www.samajalive.in
Friday, December 5, 2025
23.1 C
Bhubaneswar

ମଣିଷ-ପଶୁ ସଂଘର୍ଷ

ସହାବସ୍ଥାନର ନୂଆ ମଡେଲ ଅପରିହାର୍ଯ୍ୟ

ମଣିଷ ଓ ବନ୍ୟପ୍ରାଣୀଙ୍କ ମଧ୍ୟରେ ସଂଘର୍ଷ ଘଟି ଗତ ଦଶବର୍ଷ ଭିତରେ ରାଜ୍ୟରେ ପ୍ରାୟ ୧, ୩୯୬ ମଣିଷ ଏବଂ ୫, ୬୦୯ ବନ୍ୟଜନ୍ତୁଙ୍କ ମୃତ୍ୟୁ ଘଟିଛି। ସରକାର ଏ ବାବଦରେ ୬୧ କୋଟିରୁ ଊର୍ଦ୍ଧ୍ବ ଟଙ୍କା କ୍ଷତିପୂରଣ ଆକାରରେ ଦେଇସାରିଲେଣି। ଏହି ପରିସଂଖ୍ୟାନ ଏ କଥା ସ୍ପଷ୍ଟ କରୁଛି ଯେ ମଣିଷ ଓ ପଶୁଙ୍କର ସୁରକ୍ଷିତ ବାସସ୍ଥାନର ପରିକଳ୍ପନା କେଉଁଠି ନା କେଉଁଠି ବିଫଳ ହୋଇଛି। ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିଧାନସଭାରେ ଦେଇଥିବା ତଥ୍ୟ ଅନୁଯାୟୀ, ସରକାର ଅନେକ ପଦକ୍ଷେପ ନେଇଛନ୍ତି। ଜଙ୍ଗଲ ଭିତରେ ପଶୁଙ୍କ ଖାଦ୍ୟ ଲାଗି ଫସଲ ଲଗାଇବା, ପୋଖରୀ ଖୋଳିବା, ନିଆଁ ଲିଭାଇବା ଏବଂ ବୈଷୟିକ ଜ୍ଞାନକୌଶଳ ମାଧ୍ୟମରେ ପଶୁଙ୍କ ଗତିବିଧି ଉପରେ ନଜର ରଖିବା ଭଳି କାମ କରାଯାଇଛି; କିନ୍ତୁ ଏସବୁ ସତ୍ତ୍ୱେ ହାତୀ ଓ କଲରାପତରିଆ ବାଘ ବାରମ୍ବାର ଗାଁ ଭିତରକୁ ପଶି ଆସିବା ସୂଚାଉଛି ଯେ ସମସ୍ୟାର ମୂଳ କାରଣକୁ ଏବେ ବି ଗୁରୁତ୍ୱ ଦିଆଯାଇନାହିଁ।
ମଣିଷ-ପଶୁ ଲଢ଼େଇର ପ୍ରକୃତ କାରଣ ହେଲା ବାସସ୍ଥାନର ଅଭାବ। ଓଡ଼ିଶାରେ ସହରୀକରଣ ଓ ଶିଳ୍ପାୟନ ଦ୍ରୁତ ଗତିରେ ବଢ଼ୁଛି। ହାତୀମାନେ ବହୁକାଳ ଧରି ଯେଉଁ ରାସ୍ତା ଦେଇ ଯାତାୟାତ କରୁଥିଲେ, ଆଜି ସେଠାରେ ବଡ଼ ବଡ଼ କାରଖାନା, ରାସ୍ତା, ବିଦ୍ୟୁତ ଲାଇନ୍ ଏବଂ କୋଠାବାଡ଼ି ଠିଆ ହୋଇଛି। ଯେତେବେଳେ ଆମେ ଜଙ୍ଗଲ ଜମିକୁ ନିଜ ବିକାଶ ପାଇଁ ବ୍ୟବହାର କରୁଛୁ, ସେତେବେଳେ ବନ୍ୟଜନ୍ତୁ ଯିବେ କୁଆଡ଼େ? ସରଳ ଭାଷାରେ କହିଲେ, ଆମର ସହରଗୁଡ଼ିକ ଜଙ୍ଗଲକୁ ଗିଳି ଦେଉଛନ୍ତି, ଯେଉଁଥିପାଇଁ ପଶୁମାନଙ୍କ ଲାଗି ବାସ ଉପଯୋଗୀ ଜାଗାର ଅଭାବ ପଡୁଛି।
ସରକାର ବନ୍ୟଜନ୍ତୁଙ୍କ ଦ୍ବାରା ମୃତକଙ୍କ ପରିବାର ପାଇଁ କ୍ଷତିପୂରଣ ରାଶିକୁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବଢ଼ାଇଛନ୍ତି, ଯାହା ସ୍ୱାଗତଯୋଗ୍ୟ ; କିନ୍ତୁ ମନେରଖିବାକୁ ହେବ ଯେ କ୍ଷତିପୂରଣ ଏକ ସ୍ଥାୟୀ ସମାଧାନ ନୁହେଁ। ଜଣେ ଗରିବ ଚାଷୀ ପାଇଁ ସବୁଠୁ ବଡ଼ ପ୍ରଶ୍ନ ହେଉଛି- ‘ଆଜି ରାତିରେ ମୋ ଫସଲ ବଞ୍ଚିବ ତ ?’ କ୍ଷତିପୂରଣ ଟଙ୍କା ସେମାନଙ୍କ ମନରୁ ଭୟ ଦୂର କରିପାରିବ ନାହିଁ।
ଏବେ ସମୟ ଆସିଛି ରଣନୀତି ବଦଳାଇବାର। ଜିଲାସ୍ତରରେ ମଣିଷ-ବନ୍ୟପ୍ରାଣୀ ସହାବସ୍ଥାନ ପାଇଁ ଯୋଜନା ପ୍ରସ୍ତୁତ କରିବାକୁ ପଡ଼ିବ। ଆଧୁନିକ ଟେକ୍ନୋଲୋଜି ଯେପରି କି- ଏସ୍‌ଏମ୍‌ଏସ୍‌ ଆଲର୍ଟ, ଗାଁରେ ସାଇରନ୍ ବ୍ୟବସ୍ଥାକୁ ବାସ୍ତବରେ କାର୍ଯ୍ୟକ୍ଷମ କରିବାକୁ ହେବ। ଜଙ୍ଗଲ ବିଭାଗର ଟିମ୍ ଘଟଣା ଘଟିବାର ଦିନକ ପରେ ନୁହେଁ, ବରଂ ଖବର ପାଇବାର ଘଣ୍ଟାକ ମଧ୍ୟରେ ଘଟଣା ସ୍ଥଳରେ ପହଞ୍ଚିବା ଦରକାର। କେବଳ ଜଙ୍ଗଲ ବିଭାଗ ନୁହେଁ, ଗ୍ରାମବାସୀ ଏବଂ ସହରର ଯୋଜନାକାରୀମାନେ ଏକାଠି ବସି ବିଚାର କରିବା ଉଚିତ ଯେ ଖଣି ଖାଦାନ ପାଇଁ ଅନୁମତି ଦେବା ବେଳେ ହାତୀ ଚଲାପଥ ଅଥବା ଅନ୍ୟ ପଶୁମାନଙ୍କ ବାସସ୍ଥାନ ସୁରକ୍ଷିତ ରହୁଛି କି ନାହିଁ। ଜଙ୍ଗଲ ଓ ବନ୍ୟପ୍ରାଣୀ ଆମର ଶତ୍ରୁ ନୁହନ୍ତି, ସେମାନେ ଏହି ପରିବେଶର ଅଂଶୀଦାର। ତେଣୁ ଆମକୁ ଜଙ୍ଗଲ ରକ୍ଷା କରିବା ସହ ‘ସହାବସ୍ଥାନ’ର ନୂଆ ମଡେଲ୍ ଆପଣାଇବାକୁ ପଡ଼ିବ।

