ସୁନ୍ଦର ଦିଶିବ ବୀର ସୁରେନ୍ଦ୍ର ସାଏ ସ୍ମାରକ; ଡିସେମ୍ବର ସୁଦ୍ଧା ପର୍ଯ୍ୟଟକ ପାଇଁ ଖୋଲିବ

ସମ୍ବଲପୁର: ପଶ୍ଚିମ ଓଡିଶାର ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏଙ୍କ ସ୍ମୃତିରେ ପ୍ରଥମ ବୀର ସୁରେନ୍ଦ୍ର ସାଏ ମେମୋରିଆଲ (ସ୍ମାରକ) ହୀରାକୁଦ ବନ୍ୟପ୍ରାଣୀ ମଣ୍ଡଳ ପକ୍ଷରୁ ନିର୍ମାଣ କରାଯାଉଛି । ହୀରାକୁଦ ବନ୍ୟପ୍ରାଣୀ ମଣ୍ଡଳ ଅଧିନସ୍ଥ ଡେବ୍ରିଗଡ ଅଭୟାରଣ୍ୟ ବାହାରେ ଥିବା ବରଗଡ ଜିଲା ଅର୍ନ୍ତଗତ ବାରବଖରା ଗ୍ରାମ ନିକଟରେ ଏହି ସ୍ମାରକ ସ୍ଥଳ ନିର୍ମାଣ କରାଯାଉଛି । ପ୍ରାକୃତିକ ପରିବେଶ ମଧ୍ୟରେ ରହିଥିବା ବାରବଖରା ଅଞ୍ଚଳରେ ରହିଥିବା ୧୨ଟି ଗୁମ୍ଫା, ଝରଣା ଆଦି ପୂର୍ବରୁ ଏକ ଲୋକପ୍ରିୟ ତୀର୍ଥ ଓ ପର୍ଯ୍ୟଟନସ୍ଥଳ ଅଟେ । ଏହି ସ୍ଥାନକୁ ପ୍ରତି ବର୍ଷ ହଜାର ହଜାର ପିକନିକ ଦଳ, ଟ୍ରେକର ଓ ଯାତ୍ରୀ ମାନେ ଆଖପାଖ ଜିଲା ଏବଂ ପଡୋଶୀ ରାଜ୍ୟ ଛତିଶଗଡରୁ ପରିବାର ଓ ସାଥି ମାନଙ୍କ ସହିତ ବର୍ଷତମାମ ଆସିଥାନ୍ତି । ଡେବ୍ରିଗଡ ଅଭୟାରଣ୍ୟରେ ଥିବା ବାର (୧୨) ବଖରା ଗୁମ୍ଫା ଓ ଝରଣା ପ୍ରମୁଖ ଆକର୍ଷଣର କେନ୍ଦ୍ର ଅଟେ । ବୀର ସୁରେନ୍ଦ୍ର ସାଏଙ୍କ ବଳିଦାନ ଓ ବ୍ରିଟିଶ ମାନଙ୍କ ବିରୋଧରେ କରିଥିବା ସଂଗ୍ରାମକୁ ସମ୍ମାନ ଜଣାଇ ବାରବଖରା ନିକଟସ୍ଥ ୧୦୦ରୁ ଊର୍ଦ୍ଧ୍ଵ ଗ୍ରାମର ବାସିନ୍ଦା ମାନେ ଡେବ୍ରିଗଡ ଅଭୟାରଣ୍ୟକୁ ବଞ୍ଚାଇ ରଖିବାରେ ପ୍ରମୁଖ ଭୂମିକା ନିର୍ବାହ କରି ଆସୁଛନ୍ତି ।
