ଆଠଗଡ: ମହୁମାଛି ଦଂଶନରେ ସମାଜ ବିତରକ କନ୍ଦରପୁର ଗ୍ରାମର ପ୍ରାଣକୃଷ୍ଣ ସାହୁ ଆହତ ହୋଇଥିବା ଜଣାପଡିଛି। ଆଠଗଡ ବ୍ଲକର କନ୍ଦରପୁର ଗ୍ରାମ ସମେତ ଆଖପାଖର ପ୍ରାୟ ୧୦ଖଣ୍ଡ ଗ୍ରାମରେ ଠିକ ସେ କଥା କହି ପାରୁ ନ ଥିବା ଏହି ଦିବ୍ୟାଙ୍ଗ ବୟସ୍କ ବ୍ୟକ୍ତି ପ୍ରାଣକୃଷ୍ଣ ସମାଜ ଖବରକାଗଜ ବିତରଣ କରନ୍ତି। ବୁଧବାର ସେ ଆଠଗଡ ବସଷ୍ଟାଣ୍ଡରୁ କାଗଜ ଆଣି ବିତରଣ କରି କନ୍ଦରପୁରରେ ପହଞ୍ଚିଥିଲେ। ସେଠାରୁ ମେଘା ଓ ବାଉଁଶ ଦଣ୍ଡା ଯାଉଥିବାବେଳେ କନ୍ଦରପୁର ନଦୀବନ୍ଧ ରାସ୍ତାରେ ଏକ ଆମ୍ବ ତୋଟା ମଧ୍ୟରେ ମହୁମାଛି ଆକ୍ରମଣର ଶିକାର ହୋଇଥିଲେ। ତୁରନ୍ତ ନିଜ ମୋପେଡ ଗାଡିକୁ ଛାଡି ସେ ମହାନଦୀ ମଧ୍ୟରେ ପଶି ଯାଇଥିଲେ। ରାସ୍ତାରେ ଯାଉଥିବା ଲୋକ ଏହା ଦେଖି ତାଙ୍କ ପରିବାରକୁ ଜଣାଇଥିଲେ। ଖବର ପାଇ ତାଙ୍କ ପୁଅ ଶରତ ଓ ଗ୍ରାମର ଶିଶିର ବାରିକ ପ୍ରାଣକୃଷ୍ଣଙ୍କୁ ଉଦ୍ଧାର କରି ଆଠଗଡ ଡାକ୍ତରଖାନା ନେଇଯାଇଥିଲେ। ସେଠାରେ ଡାକ୍ତର ପରୀକ୍ଷା ନିରୀକ୍ଷା କରି ଚିକିତ୍ସା ପରେ ସୁସ୍ଥ ଅନୁଭବ କରିବାରୁ ସେ ଘରକୁ ଫେରିଥିଲେ।
Popular Categories



