www.samajalive.in
Saturday, December 13, 2025
26.1 C
Bhubaneswar

ଚୁଡାଘସା ସୁବାସରେ ମହକିଲା ସାକ୍ଷୀଗୋପାଳ ମନ୍ଦିର; ପ୍ରବଳ ଖରାରେ ଭକ୍ତ ହନ୍ତସନ୍ତ

ସାକ୍ଷୀଗୋପାଳ: ଆଜି କାର୍ତ୍ତିକ ମାସ ଶୁକ୍ଳପକ୍ଷ ଏକାଦଶୀ ତିଥି, ପବିତ୍ର ବଡ଼ ଏକାଦଶୀ। ଏହି ଅବସରରେ ସାକ୍ଷୀଗୋପାଳ ମନ୍ଦିରରେ ଠାକୁର ଶ୍ରୀ ଶ୍ରୀ ଗୋପାଳ ଜୀଉ ଓ ଠାକୁରାଣୀ ଶ୍ରୀ ଶ୍ରୀ ରାଧାରାଣୀଙ୍କ ଲକ୍ଷ୍ମୀ ନାରାୟଣ ବେଶ ଅନୁଷ୍ଠିତ ହୋଇଛି। ଭକ୍ତ ଓ ହବିଷ୍ୟାଳିମାନେ ଧାଡିରେ ଯାଇ ଠାକୁରଙ୍କ ଲକ୍ଷ୍ମୀ ନାରାୟଣ ବେଶ ଦର୍ଶନ ଓ ପୂଜାର୍ଚ୍ଚନା କରିଥିଲେ। ପ୍ରାୟ ୫୦ ହଜାରରୁ ଊର୍ଦ୍ଧ୍ୱ ଭକ୍ତଙ୍କ ସମାଗମ ହୋଇଥିଲା। ଏହି ପବିତ୍ର ଅବସରରେ ବର୍ଷକରେ ଆଜି ଗୋଟିଏ ଦିନ ନିମନ୍ତେ ଠାକୁରଙ୍କୁ ଚୁଡ଼ାଘଷା ଭୋଗ ଲାଗି ହେବାର ପରମ୍ପରା ରହିଛି । ଠାକୁର ଉତ୍ତର ଭାରତରୁ ଆସିଥିବାରୁ ବର୍ଷସାରା ଏଠାରେ ଗହମରୁ ପ୍ରସ୍ତୁତ ସାମଗ୍ରୀ ଲାଗି କରାଯାଇଥାଏ । ଆଜି ଗୋଟିଏ ଦିନ ସ୍ଥାନୀୟ ମୁଖ୍ୟ ଫସଲ ଧାନରୁ ପ୍ରସ୍ତୁତ ଚୁଡ଼ାରେ ସ୍ୱାଦିଷ୍ଟ, ସୁମିଷ୍ଟ ଓ ସୁବାସିତ ଚୁଡାଘସା ଭୋଗ ପ୍ରସ୍ତୁତ କରାଯାଇ ଲାଗି କରାଯାଇଥିଲା । ଭକ୍ତ ଓ ଶ୍ରଦ୍ଧାଳୁମାନେ ମନ୍ଦିର ବେଢା ପରିସରରେ ଚୁଡ଼ାଘଷା ଭୋଗ ପ୍ରସ୍ତୁତ କରି ଠାକୁରଙ୍କ ନିକଟରେ ଲାଗି କରିଥିଲେ । ଗୁଣ୍ଡ ଚୁଡାରେ ଗୁଡ଼ କିମ୍ବା ଚିନି, ନଡ଼ିଆ, ଲବଙ୍ଗ, ଅଳେଇଚ, କାଜୁ ଖିସମିସ, ଗୋଲ ମରିଚ, କର୍ପୁର, ଭଲ ଘିଅ ଓ ଦେଶୀ କମଳା ମିଶ୍ରଣ କରାଯାଇ ଚୁଡାଘସା ପ୍ରସ୍ତୁତ କରା ଯାଇଥିଲା। ଚୁଡାଘସା ସୁବାସରେ ମନ୍ଦିର ପରିସର ମହକି ଉଠିଥିଲା।

