ସତ୍ୟ ପଥେ ଧର୍ମ ପଥେ….
ଇଂରାଜୀ ଭାଷାରେ କୁହାଯାଇଛି- ଅଲଟିମେଟ୍ ଟ୍ରୁଥ୍ ଇଜ୍ ମ୍ୟାନ। କଥାଟି ସଂପୂର୍ଣ୍ଣ ଭାବରେ ସତ୍ୟ। ସତ୍ୟର ମୂଳଭିତ୍ତି ଉପରେ ସମାଜ ଓ ସମାଜଜୀବନ ପର୍ଯ୍ୟବସିତ ଏବଂ ସତ୍ୟ ନ୍ୟାୟ ହିଁ ମଣିଷକୁ ତଥା ବିବେକ ବୁଦ୍ଧିକୁ ନିୟନ୍ତ୍ରିତ କରେ। ଅବଧାରିତ ସତ୍ୟ ମଣିଷକୁ ସୁବାଟରେ ଚାଲିବା ପାଇଁ ମାର୍ଗଦର୍ଶକ ହୋଇଥାଏ। ସବୁ ଯୁଗରେ ଓ ସବୁ କାଳରେ ସତ୍ୟ ଓ ଧର୍ମର ଜୟ ବୋଲି ଉଦ୍ଘୋଷିତ ହୋଇଛି।
ସତ୍ୟ ରକ୍ଷାକରି ରାଜା ଦଶରଥଙ୍କ ଆଦେଶରେ ଅଯୋଧ୍ୟାର ସିଂହାସନ ପରିତ୍ୟାଗ କରି ପ୍ରଭୁ ଶ୍ରୀରାମଚନ୍ଦ୍ର ଚଉଦବର୍ଷ ବନବାସ କଲେ। ପୁନରାୟ ସତ୍ୟ ପାଳନ କରି ରାଜା ହରିଶ୍ଚନ୍ଦ୍ର ଶ୍ମଶାନ ରକ୍ଷକ ସାଜିଲେ। ସତ୍ୟକୁ ଦେଖାଇବାକୁ ଯାଇ ଅନେକ କଷ୍ଟ ଯନ୍ତ୍ରଣା ସ୍ବୀକାର କରି ପୁତ୍ର ପ୍ରହଲ୍ଲାଦ ନିଜର ପିତା ହିରଣ୍ୟକଶିପୁଙ୍କୁ ସ୍ବୟଂ ନାରାୟଣ ସବୁଠାରେ ବିଦ୍ୟମାନ ବୋଲି ପ୍ରମାଣ କରିଦେଲେ। ସ୍ତମ୍ଭ ଭିତରୁ ନରସିଂହ ରୂପୀ ନାରାୟଣ ନିଜକୁ ପ୍ରକଟ କରି ରାକ୍ଷସକୁ ବଧ କଲେ। ଏହାଠାରୁ ବଳି ନିଷ୍ଠୁର ସତ୍ୟ ଆଉ କ’ଣ ଥାଇପାରେ। ଏମିତି ଅନେକ କାହାଣୀ ଗୁମ୍ଫିତ ହୋଇଛି ଆମ ପୁରାଣ, ଉପନିଷଦ ତଥା ଆମର ଦୁଇଟି ବିଶିଷ୍ଟ କାବ୍ୟ ରାମାୟଣ ଓ ମହାଭାରତରେ। ଯେଉଁଠି ସତ୍ୟର ଭାବମୂର୍ତ୍ତି ପ୍ରକାଶ ପାଇଛି ବିଭିନ୍ନ ପୌରାଣିକ ଚରିତ୍ରଗୁଡ଼ିକରେ। ସତ ମିଛ ଦୁନିଆ ଭିତରେ ମିଥ୍ୟା ବାସ୍ତବିକ କୁହେଳିକା ଓ ସତ୍ୟ ହେଉଛି ଦିବାଲୋକ ପରି ସ୍ପଷ୍ଟ ଓ ସୂର୍ଯ୍ୟାଲୋକ ପରି ଉଳ।
ଅତି ଶୈଶବ କାଳରୁ ଶୁକପକ୍ଷୀ ପରି ଆମେ ପ୍ରାର୍ଥନାରେ ଗାଇ ଆସିଲୁ ସେଇ, ଅମୂଲ୍ୟ ବାଣୀ-
‘ସତ୍ୟ ପଥେ ଧର୍ମ ପଥେ ଘେନିଯାଅ ମୋତେ/ ଭସାଅ ପରାଣ ମୋର ତବ ପ୍ରେମ ସ୍ରୋତେ’।
ଆଃ କି ଅମୃତମୟ, ଶାଶ୍ବତବାଣୀ- ମଣିଷଟିଏ ସୁପଥରେ ଯିବା ପାଇଁ ପରମେଶ୍ବରଙ୍କ ପାଖରେ ପ୍ରାର୍ଥନା। ବୟସ ବୃଦ୍ଧି ହେବା ସଙ୍ଗେସଙ୍ଗେ ଆମେ ସେଇ ଶାଶ୍ବତବାଣୀର ସଦୁପଯୋଗ କରିପାରିଲେ କି? ଆମେମାନେ କ୍ରମଶଃ ନିଜର ସ୍ବାର୍ଥ ହାସଲ କରିବା ନିମନ୍ତେ ମିଥ୍ୟାବାଦୀ ହୋଇପଡ଼ିଲେ। ହିତାହିତ ଜ୍ଞାନ, ବିବେକ, ବୁଦ୍ଧିକୁ ଜଳାଞ୍ଜଳି ଦେଇ ସାମୟିକ ସୁଖ ପାଇବା ଆଶାରେ ସବୁକୁ ହେୟଜ୍ଞାନରେ ନେଲେ, ମିଛର ଦ୍ବାହି ଦେଇ ଆମେ କରାୟତ୍ତ କରିବାକୁ ବସିଲେ ସଂସାରର ସବୁକିଛି।
ଆଜି ରାଜନୀତି, ଆଇନ, ଶିକ୍ଷା, ବ୍ୟବସାୟ ଚାକିରି, ପ୍ରଶାସନ, ସବୁ କ’ଣ ମିଛରେ ମିଛରେ ଚାଲିଛି। କେଉଁଠି ହେଲେ ସତ୍ୟ ଆତ୍ମପ୍ରକାଶ କରି ପାରୁନାହିଁ- ମିଥ୍ୟାର ମାୟାଜାଲରେ ସତ୍ୟ ଆଜି ଛନ୍ଦି ବାନ୍ଧି ହୋଇପଡ଼ିଛି। କାହାର ସାହସ ନାହିଁ, ସତ୍ୟର ସାମ୍ନା କରିବାକୁ। ଖବର କାଗଜ ପୃଷ୍ଠା ଆଡ଼େଇଲେ ସବୁଠି ମିଛର ଖେଳ- ମିଛର କାରନାମା।
ମିଛ କହିବା ମହାପାପ ବୋଲି ପିିଲାଟିବେଳୁ ଗୁରୁଜନମାନେ ଆମକୁ ନୀତି ବଚନ ଶୁଣାଇ
ଆସିଛନ୍ତି। ତା’ର ପ୍ରତିଫଳନ କ’ଣ ଆମ ଜୀବନରେ ପଡ଼ିଛି? ଏହାର ଯଥେଷ୍ଟ ପ୍ରମାଣ ଆମ ପୁରାଣମାନଙ୍କରେ ହିଁ ମିଳିବ। ଏଥିପାଇଁ କେତେ ପୌରାଣିକ ଚରିତ୍ରମାନଙ୍କରେ କଳଙ୍କ ଲାଗିଛି। ମିଛର ନିଆଁରେ ପୋଡ଼ିଯାଇଛି କେତେକେତେ ସୁନ୍ଦର ଦାମ୍ପତ୍ୟଜୀବନ। ମିଛର ସୁଡ଼ଙ୍ଗ ଦେଇ ଗର୍ଜି