ୱାଶିଂଟନ: ୟୁକ୍ରେନ ସହ ଅସ୍ତ୍ରବିରତି ପାଇଁ ରାଜି ହେବାକୁ ରୁଷ୍ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ନିମନ୍ତେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୧୨ ଦିନିଆ ସମୟସୀମା ଧାର୍ଯ୍ୟ କରିଛନ୍ତି। ନିକଟରେ ବ୍ରିଟେନ ପ୍ରଧାନମନ୍ତ୍ରୀ କେୟିର ଷ୍ଟାର୍ମରଙ୍କ ସହ ମିଳିତଭାବେ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରିବା ଅବସରରେ ଟ୍ରମ୍ପ କହିଛନ୍ତି ଯେ ରୁଷ୍-ୟୁକ୍ରେନ ଯୁଦ୍ଧ ତିନିବର୍ଷରୁ ଅଧିକ ସମୟ ଧରି ଚାଲିଛି। ତେଣୁ ଏହାର ପରିସମାପ୍ତି ପାଇଁ ଆଉ ଅପେକ୍ଷା କରିବା ସମ୍ଭବ ନୁହେଁ। ଯୁଦ୍ଧ ବନ୍ଦ ପାଇଁ ଟ୍ରମ୍ପ ରୁଷ୍ ଉପରେ ଚାପ ପ୍ରୟୋଗ କରୁଛନ୍ତିି। ଯଦି ପୁଟିନ ଅସ୍ତ୍ରବିରତି ପାଇଁ ରାଜି ନ ହୁଅନ୍ତି, ତେବେ ରୁଷ୍ ବିରୋଧରେ କଠୋର ଅର୍ଥନୈତିକ କଟକଣା ଲାଗୁ କରାଯିବ ବୋଲି ଟ୍ରମ୍ପ ଧମକ ଦେଇଛନ୍ତି। ଏପରିକି ରୁଷ୍ ନିକଟରୁ ତେଲ ଓ ଅନ୍ୟ ସାମଗ୍ରୀ କିଣୁଥିବା ରାଷ୍ଟ୍ରଙ୍କ ବିରୋଧରେ ୧୦୦ ପ୍ରତିଶତ ବାଣିଜ୍ୟିକ ଶୁଳ୍କ ଲାଗୁ କରାଯିବ ବୋଲି ଟ୍ରମ୍ପ ଚେତାବନୀ ଦେଇଛନ୍ତି। ସୂଚନାଯୋଗ୍ୟ ଏହି ଯୁଦ୍ଧରେ ଆମେରିକା ନେତୃତ୍ବାଧୀନ ନାଟୋ ରାଷ୍ଟ୍ରଗୁଡିକ ୟୁକ୍ରେନକୁ ଦୃଢ ସମର୍ଥନ ଜଣାଉଛନ୍ତି। ଟ୍ରମ୍ପଙ୍କ ଏଭଳି ଚେତାବନୀ ସତ୍ତ୍ବେ ୟୁକ୍ରେନ ବିରୋଧରେ ରୁଷ୍ ଆକ୍ରମଣ ଜାରି ରଖିଛି। ଟ୍ରମ୍ପଙ୍କ ଦ୍ବିତୀୟ ଦଫା ଶାସନକାଳରେ ସେ ପ୍ରଥମେ ପୁଟିନଙ୍କ ପ୍ରତି ସହନଶୀଳ ମନୋବୃତ୍ତି ଆପଣେଇଥିଲେ। ତେବେ ଦ୍ବିପାକ୍ଷିକ ଆଲୋଚନା ଫଳପ୍ରସୂ ନ ହେବାରୁ ଟ୍ରମ୍ପ କ୍ଷୁବ୍ଧ ହୋଇପଡିବା ସହ ରୁଷ୍ ବିରୋଧରେ ନିଜର ଆଭିମୁଖ୍ୟକୁ କଠୋର କରିଛନ୍ତି।
Popular Categories



