www.samajalive.in
Saturday, December 13, 2025
14.1 C
Bhubaneswar

ଶତାୟୁର ସ୍ୱର

ବକୁଳ ବନର ବାଳୁତ ଆଜି ଶତାୟୁଭୂଷିତ। ଆଜନ୍ମରୁ ଦଳିତ, ନିଷ୍ପେଷିତ, ଉପେକ୍ଷିତ ଜନତାଙ୍କ ସେବାରେ ସମର୍ପିତ ‘ସମାଜ’ ଆଜି ଶହେ ବର୍ଷ ଅତିକ୍ରମ କରି ୧୦୧ ବର୍ଷରେ ପଦାର୍ପଣ କରିଛି। ଓଡ଼ିଶାବାସୀଙ୍କ ଭଲ ପାଇବା, ବିଶ୍ୱାସ ଓ ଅନ୍ତରନିଃସୃତ ଆଶୀର୍ବାଦ ଆଜି ‘ସମାଜ’କୁ ଶତାୟୁ କରିବା ସହ ଆଉ ଏକଶହ ବର୍ଷ ଯାତ୍ରାରମ୍ଭର ସାହସ ଯୋଗାଇଛି। ସମଗ୍ର ଓଡ଼ିଶାବାସୀଙ୍କ ଆଶା, ଭରସା ଓ ସ୍ୱରର ପ୍ରତୀକ ସାଜି ‘ସମାଜ’ ଆଜି ଆଞ୍ଚଳିକ ଭାଷାଭିତ୍ତିକ ଖବରକାଗଜ ଜଗତରେ ନୂଆ ଇତିହାସ ସୃଷ୍ଟି କରିଛି। ଆଦରଣୀୟ, ପ୍ରିୟ ପାଠମାନଙ୍କ ସ୍ନେହବୋଳା ପୁଞ୍ଜିରେ ପରିପୁଷ୍ଟ ‘ସମାଜ’ ଆଜି ଦୃପ୍ତ ଆଉ ଦୀପ୍ତ।
ସମୟର ଗତିଚକ୍ରରେ ଓଡ଼ିଶାବାସୀ ଅନେକ ମହାବାତ୍ୟା, ମହାବନ୍ୟା, ମହାମରୁଡ଼ି ଓ ମହାମାରୀକୁ ସାମ୍‍ନା କରି ସ୍ୱାଭିମାନର ସହ ବଞ୍ଚିବା ଶିଖିଆସିଛନ୍ତି। ଏହିସବୁ ଦୁର୍ଦିନରେ ପୀଡ଼ିତ ଜନତାଙ୍କ ସେବା କରିବାର ମନ୍ତ୍ର ଶିଖାଇଦେଇ ଯାଇଛନ୍ତି ଉତ୍କଳର ମଣି ପୁଣ୍ୟାତ୍ମା ଗୋପବନ୍ଧୁ ଦାସ। ସେହି ଅମର ମନ୍ତ୍ରରେ ଦୀକ୍ଷିତ ‘ସମାଜ’ ଆଜି ଶହେବର୍ଷ ଧରି ନିରନ୍ତର ଭାବେ ଉପେକ୍ଷିତ ଜନତାଙ୍କ ସେବାରେ ସମର୍ପିତ ରହି ଆସିଛି। ବିଡ଼ମ୍ବନାର ବିଷୟ ଏହି ଯେ, ଅନୁନ୍ନତ ଓଡ଼ିଶାକୁ ସୁଖ-ସମୃଦ୍ଧି ପଥରେ ଆଗେଇ ନେବାପାଇଁ ନେତୃବର୍ଗଙ୍କ ସମେତ ବିଭିନ୍ନ ବର୍ଗର ବୁଦ୍ଧିଜୀବୀ ଆଗେଇ ଆସିଥିବା ବେଳେ ପଡ଼ୋଶୀ ପ୍ରେରିତ କରୋନା ଭୂତାଣୁର ସଂକ୍ରମଣ ରାଜ୍ୟବାସୀଙ୍କ ପାଇଁ ଆଉ ଏକ ଆହ୍ୱାନ ସୃଷ୍ଟି କରିଛି।