ଦର୍ଶନ ନିମନ୍ତେ ଦେବନୀତି ପାଇଁ ରାତି ୧୧ ଟା ସମୟରେ ଦ୍ୱାରଫିଟା, ମଙ୍ଗଳ ଆରତି, ବେଶ, ମଇଲମ, ମର୍ଦ୍ଦନ ଅବକାଶ, ଲକ୍ଷ୍ମୀ ନାରାୟଣ ବେଶ ସୂର୍ଯ୍ୟ ପୂଜା, ଦ୍ୱାରପାଳ ପୂଜା, ବଲ୍ଲଭ, ସକାଳ ଧୂପ, ବାଳଧୂପ ଆଦି ନୀତି ସମ୍ପନ୍ନ ହୋଇଥିଲା। ରାତି ୨ଟାଠାରୁ ମନ୍ଦିର ସାହାଣମେଲା ଓ ସର୍ବସାଧାରଣ ଦର୍ଶନ ଆରମ୍ଭ ହୋଇଥିଲା । ମନ୍ଦିର ପରିସର ଓ ବେଢା ବାହାରେ ଶତାଧିକ ସଂକୀର୍ତ୍ତନ ମଣ୍ଡଳୀ ସଂକୀର୍ତ୍ତନ ପରିବେଷଣ କରିଥିଲେ। ଫଳରେ ମନ୍ଦିର ଚାରିପଟେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା। ରାତି ସାଢ଼େ ୧୧ଟା ପର୍ଯ୍ୟନ୍ତ ଭକ୍ତମାନେ ଠାକୁର ଦର୍ଶନ କରିଥିଲେ । ରାତି ୧୨ଟାରେ ପରବର୍ତ୍ତି ଦେବନୀତି ଆରମ୍ଭ ହୋଇ ପହୁଡ଼ ଅନୁଷ୍ଠିତ ହୋଇଥିଲା । ଏହା ବ୍ୟତୀତ ପଞ୍ଚସଖା ପଡିଆରେ ଜିଲ୍ଲା ଶିଳ୍ପ କେନ୍ଦ୍ର ଓ ସ୍ୱୟଂ ସହାୟକ ଗୋଷ୍ଠୀ ତରଫରୁ ବିଭିନ୍ନ ପ୍ରକାର ଷ୍ଟଲ ଖୋଲିଥିଲା । ପଞ୍ଚସଖା ମୁକ୍ତାକାଶ ରଙ୍ଗମଞ୍ଚରେ ଜିଲ୍ଲା ସଂସ୍କୃତି ପରିଷଦ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

- Advertisement -

ଭକ୍ତ ହଇରାଣ:

ଆଜି ପ୍ରବଳ ଖରା ହୋଇଥିଲା। ଦର୍ଶନ ନିମନ୍ତେ ଧାଡିରେ ଯାଉଥିବା ଭକ୍ତ, ହବିଷ୍ୟାଳି ଓ ବରିଷ୍ଠ ନାଗରିକମାନେ ଖରା ତାପରେ ହଇରାଣ ହୋଇଥିଲେ। ପ୍ରବଳ ଖରାରେ ରାସ୍ତା ତାତି ଯାଇଥିଲା। ଭକ୍ତ, ହବିଷ୍ୟାଳି ଓ ବରିଷ୍ଠ ନାଗରିକମାନେ ଉପରେ ସୂର୍ଯ୍ୟ ତାପ ଓ ରାସ୍ତାରେ ପାଦ ତାତିଯିବାରୁ ଦର୍ଶନକୁ ଯିବା ନିମନ୍ତେ ହନ୍ତସନ୍ତ ହୋଇଥିଲେ। ସାକ୍ଷୀଗୋପାଳ ଅଗ୍ନିଶମ କେନ୍ଦ୍ର ଅଧିକାରୀ ମନୋଜ କୁମାର ପାତ୍ରଙ୍କ ସମେତ ଆଗ୍ନିକମାନେ ମନ୍ଦିର ସିଂହଦ୍ୱାର ସମ୍ମୁଖ ରାସ୍ତା ଉପରେ ପାଣି ପକାଇବା ସହିତ ଭକ୍ତମାନଙ୍କ ଉପରେ ଥଣ୍ଡା ଜଳ ସିଞ୍ଚନ କରିଥିଲେ। ଫଳରେ ଭକ୍ତ ମହଲରେ ଆଶ୍ବସ୍ତି ପ୍ରକାଶ ପାଇଥିଲା।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories