ସାକ୍ଷିଗୋପାଳ: ଶନିବାର ରାତି ପ୍ରାୟ ସାଢ଼େ ୨ ଟା ସମୟରେ ସତ୍ୟବାଦୀ ଥାନା ଅନ୍ତର୍ଗତ ବୀର ଗୋବିନ୍ଦ ପୁର ମଠ ପଡିଆରେ ପୁରୀ ଭୁବନେଶ୍ୱର ଜାତୀୟ ରାଜପଥରେ ଚଳାଚଳ କରୁଥିବା ଯାନବାହାନରୁ ଲୁଟ ପାଇଁ ୫ଜଣ ଲୁଟେରା ପ୍ରସ୍ତୁତି ଆରମ୍ଭ ଚଳାଇଥିଲେ। ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ସତ୍ୟବାଦୀ ଥାନା ପକ୍ଷରୁ ସେଠାରେ ଚଢ଼ାଉ କରାଯାଇଥିଲା ଏବଂ ସମସ୍ତ ୫ଜଣ ଲୁଟେରାଙ୍କୁ ଧରିବାରେ ସଫଳ ହୋଇଥିଲା। ଏଏସଆଇ କୃଷ୍ଣଚନ୍ଦ୍ର ଦାସଙ୍କ ନେତୃତ୍ଵରେ ତାଙ୍କ ଦଳ ସତର୍କତାର ସହ ଚଢ଼ାଉ କରିଥିଲେ ଏବଂ ଲୁଟେରାମାନଙ୍କୁ ଧରିଥିଲେ। ରାଜପଥରେ ଲୁଟ୍ ଉଦ୍ୟମ ଚଳାଇଥିବା ପିପିଲି ଥାନା ଅଞ୍ଚଳର ପ୍ରମୋଦ କୁମାର ସାହୁ (୨୬), ସତ୍ୟବାଦୀ ଥାନା ଅଞ୍ଚଳର ଚିନ୍ତାମଣି ସ୍ୱାଇଁ (୩୨), ସଞ୍ଜୟ ବେହେରା (୨୦)ଓ କାହ୍ନୁ ନାୟକ (୧୯)ଙ୍କୁ ପୁଲିସ ଗିରଫ କରିଥିଲା। ଅପରପକ୍ଷରେ ଚନ୍ଦନ ପୁର ଥାନା ଅଞ୍ଚଳର କଇନ ନାମକ ଜଣେ ଲୁଟେରା ଚମାଉବେଳେ ଧାନ ବିଲ ମଧ୍ୟରେ ଖସି ପଳାଇ ଥିବା ସୂଚନା ମିଳିଛି।
ଘଟଣା ସ୍ଥଳରୁ ସତ୍ୟବାଦୀ ପୁଲିସ ପକ୍ଷରୁ ଏକ ଖଣ୍ଡା, ଲୁହା ଛଡ଼, ମଦ ବୋତଲ, ପାଣି ବୋତଲ ଓ ଗ୍ଲାସ ଜବତ କରାଯାଇଛି। ଏହି ମାମଲାରେ ସତ୍ୟବାଦୀ ପୁଲିସ ପକ୍ଷରୁ ଅଭିଯୁକ୍ତମାନଙ୍କ ବିରୋଧରେ ୩୯୯ ଓ ୪୦୨ ଦଫା ଏବଂ ୨୫ ଆର୍ମସ ଆକ୍ଟରେ କେସ୍ ନଂ ୧୨୩/୨୧ ମୋକଦ୍ଦମା ରୁଜୁ କରି କୋର୍ଟ ଚାଲାଣ କରାଯାଇଥିଲା। ସେମାନଙ୍କ ଜାମିନ ନା ମଞ୍ଜୁର ହେବାରୁ ସେମାନଙ୍କୁ ପୁରୀ ଜେଲକୁ ପଠାଇ ଦିଆଯାଇଛି।