ଏ ବିଶ୍ୱ ମହାମାରୀ ସହ ଏବେ ସାରା ବିଶ୍ୱ ଲଢ଼ୁଛି। ବଳବୁଦ୍ଧି ଖଟାଇ ଆମ ଦେଶ ଭାରତ ବର୍ଷ ସମେତ ଆମ ରାଜ୍ୟ ଓଡ଼ିଶା ମଧ୍ୟ ଆଜକୁ ଛ’ ମାସ ଧରି ସଂଗ୍ରାମରତ। କରୋନା ମହାମାରୀର ପୀଡ଼ାରେ ଜନତାଙ୍କ ସହ ଶିଳ୍ପଜଗତ ମଧ୍ୟ ଆକ୍ରାନ୍ତ। ମଣିଷ ସମାଜ ଜୀବନ ବଞ୍ଚାଇବାକୁ କରୋନା ସହ ଲଢ଼େଇ କରୁଥିବାବେଳେ ଶିଳ୍ପାନୁଷ୍ଠାନର ଜୀବନୀ କୁହାଯାଉଥିବା ଆର୍ଥିକ ଶକ୍ତିକୁ ଜୀବିତ ରଖିବା ଚିନ୍ତାରେ ଖବରକାଗଜ ଶିଳ୍ପ ମଧ୍ୟ ସଂଘର୍ଷରେ ଆକ୍ତାମାକ୍ତା। ତଥାପି, ଏଇ ଆର୍ଥିକ ସଙ୍କଟ ଭିତରେ ମୁଣ୍ଡ ଟେକି ଛିଡ଼ା ହେବା ସହ ‘ସମାଜ’ ତା’ର ପ୍ରିୟ ପାଠକମାନଙ୍କୁ ନିରନ୍ତର ସେବା ଯୋଗାଇବାରେ ଅବହେଳା କରିନି।
ଏହା ଚିରନ୍ତନ ସତ୍ୟ ଯେ ଅମାବାସ୍ୟାର ଅନ୍ଧକାର ଦୀର୍ଘସ୍ଥାୟୀ ନୁହେଁ। ଅର୍ଦ୍ଧଚନ୍ଦ୍ରର ଅସ୍ପଷ୍ଟ ଆଲୋକ ଶିଖାରେ ବଞ୍ଚିବା ଶିଖି ପୂର୍ଣ୍ଣିମାର ଶୀତଳ ଜ୍ୟୋତ୍ସ୍ନା ଆସିବା ଯାଏ ଆମକୁ ଅପେକ୍ଷା କରିବାକୁ ପଡ଼ିବ। ଅନ୍ଧାରରୁ ଆଲୋକ ଯାଏ- ଆମକୁ କେବଳ ଧୈର୍ଯ୍ୟ ଆଉ ସାହସ ଜୁଟାଇ ଲଢ଼ିବାକୁ ହେବ। ପୁଣ୍ୟାତ୍ମା ଗୋପବନ୍ଧୁଙ୍କ ଭାଷାରେ- “ଉତ୍କଳେ ନେତାର ନାହିଁ ପ୍ରୟୋଜନ, ଉତ୍କଳର ନେତା ସ୍ୱୟଂ ନାରାୟଣ।” ତେଣୁ ସେହି ଜଗତର ନାଥ ଶ୍ରୀକ୍ଷେତ୍ରମଣି ପ୍ରଭୁ ଶ୍ରୀଜଗନ୍ନାଥଙ୍କ କରୁଣା ଭିକ୍ଷା ସହ ଆତ୍ମସଂଯମୀ ହୋଇ ବାଟ ଚାଲିଲେ, ଆମେ ସମସ୍ତେ ନିଶ୍ଚୟ ଏ ମହାମାରୀକୁ ହରାଇପାରିବା। ଏହି ବିଶ୍ୱାସ ସହ ଆପଣଙ୍କ ପ୍ରିୟ ‘ସମାଜ’ ଆଜି ତା’ର ପୁଣ୍ୟ ଜନ୍ମତିଥିରେ ପୁଣି ଥରେ ପାଠକପାଠିକା, ବିଜ୍ଞାପନଦାତା, ବିତରକ ଓ ଶୁଭେଚ୍ଛୁଙ୍କ ଠାରୁ ଆଶୀର୍ବାଦ କାମନା କରୁଛି।
ସୁଶାନ୍ତ କୁମାର ମହାନ୍ତି
କାର୍ଯ୍ୟକାରୀ ସମ୍ପାଦକ

Hot this week

ଶନିବାର ରାଶିଫଳ: ଈପ୍‌ସିତ ଅର୍ଥ ପ୍ରାପ୍ତିର ସୂଚନା

ମେଷ: ଧୈର୍ଯ୍ୟ ଓ ସାହସ ସଞ୍ଚୟ କରି ଆଶୁ ବିପଦର ମୁକାବିଲା କରିପାରନ୍ତି।...

ସାବଧାନ, ଅଣ୍ଡା ଖାଇଲେ ହେଉଛି କ୍ୟାନସର!

ଶୀତ ଋତୁରେ ଅଧିକାଂଶ ଲୋକ ଅଣ୍ଡା ଖାଆନ୍ତି। ଅଣ୍ଡାରେ ପ୍ରୋଟିନ୍, କ୍ୟାଲସିୟମ୍...

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

Related Articles

Popular Categories