ଉଠିଛି କେତେ ବଜ୍ରବାଣ, ଧ୍ବଂସ ପାଇଛି କେତେ ରାଜପରିବାର, ଇତିହାସ ତା’ର ମୂକସାକ୍ଷୀ। ହେଲେ ମିଥ୍ୟା ପାଇଁ କ୍ଷମା ନାହିଁ। ମହାନ ଗ୍ରନ୍ଥ ରାମାୟଣ ଓ ମହାଭାରତରେ କିପରି ମିଥ୍ୟା ଜୀବନ ବିନାଶ କରେ, ପରିବାରକୁ ଛାରଖାର କରିଦିଏ, ଏହି କଥାଟି ପ୍ରାଞ୍ଜଳ ଭାବରେ ସ୍ଥାନିତ ହୋଇଛି- ଯେଉଁଥିରେ ଜନସଚେତନତା ସୃଷ୍ଟି କରାଯାଇଛି। କୁହାଯାଇଛି ମିଥ୍ୟାର ପଥ କଣ୍ଟକିତ ଓ ଘନ ଅନ୍ଧକାର ଆଉ ସତ୍ୟର ପଥ ଆଲୋକିତ ଓ ସୁଗମ। ଏପରି ନହେଇଥିଲେ ମହାଭାରତର ଅନୁପମ ଚରିତ୍ର ଗାନ୍ଧାରୀ ନିଜର ଶତପୁତ୍ରର ମୃତ୍ୟୁରେ କାତର ନହୋଇ ନିର୍ଭୀକ ଭାବରେ ଦୃପ୍ତ କଣ୍ଠରେ କହି ପାରିଥାନ୍ତେ କି ସତ୍ୟର ହେଉ ଜୟ ଧର୍ମର ହେଉ ଜୟ…।’ କିନ୍ତୁ ଅପରପେକ୍ଷ ନିଜର ଅପରାଧୀ ପୁତ୍ରକୁ ବଞ୍ଚାଇବା ପାଇଁ କେତେକେତେ ମିଥ୍ୟା ଜଣେ ମା କହିପାରୁଛି ତାହା ତ ଏବର ସମାଜରେ ବେଶ୍ ପ୍ରତିଫଳିତ।
ସତୀ ସାଧ୍ବୀ ସୀତା ଦେବୀଙ୍କ ପାଖରେ ସୁନାମିରିଗ ଦଉଡ଼ିଯିବାଟା କ’ଣ ସତ୍ୟ ଥିଲା? ମାୟା ମିରିଗ ଯେ ତାଙ୍କ ଆଖିକୁ ଜଳକା କରିଦେଲା ତାହା ସେ ବା ଜାଣିବେ କେମିତି- ବେଳେବେଳେ ଏ ମଣିଷ ମିଛ ମରୀଚିକା ପଛରେ ଧାଇଁ ଚାଲିଥାଏ। ହେଲେ ତା’ର ଶୋଷ କ’ଣ ମେଣ୍ଟେ। ମିଛର ନିଆଁ ମୁଣ୍ଡାଟାକୁ ଅଣ୍ଟିରେ ରଖିଲେ ସେ ଯେ କେତେବେଳେ ଜୀବନ ନେଇ ଯାଇପାରେ ଏକଥା କେହି ହେଲେ ଭାବନ୍ତି ନାହିଁ।
