www.samajalive.in
Wednesday, December 10, 2025
16.1 C
Bhubaneswar

ବାଲି ନୀତିକୁ ନେଇ କମ୍ପିଲା ଗୃହ : ବର୍ଷକୁ ୧୫ହଜାର କୋଟିରୁ ଊର୍ଦ୍ଧ୍ବ ବାଲି ଚୋରି ହେଉଛି : ବିରୋଧୀ

-୨ଲକ୍ଷ ୪୨ହଜାର ଘନମିଟର ବାଲି ବିନା ପାସରେ ବିଦେଶ ଚାଲାଣ ହୋଇଛି
-ବାଲି ନୀତିର ତର୍ଜମା ହେଉଛି : ରାଜସ୍ବ ମନ୍ତ୍ରୀ
ଭୁବନେଶ୍ୱର :ରାଜ୍ୟରେ ବର୍ଷକୁ ପ୍ରାୟ ୧୫ହଜାର କୋଟି ଟଙ୍କାର ବାଲି ଚୋରି ହେଉଛି। ଠିକାଦାର ଓ ସରକାରୀ ଅଧିକାରୀଙ୍କ ସଲାସୁତୁରାରେ ବାଲି ଘାଟ ଟେଣ୍ଡର ହେଉଛି। ଯାହାଫଳରେ କିଛି ବାଲି ଚୋର ମାଲେମାଲ୍ ହେଉଥିବାବେଳେ ଓଡ଼ିଶା ସରକାର ପ୍ରଭୂତ ରାଜସ୍ବ ହରାଉଛନ୍ତି। ରାଜ୍ୟ ସରକାର ଜାଣିଶୁଣି ବାଲି ନୀତି ଆଣୁ ନାହାନ୍ତି। କେତେକ ପ୍ରଶାସନିକ ଅଧିକାରୀ ଉଦ୍ଦେଶ୍ୟମୂଳକ ଭାବେ ଏହାକୁ କରାଇ ଦେଉନାହାନ୍ତି। ୩ବର୍ଷ ହେଲା ବାଲି ନୀତିର ତର୍ଜମା କରାଯାଉଛି। ଏସବୁ ଚଳିବ ନାହିଁ, ସରକାର ତୁରନ୍ତ ବାଲି ନୀତି ଆଣନ୍ତୁ ବୋଲି ଗୃହରେ ଶାସକ-ବିରୋଧୀ ଆଜି ମେଳି ହୋଇ ସରକାରଙ୍କୁ ଘେରିଥିଲେ। ରାଜସ୍ବ ମନ୍ତ୍ରୀ ସୁଦାମ ମାରାଣ୍ଡି ଏହାର ତର୍ଜମା କରାଯାଇ ଖୁବଶୀଘ୍ର ଅଣାଯିବ ବୋଲି ଗୃହକୁ ଆଶ୍ବାସନା ଦେଇଥିଲେ। ହେଲେ ବାଚସ୍ପତି ଡ. ସୂର୍ଯ୍ୟନରାୟଣ ପାତ୍ର କିନ୍ତୁ ନଛୋଡବନ୍ଦା,ଶ୍ରୀ ପାତ୍ର ଏଥିରେ ଅସନ୍ତୋଷ ବ୍ୟକ୍ତ କରି କହିଥିଲେ ଯେ ଏସବୁ ଆଉ ଚଳିବ ନାହିଁ। ବହୁଦିନ ହେଲା ତର୍ଜମା କରୁଛ। ମୋ ଜିଲାରୁ ବିପୁଳ ପରିମାଣର ବାଲି ଆନ୍ଧ୍ରପ୍ରଦେଶ ଯାଉଛି। ତୁରନ୍ତ ସରକାର ବାଲି ନୀତି ଆଣନ୍ତୁ ବୋଲି ଶ୍ରୀ ପାତ୍ର ଗୃହରେ ଉଦବେଗ ପ୍ରକାଶ କରିବ ସହିତ ସରକାରଙ୍କୁ ନିର୍ଦେଶ ଦେଇଥିଲେ।
ଆଜି ଗୃହ ଆରମ୍ଭ ହେବା ମାତ୍ରେ ରାଜସ୍ବ ମନ୍ତ୍ରୀ ମୂଳ ପ୍ରଶ୍ନକର୍ତ୍ତା ବିଜେପିର ମୋହନ ମାଝିଙ୍କ ପ୍ରଶ୍ନର ଉତ୍ତର ଦେଇ କହିଥିଲେ ଯେ ୨୦୧୮ରେ ତତ୍କାଳୀନ ମୁଖ୍ୟସଚିବଙ୍କ ଅଧ୍ୟକ୍ଷତାରେ ବାଲି ନୀତି ନେଇ ବୈଠକ ଅନୁଷ୍ଠିତ ହୋଇଥିଲା। ଚିଠା ପ୍ରସ୍ତୁତି ହୋଇ ତର୍ଜମା କରାଯାଉଛି। ରାଜ୍ୟରେ ବର୍ଷକୁ କେତେ ବାଲିର ଚାହିଦା ଅଛି ତାହା ଆକଳନ କରାଯାଇ ନାହିଁ। ତେବେ ୨୦୧୫-୧୬ ଆର୍ଥିକ ବର୍ଷରୁ ୨୦୨୦-୨୧ ବର୍ଷ ମଧ୍ୟରେ ୨କୋଟି ୩୯ଲକ୍ଷ ୪୯ହଜାର ୬୧୩ ଘନ ମିଟର ବାଲି ଉତ୍ତୋଳନ ହୋଇଛି। ସେଥିରୁ ଶେଷ ତିନି ବର୍ଷରେ ବିଦେଶକୁ ୨ଲକ୍ଷ ୪୨ହଜାର ୪ ଘନ ମିଟର ବାଲି ରପ୍ତାନି ହୋଇଛି। ପୂର୍ବ ତିନିବର୍ଷର ହିସାବ ସରକାରଙ୍କ ପାଖରେ ନାହିଁ। ବାଲି ଦର ସରକାର ନିର୍ଦ୍ଧାରଣ କରନ୍ତି ନାହିଁ। ସରକାର କେବଳ ବାଲି ଘାଟ ଟେଣ୍ଡର ଆକାରରେ ଦେଇଥାନ୍ତି ବୋଲି ମନ୍ତ୍ରୀ କହିଥିଲେ।
