ମାହାଙ୍ଗା: ମାହାଙ୍ଗା ତହସିଲ ଅଂଚଳ ଏବେ ବେଆଇନ କାର୍ୟ୍ୟର ଗନ୍ତାଘର ପାଲଟିଛି। ନା ଏଠି ପୁଲିସ ପ୍ରଶାସନ ନା ତହସିଲ ପ୍ରଶାସନ କେହି ଏହି ବେଆଇନ କାର୍ୟ୍ୟକୁ ରୋକିବାକୁ କାର୍ୟ୍ୟାନୁଷ୍ଠାନ ନେଉଛନ୍ତି। କରୋନା ଲକଡାଉନ ସମୟରେ ମାହାଙ୍ଗା ଅଂଚଳରେ ସକ୍ରିୟ ହୋଇ ଉଠିଛନ୍ତି ଚୋରା ଲୁହାପଥର ଓ ବାଲି ମାଫିଆ। ଦୈତାରୀ ପାରାଦ୍ୱୀପ ୫୩ ଜାତୀୟ ରାଜପଥ ତଥା ମାହାଙ୍ଗା ଥାନାର ସୀମାନ୍ତବର୍ତୀ ଅଞ୍ଚଳ କଉଡ଼କୋଲଠାରେ ଏକ ଚୋରା ଲୁଣାହାପଥର ରାକେଟ ଏବେ କାର୍ୟ୍ୟ କରୁଛି। ବିଶେଷକରି କେଉଁଝର ଓ ସୁନ୍ଦରଗଡ଼ ଅଂଚଳର ଲୁହାପଥର ଖଣିରୁ ଟ୍ରକ ଯୋଗେ ଲୁହାପଥର ଗୁଣ୍ଡ ୫୩ ନଂ ଜାତୀୟ ରାଜପଥ ଦେଇ ପାରାଦ୍ୱୀପ ବନ୍ଦରକୁ ପରିବହନ ହେଉଥିବାବେଳେ ମାହାଙ୍ଗା ଥାନା କଉଡକୋଲଠାରେ ଲୁହାପଥର ମାଫିଆମାନେ ଗାଡିର ଡ୍ରାଇଭରଙ୍କୁ ହାତକରି ଗାଡ଼ିରୁ ଲୁହାପଥର ଗୁଣ୍ଡ କାଢି ସେଠାରେ ମୋରମ ଓ ପାଣି ମିଶାଇ ତାକୁ ପଠାଇଦିଅନ୍ତି। ଏହି ଅପମିଶ୍ରିତ ଲୁହା ପଥର ଗୁଣ୍ଡ ଗାଡିକୁ ରାକେଟର କିଛି ମାଫିଆ ଖଣି ବିଭାଗ ଓ ବନ୍ଦର ବିଭାଗର କିଛି କର୍ମଚାରୀ ସାହାଯ୍ୟରେ ହାତଗୁଂଜା ଦେଇ ଏହାକୁ ପାସ କରାଇଦେବାରେ ସକ୍ଷମ ହୋଇଥାନ୍ତି। ପରେ ଗାଡ଼ିରୁ କଢ଼ା ଯାଇଥିବା ଏହି ଚୋରା ଲୁହାପଥର ଗୁଣ୍ଡକୁ ଜାଲ କାଗଜପତ୍ର ପ୍ରସ୍ତୁତ କରି ଟ୍ରକ ଯୋଗେ ରାଜ୍ୟର ବିଭିନ୍ନ ସ୍ପଞ୍ଜ ଆଇରନ କାରଖାନାକୁ ଲକ୍ଷ ଲକ୍ଷ ଟଙ୍କାରେ ବିକ୍ରି କରିଥାନ୍ତି ବୋଲି ଜଣେ ଗାଡିଚାଳକ ତାଙ୍କ ନାମ ଗୋପନ ରଖି କହିଛନ୍ତି।
