www.samajalive.in
Friday, December 5, 2025
23.1 C
Bhubaneswar

ସମ୍ପାଦକୀୟ : ଜିଡିପି ଅଭିବୃଦ୍ଧି

ସାଧାରଣ ଲୋକଙ୍କ ପାଇଁ ଅର୍ଥହୀନ

ଚଳିତ ଆର୍ଥିକ ବର୍ଷର ଦ୍ୱିତୀୟ ତ୍ରୈମାସିକରେ ଭାରତର ଜିଡିପି ବା ମୋଟ ଘରୋଇ ଉତ୍ପାଦ ଅଭିବୃଦ୍ଧି ହାର ୮.୨% ରେ ପହଞ୍ଚିଛି। ଗତ ବର୍ଷ ଏହି ସମୟରେ ଏହା ୫.୬ ପ୍ରତିଶତ ଥିଲା। ସାଧାରଣ ଭାବେ ଦେଖିଲେ ଏହା ନିଶ୍ଚିତ ଭାବରେ ଏକ ବଡ଼ ସଫଳତା ଏବଂ ଆଶ୍ୱସ୍ତିର ବିଷୟ; କିନ୍ତୁ ଅର୍ଥନୀତିର ଗଭୀରକୁ ଗଲେ ଚିତ୍ରଟି ସେତେଟା ଉତ୍ସାହଜନକ ମନେହୁଏ ନାହିଁ। ଏହି ସଂଖ୍ୟାକୁ ଦେଖି ଆତ୍ମସନ୍ତୋଷ ଲାଭ କରିବା ପରିବର୍ତ୍ତେ, ଏହାର ବାସ୍ତବତାକୁ ପରଖିବାର ସମୟ ଆସିଛି। କହିବା ଅନାବଶ୍ୟକ ଯେ ଏହି ୮.୨% ଅଭିବୃଦ୍ଧି ପଛରେ ‘ମୁଦ୍ରାସ୍ଫୀତି’ ବା ଦରଦାମ ବୃଦ୍ଧିର ଭୂମିକା ଗୁରୁତ୍ୱପୂର୍ଣ୍ଣ। ବର୍ତ୍ତମାନ ବଜାରରେ ଦରଦାମ ନିୟନ୍ତ୍ରଣରେ ରହିଛି। ଅର୍ଥନୀତିର ନିୟମ ଅନୁସାରେ, ଯେତେବେଳେ ସାଧାରଣ ଜିନିଷପତ୍ରର ଦରଦାମ କମ୍ ଥାଏ, ସେତେବେଳେ ଅଭିବୃଦ୍ଧି ହାର ଅଧିକ ହୋଇଥାଏ। ତେଣୁ ଏହି ବୃଦ୍ଧି କେବଳ ଉତ୍ପାଦନ ବା ରୋଜଗାର ବଢିବା ଯୋଗୁଁଁ ହୋଇଛି ତାହା ଭାବିବା ଭୁଲ।
ଅର୍ଥନୀତିର ଅନ୍ୟ ଏକ ଚିନ୍ତାଜନକ ଦିଗ ହେଉଛି ବାଣିଜ୍ୟ ନିଅଣ୍ଟ। ଅକ୍ଟୋବର ୨୦୨୫ରେ ଦେଶର ବାଣିଜ୍ୟ ନିଅଣ୍ଟ ପ୍ରାୟ ୪୧.୬ ବିଲିୟନ ଡଲାର ଛୁଇଁଛି, ଯାହା ଏକ ରେକର୍ଡ। ଆମେ ବିଦେଶକୁ ଯେତିକି ସାମଗ୍ରୀ ରପ୍ତାନି କରୁଛୁ, ତା’ଠାରୁ ଢେର ଅଧିକ ଆମଦାନୀ କରୁଛୁ। ବିଶେଷ କରି ସୁନା ଆମଦାନୀରେ ପ୍ରାୟ ୨୦୦% ବୃଦ୍ଧି ଘଟିଛି। ଏହା ଆଦୌ ଶୁଭ ସଙ୍କେତ ନୁହେଁ। ସାଧାରଣତଃ ଯେତେବେଳେ ଲୋକମାନେ ଅର୍ଥନୀତିକୁ ନେଇ ଅନିଶ୍ଚିତତାରେ ଥାଆନ୍ତି, ସେତେବେଳେ ସୁନାରେ ପୁଞ୍ଜିନିବେଶ କରନ୍ତି, ସୁନା କିଣି ଗଚ୍ଛିତ ରଖିବାକୁ ପସନ୍ଦ କରନ୍ତି। ଏହା ସହିତ ଆମେରିକା ଭଳି ଦେଶ ଭାରତୀୟ ସାମଗ୍ରୀ ଉପରେ ଅଧିକ ଟିକସ ଲଗାଇବା ଫଳରେ ଆମର ରପ୍ତାନି ବାଧାପ୍ରାପ୍ତ ହେଉଛି।
ଏହି ଅଭିବୃଦ୍ଧିର ସୁଫଳ ସମସ୍ତଙ୍କ ପାଖରେ ସମାନ ଭାବରେ ପହଞ୍ଚୁନାହିଁ। ବଡ଼ ବଡ଼ କାରଖାନା, ବ୍ୟାଙ୍କିଙ୍ଗ୍ ଏବଂ ରିଅଲ୍ ଇଷ୍ଟେଟ୍ କ୍ଷେତ୍ରରେ ଲାଭ ହେଉଛି; କିନ୍ତୁ ଯେଉଁ କ୍ଷେତ୍ରଗୁଡିକରେ ସାଧାରଣ ଲୋକେ ଅଧିକ କାମ କରନ୍ତି, ଯେପରି କି- ବସ୍ତ୍ର ଶିଳ୍ପ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ଏବଂ କୃଷି କ୍ଷେତ୍ର, ସେଠାରେ ଅଭିବୃଦ୍ଧି ନୈରାଶ୍ୟଜନକ। ଯଦି ଦେଶର ବିକାଶ ହେଉଛି, ତେବେ ଗାଁ ଗହଳିରେ ଲୋକଙ୍କ ରୋଜଗାର ବଢୁନି କାହିଁକି? ଯେଉଁ ବିକାଶ ନୂଆ ନିଯୁକ୍ତି ସୃଷ୍ଟି କରିପାରେ ନାହିଁ, ସେ ବିକାଶ କେବଳ କାଗଜ କଲମରେ ସୀମିତ ରହିଯାଏ।
ରିଜର୍ଭ ବ୍ୟାଙ୍କ ୨୦୨୫ରେ ରେପୋ ରେଟ୍ କମାଇ ୫.୫% କରିବା ଦ୍ୱାରା ବଜାରରେ ଅର୍ଥ ପ୍ରବାହ ବଢ଼ିଛି, ଯାହା ଅଭିବୃଦ୍ଧିରେ ସହାୟକ ହୋଇଛି; କିନ୍ତୁ ଆଗକୁ ସୁଧ ହାର ଆହୁରି କମାଇବାର ସୁଯୋଗ କମ୍। ଯଦି ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳ ଦର ବଢ଼େ କିମ୍ବା ଡଲାର ତୁଳନାରେ ଟଙ୍କା ଦୁର୍ବଳ ହୁଏ, ତେବେ ମହଙ୍ଗା ବଢ଼ିପାରେ।
୮.୨% ଅଭିବୃଦ୍ଧି ଏକ ଭଲ ଆରମ୍ଭ, କିନ୍ତୁ ଏହା ଶେଷ କଥା ନୁହେଁ। ସରକାରଙ୍କୁ କେବଳ ବଡ଼ ସଂଖ୍ୟା ଦେଖାଇ ଖୁସି ହେଲେ ଚଳିବ ନାହିଁ। ଗାଁର ଗରିବ ଲୋକ, କ୍ଷୁଦ୍ର ବ୍ୟବସାୟୀ ଏବଂ ଯୁବବର୍ଗଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାକୁ ପଡ଼ିବ। ତେଣୁ ଏହି ଆକର୍ଷଣୀୟ ଜିଡିପିକୁ ନେଇ ଏହା ଉତ୍ସବ ମନାଇବାର ସମୟ ନୁହେଁ, ବରଂ ଅର୍ଥନୀତିର ମୂଳଦୁଆକୁ ମଜଭୁତ କରିବାର ସମୟ।

