୨୨ ସ୍ଥାନରେ ଓଡ଼ିଶା

0

-ଜାତୀୟ ସ୍ତରରେ ଭୁବନେଶ୍ୱରର ସ୍ଥାନ ୨୪୫, -୬୦% ଅଧିକ ମାର୍କ ହରାଇଲେ ୮ ଅମୃତ ସହର
ଭୁବନେଶ୍ୱର  : ଶନିବାର ପ୍ରକାଶ ପାଇଛି ସ୍ୱଚ୍ଛ ସର୍ବେକ୍ଷଣ-୨୦୧୮ର ରାଙ୍କିଙ୍ଗ୍‍ ତାଲିକା। ଭୁବନେଶ୍ୱର ସର୍ବଭାରତୀୟସ୍ତରରେ ୨୪୫ ସ୍ଥାନରେ ରହିଛି। ଚଳିତ ବର୍ଷ ସ୍ୱଚ୍ଛ ସର୍ବେକ୍ଷଣରେ ୪୦୪୧ଟି ସହରକୁ ସାମିଲ କରାଯାଇ ଥିବାବେଳେ ଗତବର୍ଷ ୪୩୪ଟି ସହରକୁ ନେଇ ଅନୁଷ୍ଠିତ ସ୍ୱଚ୍ଛ ସର୍ବେକ୍ଷଣରେ ଭୁବନେଶ୍ୱର ୯୪ତମ ସ୍ଥାନରେ ରହିଥିଲା। ତେବେ ରାଜ୍ୟରେ ଭୁବନେଶ୍ୱର ସବୁଠାରୁ ସ୍ୱଚ୍ଛ ସହର ବୋଲି ସର୍ବେକ୍ଷଣରୁ ସ୍ପଷ୍ଟ ହୋଇଛି। ତେବେ ସର୍ବେକ୍ଷଣ ସମୟରେ ସ୍ୱଚ୍ଛତା ଆପ୍‍ ଡାଉନ୍‍ଲୋଡ୍‍, ଜନଭାଗୀଦାରିରେ ନୈରାଶ୍ୟଜନକ ପ୍ରଦର୍ଶନ ଏବଂ ଭୁଆଶୁଣି ଡମ୍ପିଂୟାର୍ଡ ପ୍ରସ୍ତୁତ ନହେବାର ମୂଲ୍ୟ ଦେବାକୁ ପଡିଛି ବିଏମ୍‍ସିକୁ। ସେହିପରି ପୂର୍ବବର୍ଷ ମାଇନସ୍‍ ମାର୍କିଂ ନଥିବା ବେଳେ ଚଳିତ ବର୍ଷ ଏପରି ନିୟମ ଲାଗୁ ହୋଇଥିବାରୁ ବିଏମ୍‍ସକୁ କିଛି ମାର୍କ ହରାଇବାକୁ ପଡିଛି। ଏହି କାରଣ ହେତୁ ସ୍ୱଚ୍ଛ ସର୍ବେକ୍ଷଣ-୨୦୧୮ରେ ମୋଟ ୪ ହଜାର ମାର୍କରୁ ଭୁବନେଶ୍ୱରରକୁ ମିଳିଛି ୧୮୮୭.୮୨। ୩୧ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ନେଇ ପ୍ରକାଶିତ ତାଲିକାରେ ଓଡ଼ିଶା ୨୨ତମ ସ୍ଥାନ ପାଇଛି। ଏହି ସର୍ବେକ୍ଷଣରେ ଭାଗ ନେଇଥିବା ଽାଙ୍କିଙ୍ଗ୍‍ ତାଲିକାରେ ଭୁବନେଶ୍ୱର ପଛକୁ ବାଲେଶ୍ୱର (୩୦୧), ରାଉରକେଲା (୩୦୭),
ବ୍ରହ୍ମପୁର (୩୦୮), ବାରିପଦା (୩୫୭), ଭଦ୍ରକ (୩୮୩), ପୁରୀ (୩୯୧), କଟକ (୪୦୨), ସମ୍ବଲପୁର (୪୩୧), ହିନ୍ଦୋଳ (୪୪୯) ଓ ଚାନ୍ଦବାଲି (୪୭୯) ରହିଛି। ସର୍ବାଧିକ ମାର୍କ ସହିତ ଇନ୍ଦୋର ଶୀର୍ଷ ସ୍ଥାନରେ ରହିଥିବା ବେଳେ ଭୋପାଳ, ଚଣ୍ଡିଗଡ଼, ନୂଆଦିଲ୍ଲୀ ରହିଛି।