ମୂଳ ପ୍ରଶ୍ନକର୍ତ୍ତା ଶ୍ରୀ ମାଝି କହିଥିଲେ ଯେ ଯେଉଁମାନେ ଟେଣ୍ଡର ନେଇଛନ୍ତି ପ୍ରତି ୬ମାସରେ ସରକାରଙ୍କୁ ରିଟର୍ଣ୍ଣ ଆକାରରେ ଦର୍ଶାଇବା କଥା କେତେ ବାଲି ଉଠିଲା, ମାତ୍ର ତାହା ସେମାନେ କରୁ ନାହାନ୍ତି। ବର୍ଷକୁ ସରକାର ପ୍ରାୟ ସାଢ଼େ ୩ହଜାର କୋଟି କ୍ଷତି ସହୁଛନ୍ତି। ବାଲି ଠିକାଦାର ଓ ସରକାରଙ୍କ ସଲାସୁତୁରା ପାଇଁ ରାଜ୍ୟ ରାଜସ୍ବ ହରାଉଛି। ସେହିପରି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି କହିଥିଲେ ଯେ ବାଲିର ଟେଣ୍ଡର ଯେତିକି ଠିକାଦାରଙ୍କୁ ଦିଆଯାଉଛି ତାହା ମାତ୍ର ୨ରୁ ୩ ମାସ ମଧ୍ୟରେ ଶେଷ ହୋଇଯାଉଛି। ହେଲେ ଠିକାଦାର ବର୍ଷତମାମ ବାଲି ବୋହୁଛି, ଏହା କିଭଳି ସମ୍ଭବ ହେଉଛି ବୋଲି ପ୍ରଶ୍ନ କରିଥିଲେ। ପ୍ରଶାସନିକ ଅଧିକାରୀଙ୍କ କିକ୍ ବ୍ୟାକ୍ ଯୋଗୁଁ ଘାଟ ନିଲାମ ହେଉଛି। ସେହିପରି ଟ୍ରକରେ ବାଲି ଚୋରକୁ ସରକାର ଧରୁ ନାହାନ୍ତି, ହେଲେ ଗାଁ ଗହଳିରେ ଯିଏ ଟ୍ରାକ୍ଟର ଟିଏ କରି ପେଟ ପୋଷୁଛି ତାକୁ ଧରି ୬୦ହଜାରରୁ ୧ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜୋରିମାନା ଆଦାୟ କରାଯାଉଛି। ସରକାରୀ ଘର ଖଣ୍ଡେ ଗରିବ ଲୋକ କରିପାରିବ ନାହିଁ ବୋଲି ସେ କହିଥିଲେ। ମନ୍ତ୍ରୀ ଶ୍ରୀ ମାରାଣ୍ଡି ତାଙ୍କ ଉତ୍ତରରେ କହିଥିଲେ ଯେ ବିଡ଼ିଓମାନଙ୍କୁ ନିର୍ଦେଶ ରହିଛି ଯେ ଯେକେହି ବିଜୁ ପକ୍କାଘର କିମ୍ବା ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପାଇଁ ବାଲି ନିଏ ତେବେ ତାକୁ ରିଆତି ଦିଆଯିବ। ଏହାବାଦ୍ ଅଧିକାରୀମାନେ ସ୍ଥଳବିଶେଷରେ ୫ହଜାରରୁ ୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ‌ଜୋରିମାନା ଆଦାୟ କରିପାରିବେ।
ସଭ୍ୟ ସୁରେଶ ରାଉତରାୟ କହିଥିଲେ ଯେ ରାଜଧାନୀର ଚାରିପଟେ କୋଟି କୋଟି ଟଙ୍କାରୁ ଅଟ୍ଟାଳିକା ନିର୍ମାଣ ହେଉଛି ହେଲେ ଗୋଟିଏ ବି ବାଲିଘାଟ ନିଲାମ ନାହିଁ। ବାଲି କେଉଁଠୁ ଆସୁଛି, ୨୦ହଜାର କୋଟିରୁ ଊର୍ଦ୍ଧ୍ବ ଟଙ୍କାର ବାଲି ଚୋରି ହେଉଛି। ସେହିପରି ସଭ୍ୟ ସନ୍ତୋଷ ସିଂହ ସାଲୁଜା କହିଥିଲେ ଯେ ପିପି ପରମିଟ ନଥିବାବେଳେ କିଭଳି ରାଜ୍ୟ ଓ ରାଜ୍ୟ ବାହାରକୁ ବାଲି ଚାଲାଣ କରାଗଲା ତାହାର ଉତ୍ତର ମନ୍ତ୍ରୀ ଦିଅନ୍ତୁ। ମନ୍ତ୍ରୀ ଶ୍ରୀ ମାରାଣ୍ଡି କହିଥିଲେ ଯେ ସଭ୍ୟମାନଙ୍କ ଉଦବେଗକୁ ଦୃଷ୍ଟିରେ ରଖି ଖୁବଶୀଘ୍ର ବିଭାଗ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯିବ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories