ଭବ୍ୟ ରୂପେ ପାଳିତ ହେବ ସମ୍ବଲପୁରୀ ଦିନ: ସମ୍ବଲପୁରୀ ଏକତା ମଞ୍ଚ

ସମ୍ବଲପୁର: ଗୁରୁ ସତ୍ୟ ନାରାୟଣ ବହିଦାରଙ୍କ ଜନ୍ମ ଦିବସ ଅଗଷ୍ଟ ୧ ତାରିଖକୁ ବିଗତ କିଛି ବର୍ଷ ହେବ ସମ୍ବଲପୁରୀ ଦିନ ରୂପେ ପାଳନ କରାଯାଇ ଆସୁଛି । ଏଣୁ ସମ୍ବଲପୁରୀ ଏକତା ମଞ୍ଚ ପକ୍ଷରୁ ଆଗାମୀ ୧ ତାରିଖରେ ସ୍ଥାନୀୟ ମ୍ୟୁନିସିପାଲିଟି ଛକ ଠାରେ ସ୍ଥିତ ଗଙ୍ଗାଧର ମଣ୍ଡପ ଠାରେ ଭବ୍ୟ ରୂପେ ‘ସମ୍ବଲପୁରୀ ଦିନ’ ପାଳିତ ହେବ ବୋଲି ସୂଚନା ଦିଆଯାଇଛି । ଶୁକ୍ରବାର ପୂର୍ବାହ୍ନରେ ସ୍ଥାନୀୟ ମ୍ୟୁନିସିପାଲିଟି ଛକ ସ୍ଥିତ ‘ସାମ୍ବାଦିକ ଭବନ’ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ମଞ୍ଚର ଆବାହକ ସମୀର ରଞ୍ଜନ ବାବୁ କହିଛନ୍ତି ଯେ, ସମ୍ବଲପୁରୀ ଭାଷା, ସାହିତ୍ୟ ଓ ସଂସ୍କୃତି ପ୍ରଚାର ପ୍ରସାର ନିମନ୍ତେ ଅନୁଷ୍ଠାନ ଚେଷ୍ଟିତ ।

ଏଣୁ ସମ୍ବଲପୁରୀ ଦିନ ପାଳନ କରିବା ନିମନ୍ତେ ମଞ୍ଚ ପକ୍ଷରୁ ୧ ତାରିଖରେ ପୂର୍ବାହ୍ନ ୧୧ଟାରୁ ରାତ୍ର ୧୦ଟା ପର୍ଯ୍ୟନ୍ତ ବିଭିନ୍ନ ପ୍ରକାରର ଭବ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ପୂର୍ବାହ୍ନ ୧୧ଟାରୁ ଚିତ୍ରାଙ୍କନ, ରଙ୍ଗୋଲି, ଝୋଟି, ପ୍ରତିଯୋଗୀତା ନାରୀ ସେବା ସଦନ ଠାରେ ଅନୁଷ୍ଠିତ ହେବ । ୧୧ଟା ୩୦ରୁ ଗଙ୍ଗାଧର ମଣ୍ଡପ ଠାରେ ଫ୍ୟାନସି ଡ୍ରେସ ପ୍ରତିଯୋଗୀତା, ୧୨ଟା ୩୦ରୁ ୨ଟା ପର୍ଯ୍ୟନ୍ତ ମଞ୍ଚପୂଜା, କବିତା ପାଠ ଉତ୍ସବ ଅନୁଷ୍ଠିତ ହେବ । ଦ୍ୱିପ୍ରହର ୨ଟା ୩୦ରେ ଉଦଘାଟନୀ ଉତ୍ସବ, ଦୀପ ପ୍ରଜ୍ୱଳନ କରାଯିବା ପରେ ବିଗତ ୨ ବର୍ଷ ମଧ୍ୟରେ ସ୍ୱର୍ଗରୋହଣ କରିଥିବା ପଶ୍ଚିମ ଓଡିଶାର ବିଶିଷ୍ଟ କଳାକାର ମାନଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯିବ । ଏହା ପରେ ଗଙ୍ଗାଧର ମଣ୍ଡପ ଠାରେ ବିଶିଷ୍ଟ ଚିତ୍ର ଶିଳ୍ପୀ ମାନଙ୍କ ଦ୍ୱାରା ଲାଇଭ ପେଣ୍ଟିଂ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ।

ଅପରାହ୍ନ ୩ଟାରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଆରମ୍ଭ ହେବ । ଅପରାହ୍ନ ୫ଟାରେ (ହର ହର ଶମ୍ଭୁ) ଗାୟିକା ଅଭିଲିପସା ପଣ୍ଡାଙ୍କୁ ସମ୍ବର୍ଦ୍ଧିତ କରାଯିବା ପରେ ତାଙ୍କ ଦ୍ୱାରା କାର୍ଯ୍ୟକ୍ରମ, ଡାନ୍ସ ଦିୱାନେ ଜୁନିୟର ପ୍ରତିକ ନାଏକଙ୍କୁ ସମ୍ବର୍ଦ୍ଧନା ଏବଂ ମିସ ଇଣ୍ଡିଆ ପ୍ଲାନେଟ ଅନ୍ୱେଷା ଅଦିତି ମହାପାତ୍ରଙ୍କୁ ସମ୍ବର୍ଦ୍ଧନା ଦିଆଯିବ । ସନ୍ଧ୍ୟା ସାଢ଼େ ୬ଟାରେ ସମ୍ବଲପୁରୀ ଫେସନ ସୋ ବବି ମେହେର, ସମ୍ବଳିକା, ପଦ୍ମିନୀ ଆର ସଚିନ ଙ୍କ ଦ୍ୱାରା ଆୟୋଜିତ ହେବ । କାର୍ଯ୍ୟକ୍ରମରେ ଡ. କ୍ରିଷ୍ଣା ପଟେଲ, ଅରୁଣ ସେଠ ଓ ଦିଲ୍ଲୀପ ବାଗଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯିବ ।

ସାଢ଼େ ୭ଟାରେ ପୁର୍ନବାର ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇ ରାତ୍ର ୯ଟା ପର୍ଯ୍ୟନ୍ତ ଚାଲିବ । ଉଦଯାପନୀ ଉତ୍ସବ ରାତ୍ର ୯ଟାରେ ଆରମ୍ଭ ହୋଇ ୧୦ଟା ପର୍ଯ୍ୟନ୍ତ ଚାଲିବ । କାର୍ଯ୍ୟକ୍ରମରେ ଅଞ୍ଚଳର ବିଶିଷ୍ଟ କଳାକାର ମାନଙ୍କ ସମେତ ସମ୍ବଲପୁର ଜିଲାର ୪ ବିଧାୟକ ଜୟନାରାୟଣ ମିଶ୍ର, ଇଂ ରୋହିତ ପୂଜାରୀ, ନାଉରୀ ନାୟକ ଓ କିଶୋର ଚନ୍ଦ୍ର ନାୟକ ଯୋଗ ଦେବେ ବୋଲି ଆବାହକ ଶ୍ରୀ ବାବୁ ସୂଚନା ଦେଇଛନ୍ତି । ଏଥି ସହ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସଙ୍କ ମଧ୍ୟ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଏଥି ସହ ବୈଦିକ, ଡିପିଏସ, ବିକାଶ, ସାଇ ଶିକ୍ଷା ପରିଷଦ ଓ ଦୟାନନ୍ଦ ପ୍ଲେ ସ୍କୁଲ ଆଦି ଶିକ୍ଷାନୁଷ୍ଠାନର ସାଂସ୍କୃତିକ ଦଳ ଗୁଡିକ ସମ୍ବଲପୁର କଳା ପରିଷଦ, ରଙ୍ଗଫରୁଆ, ସ୍ୱଂୟ ଗ୍ରୁପ (ପଡିଆବାହାଲ) ସମେତ ଅନ୍ୟ ଅଞ୍ଚଳିକ ଦଳ ଗୁଡିକ ସେମାନଙ୍କର କଳା ପ୍ରଦର୍ଶନ କରି ବିଭିନ୍ନ କାର୍ଯ୍ୟକ୍ରମ ପରିବେଷଣ କରିବେ ।

ଏହି କାର୍ଯ୍ୟକ୍ରମର ପ୍ରଚାର ପ୍ରସାର ବିଭିନ୍ନ ସାମାଜିକ ଗଣମାଧ୍ୟମ, ପୋଷ୍ଟର, ବ୍ୟାନର ଆଦି ମାଧ୍ୟମରେ କରାଯାଉଥିବା ବେଳେ ଶନିବାର ଦିନ ଏକ ବିଶାଳ ବାଇକ ରାଲିର ଆୟୋଜନ ମଧ୍ୟ କରାଯିବ । କାର୍ଯ୍ୟକ୍ରମ ଦିନ ଗଙ୍ଗାଧର ମଣ୍ଡପ ଠାରେ ପାରମ୍ପରିକ ପିଠା ପଣା, ଖାଦ୍ୟପେୟ ଆଦି ପାଇଁ ୧୦ଟି ଷ୍ଟଲ ଜନତାଙ୍କ ପାଇଁ ଲାଗିବ । ଜନତାଙ୍କ ମନୋରଞ୍ଜନ ଓ ସମ୍ବଲପୁରୀର ପ୍ରଚାର ପ୍ରସାର ପାଇଁ ଯଥାସମ୍ଭବ ପ୍ରୟାସ କରାଯାଉଛି ବୋଲି ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି । ସାମ୍ବାଦିକ ସମ୍ମିଳନୀରେ ତ୍ରିଲୋଚନ ତ୍ରିପାଠୀ, ସୂର‌୍ୟ୍ୟ ପ୍ରକାଶ ଗୁରୁ, କମଳ ଲୋଚନ ପଣ୍ଡା, ମନୋଜ ଚୌଧୁରୀ, ରାମ ଶଙ୍କର ମିଶ୍ର, ମୋହିତ ନାୟକ, ହାସିମ ରାଜା, କଳ୍ପନା ମିଶ୍ର, ଅନ୍ନପୁର୍ଣ୍ଣା ବାରିକ, ଚନ୍ଦ୍ରଶେଖର ନାୟକ ଓ ରାଜୀବ ସାହୁ ପ୍ରମୁଖ ଉପସ୍ଥିତ ରହିଥିଲେ ।

Comments are closed.