ଦେଓଗାଁ ବ୍ଳକ ସରପଞ୍ଚ ସଂଘ ଗଠିତ

ଦେଓଗାଁ: ଦେଓଗାଁ ବ୍ଳକର ନବ ନିର୍ବାଚିତ ସରପଞ୍ଚମାନଙ୍କୁ ନେଇ ବନ୍ଧପଡ଼ା ଆମ୍ବ ବଗିଚାଠାରେ ବନ୍ଧପଡ଼ା ସରପଞ୍ଚ ଗୋପାଳ ଚନ୍ଦ୍ର ମିଶ୍ରଙ୍କ ସଭାପତିତ୍ୱରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକକୁ ଦେଓଗାଁ ବ୍ଳକ ଅଧ୍ୟକ୍ଷ ଦୟାନିଧି ଖମାରୀ, ପୂର୍ବ ଜିଲ୍ଲା ପରିଷଦ ସଭ୍ୟ ସୁଶୀଲ ଚାନ୍ଦ, ୧୨ ନମ୍ବର ଜୋନ ସଦସ୍ୟ ମମତା କୁମୁରା ଅତିଥି ଭାବେ ଯୋଗ ଦେଇ ନବନିର୍ବାଚିତ ସରପଞ୍ଚମାନେ କିଭଳି ଲୋକଙ୍କ ନିକଟତର ହୋଇ ସେବକରିବା ସହ ଏକ ଆଦର୍ଶ ପାଞ୍ଚାୟତ ଗଠନ କରିବେ ସେ ଦିଗରେ ପଦକ୍ଷେପ ନେବାକୁ ସରପଞ୍ଚମାନଙ୍କୁ କହିଥିଲେ । ପୂର୍ବ ସରପଞ୍ଚମାନଙ୍କୁ ଉପଢୌକନ ଦେଇ ବିଦାୟ ଦେଇଥିବା ବେଳେ ନୂତନ ସରପଞ୍ଚମାନଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା। ବୈଠକରେ ଯୋଗ ଦେଇଥିବା ୧୬ ଜଣ ସରପଞ୍ଚଙ୍କ ପ୍ରସ୍ତାବକ୍ରମେ ବନ୍ଧପଡ଼ା ସରପଞ୍ଚ ଗୋପାଳ ମିଶ୍ରଙ୍କୁ ସଭାପତି, ଦେଓଗାଁ ସରପଞ୍ଚ ନିନା ଛତ୍ରୀଆ ଉପ ସଭାପତି, ବଡ଼ବାହାଲ ସରପଞ୍ଚ ଜ୍ୟୋତ୍ସ୍ନାମୟୀ ରଣା ସମ୍ପାଦକ, ହାତୀସରା ସରପଞ୍ଚ କେଲୋ ଡାଙ୍ଗ କୋଷାଧ୍ୟକ୍ଷ ଭାବେ ମନୋନୀତ ହୋଇଛନ୍ତି।

ଅନ୍ୟପକ୍ଷରେ ସରପଞ୍ଚ ସଂଘ ଗଠନରେ ଅନୁପସ୍ଥିତ ଥିବା ସରପଞ୍ଚମାନେ ଅସନ୍ତୋଷ ପ୍ରକାଶ କରି ମନମୁଖୀ ସଂଘ ଗଠନ ହୋଇଛି ବୋଲି କହୁଥିବାରୁ ଆଗାମୀ ଦିନରେ ସରପଞ୍ଚ ସଂଘର କାର୍ଯ୍ୟକୁ ନେଇ ସନ୍ଦେହ ଦେଖାଦେଇଛି।

 

Comments are closed.