ମାତୃହରା ମାତୃଭାଷା
ଜାତିର ଜୀବନ ହେଉଛି ଭାଷା, ମାତ୍ର ଏବେ ଏହାର ଦଶା ଓ ଦିଶା ଦିଗହୀନ ଭଳି ଲାଗୁଛି!
ମଣିଷ ପଶୁଠାରୁ ବଢ଼ିଯିବାର କାରଣ ହେଲା, ପଶୁ କେବଳ ନିଜ ଅଭିଜ୍ଞତାରୁ ଶିଖେ। ଯେତେ ସେ ଠିକେ, ସେତେ ସେ ଶିଖେ। ମାତ୍ର ଅନ୍ୟର ଅଭିଜ୍ଞତାରୁ ସେ ଟିକିଏ କିଛି ବି ଶିଖି ପାରେନି। ମାତ୍ର ମଣିଷ ନିଜର ସୀମିତ ଉଦାହରଣକୁ କେବଳ ପାଣ୍ଠି କରେନି, ଅନ୍ୟର ଅଭିଜ୍ଞତାରୁ ବେଶ୍ ଫାଇଦା ନିଏ। ରାସ୍ତାରେ ଗଲାବେଳେ ଲେଖି ଦିଆଯାଇଥାଏ, ‘ଆଗକୁ ଗୁରୁତର ବାଙ୍କ ଅଛି’, ‘ଏଠି ରାସ୍ତା ଖସଡ଼ା’, ‘ହାତୀ ଚଲାପଥ, ସାବଧାନ’। ଏ କଥା କ’ଣ କାହାର ନିଜ ଅଭିଜ୍ଞତା ପ୍ରସୂତ? ଅନ୍ୟ ଅଭିଜ୍ଞତାର ସୁଫଳ ବା ସାବଧାନତା ଏଠି ବାଣ୍ଟି ଦିଆଯାଏ। ତେଣୁ ମଣିଷ ବିକାଶ ପଥରେ ଢ଼େର ଆଗେଇ ଥାଏ। ନିଜ ଜୀବନକୁ ବାଜି ଲଗେଇ, ଏମିତି ଗୂଢ଼ କଥା ସବୁ ଶିଖିଥିବା ବ୍ୟକ୍ତିତ୍ବ, ସାଧକମାନେ ତାଙ୍କ ଅଭିଜ୍ଞତାଲବ୍ଧ ବହୁ ତଥ୍ୟକୁ, ସତ୍ୟକୁ ଲୋକଙ୍କଠାରେ ବାଣ୍ଟି ଦିଅନ୍ତି। ତାକୁ ‘ଆପ୍ତ’ ବାକ୍ୟ କୁହାଯାଏ। ଏହା ତର୍କ ଓ ସନ୍ଦେହର ଊର୍ଦ୍ଧ୍ବରେ। ଜଣଙ୍କ ଚାଲିଚଳଣିରୁ ଏମାନେ କହି ଦେଇଥାନ୍ତି ଯେ ଲୋକଟା କ’ଣ ଓ କିପରି ଭାବର। ମାତୃଭୂମିପ୍ରାଣା, ମାତୃଭାଷାରଙ୍କା ବୋଲି ଜଣକୁ ଜାଣିବ କିପରି? ସେଥିପାଇଁ କବି ତ ଲେଖିଲେ, ‘ମାତୃଭୂମି, ମାତୃଭାଷାରେ ମମତା, ଯା ହୃଦେ ଜନମି ନାହିଁ, ତାକୁ ଯଦି ଜ୍ଞାନୀଗଣରେ ଗଣିବା ଅଜ୍ଞାନ ରହିବେ କାହିଁ?