ପରିବାର ଯଦି ପିଲାଟିର ପ୍ରଥମ ଶିକ୍ଷାକେନ୍ଦ୍ର ତେବେ ପିଲାଟିକୁ ଭଲକଥା ଶିଖାଇବାର ଦାୟିତ୍ବ ପିତାମାତାଙ୍କର; କିନ୍ତୁ ଦେଖାଯାଉଛି ପିଲାଟିକୁ ଅତ୍ୟନ୍ତ ସ୍ନେହ ଆଦର କରି ପିଲାଟି ମିଛ କହି ଶିଖେ, ଆସ୍ତେଆସ୍ତେ ମିଥ୍ୟାବାଦୀ ହୁଏ- ମିଛ ତାକୁ କରାୟତ୍ତ କରେ, ମିଛ ଭିତରେ ଏମିତି ପଡ଼ିଯାଇଥାଏ, ଯେ ମିଛ ତାକୁ ଜାବୁଡ଼ିଧରେ- ଏଇ ମିଛ କହିବା ପରେ ପରେ ଚୋରି କରେ, ବଡ଼ବଡ଼ ଅପରାଧ କରି ବସେ ଓ ସେଥିରୁ ଖସିବା ପାଇଁ ଆହୁରି ମିଛ କହେ ଯାହା ଆଜି କାଲିକା ଦେଶ ଦୁନିଆରେ ଘଟୁଛି। କେମିତି ମହାନାୟକମାନେ ଖଳନାୟକରେ ରୂପାନ୍ତରିତ ହେଉଛନ୍ତି।
ମିଛସାକ୍ଷୀ ପ୍ରମାଣରେ ଅପରାଧୀ ଖସିଯାଏ ଅଥଚ ନିରପରାଧ ଦଣ୍ଡପାଏ। ମିଛ ବଳରେ ଖସି ଆସିଥିବା ଅପରାଧୀର ପଶ୍ଚାତ୍ତାପ ନଥାଏ ବରଂ ଆହୁରି ଦୁର୍ଦ୍ଧର୍ଷ ହୁଏ- ପ୍ରତିଶୋଧ ପରାୟଣ ହୁଏ। ଆଇନ ଭଙ୍ଗ କରେ ବାରମ୍ବାର। ମିଛ ଟାଣିଆଣେ ଦୁର୍ନୀତିକୁ। ଆଜିକାଲି ଜାଲ୍ ସାର୍ଟିଫିକେଟ, ମିଛ ପ୍ରମାଣପତ୍ର ମାଧ୍ୟମରେ ଅବା ଜାତିଗତ ପ୍ରମାଣପତ୍ର ମିଛରେ ତିଆରିକରି ଚାକିରି ପାଇଁ ଯୋଗ୍ୟ ହୁଅନ୍ତି କେତେକ; କିନ୍ତୁ ସେମାନେ ବୁଝି ନଥାନ୍ତି ଯେ ତା’ର ପରିଣାମ କେତେ ଭୟାବହ ବୋଲି। ରାଜନୀତିରେ ବି ମିଛ ପଶେ- କେଉଁ ରାଜନୀତିଜ୍ଞ ନିଧଡ଼କରେ କହି ପାରିବେ ସେ କରୁଥିବା ରାଜନୀତି ନିର୍ମଳ, ଆଉ ବିଶୁଦ୍ଧ ସତ୍ୟ ଉପରେ ଆଧାରିତ। ଭୋଟରମାନଙ୍କୁ ମିଛ ପ୍ରତିଶ୍ରୁତି ଦେଇ ଭୋଟ ଛଡ଼ାଇ ଅଣାଯାଏ, ହେଲେ ସେ ପାଏ କ’ଣ? ମିଥ୍ୟା ସତ୍ୟପାଠ କରି କଳାକୁ ଧଳା କରି ହୁଏ। ଜମି, ସଂପତ୍ତି ହଡ଼ପ କରିହୁଏ। ମିଛକଥା କହି ଟଙ୍କାପଇସା, ସୁନାଗହଣା ମଧ୍ୟ ଉଠାଇ ନେଇହୁଏ। ମିଥ୍ୟାର ପ୍ରଶ୍ରୟ ନେଇ ଦୁର୍ଗୁଣ, ଅସାମାଜିକ ଯୁବକଟି ସୁଶ୍ରୀ, ଶିକ୍ଷିତା, ସୁନ୍ଦରୀ ଝିଅଟିକୁ ବିବାହ କରିନିଏ। ଏଣେ ଘର ପରିବାର ସତ୍ୟ ପଦାକୁ ଆସିଲାପରେ ମୁଣ୍ଡ କୋଡ଼ନ୍ତି। ମିଛ ସତର ଅଭିନୟ ଏ ମଣିଷ କରେ- କେବେ ପୁଲିସ ଅଫିସର ସାଜେ, ତ କେବେଭିଜିଲାନ୍ସ ଅଫିସର। ଡାକ୍ତର କହି ଲୁଟିଚାଲେ ଲୋକଙ୍କୁ। କିଛି କରିତ୍କର୍ମା ଅଛନ୍ତି ଚାକିରି ଦେବା ନାଁରେ ସଂସ୍ଥା କରି ଲକ୍ଷ ଲକ୍ଷ ଟଙ୍କା ଲୁଟି ଚାଲନ୍ତି। କଥା ଫିଟିଗଲେ ଏମାନେ ଫେରାର ହୁଅନ୍ତି।
ମିଛର ଦୁନିଆ ଏତେ ପରିବ୍ୟାପ୍ତ ଯେ ସମସ୍ତଙ୍କୁ ସେ ଅଚିରେ କରାୟତ୍ତ କରିପାରେ- ଭକ୍ତ ଓ ଭଗବାନଙ୍କର ନିଗୂଢ଼ ସମ୍ପର୍କକୁ ସାତ୍ତ୍ବିକ ନକରି ମିଛ କେମିତି କଳୁଷିତ କରିଦିଏ। ଏଇ ମଣିଷ ଭଣ୍ଡ ପ୍ରତାରକ ବାବାଜି ସାଜି ଭକ୍ତିର ମୋହ ଦେଖାଇ ମିଛର ଆଶ୍ରୟ ନେଇ ଅସଂଖ୍ୟ ଭକ୍ତଙ୍କୁ ତାଙ୍କ ଆଡ଼କୁ ଟାଣି ଆଣିଥାନ୍ତି। ଆଉ ଅନ୍ଧ ପତଙ୍ଗ ସମ ଏମାନେ ସେଇ ଦୀପର ଅଗ୍ନିଶିଖାରେ ଆପେଆପେ ଆସି ପଡ଼ନ୍ତି। ଯେଉଁଠି କି ତାଙ୍କର ନିସ୍ତାର ନାହିଁ- ଭଣ୍ଡ ବାବାଜୀମାନେ ଭାବନ୍ତି ମିଥ୍ୟାର ଆଳରେ ଯଦି ଏତେ ଧନଜୀବନ, ସହଜରେ କରାୟତ୍ତ କରି ହେଉଛି, ତେବେ ଏ କାର୍ଯ୍ୟଟି ଖୁବ୍ ସହଜ। ସେମାନେ ଲୋକମାନଙ୍କୁ ଖାଲି ଲୁଟୁଥାନ୍ତି।
ସତ୍ୟ ଶବ୍ଦଟି ସତ୍ରୁ ସୃଷ୍ଟି। ଏହାର ଅର୍ଥ ହେଉଛି ଅସ୍ତିତ୍ବ। ସତ୍ୟକୁ ବାଦ ଦେଲେ କୌଣସି ବସ୍ତୁରେ ପ୍ରାୟତଃ ଅସ୍ତିତ୍ବ ନାହିଁ। ତେଣୁ ତ ଚାରିଯୁଗ ଭିତରେ ସତ୍ୟଯୁଗକୁ ପ୍ରାଧାନ୍ୟ ଦିଆଯାଇଛି। ଯେଉଁଠାରେ ସତ୍ ଅଛି ସେଠାରେ ଶୁଦ୍ଧ ଜ୍ଞାନ ମଧ୍ୟ ରହିଛି। ଯାହା ଅସତ୍ୟ ତା’ର ବିନାଶ ଅଛି କିନ୍ତୁ ସତ୍ୟର ବିକାଶ ଅଛି ବିନାଶ ନାହିଁ। ତେଣୁ ତ ସତ୍ୟର ନିୟମରେ ସବୁ ଠିକ୍ଠାକ ଚାଲିଛି। ଯେମିତି ସୂର୍ଯ୍ୟ, ଚନ୍ଦ୍ର, ଗ୍ରହ, ନକ୍ଷତ୍ର ଦିନ ଓ ରାତି। ବୈଜ୍ଞାନିକଙ୍କର ଉଦ୍ଭାବନରେ ବି ଆମେ ତା’ ଭିତରେ ସତ୍ୟତା ଖୋଜୁ। ସତ୍ୟ ସ୍ବଚ୍ଛ ଆଉ ନିର୍ମଳ। ସଂସାରର ସ୍ଥିତି ସତ୍ୟର ସହାୟତାରେ। କହିବାକୁ ଗଲେ ବାସ୍ତବିକ ସତ୍ୟର ପରାଜୟ ନାହିଁ- ସତ୍ୟ ସହଜରେ ହାର ମାନେ ନାହିଁ।
‘ସତ୍ୟମେବ ଜୟତେ’ ଏହି ମୁଣ୍ଡକ ଉପନିଷଦୀୟ ସାର୍ଥକବାଣୀ ସମଗ୍ର ବିଶ୍ବ ପାଇଁ ଏକ ଆହ୍ବାନ। ସମ୍ରାଟ ଅଶୋକଙ୍କ ଶିଳାସ୍ତମ୍ଭ ଯାହା ସାରନାଥ ଠାରେ ରହିଛି, ସେଥିରେ ଏଇ ବାଣୀ ହିଁ ଖୋଦିତ ହୋଇଛି। ସେଇଥିପାଇଁ ତ ଆମ ଭାରତୀୟ ଶାସନକୁ ନିର୍ମଳ ତଥା ସତ୍ୟ ଉପରେ ପରିଚାଳିତ କରିବାପାଇଁ ଆମେ ସେଇ ପ୍ରିୟ ଅଶୋକସ୍ତମ୍ଭକୁ ଆମ ଶାସନର ମୂଳ ଚିହ୍ନଭାବେ ଗ୍ରହଣ କରି ନେଇଛୁ। ଯେଉଁଥିରେ ଉଲ୍ଲେଖ ରହିଛି ‘ସତ୍ୟମବେ ଜୟତେ’- ଏଇ ଧାଡ଼ିଟିଏ କଥା ସମଗ୍ର ବିଶ୍ବ ପ୍ରାଣକୁ ଉଦ୍ବେଳିତ ସତରେ କରି ଦେଉନି! ସତ୍ୟ ପଥରେ ଚାଲିବାପାଇଁ ସମସ୍ତଙ୍କୁ ଅଶେଷ ପ୍ରେରଣା ସତରେ ଦେଇନାହଁ? ଆଜିର ଏହି ଘଡ଼ିସନ୍ଧି ମୁହୂର୍ତ୍ତରେ ମାନବ ସମାଜକୁ ଧ୍ବଂସ ମୁଖରୁ ରକ୍ଷା କରିବାକୁ ହେଲେ ଆଗକୁ ସଜାଗ ରହିବାକୁ ହେବ- ମିଥ୍ୟାର କଣ୍ଟକିତ ପଥକୁ ତ୍ୟାଗ କରି ସତ୍ୟ ପଥରେ ଅଗ୍ରସର ହେବାକୁ ପଡ଼ିବ। ତେବେ ଯାଇ ମାନବବାଦର ସ୍ବର ଗୁଞ୍ଜରି ଉଠିବ ସମଗ୍ର ବିଶ୍ବରେ। ଅଚିରେ ସମଗ୍ର ବିଶ୍ବ ମଧୁମୟ ହୋଇଯିବ।
କିଶୋର ମହାନ୍ତି
ଦୂରଭାଷ:୯୪୩୭୭୨୮୪୭୫
କଟକ-୧୪
Comments are closed.