ମୁହଁ ଶୁଖାଇଲାଣି ଧାନଗଛ

ବାରିଧାରାର ସମୟାନୁବର୍ତ୍ତିତା ଆଜିର ଆବଶ୍ୟକତା

ଚୀନ ଅଧିବାସୀ ଓ ଭାରତୀୟଙ୍କର ମୁଖ୍ୟ ଖାଦ୍ୟ ହେଉଛି ଭାତ। ସାରା ପୃଥିବୀ ଜନସଂଖ୍ୟାର ପ୍ରାୟ ଅ​‌େ​‌ର୍ଦ୍ଧକ ଲୋକ ଭାତ ଖାଇଥାନ୍ତି। ଭାତ ଖାଇବାରେ ୨୦୨୨-୨୩ ମସିହା ଭିତରେ ଚୀନ ଅଧିବାସୀ ପୃଥିବୀରେ ପ୍ରଥମ ସ୍ଥାନରେ ଅଛନ୍ତି। ଏମାନେ ଏହି ସମୟ ମଧ୍ୟରେ ୧୫୫ ନିୟୁତ ମେଟ୍ରିକ ଟନ ଚାଉଳକୁ ନିଜର ପ୍ରମୁଖ ଖାଦ୍ୟ ଭାବେ ବ୍ୟବହାର କରିଥିବାବେଳେ, ଭାରତବାସୀ ଚାଉଳ ବ୍ୟବହାରକାରୀ ପୃଥିବୀର ଦ୍ବିତୀୟ ପ୍ରମୁଖ ଦେଶ ଭାବେ ବିବେଚିତ ହୋଇଛନ୍ତି। ୨୦୨୨ ବର୍ଷରୁ ଚଳିତ ବର୍ଷ ସେପ୍ଟେମ୍ବର ୬ ତାରିଖ ମଧ୍ୟରେ ଭାରତୀୟମାନେ ୧୦୮ ଦଶମିକ ୫ ନିୟୁତ ମେଟ୍ରିକ ଟନ୍‌ ଚାଉଳକୁ ନିଜର ପ୍ରମୁଖ ଖାଦ୍ୟ ଭାବେ ଗ୍ରହଣ କରିଥିବାର ଜଣାଯାଏ। ଉଲ୍ଲେଖଯୋଗ୍ୟ ବିଷୟ ହେଉଛି ଏସିଆ ମହାଦେଶ ସମେତ ଲାଟିନ ଆମେରିକାର ଅନେକ ଦେଶବାସୀ ଭାତପ୍ରିୟ ଭାବେ ପରିଚିତ ହୋଇଆସିଛନ୍ତି। ଏହା ବ୍ୟତୀତ ପୃଥିବୀର ଅଧିକାଂଶ ଦେଶର ଲୋକେ ଏବେ ଭାତ ଛାଡ଼ି ଅନ୍ୟ ଯେ କୌଣସି ଖାଦ୍ୟ ଖାଇଲେ ମଧ୍ୟ ଜାପାନଠାରୁ ଆରମ୍ଭ କରି ଆମେରିକା, ଇଂଲଣ୍ଡ ଭଳି ଦେଶରେ ମଧ୍ୟ ଭାତ ମିଳିଥାଏ। ମୋଟ ଉପରେ ଭାତ ପୃଥିବୀବାସୀଙ୍କର ଏକ ପ୍ରମୁଖ ଖାଦ୍ୟର ମର୍ଯ୍ୟାଦା ପାଇଆସିଛି।
ଭାରତରେ ହଜାରହଜାର ବର୍ଷ ତଳୁ ଧାନଚାଷ ଆରମ୍ଭ ହୋଇଥିବାର ତଥ୍ୟ ରହିଛି। କେତେକ ବିଶେଷଜ୍ଞଙ୍କ ମତରେ ଭାରତରେ ପ୍ରଥମେ ଧାନଚାଷ ଆରମ୍ଭ ହୋଇଥିଲା। ଧାନଚାଷ ଆମ ଦେଶରେ ସାଧାରଣତଃ ବର୍ଷା ଋତୁରେ ଆରମ୍ଭ ହୋଇ ନଭେମ୍ବର ଡିସେମ୍ବର ବେଳକୁ ଧାନ ଅମଳ କରାଯାଇଥାଏ। ଧାନ ଫସଲ ପାଇଁ ପ୍ରଚୁର ଜଳ ଆବଶ୍ୟକ। ଯଦି ଧାନଗଛର ମାଟିକୁ ଲାଗିଥିବା କାଣ୍ଡ ଓ ମୂଳ ଅନ୍ୟୂନ ରୁଆ ହେବା ଦିନଠାରୁ ୩ ମାସ ଯାଏ କ୍ରମାଗତ ଭାବେ ଜଳ ପାଇଥାଏ ତେବେ ଫସଲ ଉତ୍ପାଦନ ସର୍ବାଧିକ ହେବା ନିଶ୍ଚିତ ହୋଇଥାଏ। ଆମ ରାଜ୍ୟରେ ବର୍ଷାଦିନେ ମୌସୁମୀବାୟୁ ପ୍ରଭାବରେ ପ୍ରଚୁର ବର୍ଷା ହେଉଥିବାରୁ ଅଧିକାଂଶ ବର୍ଷ ଅନୁକୂଳ ମୌସୁମୀ ଯୋଗୁଁ ଧାନଜମି ପାଇଁ ଆବଶ୍ୟକ ପାଣିର ଅଭାବ ନଥାଏ। ମାତ୍ର ଏବେ ଅନିୟମିତ ବୃଷ୍ଟିପାତ ଭଳି ଅବସ୍ଥା ଯୋଗୁଁ ଧାନ ଫସଲ କ୍ଷତି ଗ୍ରସ୍ତ ହେଉଛି।
ଚଳିତବର୍ଷ ଆମ ରାଜ୍ୟର ଅଧିକାଂଶ ଅଞ୍ଚଳରେ ତଥା ସାରା ଦେଶର ବିଭିନ୍ନ ପ୍ରଦେଶରେ ବର୍ଷା କମିବା କାରଣରୁ ଧାନ ଚାଷୀ ଚିନ୍ତାରେ ପଡ଼ିଛନ୍ତି। ଆ ମ ରାଜ୍ୟର ଅନେକ ଚାଷ ଜମିରେ ଏବେ ଜଳାଭାବରୁ ଝାଉଁଳି ପଡ଼ିଥିବା ଶୁଖିଲା ଧାନଗଛର ଅବସ୍ଥା ଦେଖି ଚାଷୀ ଏହାର ପ୍ରତିକାର ପାଇଁ ବ୍ୟସ୍ତବିବ୍ରତ ହେବା ଛଡ଼ା ଆଉ କିଛି ପ୍ରତିକାର କରିପାରୁନାହିଁ। କାରଣ ଅଧିକାଂଶ ସ୍ଥାନରେ ଜଳସେଚନର ବ୍ୟବସ୍ଥା ନାହିଁ। ପୁଣି ଧାନ ଫସଲର ଶେଷ ପର୍ଯ୍ୟାୟରେ ଆବଶ୍ୟକ ଜଳ ନ ମିଳିଲେ ଫସଲରୁ ଚାଉଳ ନମିଳି ଅଗାଡ଼ି ମିଳିବା ନେଇ ଚିତ୍ର କ୍ରମେ ସ୍ପଷ୍ଟ ହେବାରେ ଲାଗିଲାଣି। ଏହାର କାରଣ ମଧ୍ୟ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ। ଆମ ରାଜ୍ୟ ଭଳି ବଙ୍ଗୋପସାଗରକୁ ସ୍ପର୍ଶ କରିଥିବା ଭୂଖଣ୍ଡ ତଥା ଦେଶର ଅନେକ ରାଜ୍ୟ ସାଧାରଣତଃ ମୌସୁମୀ ବାୟୁ ପ୍ରବାହରୁ ପ୍ରତ୍ୟେକ ବର୍ଷ ପ୍ରବଳ କ୍ରମାଗତ ବର୍ଷା ପାଇଥାଏ। ମୌସୁମୀବାୟୁର ସୃଷ୍ଟିକ୍ଷେତ୍ର ପ୍ରଶାନ୍ତ ମହାସାଗରର ଉପର ଜଳସ୍ତର ଏବେ ଉତ୍ତପ୍ତୀକରଣ କାରଣରୁ (ଏଲ୍‌ନିନୋର ପ୍ରଭାବ) ସଠିକ୍‌ ସମୟରେ ଆବଶ୍ୟକ ବର୍ଷା ନହୋଇ ସାରା ପୃଥିବୀରେ ବର୍ଷା ବିଭ୍ରାଟ ବାରମ୍ବାର ଦେଖା ଦେଉଛି। ଉଦାହରଣ ସ୍ବରୂପ ୨୦୧୦ ମସିହାରେ ଆମ ରାଜ୍ୟ ତଥା ଦେଶରେ ମରୁଡ଼ି ଭଳି ଅବସ୍ଥା ସୃଷ୍ଟି ସହ କାନାଡ଼ାରେ ପ୍ରଚଣ୍ଡ ଅବିଶ୍ବସନୀୟ ବର୍ଷା; ରୁଷ ଓ କୃଷ୍ଣସାଗର ଅଞ୍ଚଳରେ ଆଦୌ ବର୍ଷା ନହୋଇ ମରୁଡ଼ି, ପାକିସ୍ତାନରେ ଭୀଷଣ ବର୍ଷା ଓ ବନ୍ୟା, ଆର୍ଜେଣ୍ଟିନାରେ ବର୍ଷା ନହୋଇ ମରୁଭୂମି ରାଜ୍ୟ ଅଷ୍ଟ୍ରେଲିଆରେ ପ୍ରଚଣ୍ଡ ବର୍ଷା ଓ ବନ୍ୟା ଫଳରେ ନାହିଁ ନଥିବା କ୍ଷତି ଘଟିଥିଲା। ବ୍ରାଜିଲ ଓ ଶ୍ରୀଲଙ୍କାରେ ପ୍ରବଳ ବର୍ଷା ତଥା ବନ୍ୟା ଆମକୁ ପୃଥିବୀରେ ଦେଖାଦେଇଥିବା ପାଣିପାଗ ବିଭ୍ରାଟ ସମ୍ପର୍କରେ ସୂଚନା ଦେଇଥାଏ। ଏବେ ପ୍ରତିବର୍ଷ ପୃଥିବୀର ବିଭିନ୍ନ ଅଞ୍ଚଳରେ ଅନିୟମିତ ବର୍ଷା ଯୋଗୁଁ ସୃଷ୍ଟି ହେଉଥିବା ଦୁଃଖଦ ଚିତ୍ର ଆମେ ଦେଖୁଛୁ। ଏହାଦ୍ବାରା ପୃଥିବୀର ବିଭିନ୍ନ ଅଞ୍ଚଳରେ ଖାଦ୍ୟଶସ୍ୟ, ପନିପରିବା, କପା, ଚିନି ଓ ଆମର ଅନେକ ଅତ୍ୟାବଶ୍ୟକ ପଦାର୍ଥର ଉତ୍ପାଦନ ବାଧାପ୍ରାପ୍ତ ହେଉଛି। ଆମ ରାଜ୍ୟରେ ଏବେ ଅଧିକାଂଶ ଜିଲାରେ ଚଳିତ ମାସର ବର୍ଷା ଶତକଡ଼ା ୫୦ରୁ ୮୦ ଭାଗ କମିବା ଉଦ୍‌ବେଗଜନକ ସ୍ଥିତି ସୃଷ୍ଟି କରିଛି।
ପାଣିପାଗ ପରିବର୍ତ୍ତନ ପାଇଁ ଚାଷ ସମୟରେ ବର୍ଷା ଅଭାବକୁ ଆମେ ‘‘ଆହାର ମୁହଁରେ ପାହାର’’ ବୋଲି କହିପାରିବା। ଏଥିପାଇଁ ମୁଖ୍ୟତଃ ବିଶ୍ବ ତାପମାତ୍ରା ବୃଦ୍ଧି ହିଁ ଦାୟୀ ଓ ତାପମାତ୍ରା ବୃଦ୍ଧି ପାଇଁ ପ୍ରମୁଖ ଭାବେ ମଣିଷ ହିଁ ଦାୟୀ। ତାପମାତ୍ରାକୁ ରୋକିବା ପାଇଁ ବହୁବାର ଆଲୋଚନା, ପର୍ଯ୍ୟାଲୋଚନା ବିଶ୍ବସ୍ତରରେ ହୋଇଥିଲେ ମଧ୍ୟ ଏ ଦିଗରେ ଆମେ ଏଯାଏ ସଫଳତା ପାଇପାରିନାହୁଁ। ଏବେ ସମୟ ଆସିଛି ଆମେ ସମସ୍ତେ ସଚେତନତା ଓ ସତର୍କତାର ସହ ନିଜ ନିଜର କାର୍ଯ୍ୟକ୍ରମକୁ ନିୟନ୍ତ୍ରଣ କରିବା ଓ ବାୟୁମଣ୍ଡଳ ତାପମାତ୍ରା ବୃଦ୍ଧିକାରୀ ଗ୍ୟାସ ଉତ୍ପାଦନ ହ୍ରାସରେ ସହଯୋଗୀ ହୋଇ ସୁସ୍ଥ ପ୍ରାକୃତିକ ଅବସ୍ଥା ବଜାୟ ରଖିବାରେ ସହାୟକ ହେବା। ବାରିଧାରାରେ ସମୟାନୁବର୍ତ୍ତିତା ଆଣିବା ହିଁ ଅାଜି ସବୁଠାରୁ ଜରୁରୀ; କାରଣ ଏହା ଉପରେ କୋଟିକୋଟି ଲୋକଙ୍କର ଜୀବନ ଓ ଜୀବିକା ନିର୍ଭରଶୀଳ।

Comments are closed.