ସାକ୍ଷୀଗୋପାଳ: ଐତିହାସିକ ସତ୍ୟବାଦୀ ବନ ବିଦ୍ୟାଳୟ ପରିସରରେ ଥିବା ଐତିହାସିକ ସିମେଣ୍ଟ ବେଞ୍ଚଟି କ୍ଷତିଗ୍ରସ୍ତ ହୋଇଛି। ବନ ବିଦ୍ୟାଳୟ ପରିସରରେ ମରାମତି ଓ ରକ୍ଷଣାବେକ୍ଷଣ କାର୍ଯ୍ୟ ହେଉଅଛି। ମରାମତି ସମୟରେ କୌଣସି ଏକ ଗାଡି ଧକ୍କାରେ ଏହି ସିମେଣ୍ଟ ବେଞ୍ଚଟି ଭାଙ୍ଗି ଯାଇଅଛି।
୧୯୦୯ ମସିହାରେ ସତ୍ୟବାଦୀ ଯୁଗର ପଞ୍ଚସଖା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ, ଆଚାର୍ଯ୍ୟ ହରିହର ଦାସ, ପଣ୍ଡିତ ନୀଳକଣ୍ଠ ଦାସ, ପଣ୍ଡିତ କୃପାସିନ୍ଧୁ ମିଶ୍ର ଓ ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ ଦ୍ୱାରା ସତ୍ୟବାଦୀର ଏହି ବକୁଳ ବନ ପରିସରରେ ଐତିହାସିକ ସତ୍ୟବାଦୀ ବନ ବିଦ୍ୟାଳୟ ପ୍ରତିଷ୍ଠା ହୋଇଥିଲା।
ତତ୍କାଳୀନ ସମୟରେ ଏହି ବନ ବିଦ୍ୟାଳୟ ପରିସରରେ ନିର୍ମିତ ୩ ଗୋଟି ସିମେଣ୍ଟ ଚୌକି ଓ ୧ ଗୋଟି ସିମେଣ୍ଟ ବେଞ୍ଚ ଆଜି ପର୍ଯ୍ୟନ୍ତ ବନ ବିଦ୍ୟାଳୟର ସ୍ମାରକୀ ଭାବରେ ରହିଅଛି। ଏହି ସ୍ମାରକୀ ମାନଙ୍କ ମଧ୍ୟରୁ ସିମେଣ୍ଟ ବେଞ୍ଚଟି କ୍ଷତିଗ୍ରସ୍ତ ହୋଇଛି। ଏହି ସିମେଣ୍ଟ ବେଞ୍ଚରେ ପଞ୍ଚସଖା ଏକାଠି ବସି ବିଭିନ୍ନ ପ୍ରସଙ୍ଗ ଆଲୋଚନା କରୁଥିଲେ।



