www.samajalive.in
Thursday, December 11, 2025
13.1 C
Bhubaneswar

ମହାନଦୀର ଦ୍ୱିତୀୟ ସେତୁରେ ଫାଟ: ବ୍ୟାପକ ଦୁର୍ନୀତି ଅଭିଯୋଗ

ସମ୍ବଲପୁର: ସମ୍ବଲପୁର ସହରରୁ ମହାନଦୀର ଅପରପାର୍ଶ୍ବକୁ ଯୋଡିବା ପାଇଁ ଦ୍ୱିତୀୟ ସେତୁର ନିର୍ମାଣ କରାଯାଇଛି। ସ୍ଥାନୀୟ କଚେରୀ ଛକ ଠାରୁ ଆରମ୍ଭ ହୋଇଥିବା ଏହି ଦ୍ୱିତୀୟ ସେତୁ ଅପରପାର୍ଶ୍ବରେ ଥିବା ଚାଉଁରପୁରକୁ ଯୋଡିଥାଏ। ପୂର୍ବରୁ ଏହି ସେତୁ ନିର୍ମାଣ ହୋଇ ନ ଥିବାରୁ ଲୋକେ ବାଧ୍ୟ ହୋଇ ବୁଲି କରି ଯାତାୟତ କରୁଥିଲେ। ଜନତାଙ୍କର ଦାବି ଯୋଗୁଁ ୧୧୭.୭୨କୋଟି ଟଙ୍କା ବ୍ୟୟରେ ୧୫ ଶହ ମିଟର ଲମ୍ବ ଏହି ସେତୁ ନିର୍ମାଣ କରାଯାଇଥିଲା। ନିର୍ମାଣ ପରେ ଏହାକୁ ଗତ ୧ ଫେବୃଆରୀ, ୨୦୧୯ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଉଦଘାଟନ କରାଯାଇଥିଲା। ତେବେ ସେତୁର ଉଦଘାଟନ ହେବା ୭ମାସ ନପୁରୁଣୁ ସେତୁର ଉଭୟ ପାର୍ଶ୍ବରେ ଫାଟ ଦେଖିବାକୁ ମିଳିଛି। ଏହା ସହିତ ଏହା ବିଭିନ୍ନ ସ୍ଥାନ ଦବି ଯାଇଥିବା ଦେଖିବାକୁ ମିଳିଛି। ସାଧାରଣତଃ ଖୋଲା ଅଞ୍ଚଳରେ ରହିଥିବା ଏହି ସେତୁକୁ ଲୋକେ ଖାଲି ମୁହୁର୍ତ୍ତରେ ବୁଲି ଯିବା ସହିତ ହଜାର ହଜାର ଲୋକ ଏହି ସେତୁକୁ ପ୍ରତ୍ୟହ ବ୍ୟବହାର କରୁଛନ୍ତି। ଏଣୁ ଫାଟ ଦେଖିବା ପରେ ଲୋକେ ଭୟଭୀତ ହୋଇ ପଡିଥିବା ବେଳେ ଏହାର ସ୍ଥାୟିତ୍ୱକୁ ନେଇ ବର୍ତ୍ତମାନ ସାଧାରଣ ଜନତା ଚିନ୍ତିତ ହୋଇପଡିଛନ୍ତି।
ଅନ୍ୟପଟେ ସେତୁର ତଳେ ରିଙ୍ଗ ରୋଡ ଯାଇଥିବା ବେଳେ ଏହି ଫାଟରୁ ମାଟି ପଡୁଥିବାର ଲୋକେ ଅଭିଯୋଗ କରୁଛନ୍ତି। ଏଣୁ ଲୋକେ ସେତୁ ନିର୍ମାଣରେ କୋଟି କୋଟି ଟଙ୍କା ଦୁର୍ନୀତି ହୋଇଥିବାର ସନ୍ଦେହ ପ୍ରକାଶ କରିଛନ୍ତି। ପୂର୍ତ୍ତ ବିଭାଗ ପକ୍ଷରୁ ଏହି ସେତୁ କରାଯାଇଥିବା ବେଳେ ସେହି ସମୟରେ ଶାସକ ଦଳର କିଛି କୁଜି ନେତାମାନଙ୍କୁ ମଧ୍ୟ ଠିକା କାମରେ ନିୟୋଜିତ କରାଯାଇଥିଲା। ସେ ସମୟରେ ବିଧାନସଭା ନିର୍ବାଚନ ଥିବାରୁ ଭୋଟ ପାଇବା ପାଇଁ ତରବରିଆ ଭାବରେ ଏହି ସେତୁର ନିର୍ମାଣ ଓ ଉଦଘାଟନ କରାଯାଇଥିଲା ବୋଲି ସମାଜସେବୀ ବିପ୍ଲବ ଡନସନା ଅଭିଯୋଗ କରିଛନ୍ତି। ଏ ସର୍ମ୍ପକରେ ବିଭାଗୀୟ ଅଧିକାରୀ କଲୋଲ ପ୍ରଧାନ କହିଛନ୍ତି ଯେ, ବୋଧହୁଏ ଏହା ମାଟି ଦବିବା ପାଇଁ ହୋଇଥାଇପାରେ। ତେବେ କୌଣସି ଚିନ୍ତାର ବିଷୟ ନାହିଁ, ନୂତନ ସେତୁ ନିର୍ମାଣ ପରେ କେତେକ ସ୍ଥାନରେ ଏଭଳି ଦେଖାଯାଇଥାଏ। କିନ୍ତୁ ପୁଣି ଥରେ ମାଟିକୁ ଠିକ ଭାବରେ ଦବାଇ ମରାମତି କରାଯିବା ପରେ ଆଉ କୌଣସି ଅସୁବିଧା ହେବ ନାହିଁ।
ସୂଚନାଯୋଗ୍ୟ, ଏହି ସେତୁ ଦ୍ୱାରା ମହାନଦୀର ଅପରପାର୍ଶ୍ବରେ ରହିଥିବା ଅଞ୍ଚଳ ସହର ସହିତ ସିଧାସଳଖ ଯୋଡି ହୋଇ ପାରିଛି। ଯାହା ଦ୍ୱାରା ଲୋକେ କମ ସମୟରେ ଓ ଅତି ସହଜରେ ସହରକୁ ପହଞ୍ଚିି ପାରୁଛନ୍ତି। ଏହା ସହିତ ଏହି ରାସ୍ତା ଦେଇ ଯାତାତାୟ କଲେ ସମ୍ବଲପୁରରୁ ବରଗଡ ମଧ୍ୟରେ ଦୁରତ୍ୱ ପ୍ରାୟ ୧୦ କି.ମି କମ ପଡିଥାଏ। ତେବେ ୭ ମାସ ନ ପୁରୁଣୁ ସେତୁରେ ଫାଟ ଦେଖା ଦେବା ସମସ୍ତଙ୍କୁ ଆର୍ଶ୍ଚଯ୍ୟ ଚକିତ କରିଛି। ଏଣୁ ଏହି ଘଟଣାର ଭିଜିଲାନ୍ସ ଅଥବା ଉଚ୍ଚସ୍ତରୀୟ ତଦନ୍ତ କରିବା ପାଇଁ ସାଧାରଣରେ ଦାବି ହୋଇଛି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories