ନୀଳଗିରି: ଦିନକୁ ଦିନ ବଢ଼ିବାରେ ଲାଗିଛି ଅପରାଧ । ଆଇନ ବା ଦଣ୍ଡବିଧାନ ଯେତେ କଡ଼ା ହେଲେ ବି ମାନୁ ନାହାନ୍ତି ଅପରାଧି । ନା ଆଇନକୁ ଭୟ ଅଛି ନା ପୋଲିସକୁ । ବାଲେଶ୍ୱର ଜିଲା ନୀଳଗିରି ଥାନା ଅଞ୍ଚଳରେ ଏମିତି ଘଟିଛି, ପୋଲିସ ବେକରେ ଭୁଜାଲି ଲଗାଇ ଧମକାଇବାକୁ ପଛାଇଲେନି ବାଲି ମାଫିଆ ।
ନୀଳଗିରି ଥାନା କାଂଶସ୍ଥିତ ସୋନ ନଦୀରେ ଦିବାରାତ୍ର ବାଲି ଚୋରାଚାଲାଣ ହେଉଥିବା ଅଭିଯୋଗ ଆସିଥିଲା । ଖବର ପାଇ ବାଲେଶ୍ୱରରୁ କନିଷ୍ଠ ଖଣି ଅଧିକାରୀ ଜିତେନ୍ଦ୍ର ଦାସ ପୁଲିସ ଧରି ସେଠାରେ ପହଞ୍ଚିଥିଲେ । ଅଧିକାରୀମାନଙ୍କୁ ଦେଖି ମାଫିଆଗୋଷ୍ଠୀ ଓଲଟା ଦାଦାଗିରି କରିଥିଲେ । ତାଙ୍କୁ ଆକ୍ରମଣ କରିବା ସହ ଭୁଜାଲି ଦେଖାଇ ସେମାନଙ୍କୁ ହତ୍ୟା ଉଦ୍ୟମ କରିବାକୁ ବି ପଛାଇ ନଥିଲେ । ତଥାପି ଖଣି ଅଧିକାରୀ ଜଣକ ଉକ୍ତ ଗାଡ଼ିକୁ ଜବତ କରି ଭର୍ତ୍ତି ହୋଇଥିବା ବାଲିକୁ ଢ଼ାଳି ଦେଇଥିଲେ । ଟ୍ରାକ୍ଟରରେ ଉମାକାନ୍ତ ସିଂ ନାମକ ଜଣେ କନଷ୍ଟେବଳଙ୍କୁ ବସାଇ ଅଯୋଧ୍ୟା ଫାଣ୍ଡି ଆଡ଼କୁ ଯାଉଥିବା ସମୟରେ ପୁରୁଣାଗାଁ ପାଖରେ ରାଜକୁମାର ପ୍ରଧାନ ନାମକ ବ୍ୟକ୍ତି ସମ୍ପୃକ୍ତ କନଷ୍ଟେବଳଙ୍କ ବେକରେ ଭୁଜାଲି ଲଗାଇ ଟ୍ରାକ୍ଟର ଛଡ଼ାଇ ଚମ୍ପଟ ମାରିଥିଲେ ।
ଏହି ଆକ୍ରମଣ ଘଟଣାରେ ୨୫ରୁ ଊର୍ଦ୍ଧ୍ୱ ମାଫିଆଙ୍କ ସମ୍ପୃକ୍ତି ଥିଲା । ବାଲି ମାଫିଆଙ୍କ ଏଭଳି ଆତଙ୍କରାଜକୁ ନେଇ ଅଞ୍ଚଳରେ ଉଦବେଗ ସୃଷ୍ଟି ହୋଇଛି । ଏହି ଘଟଣାକୁ ନେଇ ଖଣି ଅଧିକାରୀ ଜଣକ ନୀଳଗିରି ଥାନାରେ ଏତଲା ଦେବା ପରେ ପୁଲିସ ପକ୍ଷରୁ ତନାଘନା ଆରମ୍ଭ ହୋଇଛି ।



