ପୂର୍ବତନ ବାଚସ୍ପତି ଶରତ କରଙ୍କୁସନ୍ଧ୍ୟା ଯୋଗୁଁ ଦିଆଗଲାନି ଗାର୍ଡ ଅଫ୍ ଅନର: ଆଇନ ମନ୍ତ୍ରୀ

ଭୁବନେଶ୍ବର: ପୂର୍ବତନ ବାଚସ୍ପତି ଶରତ କରଙ୍କୁ ଗାଁ ଅଫ୍‌ ଅନର୍‌ ଦିଆନଯିବା ପ୍ରସଙ୍ଗରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଆରୋପର ଜବାବ ରଖିଛନ୍ତି ଆଇନ ମନ୍ତ୍ରୀ ପ୍ରତାପ ଜେନା। ପୂର୍ବତନ ବାଚସ୍ପତି ଶରତ କରଙ୍କୁ ଗାର୍ଡ ଅଫ୍ ଅନର୍‌ ପାଇଁ ସମସ୍ତ ପ୍ରସ୍ତୁତି ସରିଥିଲା। ସନ୍ଧ୍ୟା ହୋଇ ଯାଇଥିବାରୁ ତାଙ୍କୁ ଗାର୍ଡ ଅଫ୍ ଅନର୍‌ ଦିଆଯାଇ ପାରିଲାନି। ପରିବାରର ଇଚ୍ଛା, କୋଭିଡ୍‌ କଟକଣା ମାନି ସବୁ କିଛି ସମ୍ପନ୍ନ କରାଯାଇଛି। ସ୍ବର୍ଗତ ଶରତ କର କୋଭିଡ୍‌ ଆକ୍ରାନ୍ତ ଥିବାରୁ ମରଶରୀର ବିଧାନସଭା ନିଆଯାଇ ପାରିଲାନି। ଭିନ୍ନକ୍ଷମ ଓ ସଶକ୍ତିକରଣ ମନ୍ତ୍ରୀ ଅଶୋକ ପଣ୍ଡାଙ୍କୁ ଶେଷ ସମ୍ମାନ ଜଣାଇବାକୁ ମୁଖ୍ୟମନ୍ତ୍ରୀ ପଠାଇଥିଲେ। ପିସିସି ସଭାପତି ଛୋଟପିଲା ଭଳି ମନ୍ତବ୍ୟ ଦେଇଛନ୍ତି ବୋଲି ଆଇନ ମନ୍ତ୍ରୀ ପ୍ରତାପ ଜେନା ନିଜ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି।
ପୂର୍ବତନ ବାଚସ୍ପତି ଶରତ କରଙ୍କ ରାଷ୍ଟ୍ରୀୟ ସମ୍ମାନ ପରିପେକ୍ଷୀରେ ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ମନ୍ତବ୍ୟର ପ୍ରତିକ୍ରିୟା ରଖି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି ଯେ ମୁଁ ପିଲାଳିଆ ଭାବରେ ମନ୍ତବ୍ୟ ଦେଇଛି । ତାଙ୍କ ଏ ମନ୍ତବ୍ୟ ହାସ୍ୟାସ୍ପଦ । ସେ ମୋ ଆଗରେ ପିଲା, ମୋ ପୁଅ ବୟସର ବା ସାନଭାଇ ବୟସର ମୁଁ ତାଙ୍କୁ କ’ଣ ଉତ୍ତର ଦେବି। ସରକାରଙ୍କ ନିୟମକାନୁନ୍ ମୋତେ ବେଶ୍ ଜଣାଅଛି। ଓଡିଶାରେ ଯେତେ ମୁଖ୍ୟମନ୍ତ୍ରୀ ହେଇଛନ୍ତି ବିଶ୍ୱନାଥ ଦାସଙ୍କ ଠାରୁ ଆରମ୍ଭ କରି ଜାନକୀ ପଟ୍ଟନାୟକଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ଶବଦାହବେଳେ ମୁଁ ଉପସ୍ଥିତ ରହିଛି । କେବଳ ସ୍ୱର୍ଗତ ରାଜେନ୍ଦ୍ର ନାରାୟଣ ସିଂହଦେଓ ଓ ସ୍ୱର୍ଗତ ସଦାଶିବ ତ୍ରୀପାଠୀଙ୍କ ଶବଦାହ ବେଳେ ଉପସ୍ଥିତ ନଥିଲି । ଏତଦ୍ ବ୍ୟତୀତ ବିଭିନ୍ନ ଦଳର ରାଜନୈତିକ ନେତା ଓ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ଶବଦାହ ବେଳେ ଉପସ୍ଥିତ ରହିଛି। ସନ୍ଧ୍ୟାର ଆଗତ ସମୟରେ ମଧ୍ୟ ନେତାଙ୍କୁ ରାଷ୍ଟ୍ରୀୟସମ୍ମାନ ଦିଆଯାଇଛି।
ଯଦି ସନ୍ଧ୍ୟା ହେଲା ବୋଲି ରାଷ୍ଟ୍ରୀୟ ମର୍ଯ୍ୟଦା ଶ୍ମଶାନରେ ଦିଆଗଲାନାହିଁ, ଅନ୍ୟ କୌଣସି ସ୍ଥାନରେ ଦିଆ ଯାଇପାରିଥାନ୍ତା। ଶ୍ମଶାନରେ ରାଷ୍ଟ୍ରୀୟ ସମ୍ମାନ ନଦିଆଯାଇ ଅନ୍ୟ ଜାଗାରେ ଦେବାର ଦୃଷ୍ଟାନ୍ତ ରହିଛି। ପୂର୍ବତନ ବାଚସ୍ପତି ଶରତ କରଙ୍କ କ୍ଷେତ୍ରରେ ଏହା କରାଗଲାନାହିଁ କାହିଁକି? ସ୍ୱର୍ଗତ ଶରତ କରଙ୍କ ଅମର ଆତ୍ମା ପ୍ରତି ଏହି ଯେଉଁ ଅବିଚାର ହୋଇଛି ସେ ବିଷୟରେ ଆଉ ଅଧିକ ଆଲୋଚନା ନକରି ଦୟାକରି ଏ ତ୍ରୁଟିପାଇଁ ସରକାର କ୍ଷମାମାଗନ୍ତୁ ଏବଂ ଏଥିପାଇଁ କିଏ ଦାୟୀ ମୁଖ୍ୟମନ୍ତ୍ରୀ ଏହାର ବିଚାର କରନ୍ତୁ ।

ପ୍ରତାପ ଜେନା ନିମ୍ନଲିଖିତ ପ୍ରଶ୍ନ ଗୁଡିକର ସରକାର ଉତର ଦେବେ କି?
୧. ଶରତ କର କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଅପରାହ୍ଣ୨ଟା୩୦ରେ ସେ ଦେହତ୍ୟାଗ କରିଥିଲେ ଓ ୩ଟା ୧୫ମିନିଟ୍‌ରେ ହସ୍ପିଟାଲ କର୍ତୁପକ୍ଷଙ୍କ ତରଫରୁ ମୃତ୍ୟୁ ବୋଲି ଘୋଷଣା କରାଗଲା। ମରଶରୀରକୁ ପରିବାରବର୍ଗଙ୍କ ଦିଆଯାଇନଥିଲା। ହସ୍ପିଟାଲ ତରଫରୁ ମରଶରୀରକୁ ଶ୍ମଶାନକୁ ଅଣାଗଲା। ନିୟମ ଅନୁସାରେ ସୂର୍ଯ୍ୟାସ୍ତ ପୂର୍ବରୁ ଅଣାଗଲା ନାହିଁ କାହିଁକି?
୨. ଶରତ କରଙ୍କ ସାନ ପୁଅ ବାପାଙ୍କର ଶେଷ ଇଛାପୂରଣ କରିବାକୁ ପୁରୀ ନେବାପାଇ ପ୍ରତାପ ଜେନାଙ୍କୁ ଅନୁରୋଧ କରିଥିଲେ। ଅନ୍ୟମାନଙ୍କୁ ପୁରୀ ନେବାପାଇଁ ଅନୁମତି ଦେବାବେଳେ ଶରତ କରଙ୍କ ମର ଶରୀରକୁ ପୁରୀ ନେବାପାଇଁ ଅନୁମତି ଦିଆଗଲା ନାହିଁ କାହିଁକି?
୩. ବଡପୁଅ ବିଧାନସଭା କର୍ତୁପକ୍ଷଙ୍କ ସହ କଥାବାର୍ତ୍ତା କରି ମରଶରୀରକୁ ବିଭାନସଭା ନେବାପାଇଁ ସମୟ ନିର୍ଦ୍ଧାରଣ କରିଥିଲେ କିନ୍ତୁ ଠିକ୍ ୩୦ମିନିଟ୍‌ର ବ୍ୟବଧାନରେ ବିଧାନସଭାକୁ ମରଶରୀର ଆଣିବାକୁ ମନା କରିଦେଇଥିଲେ ।

Comments are closed.