ହୀରାକୁଦ ବନ୍ୟପ୍ରାଣୀ ମଣ୍ଡଳର ବନ ଅଧିକାରିଣୀ ଅଂଶୁପ୍ରଜ୍ଞା ଦାଶଙ୍କ ସୂଚନାନୁଯାୟୀ, ଡେବ୍ରିଗଡ ଅଭୟାରଣ୍ୟ ପଶ୍ଚିମ ଓଡିଶାରେ ବ୍ରିଟିଶ ମାନଙ୍କ ବିରୋଧରେ ବୀର ସୁରେନ୍ଦ୍ର ସାଏଙ୍କ ନେତୃତ୍ୱରେ ହୋଇଥିବା ସଂଗ୍ରାମରେ ଗୁରୁତ୍ୱପୁର୍ଣ୍ଣ ଭୂମିକା ନିର୍ବାହ କରିଛି । ସମ୍ବଲପୁରକୁ ରାୟପୁର ଏବଂ କଟକ ସହିତ ଯୋଡିବା ପାଇଁ ପ୍ରମୁଖ ସଡକ ପଥ ସହିତ ଡେବ୍ରିଗଡର ପାହାଡ ମାନଙ୍କର ଉପରେ ବୀର ସୁରେନ୍ଦ୍ର ସାଏଙ୍କ ଦ୍ୱାରା ପଥର ଓ ମାଟି ରେ ପାହାଡି ଦୁର୍ଗର ଶୃଙ୍ଖଳାର ନିର୍ମାଣ କରାଯାଇଥିଲା । ଦୁର୍ଗ ଗୁଡିକର ନିର୍ମାଣ ଡେବ୍ରିଗଡ ଅଭୟାରଣ୍ୟ ଓ ଏହାର ଆଖପାଖର ବାରଟି ପାହାଡର ଶୃଙ୍ଖଳାରେ କରାଯାଇଥିଲା, ଯାହାକି ପଶ୍ଚିମ ଓଡିଶା, ହୀରାକୁଦ ଜଳଭଣ୍ଡାର ସମେତ ଛତିଶଗଡର ସିଂଘୋଡା ପର୍ଯ୍ୟନ୍ତ ବ୍ୟାପ୍ତ ରହିଥିଲା । ଏଣୁ ଏହି ଐତିହାସିକ ସ୍ଥଳକୁ ବିକଶିତ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶରେ ହୀରାକୁଦ ବନ୍ୟପ୍ରାଣୀ ମଣ୍ଡଳ ପକ୍ଷରୁ ୧କୋଟି ଟଙ୍କାର ବ୍ୟୟରେ ବିକଶିତ କରାଯାଉଛି ।

ନିର୍ମାଣାଧିନ ‘ବୀର ସୁରେନ୍ଦ୍ର ସାଏ ସ୍ମାରକ’ ଠାରେ ସ୍ୱାଧhନତା ସଂଗ୍ରାମ ସମୟର ବିଭିନ୍ନ ଘଟଣା ସମୁହକୁ ଚିତ୍ର ଓ ମୂର୍ତ୍ତି ମାନଙ୍କର ଶୃଙ୍ଖଳା ମାଧ୍ୟମରେ ଦର୍ଶାଯାଉଛି । ଏଥି ପାଇଁ ସ୍ଥାନୀୟ ମୂର୍ତ୍ତିକାର ଓ କଳାକାର ସମୁହ ବନ୍ୟ ପ୍ରାଣୀ ମଣ୍ଡଳର ତତ୍ୱାବଧାନରେ ନିରନ୍ତର କାର୍ଯ୍ୟରତ ରହିଛନ୍ତି । ପର୍ଯ୍ୟଟକ ଓ ଯାତ୍ରୀ ମାନଙ୍କର ସୁବିଧା ପାଇଁ ସ୍ମାରକ ନିକଟରେ ଏକ ରେଷ୍ଟୁରାଣ୍ଟ ଏବଂ ପିକନିକ ପାଇଁ ସମସ୍ତ ପ୍ରକାରର ସୁବିଧା ଓ ପିକନିକ ସ୍ପଟର