କଟକ: ବହୁଚର୍ଚ୍ଚିତ ସନ୍ତୋଷ ରାଉଳ ଓରଫ ସାରଥି ବାବାଙ୍କ ନିୟମିତ ଜାମିନ ସର୍ତ୍ତରେ ପରିବର୍ତ୍ତନ ନେଇ ହାଇକୋର୍ଟରେ ଏକ ପିଟିସନ ଦାଖଲ କରାଯାଇଛି। ୨୦୧୭, ଅଗଷ୍ଟ ୪ରେ କୋର୍ଟଙ୍କ ରହିଥିବା ଜାମିନ ସର୍ତ୍ତରେ କୋହଳ କରିବା ନେଇ ମାମଲା ରୁଜୁ ହୋଇଛି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ମାନସ ଚାନ୍ଦ ମାମଲା ପରିଚାଳନା କରୁଛନ୍ତି।
ସୂଚନାଯୋଗ୍ୟ କେନ୍ଦ୍ରାପଡ଼ାର ବାବା ନାମରେ ପରଚିତ ସନ୍ତୋଷ ରାଉଳ ତଥା ‘ସାରଥି’ ବାବା ଗତ ଜୁଲାଇ ୨୫ ସନ୍ଧ୍ୟାରେ ଚୌଦ୍ବାର ଜେଲରୁ ଜାମିନ ମିଳିବା ପରେ ବାହାରିଥିଲେ। ଦୀର୍ଘ ୪ ବର୍ଷ ଯାଏଁ ଜେଲରେ ବନ୍ଦ ରହିବା ପରେ ବାବା ସାରଥି ଜେଲରୁ ମୁକୁଳିଥିଲେ। ତେବେ ତିନିଟି ଅଭିଯୋଗରେ ମାମଲା ରୁଜୁ ହେବା ପରେ ସାରଥି ବାବାଙ୍କୁ ୨୦୧୫ ଅଗଷ୍ଟ ୮ରେ ଗିରଫ କରାଯାଇଥିଲା। ତେବେ ବିବାଦୀୟ ଡାକ୍ତର ଯୁବତୀଙ୍କ ମାମଲାରେ ସାରଥିଙ୍କୁ ସୁପ୍ରିମକୋର୍ଟ ଜାମିନ ପ୍ରଦାନ କରିଥିବା ବେଳେ ମୂଳ କ୍ରାଇମବ୍ରାଞ୍ଚ ମାମଲାରେ ୨୦୧୭ ମସିହା ଅଗଷ୍ଟ ମାସ ୪ତାରିଖରେ ତାଙ୍କୁ ହାଇକୋର୍ଟ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଥିଲେ। ଆଉ ଏକ ମାମଲାରେ ହାଇକୋର୍ଟ ଗତ ଜୁଲାଇ ୨୨ରେ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଥିଲେ। ଜେଲରୁ ମୁକୁଳିବା ପରେ କୌଣସି ଶୋଭାଯାତ୍ରା କରି ପାରିବେ ନାହି, ବାରିମୂଳ ଆଶ୍ରମକୁ ବାରଣ କରାଯାଇଥିବାବେଳେ କୌଣସି ଠାରେ ଧର୍ମ ଚର୍ଚ୍ଚା କରିପାରିବେନାହି।
ସେହିପରି କୌଣସି ସ୍ଥାନକୁ ଯିବାକୁ ହେଲେ ପୁଲିସର ଅନୁମତି ନେବା ପାଇଁ ଦର୍ଶାଯାଇଥିଲା। ତେବେ ଧର୍ମଚର୍ଚ୍ଚା ପାଇଁ ଅନୁମତି ପ୍ରଦାନ କରିବା ସହ ଅନୁମତି ନୁହେ ପୁଲିସକୁ ଜଣାଇ ଯିବା ପାଇଁ ଅନୁମତି ଦିଆଯାଉ ବୋଲି ପ୍ରାର୍ଥନା କରାଯାଇଛି।