ଇଏ ଛୋଟ ବା ଶସ୍ତା କଥାଟିଏ ନୁହେଁ, ଇୟେ ଗୋଟେ ଆପ୍ତ ବାକ୍ୟ। ଅଧିକ ଟଙ୍କା ରୋଜଗାର ପାଇଁ ବିଦେଶରେ ରହିଲ, ସେଠା ନାଗରିକତ୍ବ ବି ଗ୍ରହଣ କରିନେଲ, ଜନ୍ମର ୩୦ ବର୍ଷ ପରେ ତମେ ମାତୃଭୂମିକୁ ‘ବାଇବାଇ’ କହି ଆମେରିକା, କାନାଡ଼ା କି ବିଲାତ ନାଗରିକ ବନିଗଲ। ଯେଉଁଠି ମାତୃଭୂମିର ଏଇ ଦଶା, ସେଠି ମା’ କଥା ପଚାରେ କିଏ? ୮୦ ବର୍ଷରେ ମା’ ବିଧବା ହେବା ଖବର ଏଇ ବିଦେଶୀ ଏକମାତ୍ର ପୁଅ ପାଇଲା ପରେ, କୁତୁକୁତିଆ ପରିମାଣର ‘ଡଲାର’, ବାପା ଅେନ୍ତ୍ୟଷ୍ଟିକ୍ରିୟା ପାଇଁ ମା’ ପାଖୁ ପଠେଇ ଦେଲା। କି ସୁଯୋଗ୍ୟ ସନ୍ତାନ ମ! ଦେଶସାରା ଏମିତି ସନ୍ତାନ ଏବେ ସଲବଲ। ଯେ ବିଦେଶ ପଳେଇଲା, ବିଚରା ବୁଢ଼ାବୁଢ଼ୀ ରକ୍ଷା ପାଇଯାଆନ୍ତି। ନୋହିଲେ, ଏ ବୁଢ଼ାବୁଢ଼ୀଙ୍କୁ କି ଅବହେଳା, ଆଖି ଦେଖି ସମ୍ଭାଳି ପାରିବନି। ନିଜେ ଦି’ମହଲା କୋଠା ବନେଇଥିବା ବୁଢ଼ା, ଆଜି ବନାଚାକର ସହ ଶିଡ଼ି ଘରେ ଖଟ ପକାଇ ଶୋଉଛନ୍ତି। ମାତୃଭୂମି, ମାତୃଭାଷା କଥା କହିଲା ବେଳକୁ ମନକୁ ଏସବୁ ଭାବ ଧସେଇ ପଶୁଛି। ଆମ ମାତୃଭାଷା ‘ଓଡ଼ିଆ’। ମାତ୍ର ଆମକୁ ଆଉ ଓଡ଼ିଆ ଭାଷା ଜଣା ଅଛି ତ? ଖବର କାଗଜର ସମ୍ବାଦ କି ବୈଦ୍ୟୁତିକ ଗଣମାଧ୍ୟମେର ବିତରିତ କଥାରେ, ଭାଷାରେ ‘ଓଡ଼ିଆ’ କାଇଁ? ଗୋଟେ ପ୍ରତିଷ୍ଠିତ ସମ୍ବାଦପତ୍ରରେ ବାହାରିଲା, ‘ସ୍ବାମୀ ସ୍ତ୍ରୀ ଦୁହେଁ ନିକଟସ୍ଥ ମାର୍କେଟକୁ ସପିଙ୍ଗ କରିବାକୁ ଯାଇଥିବାବେଳେ, ତାଙ୍କର ‘ବୋଜୁମ ଫ୍ରେଣ୍ଡଙ୍କ’ ‘ସ୍ବାତୀ ଭିଲ୍ଲା’ ପାଖରେ ପହଞ୍ଚିଗଲେ’ ଇତ୍ୟାଦି। ମାପନ୍ତୁ ଆମେ ଆମ ଭାଷାର ‘ଖେଚୁଡ଼ି’ ସ୍ବାଦ, କି ପରଷା! ଆରେ ଖେଚୁଡ଼ି କ’ଣ ଇୟେ, ଇୟେ ‘ଖଚରୀ’ ବର୍ଣ୍ଣସଙ୍କରୀୟ ଭାଷା। କବିବର ରାଧାନାଥ ବିଦ୍ୟାଳୟ ସମୂହ ପରିଦର୍ଶକ ଥାଆନ୍ତି। ଏକ ପ୍ରାଥମିକ ବିଦ୍ୟାଳୟ ପରିଦର୍ଶନ ଯିବାବେଳେ ଜଣେ ଶିକ୍ଷକ ତାଙ୍କୁ ବିନମ୍ରଭାବେ କହିଲେ, ‘ଆଜ୍ଞା ଆମ ବେତନ ବୃଦ୍ଧି କରନ୍ତୁ। ଆମେ ବହୁତ ଦୁରାବସ୍ଥାରେ ଅଛୁ’। ‘ଦୁରାବସ୍ଥା’, ନୁହେଁ ଶବ୍ଦଟା ‘ଦୁରବସ୍ଥା’। ମାତ୍ର ଏଇ ସର୍ବନିମ୍ନ ଜ୍ଞାନ ତାଙ୍କର ନଥିବା ଜାଣି କହିଲେ, ହଁ, ତମ ‘ଦୁରାବସ୍ଥା’ରୁ ତମ ‘ଦୁରବସ୍ଥା’ ମୁଁ ଜାଣିପାରୁଛି। ଏମିତି ଅନେକ ସାଧାରଣ ଶବ୍ଦ ବ୍ୟବହାର ଆମର ନାହିଁ। ଏବେ ଜଣେ ବିଶିଷ୍ଟ ବ୍ୟକ୍ତି ‘ପୌରୁଷତ୍ବ’ ବୋଲି ଲେଖିଥିଲେ। ସେଇଟା ପୁରୁଷତ୍ବ ବା ପୌରୁଷ। ଆଜିର ସମ୍ବାଦପତ୍ରମାନେ ଭାଷାର ସତୀତ୍ବ, ସାବଲୀଳତା ଓ ବୈଶିଷ୍ଟ୍ୟକୁ ଯେଭଳି ଧର୍ଷଣ କରୁଛନ୍ତି ତା ପୂର୍ବରୁ କେବେ ନଥିଲା। ଏବେ ତ ବିବାହ ବ୍ରତ ନିମନ୍ତ୍ରଣରେ ‘ନାଲିପାନ’ ଚିହ୍ନ, ସ୍ବସ୍ତିକ ଚିହ୍ନ କାଇଁ? ଘରସବୁ ହେଲାଣି ‘ଗ୍ରୀନ୍ ଏବୋଡ’, ‘ମଞ୍ଜିଲ ଭିଲ୍ଲା’। ଏମିତି କେତେ କ’ଣ! ବାସଭବନ, ଭବନ, ନିବାସ ଆଦି ଗନ୍ଧିଆ ଲାଗୁଛି। ଓଡ଼ିଆର ମୁଢ଼ିମୁଆଁ, ଚୁଡ଼ାଘଷା, ଛୁଞ୍ଚିପତର ପିଠା, ମଗୁଶିର ଗୁରୁବାରର ଅଟକାଳି, କାକେରା, ମାଣ୍ଡୁଅ କାଇଁ? ଅତିଥିଙ୍କୁ ‘ବିଡ଼ିଆ ପାନ’ କାଇଁ? ଆଜି ତ ‘ପୁଡ଼ିଆ’ ମୟ। ସଂସ୍କୃତ ପରେ ଭାରତବର୍ଷରେ ଯେତେ ଭାଷା ଅଛି ସଂସ୍କୃତର ସବୁଠୁ ନିକଟତର ଓଡ଼ିଆଭାଷା। ଜଣେ ବିଦ୍ବାନ୍ ଓଡ଼ିଆ ବନାରସ ପଣ୍ଡିତ ମଣ୍ଡଳୀକୁ ସାକ୍ଷାତ କରିବାକୁ ଯାଇଥିଲେ। ମାତ୍ର ଏ ପଣ୍ଡିତ ବର୍ଗ, ଓଡ଼ିଆ ପଣ୍ଡିତକୁ ଟିକିଏ ହୀନ ମଣି ପଚାରିଲେ, ‘କଃ ପୂ’ ଅର୍ଥାତ୍ ପୂ ମାନେ ଘର ବା ପୁର ଓ କଃ ବୋଇଲେ କେଉଁଠି? ମୋଟ ଉପରେ ସେ ପଚାରିଲେ ତମ ଘର କୋଉଠି? ସେ ତତ୍କ୍ଷଣାତ୍ କହିଲେ ‘ପୁରୀପୂର୍ନଃ’ ଅର୍ଥାତ୍ ପୂଃ-ଘର ନଃ-ଆମର, ଆମ ଘର ପୁରୀରେ। ଚୁପ୍ ହୋଇଗଲେ ପଣ୍ଡିତେ। ମନବୋଧ ଚଉତିଶାରେ ଓଡ଼ିଆ ୫୬ ଅକ୍ଷରର କବିତା ଅଛି। କମଳଲୋଚନ ଶ୍ରୀହରି ସେମିତି କ ଠାରୁ କ୍ଷ ଯାଏ କାବ୍ୟିକ ଲେଖା। ଦ୍ବିଅର୍ଥ ବୋଧକ ଲେଖା ଏ ସାହିତ୍ୟ ଓ ଭାଷାରେ ଯେମିତି ଅଛି, କାଇଁ ଆଉ କୋଉ ସାହିତ୍ୟରେ? ଉପେନ୍ଦ୍ର ଭଞ୍ଜଙ୍କ ଲେଖା- ‘ଦେଖି ନବ କାଳିକା ବକାଳିକା ମାଳିକା ଆଳି, କାଳିକା କାନ୍ତ ସ୍ମରି….’ ‘ସେମିତି ବାବୁ କାନ ନାକ ଯୋଗ୍ୟ ଯୋଷାକୁ ବିହର କାନ ନ କରି ଆଲିଙ୍ଗନକୁ’……ର ଅର୍ଥ ଏବେ ଓଡ଼ିଆ ସ୍ନାତକୋତ୍ତର ବାଲା କରନ୍ତୁ ତ! ସେମିତି ବୈଦେହୀଶ ବିଳାସରେ ‘ବିହାରୀ ହେଲେ ମାର୍ଗର ମାର୍ଗଣ କମାଣ ଧର, ମାର୍ଗଣ ଶୋଭା ଲେସକୁ ନୋହିଛି ଯାର, ବିଦେହ ମଣ୍ଡଳେ ପ୍ରବେଶ, ବାରବେନି ପୁରସାର ମୋହନ ପୁଂସ’ । କହୁନା ୟାର ଅର୍ଥ। ଓଡ଼ିଆ ଭାଷା ଯେମିତି ଥିଲା, ଓଡ଼ିଆମି ଓଡ଼ିଆ ସଂସ୍କାର ସଂସ୍କୃତି ବି ସେମିତି ଥିଲା। କାଇଁ ଆଜି ସେ ସବୁ। ନେତାଏ, ସରକାର ଓ ବୁଦ୍ଧିଜୀବୀମାନେ ଏ ଭାଷାକୁ ଉଠାଇବାକୁ ଚିତ୍କାର କରୁଛନ୍ତି। କେତେ ସଂସ୍ଥା ଗଢ଼ା ହେଲାଣି! ରାଜ୍ୟ ସରକାର ମଧ୍ୟ ବାଦୀପାଲା ଢ଼ଙ୍ଗରେ, ଭୋଟ ଟାଣିବା ବାଗରେ ‘ଓଡ଼ିଆ ଭାଷା ପ୍ରତିଷ୍ଠାନ’ ୨୦୦୬ ମସିହାରେ ପ୍ରତିଷ୍ଠା କରିଥିଲେ। ଓଡ଼ିଆ ସ୍ପଷ୍ଟ କହିପାରୁ ନଥିଲେ କି ଭଲ ଦସ୍ତଖତଟିଏ କରି ପାରୁନଥିଲେ ବି, ବିଜୁତନୟ ଓ ଜଣେ ଅବିବାହିତ ବ୍ୟକ୍ତି ଭାବେ ନବୀନଙ୍କ ଓଡ଼ିଆ ପ୍ରାଣମୟତା ଓଡ଼ିଆଙ୍କୁ ଆକୃଷ୍ଟ କରିଛି। ସେ ଭାଷା ପ୍ରତିଷ୍ଠାନ ସ୍ଥାପନ କରି ସେତେବେଳେ ଓଡ଼ିଆଙ୍କୁ ଚମକାଇ ଦେଲେ ଓ ତାଙ୍କ ସମାଲୋଚକଙ୍କୁ ଖାମୁସ୍ ବା ମୂକ କରିଦେଲେ। ଉଠିଲା ଲୋ ବୋପା ‘ଓଡ଼ିଆ ଭାଷା’! ‘ଉଡ଼ିୟା ଏକ ଭାଷା ନଏ’ କୁ ଗୋଟାଏ ଶକତ ଫଲି ଜାଣ। ମାତ୍ର ୨୦୦୬ ଏପ୍ରିଲ ମାସ ପହିଲାରେ ଏ ପ୍ରତିଷ୍ଠାନକୁ ମୁଖ୍ୟମନ୍ତ୍ରୀ ଉଦ୍ଘାଟନ କରିଥିବାରୁ ଲୋକେ ଥଟ୍ଟା କଲେ, ଇଏ ‘ଏପ୍ରିଲ ଫୁଲ୍’ ଏପ୍ରିଲ ବୋକା ହେବନି ତ? ଏଥିମଧ୍ୟରେ ୧୭ ବର୍ଷ ବିତିଗଲାଣି। ଏ ସଂସ୍ଥାର କେହି ମା’ ବାପ ନାହାନ୍ତି। ଦୀର୍ଘ ବର୍ଷ ହେବ ଭାରାପ୍ରାପ୍ତ ନିର୍ଦେଶକ ରହିଛନ୍ତି। ସେଥିରେ ଜଣେ ବି କର୍ମଚାରୀ ନିୟମିତ ନୁହନ୍ତି। ମୋଟ ଉପରେ ବାପା ମା’ ଶୂନ୍ୟ ଏ ସଂସ୍ଥା, ଅନଭିଜ୍ଞ, ଅନାନ୍ତରିକ ଗୁଡ଼ି ପିଲା ହାତରେ, ‘ନୀଳ ଆକାଶରୁ ଗୁଡ଼ି ହଠାତ୍ କାନି ଖାଇ ଭୂଇଁରେ ଫାଟିଯିବା ଦଶା’ ଏହାର ହୋଇଛି। ୧୭ ବର୍ଷରେ ଥରେ ମାତ୍ର ସାଧାରଣ ପରିଷଦ ବୈଠକ ଓ ୫ଥର କାର୍ଯ୍ୟକାରୀ ପରିଷଦ ବୈଠକ ହୋଇଛି। ମାତ୍ର ନିୟମ ଅନୁସାରେ ବର୍ଷକୁ ଦୁଇଥର ସାଧାରଣ ପରିଷଦ ଓ ୪ଥର କାର୍ଯ୍ୟକାରୀ ପରିଷଦ ବୈଠକ ହେବାକଥା।
ଏଥିରୁ ବିଚାର କରାଯାଉ, ଏ ସରକାରଙ୍କ, ଏ ନେତୃବୃନ୍ଦ ବା ସଚେତନ ନାଗରିକଙ୍କ ଓଡ଼ିଆ ପ୍ରାଣତା, ଭାଷା ଆଗ୍ରହ। ଇୟେ କେବଳ ଭଣ୍ଡାମି ଓ ଭାଣ୍ଡାମି। କି ଉତ୍ତର ଅଛି ଦେଉନା!!! ‘ନ ଦେଖିଲା ଲୋକ ଦେଖ କଇଁଛ କାଢ଼ିଛି ବେକ’।
Comments are closed.