ମହାତ୍ମା ଗାନ୍ଧିଙ୍କ ନିର୍ମଳ ଭାରତ ସ୍ୱପ୍ନକୁ ୨୦୧୯ ସୁଦ୍ଧା ସାକାର କରିବା ପାଇଁ ଭାରତ ନଗର ଉନ୍ନୟନ ବିଭାଗ ପକ୍ଷରୁ ୨୦୧୪ ମସିହାରେ ଅ।।ରମ୍ଭ ହୋଇଥିଲା। ଏଥିପାଇଁ କେନ୍ଦ୍ର ସରକାର ସମସ୍ତ ପ୍ରୋତ୍ସାହନ ଦେଉଛନ୍ତି। ତେବେ କେଉଁ ସହର କେତେ ସ୍ୱଚ୍ଛ ତାହା ଜାଣିବା ପାଇଁ ୨୦୧୬ରୁ ଜାତୀୟ ସ୍ତରରେ ଆରମ୍ଭ ହୋଇଥିଲା ସ୍ୱଚ୍ଛ ଭାରତ ସର୍ବେକ୍ଷଣ। କ୍ରମାଗତ ଭାବେ ଏହି ସର୍ବେକ୍ଷଣରେ ସହର ସଂଖ୍ୟା ବଢ଼ି ବଢ଼ି ଚାଲିଛି। ସ୍ୱଚ୍ଛ ଭାରତ ସର୍ବେକ୍ଷଣରେ ରାଜ୍ୟର ସମସ୍ତ ମହାନଗର ନିଗମ ଓ ପୌରପାଳିକାକୁ ସାମିଲ କରାଯାଇ ଥିଲା। ଏହି ସର୍ବେକ୍ଷଣର ପ୍ରାଥମିକ ଫଳାଫଳ ଚଳିତ ବର୍ଷ ମେ’ ମାସରେ ପ୍ରକାଶ ପାଇଥିଲା। ତେବେ ଆଜି ଏହାର ବିସ୍ତୃତ ତାଲିକା ପ୍ରକାଶ ପାଇଛି। ତେବେ ଏଥି ମଧ୍ୟରୁ ଅମୃତ ମିଶନରେ ସାମିଲ ହୋଇଥିବା ଓଡ଼ିଶାର ୯ଟି ସହର ଭୁବନେଶ୍ୱର, କଟକ, ବ୍ରହ୍ମପୁର, ରାଉରକେଲା, ସମ୍ବଲପୁର, ପୁରୀ, ଭଦ୍ରକ, ବାଲେଶ୍ୱର ଓ ବାରିପଦା ଉପରେ ଥିଲା ସମସ୍ତଙ୍କ ନଜର। ଗତବର୍ଷ ୪୩୪ଟି ସହରକୁ ନେଇ ଅନୁଷ୍ଠିତ ସର୍ବେକ୍ଷଣରେ ଭୁବନେଶ୍ୱର ୯୪ତମ ସ୍ଥାନରେ ଥିବା ବେଳେ ରାଉରକେଲା ୧୬୮, ବ୍ରହ୍ମପୁର ୧୮୭, ବାଲେଶ୍ୱର ୧୯୦, ପୁରୀ ୧୯୪, କଟକ ୨୦୪, ବାରିପଦା ୨୬୧, ସମ୍ବଲପୁର ୩୨୨ ଓ ଭଦ୍ରକ ୩୪୯ତମ ସ୍ଥାନରେ ଥିଲେ। ସେ ଦୃଷ୍ଟିରୁ ଦେଖିଲେ ଚଳିତ ବର୍ଷ ଏହି ସହର ବିଭିନ୍ନ ବର୍ଗରେ ମାର୍କ ହରାଇଛନ୍ତି। ଓଡ଼ିଶାର ଶୀର୍ଷ ସ୍ଥାନରେ ଥିବା ଭୁବନେଶ୍ୱର କଥା ଯଦି ବିଚାରକୁ ନିଆଯାଏ ତେବେ ଏଥର ବିଏମ୍‍ସି ମୋଟ ୪୦୦୦ ମାର୍କରୁ ପାଖାପାଖି ୨୨୦୦ ମାର୍କ ହରାଇଛି। ସେହିପରି ଅନ୍ୟ ଅମୃତ ସହର ମଧ୍ୟ ପାଖାପାଖି ୬୦%ରୁ ଅଧିକ ମାର୍କ ହରାଇଛନ୍ତି।

Leave A Reply