୟ ହୋଇଥିଲା। ଟ୍ରାକ୍ଟର ଋଣ ଟଙ୍କା ପୈଠ ପରେ ବିଭୂ କହିଥିଲା ତାଙ୍କର ଜଣେ ସାଙ୍ଗ ସୌମ୍ୟରଞ୍ଜନ କଟକ ବଡ଼ ଡାକ୍ତରଖାନା ନ୍ୟୁରୋ ସର୍ଜରୀ ବିଭାଗରେ ଚାକିରି କରିଛନ୍ତି। ସେଠାରେ କିରାଣି ପଦ ପାଇଁ ଚାକିରି ବାହାରିଛି। ୨ ଲକ୍ଷ ଟଙ୍କା ଦେଲେ ଏହି ଚାକିରି ମିଳିଯିବ। ପ୍ରଥମେ ଏକ ଲକ୍ଷ ଟଙ୍କା ଦେବାକୁ ପଡ଼ିବ। ଚାକିରି ତାଲିକାରେ ନାମ ବାହାରିବା ପରେ ଆଉ ଏକ ଲକ୍ଷ ଟଙ୍କା ଲେଖାଏଁ ଦେବାକୁ ପଡ଼ିବ। ବିଭୂଙ୍କ କଥାରେ ବିଶ୍ୱାସ କରି ଏହି ଅଞ୍ଚଳ ସମେତ ମାର୍ଶାଘାଇ ଓ ପାରାଦ୍ୱୀପର ୯ ଜଣ ଶିକ୍ଷିତ ଯୁବକ ଯୁବତୀ ବିଭୂଙ୍କୁ ୯ ଲକ୍ଷ ଟଙ୍କା ଦେଇଥିଲେ। ଏହାପରେ ବିଭୂ ଏମାନଙ୍କୁ କଟକ ବଡ଼ ଡାକ୍ତରଖାନା ନେଇଥିଲେ। ସେଠାରେ ସୌମ୍ୟରଞ୍ଜନ ଏହି ଯୁବକଯୁବତୀଙ୍କୁ ଅଫର ଲେଟର ପଢ଼ି ଶୁଣାଇବା ପରେ ଅବଶିଷ୍ଟ ୯ ଲକ୍ଷ ଟଙ୍କା ସେମାନଙ୍କଠାରୁ ନେଇଥିଲେ। ୧୫ ଦିନ ମଧ୍ୟରେ ‘ଜଏନିଂ ଲେଟର’ ଦିଆଯିବ ବୋଲି କହିଥିଲେ। ଧାର୍ଯ୍ୟ ସମୟ ପର୍ଯ୍ୟନ୍ତ ସେମାନେ ଅପେକ୍ଷା କରିବା ପରେ ନିଯୁକ୍ତି ସଂକ୍ରାନ୍ତୀୟ କୌଣସି ଚିଠି ସେମାନଙ୍କ ପାଖକୁ ଆସି ନଥିଲା। ବିଭୂ ଓ ସୌମ୍ୟଙ୍କୁ ଫୋନ କଲେ କେହି ଉଠାଇଲେ ନାହିଁ। ବାଧ୍ୟହୋଇ ଯୁବକଯୁବତୀମାନେ ଥାନାର ଦ୍ୱାରସ୍ଥ ହୋଇଥିଲେ।
ଏ ନେଇ ଥାନାଧିକାରୀ ରାଜେନ୍ଦ୍ର ମହାପାତ୍ର କହିଛନ୍ତି, ଅଭିଯୁକ୍ତଦ୍ୱୟଙ୍କୁ ଗିରଫ କରିବା ପାଇଁ କେନ୍ଦ୍ରାପଡ଼ା ଆରକ୍ଷୀ ଅଧୀକ୍ଷକ ସିଦ୍ଧାର୍ଥ କଟ୍ଟାରିଆଙ୍କ ନିର୍ଦ୍ଦେଶକ୍ରମେ ଏକ ସ୍ୱତନ୍ତ୍ର ପୁଲିସ ଦଳ ଗଠନ କରାଯାଇଥିଲା। ଏହି ଦଳ କଟକ ଓ ଭୁବନେଶ୍ୱରରେ ଚଢ଼ଉ କରି ଦୁଇ ଠକଙ୍କୁ ଗିରଫ କରିଛି। ସେମାନଙ୍କ ଠାରୁ ନକଲି ପ୍ରମାଣପତ୍ର, ପରିଚୟପତ୍ର ଜବତ କରାଯାଇଛି। ଅଧିକ ତଥ୍ୟ ହାସଲ ପାଇଁ ଅଭିଯୁକ୍ତଦ୍ୱୟଙ୍କୁ ଜିମାରେ ଆଣି ଅଧିକ ପଚରାଉଚରା କରାଯିବ।
ଏସ୍ସିବିରେ ଚାକିରି ଦେବାକୁ କହି ୧୮ ଲକ୍ଷ ଠକେଇ
Popular Categories