ନିର୍ମାଣ କରାଯାଉଛି । ବାରବଖରାକୁ ତୀର୍ଥ ଯାତ୍ରୀ ଓ ଆଗନ୍ତୁକ ମାନଙ୍କ ପାଇଁ ଏକ ଜଙ୍ଗଲ ରାସ୍ତାକୁ ବିକଶିତ କରାଯାଉଛି । ବାରବଖରା ତୀର୍ଥସ୍ଥଳରେ ୫୦୦ ବର୍ଷରୁ ଉର୍ଦ୍ଧ ହେବ ପୂଜା ପାଉଥିବା ମାଁ ସମଲେଶ୍ୱରୀ ଓ ସପ୍ତର୍ଷି ଙ୍କ ପାଇଁ ପୁନଃ ବିକାଶ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ।
ସ୍ମାରକ ଓ ଆଖପାଖ ଅଞ୍ଚଳର ରକ୍ଷଣାବେକ୍ଷଣ ଓ ପରିଚାଳନା ନିମନ୍ତେ ବୀର ସୁରେନ୍ଦ୍ର ସାଏଙ୍କ ସ୍ଥାନୀୟ ଅନୁଗାମୀ ମାନଙ୍କୁ ନେଇ ଇକୋ-ଡେଭଲପମେନ୍ଟ କମିଟି ଗଠନ କରାଯାଇଛି । ଏହି କମିଟି ଦ୍ୱାରା ରେଷ୍ଟୁରାଣ୍ଟ, ପିକନିକ ସ୍ପଟ, ତୀର୍ଥସ୍ଥଳ ଏବଂ ଜଙ୍ଗଲ ଟ୍ରେଲ ଆଦି ରକ୍ଷଣାବେକ୍ଷଣ ଓ ପରିଚାଳନା କରାଯିବ । ଏହି ସେବା ଗୁଡିକ ଦ୍ୱାରା ଆଦାୟ ହୋଇଥିବା ରାଜସ୍ୱ ଦ୍ୱାରା ଅଞ୍ଚଳର ରକ୍ଷଣାବେକ୍ଷଣ ଓ ପରିଚାଳନା କରାଯିବ । ଡେବ୍ରିଗଡ ଅଭୟାରଣ୍ୟ ଆଖପାଖ ଅଞ୍ଚଳରେ ରହୁଥିବା ଶତାଧିକ ଗ୍ରାମବାସୀ ବୀର ସୁରେନ୍ଦ୍ର ସାଏଙ୍କୁ ପୂଜା କରି ଆସୁଥିବାରୁ ପିଢ଼ି ପିଢ଼ି କରି ଆସୁଥିବାରୁ ଅଭୟାରଣ୍ୟ ସଂରକ୍ଷିତ ରଖିବାରେ ପ୍ରମୁଖ ଭୂମିକା ନିର୍ବାହ କରି ଆସୁଛନ୍ତି । ଏଣୁ ରାଜ୍ୟର ଅନ୍ୟ ଅଭୟାରଣ୍ୟ ଅପେକ୍ଷା ଡେବ୍ରିଗଡ ଅଭୟାରଣ୍ୟରେ ସର୍ବାଧିକ ଗୟଳ, ସମ୍ବର, ହରିଣ, ବାରହା ଆଦି ରହୁଛନ୍ତି । ଏହି ସ୍ମାରକ ସ୍ଥଳ ଆଗାମୀ ଡିସେମ୍ବର ସୁଦ୍ଧା ସମସ୍ତଙ୍କ ପାଇଁ ଖୋଲାଯିବ ବୋଲି ବୋଲି ହୀରାକୁଦ ବନ୍ୟପ୍ରାଣୀ ମଣ୍ଡଳ ଅଧିକାରିଣୀ ଅଂଶୁ ପ୍ରଜ୍ଞା ଦାଶ କହିଛନ୍ତି ।

Comments are closed.