Hot this week

ଓଡ଼ିଶାରେ ଏଫସିଆଇ ଅଧିକାରୀଙ୍କ ଦ୍ୱାରା ବର୍ଷକୁ ୧ଶହ କୋଟି ଲୁଟ୍‌

ନୂଆଦିଲ୍ଲୀ: ଓଡ଼ିଶାରେ ଭାରତୀୟ ଖାଦ୍ୟ ନିଗମ ଅଧିକାରୀଙ୍କ ଦ୍ୱାରା ବର୍ଷକୁ ପ୍ରାୟ...

ବିଷାକ୍ତ ଗ୍ୟାସ ଲିକ୍ : ଦୁଇ ମୃତ ,ଦଶହଜାର ପ୍ରଭାବିତ

ସମାଜ ଲାଇଭ ଡ଼େସ୍କ : ଝାଡ଼ଖଣ୍ଡର ଧନବାଦରେ ଏକ ଗ୍ୟାସ ଲିକ୍...

‘ମୁଁ ଯୁଦ୍ଧ ବନ୍ଦ କରିବି’-ପୁଣି ଏମିତି ଦୃଢୋକ୍ତି ବାଢିଲେ ଟ୍ରମ୍ପ

ସମାଜ ଡିଜିଟାଲ ଡେସ୍କ: ଦୀର୍ଘ ୩ ବର୍ଷ ହେବ ରୁଷ-ୟୁକ୍ରେନ ଯୁଦ୍ଧ...

ଚିନ୍ତାକଳ୍ପ : ମାନସିକ ଦୁର୍ବଳତା

ସାମର୍ଥ୍ୟ (ବଳ)ର ଅଭାବକୁ ଦୁର୍ବଳ, ଶକ୍ତିହୀନ ବୋଲି ସାଧାରଣତଃ କୁହାଯାଇଥାଏ। ସୀମିତ...

‘ଆଇନ ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣାଧୀନ’- ଅପରାଧୀଙ୍କୁ ଦିଆଯାଇନି ରାଜନୈତିକ ସଂରକ୍ଷଣ : ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ପୂର୍ବ ସରକାରଙ୍କ ଅମଳରେ ଅପରାଧରେ ସମ୍ପୃକ୍ତ ରାଜନୈତିକ ବ୍ୟକ୍ତିଙ୍କୁ ସୁରକ୍ଷା...

Related Articles

Popular Categories