www.samajalive.in
Saturday, December 6, 2025
26.1 C
Bhubaneswar

ଅଭିଯୋଗ ସତ୍ତ୍ବେ ନାଳ ସମସ୍ୟା ଦୂର ହେଉନି : ଅସରାଏ ବର୍ଷାରେ ସହର ଜଳାର୍ଣ୍ଣବ

ସମ୍ବଲପୁର : ସମ୍ବଲପୁର ଅଞ୍ଚଳରେ ବିଗତ ୨୪ ଘଣ୍ଟା ମଧ୍ୟରେ ୧୨୭ ମିମିରୁ ଅଧିକ ବର୍ଷା ହୋଇଥିବା ବେଳେ ସହରବାସୀ କୁତ୍ରିମ ବନ୍ୟାରେ ଉବୁଡୁବୁ ହୋଇଛନ୍ତି। ନିଗମ ଓ ଜିଲା ପ୍ରଶାସନର ପ୍ରହସନ ଯୋଗୁଁ ବିଗତ ୧୦ ବର୍ଷରୁ ଊର୍ଦ୍ଧ୍ବ ହେବ ନିଗମ ଅଞ୍ଚଳରେ କୁତ୍ରିମ ବନ୍ୟା ପ୍ରତି ବର୍ଷ ଦେଖାଯାଉଥିବା ବେଳେ କିନ୍ତୁ ସବୁ ବର୍ଷ ବଡ ବଡ ଦାବୀ କରାଯାଇ ଜନତାଙ୍କୁ ଫମ୍ପା ଆଶ୍ୱସନା ଦିଆଯାଉଛି। ଫଳରେ ସମ୍ବଲପୁର ମହାନଗର ନିଗମ ଅଞ୍ଚଳରେ ପ୍ରତି ମାସ କୋଟି କୋଟି ଟଙ୍କା ରାଜସ୍ୱ ଖର୍ଚ୍ଚ ସତ୍ତ୍ବେ ପରିମଳ ଓ ନାଳ ବ୍ୟବସ୍ଥା ଠିକ ହୋଇ ପାରୁ ନାହିଁ ଏବଂ ମୌସୁମୀ ବର୍ଷା ଯୋଗୁଁ ଅଧିକାଂଶ ଅଞ୍ଚଳରେ ନାଳ ଗୁଡିକ ଜାମ ହୋଇ ପଡ଼ି ରହିଥିବା ବର୍ଷା ଜଳ ନିଷ୍କାସିତ ହୋଇ ନ ପାରି କୁତ୍ରିମ ବନ୍ୟା ସୃଷ୍ଟି ହେଉଛି। ଏଥି ପାଇଁ ଲୋକ ମାନଙ୍କର ଘର ମଧ୍ୟକୁ ପ୍ରବେଶ କରି ଦୂଷିତମୟ ପରିବେଶ ସୃଷ୍ଟି କରୁଛି। ଏଣୁ ଲୋକେ ନାହିଁ ନ ଥିବା ଅସୁବିଧା ଭୋଗ କରିବା ସହିତ ଆବର୍ଜନାମୟ ପରିବେଶରେ ରହିବାକୁ ବାଧ୍ୟ ହେଉଛନ୍ତି। ସମ୍ବଲପୁର ମୁଦିପଡ଼ା ପାଣିଟାଙ୍କି ପଡ଼ା, ଦାନୀପାଲି ନ୍ୟୁ କଲୋନୀ, କୁମ୍ଭାରପଡ଼ା ଆଦି ବିଭିନ୍ନ ଅଞ୍ଚଳର ସଚେତନ ନାଗରିକ ମାନଙ୍କ ବାରମ୍ବାର ଅନୁରୋଧ ସତ୍ତ୍ବେ ନାଳ ସଫେଇ ଓ ଅଞ୍ଚଳରେ ରହିଥିବା କଲଭର୍ଟ ଗୁଡିକ ମଧ୍ୟରୁ ଆବର୍ଜନା ସଫେଇ କରାଯାଇ ନ ଥିବାରୁ ଆବର୍ଜନା ଓ ବର୍ଷା ଜଳ ନିଷ୍କାସନ ହୋଇ ନ ପାରି ମାତ୍ର କେଇ ଘଣ୍ଟାର ବର୍ଷାରେ ଅଞ୍ଚଳ ଗୁଡିକର ଜଳାର୍ଣ୍ଣବ ହୋଇଛି। ମୁଦିପଡ଼ାର ଡାକ୍ତରଖାନା, ପାଣିଟାଙ୍କି ଆଦି ଅଞ୍ଚଳରୁ ନାଳ ମୁଖ୍ୟ ରାସ୍ତା କଡ ଦେଇ ମୁଦିପଡ଼ା ଗୁରୁଦ୍ୱାରା ଛକ ପରେ ଥିବା ଧୋବିଯୋର ନାଳକୁ ବର୍ଷା ଓ ଆବର୍ଜନା ଜଳ ନିଷ୍କାସିତ ହୋଇଥାଏ। କିନ୍ତୁ ଦୀର୍ଘ ବର୍ଷ ହେବ ପାଣିଟାଙ୍କି ନିକଟରେ ଥିବା ଏକ କଲର୍ଭଟକୁ ସଫେଇ କରାଯାଉ ନ ଥିବା, ପାଣିଟାଙ୍କ କାର୍ଯ୍ୟାଳୟର ପାଚେରୀ ଦେଇ ଯାଇଥିବା ନାଳକୁ ଜବରଦଖଲ ଏବଂ ସଫେଇ କରା ନ ଯିବାରୁ ପ୍ରତି ବର୍ଷ ସାମାନ୍ୟ ବର୍ଷରେ ହଜାରରୁ ଉର୍ଦ୍ଧ ପରିବାର କୁତ୍ରିମ ବନ୍ୟାରେ ଉବୁଡୁବୁ ହେଉଛନ୍ତି। ଏ ସମ୍ପର୍କରେ ବାରମ୍ବାର ଅଭିଯୋଗ କରିଥିଲେ ସୁଦ୍ଧା ନିଗମ କର୍ତ୍ତୃପକ୍ଷ ସୁପ୍ତ ହୋଇ ରହିଛି। ରାସ୍ତାରେ ଜଳ ଜମା ହୋଇ ରହିଥିବାରୁ ଲୋକେ ଯାତାୟାତ କରି ମଧ୍ୟ ପାରୁ ନାହାନ୍ତି। ମୁଦିପଡ଼ା ଭଳି ଅବସ୍ଥା ସହରର ଦାନୀପାଲି କୁଲତାପଡ଼ା, ପ୍ରଧାନପଡ଼ା, ମନ୍ଦଲିଆ, କୁମ୍ଭାରପଡ଼ା, ଅଇଁଠାପାଲି, ଏ. ଏନ. ଗୁହା ଲେନ, ତାଲଭଟ୍ଟାପଡ଼ା, ତିୱାରିଗଳି, ବରେଇପାଲି ସର୍ଭିସ ରୋଡ, ହାଉସିଂ ବୋର୍ଡ କଲୋନୀ, ଚାରଭାଟି ଆଦି ବିଭିନ୍ନ ଅଞ୍ଚଳ ଗୁଡିକରେ ରହିଛି। ଚଳିତ ବର୍ଷ ମୌସୁମୀ ବିଳମ୍ବରେ ଆସିଥିଲେ ସୁଦ୍ଧା ଏ ପର୍ଯ୍ୟନ୍ତ ସହରର ଜଳ ନିଷ୍କାସନ ହେଉଥିବା ଧୋବିଯୋର, ଟାଙ୍ଗନା ଓ ହରଡଯୋର ନାଳ ଗୁଡିକ ସଫେଇ ସରି ନାହିଁ। ଗୋଟିଏ ପଟରେ ସହରରେ ରହିଥିବା ନାଳ ଗୁଡିକ ଜାମ ରହିଥିବା ବେଳେ ମୁଖ୍ୟ ନାଳ ଗୁଡିକ ମଧ୍ୟ ସଫେଇ ହୋଇ ନ ଥିବାରୁ ସାମାନ୍ୟ ବର୍ଷାରେ ଜଳ ଗୁଡିକ ନିଷ୍କାସିତ ହୋଇ ନ ପାରି କୃତ୍ରିମ ବନ୍ୟା ସୃଷ୍ଟି କରିଛି। ସହରବାସୀଙ୍କ ଅନୁଯାୟୀ ପରିମଳ ବ୍ୟବସ୍ଥା ପ୍ରତି ପ୍ରଶାସନ ସଚେତନ ନ ହୋଇ ତାର ପ୍ରହସନ ଏଭଳି ଜାରି ରଖେ, ତାହା ହେଲେ ଅବସ୍ଥା ସୁଧୁରିବା ପରିବର୍ତ୍ତେ ଆଗାମୀ ଦିନରେ ଏହା ସାଂଘାତିକ ସଙ୍କଟ ସୃଷ୍ଟି କରିବ ବୋଲି ଜନ ଅସନ୍ତୋଷ ପ୍ରକାଶ କରୁଛନ୍ତି।

Hot this week

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

ଦୁଇ କୁଖ୍ୟାତ ଅପରାଧି କାବୁ, କାର୍ବାଇନ୍ ଜବତ

ଭୁବନେଶ୍ୱର : ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

Related Articles

Popular Categories