ତୁଚ୍ଛ ମାମଲାରେ ଅଦାଲତକୁ ରୁଦ୍ଧ କରନି : ସୁପ୍ରିମକୋର୍ଟ

0

ନୂଆଦିଲ୍ଲୀ : ଅଦାଲତରେ ମାମଲା ସଂଖ୍ୟା ବୃଦ୍ଧିକୁ ସୁପ୍ରିମକୋର୍ଟ ଗୁରୁତର ସହ ନେଇଛନ୍ତି । ତୁଚ୍ଛ ବା ଗୁରୁତ୍ୱହୀନ ମାମଲା ରୁଜୁ କରି ଅଦାଲତଗୁଡ଼ିକୁ ରୁଦ୍ଧ ନକରିବାକୁ ସୁପ୍ରିମକୋର୍ଟ ପରାମର୍ଶ ଦେବା ସହ କେନ୍ଦ୍ର ଉପରେ ବର୍ଷିଛନ୍ତି । ବିଚାରପତି ଜଷ୍ଟିସ୍‌ ମଦନ ବି ଲୋକୁର ଏବଂ ଜଷ୍ଟିସ୍‌ ଦୀପକ ଗୁପ୍ତାଙ୍କ ଖଣ୍ଡପୀଠ କେନ୍ଦ୍ର ସରକାରଙ୍କୁ ବର୍ତ୍ତମାନର ମୋକଦ୍ଦମା ରୁଜୁର ନୀତି ନେଇ ପ୍ରଶ୍ନ କରିଛନ୍ତି । ଖଣ୍ଡପୀଠ କହିଛନ୍ତି ଯେ ସରକାର ବ୍ୟବସାୟକୁ ସହଜ କରିବା ପାଇଁ ସଂଶୋଧନ କଥା କହୁଛନ୍ତି; ନ୍ୟାୟପାଳିକାରେ ସଂଶୋଧନ ଦାବି ହୋଇଆସୁଥିଲେ ବି ଶୁଣୁନାହାନ୍ତି । ଏକ ଅର୍ଥପୂର୍ଣ୍ଣ ଏବଂ ବାସ୍ତବବାଦୀ ଜାତୀୟ ମୋକଦ୍ଦମା ନୀତି ଅଣାଗଲେ ଦେଶବାସୀ ଉପକୃତ ହେବେ ବୋଲି ଖଣ୍ଡପୀଠ କହିଛନ୍ତି । ଆମେ ଆଶା କରୁଛୁ ଦିନେ ନା ଦିନେ କେନ୍ଦ୍ର ସରକାର ଏହା ଉପରେ କାର୍ଯ୍ୟ କରିବେ ବୋଲି ସୁପ୍ରିମକୋର୍ଟ ଆଶା ବ୍ୟକ୍ତ କରିଛନ୍ତି । ଜାତୀୟ ମୋକଦ୍ଦମା ନୀତିରେ ପରିବର୍ତ୍ତନ ଆଣି ନ୍ୟାୟପାଳିକା ବ୍ୟବସ୍ଥା ଉପରୁ ଅଯଥା ବୋଝକୁ ହଟାଇବା ପାଇଁ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ପରାମର୍ଶ ଦେଇଛନ୍ତି । ବର୍ତ୍ତମାନ କେନ୍ଦ୍ର ସରକାରଙ୍କ ବିଭିନ୍ନ ବିଭାଗ ଉପରେ ସହସ୍ରାଧିକ ମାମଲା ବିଚାରଧୀନ ରହିଛି । ଏ କ୍ରମରେ ରେଳ ମନ୍ତ୍ରଣାଳୟର ୬୭,୩୩୨ ମାମଲା, ଅର୍ଥ ମନ୍ତ୍ରଣାଳୟର ୧୫,୬୪୬, ଯୋଗଯୋଗ ମନ୍ତ୍ରଣାଳୟର ୧୨,୬୨୧, ଗୃହ ବ୍ୟାପାର ମନ୍ତ୍ରଣାଳୟ ୧୧,୬୦୦, ପ୍ରତିରକ୍ଷା ମନ୍ତ୍ରଣାଳୟ ୩,୪୩୩, ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ୩,୨୭୫, ସହରୀକରଣ ମନ୍ତ୍ରଣାଳୟ ୨,୩୦୬, ଶ୍ରମ ଏବଂ ରୋଜଗାର ମନ୍ତ୍ରଣାଳୟ ୧,୭୭୪, ପରିବେଶ ଓ ଜଙ୍ଗଲ ମନ୍ତ୍ରଣାଳୟର ୧,୭୧୪, ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରଣାଳୟର ୧,୪୩୦ ମାମଲା ବିଚାରଧୀନ ରହିଛି । ଏହା ମଧ୍ୟରେ ଅନେକ ଗୁରୁତ୍ୱହୀନ ମାମଲା ଅନ୍ତର୍ଭୁକ୍ତ ରହିଛି । ଘଟଣାକୁ ଅଧିକ ଜଟିଳ କରିବା ପାଇଁ କେନ୍ଦ୍ର ସରକାର ମାମଲା ଲଢିବାକୁ ୧୦ ଜଣ ଆଇନଜୀବୀ, ଜଣେ ଅତିରିକ୍ତ ସୋଲିସିଟର ଜେନେରାଲ, ଜଣେ ବରିଷ୍ଠ ଆଇନଜୀବୀଙ୍କୁ ନିଯୁକ୍ତି ଦେଇଛନ୍ତି । ଏଥିରେ କେନ୍ଦ୍ର ସରାକରଙ୍କ ଅନେକ ଟଙ୍କା କ୍ଷତି ଘଟୁଛି ଓ ଟିକସ୍‌ ଦାତାଙ୍କ ଅର୍ଥ ଅଯଥାରେ ଖର୍ଚ୍ଚ ହେଉଛି ।

Leave A Reply