- Advertisement -

 

Hot this week

ତେରଟି ଜିଲାରୁ ରାଷ୍ଟ୍ରୀୟ ଆୟର ଅଧେ

ଭାରତ ଏଡେ ବିରାଟ ଆକାରର ଦେଶ; ମାତ୍ର ତାହାର ମୋଟ ୭୦୫...

ଓଡ଼ିଶାରେ ଏଫସିଆଇ ଅଧିକାରୀଙ୍କ ଦ୍ୱାରା ବର୍ଷକୁ ୧ଶହ କୋଟି ଲୁଟ୍‌

ନୂଆଦିଲ୍ଲୀ: ଓଡ଼ିଶାରେ ଭାରତୀୟ ଖାଦ୍ୟ ନିଗମ ଅଧିକାରୀଙ୍କ ଦ୍ୱାରା ବର୍ଷକୁ ପ୍ରାୟ...

ବିଷାକ୍ତ ଗ୍ୟାସ ଲିକ୍ : ଦୁଇ ମୃତ ,ଦଶହଜାର ପ୍ରଭାବିତ

ସମାଜ ଲାଇଭ ଡ଼େସ୍କ : ଝାଡ଼ଖଣ୍ଡର ଧନବାଦରେ ଏକ ଗ୍ୟାସ ଲିକ୍...

‘ମୁଁ ଯୁଦ୍ଧ ବନ୍ଦ କରିବି’-ପୁଣି ଏମିତି ଦୃଢୋକ୍ତି ବାଢିଲେ ଟ୍ରମ୍ପ

ସମାଜ ଡିଜିଟାଲ ଡେସ୍କ: ଦୀର୍ଘ ୩ ବର୍ଷ ହେବ ରୁଷ-ୟୁକ୍ରେନ ଯୁଦ୍ଧ...

ଚିନ୍ତାକଳ୍ପ : ମାନସିକ ଦୁର୍ବଳତା

ସାମର୍ଥ୍ୟ (ବଳ)ର ଅଭାବକୁ ଦୁର୍ବଳ, ଶକ୍ତିହୀନ ବୋଲି ସାଧାରଣତଃ କୁହାଯାଇଥାଏ। ସୀମିତ...

Related Articles

Popular Categories