ଏହା ସହିତ ଖଣିରୁ ମଧ୍ୟ ଜାଲ କାଗଜ ପାତ୍ର ସାହାଯ୍ୟରେ ଲୁହା ପଥର ଗୁଣ୍ଡ ଗାଡିକୁ ଆଣି କଉଡ଼କୋଲ ଓ ଡେରାବିଶ ଥାନାର ବଳଭଦ୍ରପୁରଠାରେ କାଢି ପୁନର୍ବାର ଖାଲି ଗାଡିକୁ ଖଣିକୁ ନେଇ ମାଲ ଲୋଡ଼ କରି ପାରାଦ୍ୱୀପ ଯାଇଥାନ୍ତି। ଦୀର୍ଘ ଏକ ବର୍ଷ ହେଲା ଖୋଲାଖୋଲି ଭାବେ କଉଡ଼କୋଲଠାରେ ରାସ୍ତା କଡରେ ହେଉଥିବା ବେଳେ ଏହା ନିକଟରେ ଥିବା ବାଲିଚନ୍ଦ୍ରପୁରପୁର ପୁଲିସ କି ଚଣ୍ଡିଖୋଲ ପୁଲିସ କେହି ଧ୍ୟାନ ଦିଅନ୍ତି ନାହିଁ। ଜାତୀୟ ରାଜପଥରେ ଲୁହା ଗୁଣ୍ଡ ଗାଡିକୁ ଯାଞ୍ଚ କରିବାପାଇଁ ସ୍ୱତନ୍ତ୍ର ଥାନା ଓ ଖଣି ବିଭାଗ କାର୍ୟ୍ୟାଳୟ ସ୍ଥାପନ କରାଯାଇଥିଲେବି ଟଙ୍କା ଦେଇ ଏହି ବେଆଇନ ଗାଡିଗୁଡିକୁ ପାସ କରାଯାଇଥାଏ ବୋଲି ଶୁଣିବାକୁ ମିଳୁଛି।
ମାହାଙ୍ଗା ବଡ଼ଚଣା, ଡେରାବିଶର ମାଫିଆମାନେ ଏକଜୁଟ ହୋଇ ଏହି ଲୁଟ କରୁଥିବାବେଳ ପୁଲିସ ପ୍ରଶାସନ କି ଖଣି ବିଭାଗ ଜାଣି ବି ଅଜଣା ଭଳି ରହିଛନ୍ତି। ଏ ସମ୍ପର୍କରେ ଯାଜପୁରରୋଡ଼ ଖଣି ଉପ ନିର୍ଦେଶକ ଜେ ଏସ କାନାରାଙ୍କୁ ଯୋଗାଯୋଗ କରିବାରୁ ଗାଡି ଯାଞ୍ଚ ପାଇଁ ଏକ ସ୍କ୍ୱାଡ଼ି ରହିଛି, ଯଦି ଏପରି ଚୋରା କରବାର ହେଉଥାଏ ସେ ସ୍ଥାନରେ ଖୁବ ଶୀଘ୍ର ଚଢ଼ାଉ କରାଯାଇ କାର୍ୟ୍ୟାନୁଷ୍ଠାନ ନିଆଯିବ ବୋଲି କହିଥିବା ବେଳେ ବାସ୍ତବରେ ତାହା କାର୍ୟ୍ୟ କାରି ହେଉନାହିଁ। ଏହି ଚୋରା ରାକେଟରେ ପ୍ରଶାସନର ବଡ ବଡ଼ ଅଧିକାରୀ ଓ ପ୍ରଭାବଶାଳୀ ଲୋକ ସାମିଲ ହୋଇ ଏଭଳି ଲୁଟ ଓ ବେଆଇନ କାର୍ୟ୍ୟ କରାଯାଉଥିବା ଆଲୋଚନା ହେଉଛି। ମାହାଙ୍ଗା ତହସିଲ ଅଧୀନରେ ଥିବା କିଛି ବାଲିଘାଟ ଲିଜ ବାତିଲ ହୋଇଯାଇଥିବା ବେଳେ ଦିନରାତି ମେସିନ ସାହାଯ୍ୟରେ ବାଲି ତଡା ଯାଇ ଗାଡ଼ିରେ ବାହାରକୁ ଚାଲାଣ ହେଉଛି। ଏପରିକି ମାଫିଆମାନେ ନଦୀ ସୁରକ୍ଷା ବନ୍ଧକୁ ତାଡି ଗାଡି ଗୁଳା ରାସ୍ତା ନିର୍ମାଣ କରି ନଦୀରୁ ବାଲି ଉଠାଉଥିବା ବେଳେ ନା ପୁଲିସ ପ୍ରଶାସନ ନା ତହସିଲ ପ୍ରଶାସନ କେହି ଧ୍ୟାନ ଦେଉନାହାନ୍ତି।



